ତୁମେ ଆସିଲେ

Odia Poem Tume Asile (ତୁମେ ଆସିଲେ) by Pushpanjali Panda

ମା’ ତୁମେ ଦୁର୍ଗତିନାଶିନୀ
ତୁମେ ଆସିଲେ,
ଅନ୍ଧାକାର ସରିବ
ଆଲୋକ ଫିଟିବ
ଦୁର୍ଗମ ଦୁର୍ଗତି ଦୂରେଇଯିବ ।

ନିର୍ଯାତିତର ପ୍ରତିଟି ନିର୍ଯାତନାର
ତୁମେ ହିସାବ କରିବ ।
ତୁମକୁ କେମିତି ଆବାହନ କରିବୁ ମା’
କି ଉପହାର ଦେବୁ !

ତୁମେ ତ କାଶଫୁଲର,
ସଫେଦ ଆକାଶର
କମନୀୟ ଉପଲବ୍ଧି,
ଶିଶିରଭିଜା ସକାଳର
ଶ୍ରେଷ୍ଠ ପୂଣ୍ୟର, ସତ୍ୟର ଶକ୍ତି ।

ଏ ସୃଷ୍ଟିରେ, ଜଡ଼ ଜୀବରେ
ତୁମେତ ଅଫୁରନ୍ତ ପ୍ରାଣବନ୍ତ ଚେତନାର
ଛଳଛଳ ଭାବ ।
ଉର୍ଦ୍ଧ୍ୱଗାମୀ ଜୀବସତ୍ତା
ଆତ୍ମସ୍ଥ ଅନାହତ ନାଦ ।

ଏହି ଜଡ଼ ପୃଥିବୀରେ
ଅସୁରର ଅସହ୍ୟ ଉତ୍ପୀଡ଼ନର
ତୀବ୍ର ବିସ୍ଫୋରଣ ଧ୍ୱଂସି
ଆସୁରିକ ଶକ୍ତି ନାଶି, ଧରାକୁ ଉସ୍ୱସି
ଚିତ୍ତେ ଭର ଦିବ୍ୟ ଉଚ୍ଚାରଣ ସ୍ତବ ।

ଦିବ୍ୟ ସମ୍ଭୁତା, ଜଗଜ୍ଜିତା ତୁମେ
ଜଗତର ସୁଖ ପାଇଁ ହୁଅ ପ୍ରକଟିତ
ମାଗୋ ମା’ ଶୀଘ୍ର ଆସ
ଏ ଜଗତବାସୀ ମନେ ଖେଳାଅ ହରସ ।

– ପୁଷ୍ପାଞ୍ଜଳି ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply