ଯୁଗେ ଯୁଗେ ଅଟେ କନ୍ୟା ରତ୍ନଟିଏ
ଦିଅ ତା’କୁ ଶିକ୍ଷା ଦୀକ୍ଷା
କନ୍ୟାଭୃଣ ହତ୍ୟା ନ କରି ସମାଜେ
ସର୍ବେ କର ତା’ର ରକ୍ଷା ।
କନ୍ୟାଟିଏ ଥିଲେ ଘର ଲାଗୁଥାଏ
ସତେ ଅବା ସ୍ୱର୍ଗପୁର
ସିଏ ତ ନ ଥିଲେ ମରୁଭୂମି ପରି
ଘର ଲାଗେ ଅସୁନ୍ଦର ।
କନ୍ୟାଟି ହସିଲେ ଦୁନିଆ ହସିବ
ବଢ଼ିବ ଧନ ଜୀବନ
ସିଏ ତ କାନ୍ଦିଲେ ବଂଶ ନାଶ ହେବ
ନଷ୍ଟ ହେବ ସନମାନ ।
ନୁହେଁ ସେ ଅଲୋଡ଼ା ସେ ଖୁସି ପସରା
ସରଗର ସୁନାପରୀ
ତା’ ସ୍ନେହ ଶ୍ରଦ୍ଧାର ଆପଣା ପଣରେ
ମିଛ ଲାଗେ ସତ ପରି ।
ବିଶ୍ୱ ବ୍ରହ୍ମାଣ୍ଡର ସେ ମୂଳ ଆଧାର
କୋଟି ଲାବଣ୍ୟ ସୁନ୍ଦରୀ
ଗୌରବଶାଳିନୀ ସେ ବିଶ୍ୱ ବନ୍ଦିତା
ଯୁଗେଯୁଗେ ଅବତରୀ ।
କନ୍ୟା ପାଇଁ ଆଜି ବଞ୍ଚିଛି ଜଗତ
କନ୍ୟା ଅଟେ ଶ୍ରେଷ୍ଠ ରତ୍ନ
ସେ ରତ୍ନକୁ ସର୍ବେ ବୋଝଟେ ନ ଭାବି
ସର୍ବଦା ନିଅ ତା’ ଯତ୍ନ ।
ଭାଙ୍ଗିଦିଅ ନାହିଁ ତା’ କଅଁଳ ମନ
ପାଦରେ ଦଳି ମକଚି
କନ୍ୟାର ସୁରକ୍ଷା ଏ ସଂସାର ରକ୍ଷା
ଯାଏ ଇତିହାସ ରଚି ।
– ରାମ ଚନ୍ଦ୍ର ପ୍ରଧାନ
Comments

ରାମ ଚନ୍ଦ୍ର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।