ତୁମେ ତ ଦେଖିଛ ଚକ୍ଷୁରେ ତାହାର ମଳିନ କଜ୍ଜ୍ୱଳ ଭାଷା
ମୁଁ ପାଇଛି ତା’ର ନୟନ ଯୁଗଳେ ଅଥଳ ସ୍ୱପ୍ନର ଆଶା ।
ତୁମେ ବୁଝିଅଛ ତାକୁ ଶିଥିଳ ତନୁର ମିନା
ମୁଁ ପାଇଛି ତାକୁ ଜ୍ୱଳନ୍ତ ଚନ୍ଦ୍ରମା, ଅପ୍ରତ୍ୟକ୍ଷ ସୂର୍ଯ୍ୟ ସମା ।
ତୁମ ଦୃଷ୍ଟିରେ ସେ ଭାବମୟୀ ଚପଳା ଉର୍ବଶୀ
ସପ୍ତରଙ୍ଗେ ତରଙ୍ଗିଣୀ,
ମୁଁ ଦେଖିଛି ତାକୁ ଧୈର୍ଯ୍ୟଧାରିଣୀ
ଅବା କେବେ ପୁଣି ଦଶାନନ ସଂହାରିଣୀ ।
ତୁମେ ଦେଖିଲ ଅଜ୍ଞାନ ଅନ୍ଧାରର ଲିଭି ଆସୁଥିବା ବତୀ
ସେଥିଲାଗି ଦେଲ ପରାଧୀନତା ଲୁହାର ପିଞ୍ଜରା କାଠି
ମୁଁ ପାଇଛି ଏକ ଶୂନ୍ୟତା ଜଠରେ ପୂର୍ଣ୍ଣତାର ମାପକାଠି ।
ତୁମେ ତ ପାଇଛ ଅଶ୍ରୁ ଜୁଡ଼ୁବୁଡ଼ୁ ପରାଧୀନତାର ଆଖି
ମୁଁ ପାଇଛି ଏକ ଖୋଲା ଆକାଶରେ ବିପ୍ଲବୀ ଜଟାୟୁ ପକ୍ଷୀ ।
ତୁମେ ପାଇଛ ଉଦ୍ଧତ ବିଧର୍ମୀ କଳା ପାହାଡ଼ର ସ୍ମୃତି
ମୁଁ ଖୋଜି ପାଇଲି ନିର୍ମାୟା ପୁରୁଷ ମୁକ୍ତ ଜରା ଶବରର ସ୍ଥିତି ।
ତୁମେ ପାଇଅଛ ପ୍ରତାରଣାପୂର୍ଣ୍ଣ କୁହୁକିନୀ ସ୍ପର୍ଶ କେଉଁ ଲଳନାର
ମୁଁ ପାଇଛି ଏକ ଅମୃତଧାର ନୀଳ ଜଳ ଯମୁନାର
ତୁମେ ଦେଖିଅଛ ଅନୁରାଗ ଭରା ପ୍ରଣୟ କିଶୋରୀ, ପ୍ରେମ ଛନ୍ଦେ ପ୍ରେମମୟୀ
ମୁଁ ଦେଖିଛି କିନ୍ତୁ ସାଗରୁ ଗଭୀର… ସ୍ଥିତପ୍ରଜ୍ଞ ସମ ସକଳ ଉତ୍ତରଦାୟୀ ।
– ଗୋପୀକିଶନ ପରିଡ଼ା
Comments
ଗୋପୀକିଶନ ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।