ନୀତି, ଆଦର୍ଶ, ଧର୍ମ, ନିର୍ମଳତା, ମାନବିକତା, ଉଦାରତା, ସହିଷ୍ନୁତା ତଥା ସେବାର ମୂର୍ତ୍ତି ମନ୍ତ ପୁଜାରୀ ହେଲେ ପଣ୍ଡିତ ଗୋପବନ୍ଧୁ ଦାସ । ନିଜକୁ ତଥା ନିଜ ପରିବାରକୁ ପଛରେ ପକାଇ ଯିଏ ଦେଶ ପାଇଁ କାର୍ଯ୍ୟ କରି ଚାଲୁଥିଲେ ସେହିପରି ଦେବତାତ୍ମା ହେଉଛନ୍ତି ଗୋପବନ୍ଧୁ । ତାଙ୍କ କର୍ତ୍ତବ୍ୟ ନିଷ୍ଠାକୁ ଦେଖି ତାଙ୍କୁ “ଉତ୍କଳର ଗାନ୍ଧୀ” ବୋଲି କୁହାଯାଉଥିଲା । ସବୁବେଳେ ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଗୋପବନ୍ଧୁ ନିରାଶ୍ରୟ ଓ ନିଃସହାୟ ବ୍ୟକ୍ତିମାନଙ୍କର ସେବା କରି ନିଜର ସେବା ମନୋବୃଭିକୁ ଯେଭଳି ଚରିତାର୍ଥ କରିଥିଲେ, ସେଭଳି ଯୁବସମାଜକୁ ଆଦର୍ଶ ମାର୍ଗରେ ଗଢ଼ି ତୋଳିବା ପାଇଁ ସଦା ତତ୍ପର ଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ବନ୍ୟା, ବାତ୍ୟା, ମରୁଡ଼ି, ଦୁର୍ବିପାକରେ ନିଃସହାୟ ଜନତାଙ୍କୁ ନିଃସ୍ୱାର୍ଥ ସେବା ସାହାଯ୍ୟ ଯୋଗାଇ ଦେଇ ମାନବୀୟ ଗୁଣ ଏବଂ ନିଜର ଚିନ୍ତା ଚେତନାରେ ଉତ୍କଳୀୟ ଭାବନା ରଖି ଜାତୀୟତାର ନିଚ୍ଛକ ନିଦର୍ଶନ ରଖିଯାଇଛନ୍ତି ।
ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଆ ଜାତିର ଯୁଗପୁରୁଷ । ଏକାଧାରରେ ସେ ଥିଲେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍, ଆଇନଜ୍ଞ ଏବଂ ଜଣେ ସ୍ୱାଧିନତା ସଂଗ୍ରାମୀ । ଦୈନିକ ଖବର କାଗଜ ସମାଜ ଏବଂ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ ଗୋପବନ୍ଧୁ ଦାସ । ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମର ଅଳ୍ପ ଦିନ ପରେ ସେ ହରାଇଥିଲେ ମାତାଙ୍କୁ । ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଶେଷ କରି ସେ ରୂପଦେଈପୁର ମିଡ଼ିଲ୍ ଭର୍ଣ୍ଣାକୁଲାର ସ୍କୁଲରେ ଅଧ୍ୟୟନ କଲେ । ୧୮୯୨ରେ ସେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେ ସମୟରୁ ତାଙ୍କର ସାହିତ୍ୟ ପ୍ରତି ରୁଚି ରହିଥିଲା । ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହେଲା, ଯାହଙ୍କ ଠାରୁ ପରେ ସେ ଦେଶ ସେବାର ଶିକ୍ଷା ପାଇଲେ । ଗୋପବନ୍ଧୁଙ୍କଦ୍ୱାରା ହିଁ ପୁରୀରେ ସେତେବେଳେ, ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରାଯାଇଥିଲା । ପୁରୀ ସେବା ସମିତି ଗଠନ କରି, ସେ ଆପଣା ଜୀବନକୁ ବିପନ୍ନ କରି ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ ।
ପଣ୍ଡିତେ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠ ପଢ଼ା ଜାରିରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ । ଏହି ସମୟରେ ତାଙ୍କର ପିତୃବିୟୋଗ ଘଟିଥିଲା । କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, ‘କର୍ତ୍ତବ୍ୟ ବୋଧିନୀ ସମିତି’ ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ । ତାଙ୍କର ଆହ୍ୱାନ ଥିଲା, ‘ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ ।’ ରମ୍ଭାଠାରେ ରାମଚନ୍ଦ୍ର ଦାଶ ଓ ଗୋପବନ୍ଧୁଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ୧୯୦୩ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ରସନ୍ତାନଟିର ମୃତ୍ୟୁ ଘଟିଥିଲା । ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ୱେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ କଲିକତାରେ ବିଏଲ ପଢ଼ିଲେ । ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ ‘ଓଡ଼ିଆ ଶ୍ରମିକ ସଂଘ’ ଓ ‘ସାନ୍ଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ । ଇତି ମଧ୍ୟରେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରିକି, ଯେଉଁଦିନ ସେ ବିଏଲ ପାସ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା । ଏତେ ସବୁ ଦୁଃଖ କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରିପାରିନଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା ।
କଲିକତାରେ ଏମ.ଏ. ଓ ଆଇନରେ ଯୋଗ୍ୟତା ହାସଲ କରିବା ପରେ ବି ତାଙ୍କର ଚାକିରି କରିବାକୁ ମନ ବଳିନଥିଲା । ତେବେ ଗୋଟେ ହାଇସ୍କୁଲରେ ସେ କିଛିଦିନ ଶିକ୍ଷକତା କରି ପରେ ପୁରୀରେ ଯାଇ ଆଇନ୍ ବ୍ୟବସାୟ କଲେ । ପୁରୀର ଏକମାତ୍ର ବିଶିଷ୍ଟ ଓକିଲ ଭାବେ ସେ ପ୍ରଚୁର ଅର୍ଥ ରୋଜଗାର କରିପାରିଥାନ୍ତେ; କିନ୍ତୁ ସେବା ଥିଲା ତାଙ୍କ ଜୀବନର ମୌଳିକ ବ୍ରତ । କୁଷ୍ଠାଶ୍ରମର ସଂପାଦକ ହୋଇ ସେ ସେମାନଙ୍କ କଥା ବୁଝୁଥିଲେ । ୧୯୦୯ରେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଗୋପବନ୍ଧୁଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତ କରିଥିଲେ । ସେଠାରେ ସେ ସେବା ମନବୃତ୍ତି ନେଇ କାମ କରିବା ସହିତ ବହୁ ଜନହିତକର କାର୍ଯ୍ୟ କରିଥିଲେ । ତେବେ ଓକିଲାତିରେ ତାଙ୍କ ମନ ବୁଝୁନଥିଲା । ଶିକ୍ଷାରେ ସଂସ୍କାର ଆଣିବା ପାଇଁ ସେ ଭକ୍ତକବି, ମଧୁସୂଦନ ରାଓଙ୍କ ନିଷ୍ପତି କ୍ରମେ, ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ୧୯୦୯ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ନୀଳକଣ୍ଠ, ହରିହର, ଗୋଦାବରୀଶ ଓ କୃପାସିନ୍ଧୁଙ୍କ ଭଳି ଯୋଗଜନ୍ମା ମନୀଷିମାନେ ଆସି ତାଙ୍କ ସହ ଯୋଗଦେଲେ । ଏହି ସ୍କୁଲ ୧୯୧୨ ରେ ହାଇସ୍କୁଲରେ ପରିଣତ ହେଲା । ୧୯୦୮ ମସିହାରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ଉତ୍କଳ ସମ୍ମିଳନୀ ଅନୁଷ୍ଠାନ ମାଧ୍ୟମରେ । ୧୯୧୯ ଅପ୍ରେଲ ମାସରେ ସେ କଟକ ଉତ୍କଳ ସମ୍ମିଳନୀର ସଭାପତି ହୋଇଥିଲେ । ସେ ଉତ୍କଳ ସମ୍ମିଳନୀ ସହିତ ୧୩ ବର୍ଷ ଘନିଷ୍ପଭାବେ ସମ୍ପୃକ୍ତ ରହି ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କର ଏକତ୍ରିକରଣ ଏବଂ ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ପାଇଁ ବହୁ ଉଦ୍ୟମ କରିଥିଲେ ।
ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବାର ଅଭିପ୍ରାୟରେ, ଗୋପବନ୍ଧୁ ୧୯୧୯ ଅକ୍ଟୋବର ମାସ ୪ ତାରିଖ, ଦଶହରା ତିଥିରେ ପ୍ରକାଶ କଲେ ‘ସାପ୍ତାହିକ ସମାଜ’ । ୧୯୩୦ରେ ‘ସାପ୍ତାହିକ ସମାଜ’, ‘ଦୈନିକ ସମାଜ’ରେ ପରିଣତ ହୋଇଥିଲା ।
ଜଣେ ଦରଦୀ ବ୍ୟକ୍ତି ଭାବେ ପରିଚିତ ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର “ସମାଜ” ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ପରିଚିତ ନାମ । ୧୯୧୫ରେ ସେ ‘ସତ୍ୟବାଦୀ’ ପତ୍ରିକା ପ୍ରକାଶ କରିଥିଲେ । ‘ସମାଜ’ ଖବରକାଗଜ ଥିଲା ଓଡ଼ିଶାବାସୀଙ୍କ ପାଇଁ ତାଙ୍କର ବଡ଼ ଉପହାର । ୧୯୦୭ ମସିହାରେ ବ୍ରାହ୍ମଣୀ ଓ ଖରସୁଆଁ ନଦୀର ବଢ଼ିରେ ବୁଲି ବୁଲି ବିପନ୍ନ ଅଞ୍ଚଳରେ ସାହାଯ୍ୟ କରିଥିଲେ । ୧୯୧୭ ମସିହାରେ ସେ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାର ସଭ୍ୟ ହୋଇଥିଲେ ଓ ଚାରିବର୍ଷ ସଭ୍ୟ ରହି ବ୍ୟବସ୍ଥାପକ ଭାବେ ଓଡ଼ିଶାର ବନ୍ୟା, ମରୁଡ଼ି ପ୍ରପୀଡ଼ିତ ଦରିଦ୍ର ଲୋକଙ୍କ ସମସ୍ୟା ଉପସ୍ଥାପିତ କରିଥିଲେ । ୧୯୨୦ ମସିହାରେ ଓଡ଼ିଶାରେ ଗଠିତ କଂଗ୍ରେସ କମିଟିର ସଭାପତି ହେଲେ ଗୋପବନ୍ଧୁ ସେହିବର୍ଷ ସେପ୍ଟେମ୍ବର ମାସରେ କଲିକତା ରେ ଜାତୀୟ କଂଗ୍ରେସର ବି ଶେଷ ଅବେଶନରେ ସେ ଯୋଗଦେଲେ । ସେଠାରୁ ଫେରିଆସି ସେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ସଂପର୍କରେ ପ୍ରଚାର ଆରମ୍ଭ କରିଥିଲେ । ଅସହଯୋଗ ଆନ୍ଦୋଳନର ପ୍ରସାର ପାଇଁ ସେ ସମ୍ପୂର୍ଣ୍ଣ ଭାବରେ ନିଜକୁ ଉତ୍ସର୍ଗ କରିଥିଲେ ବିଭିନ୍ନ ଆନ୍ଦୋଳନରେ ।
କଲେଜରେ ପଢ଼ିବା ସମୟରେ ଅବକାଶ ଚିନ୍ତା ନାମରେ ଏକ ପୁସ୍ତକ (କବିତା) ପ୍ରକାଶ କରାଇଥିଲେ । ତାଙ୍କ ରଚିତ ଗୋ-ମାହାତ୍ମ୍ୟ, ନଚିକେତା ଉପାଖ୍ୟାନ, କାରାକବିତା, ଧର୍ମପଦ ଏବଂ ବନ୍ଦୀର ଆତ୍ମକଥା ଆଦି ପୁସ୍ତକ ଓଡ଼ିଆ ସାହିତ୍ୟକୁ ଅନବଦ୍ୟ ଅବଦାନ । ‘ସମାଜ’ ଖବର କାଗଜରେ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ନିର୍ଭୀକ ସମ୍ବାଦ ପରିବେଷଣ କରି, ସେ ୧୯୨୨ ମସିହାରେ କାରାବରଣ କରିଥିଲେ । କାରାଗାରରେ ତାଙ୍କ ଲେଖନୀରୁ ନିଃସୃତ ହୋଇଥିଲା ‘କାରାକବିତା’ ଓ ‘ବନ୍ଦୀର ଆତ୍ମକଥା’ । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ବିଶାଳ ସମ୍ବର୍ଦ୍ଧନା ସଭାରେ, ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ‘ଉତ୍କଳମଣି’ ବୋଲି ସମ୍ବୋଧନ କରିଥିଲେ । ସମବେତ ଜନତା କରତାଳି ମାଧ୍ୟମରେ ଏହି ଉପାଧିକୁ ସ୍ୱିକୃତି ଦେଇଥିଲେ । ଗୋପବନ୍ଧୁଙ୍କ ସେବା, ତ୍ୟାଗ ଓ ଦରଦୀ ହୃଦୟରେ ପ୍ରୀତ ହୋଇ, ଲାଲା ଲାଜପତ ରାୟ, ତାଙ୍କୁ ଲୋକସେବକ ମଣ୍ଡଳର ସଦସ୍ୟ ରୂପେ ଗ୍ରହଣ କରିଥିଲେ । ପରେ, ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ ।
୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ, ଲାହୋର ଯିବାବାଟରେ, ଗୋପବନ୍ଧୁ କଲିକତାଠାରେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ମୃତ୍ୟୁ ପୂର୍ବରୁ, ସେ ନିଜର ଇଚ୍ଛାପତ୍ରରେ, ‘ସମାଜ’ ଓ ‘ସତ୍ୟବାଦୀ ପ୍ରେସ’ର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ । ଇଚ୍ଛାପତ୍ର ସମ୍ପାଦନର ଦୁଇ ଘଣ୍ଟାପରେ ୧୯୨୮ ମସିହା ଜୁନ ୧୭ ତାରିଖ, ରବିବାର ସନ୍ଧ୍ୟା ଘ.୭-୨୫ମିନିଟରେ, ଗୋପବନ୍ଧୁ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।
ଗୋପବନ୍ଧୁ ଦାଶଙ୍କ ମହାପ୍ରୟାଣର ୯୩ ବର୍ଷ ପରେ ମଧ୍ୟ ସେ ଓଡ଼ିଆଙ୍କ ନିକଟରେ ଏକ ପରିଚିତ ନାମ । ୧୮୯୪ ମସିହାରୁ ୧୯୨୮ ମସିହା ପର୍ଯ୍ୟନ୍ତ ଗୋପବନ୍ଧୁ ଓଡ଼ିଶାର ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଶିକ୍ଷାବ୍ୟବସ୍ଥା, ଗଣଆନ୍ଦୋଳନ ସହିତ ସାମଗ୍ରୀକଭାବେ ଓଡ଼ିଆ ଜାତିର ଅବଚେତନରେ ଆପଣାର ଅନତିକ୍ରାନ୍ତ ପ୍ରଭାବ ବିସ୍ତାର କରିଥିଲେ, ଯାହା ଆଜି ମଧ୍ୟ ମଳିନ ପଡ଼ିନାହିଁ । ଦେବତାର ଛଡ଼ାଫୁଲ ଓ ପାଦୁକା ଭକ୍ତ ନିକଟରେ ଯେଭଳି ପବିତ୍ରତମ ବସ୍ତୁ, ସେହିଭଳି ଗୋପବନ୍ଧୁଙ୍କର ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁଠାରୁ ଆରମ୍ଭକରି ଡାଏରୀ, ଚିଠିପତ୍ର ଓ ଅଭିଭାଷଣ ପର୍ଯ୍ୟନ୍ତ, ସବୁକିଛି ଆଜି ଓଡ଼ିଆ ଜାତିପାଇଁ ପବିତ୍ର ଅମୂଲ୍ୟ ସମ୍ପଦ ।
“ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ ।”
(ଉତ୍କଳମଣି ଗୋପବନ୍ଧୁ ଦାସ)
– ସୌଭାଗ୍ୟ ରଞ୍ଜନ ମହାପାତ୍ର
Comments
ସୌଭାଗ୍ୟ ରଞ୍ଜନ ମହାପାତ୍ର ସମ୍ବଲପୁରର ବୈଦିକ ମହାବିଦ୍ୟାଳୟର ଜଣେ ଅଧ୍ୟାପକ । ସେ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।