ବର୍ଷା ଦିନିଆ ପାଗଟା ଭାରି ସିକିସିକିଆ ଲାଗେ । ଘରୁ ବାହାରକୁ ଯିବାକୁ ଯମା ଇଛା ହୁଏନି । ଆକାଶ ମେଘାଛନ୍ନ ହୋଇ ରହେ ଓ ସୂର୍ଯ୍ୟଙ୍କର ଦେଖା ମିଳିବା କଷ୍ଟକର ହୋଇଯାଏ । କାରଣ ସକାଳ ନପାହୁଣୁ ବର୍ଷା ଆରମ୍ଭ ହୋଇଯାଏ ଆଉ ଛାଡ଼ିବାର ନାଁ ଧରେନି । ଶ୍ରାବଣ ମାସରେ ଶୈବ ପୀଠମାନଙ୍କରେ କାଉଡ଼ିଆଙ୍କ ଭିଡ଼ ଜମେ । କଟକର ବାଦାମବାଡ଼ି ଓ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡର ପରିସ୍ଥିତି ଅସମ୍ଭାଳ ହୋଇପଡ଼େ ବର୍ଷାରେ । ସେଦିନ କ୍ଳାସରୁ ଆସିବା ପରେ ଝରକା ପାଖରେ ଛିଡ଼ା ହୋଇ ଦୂର ଆକାଶକୁ ଚାହିଁ ବସିଥାଏ ମୁଁ । ହଠାତ୍ ରାକ୍ଷସ ପରି ମେଘଟା ପଶ୍ଚିମ ଆକାଶକୁ ଆଖି ପିଛୁଳାକେ ଘେରିଗଲା । ମୁଁ ଚାହିଁ ରହିଥାଏ ସେ ମେଘକୁ । ସତରେ କ’ଣ ଆଜି ଏ ମେଘ ଆକାଶକୁ ଖାଇଯିବ କି? ପ୍ରକୃତିର ଏମିତି କରାଳ ରୂପ ମୁଁ ତ କେବେ ଦେଖିନି । ହେଲେ ଆଜି ଏମିତି କ’ଣ ପାଇଁ?? ମୋ ଭାବନା ଭିତରେ ଖିଲିଖିଲି ପବନ ଦଲକାଏ ଝରକା ବାଟଦେଇ ମୋ ଦେହକୁ ଭେଦି ରୁମ୍ ଭିତରକୁ ପସିଆସିଲା । ସେତିକି ବେଳେ ଦୁଇ ପ୍ରେମିକ ପ୍ରେମିକା ଉଡ଼ି ଉଡ଼ି ଆସି ବିଜୁଳି ତାର ଉପରେ ବସି ପଡ଼ିଲେ । ଏଇଟା କୋଉ ନୂଆ କଥାକି, ସେମାନେ ସବୁବେଳେ ଜାତୀୟ ରାଜପଥର କଡ଼ରେ ଯାଇଥିବା ଏଇ ବିଜୁଳି ତାର ଉପରେ ହିଁ ବସନ୍ତି । ଝରକା ଖୋଲିବା ମାତ୍ରେ ଏମାନଙ୍କ ସହ ଦେଖାହୁଏ ମୋର । ସକାଳେ ଶୋଇବା ଶେଜରୁ ଉଠି ସୂର୍ଯ୍ୟଦେବଙ୍କୁ ପ୍ରଣାମ କରିବାକୁ ଝରକା ଖୋଲେ ମୁଁ । ସେହି ସମୟରେ ଏ ଦୁଇଜଣ ଡେଣା ମେଲାଇ ବସିଥାନ୍ତି । ମଝିରେ ମଝିରେ ଉଡ଼ିଯାଆନ୍ତି ଦୂର ଆକାଶକୁ ପୁଣି ଫେରିଆସି ବସିଯାଆନ୍ତି ସେ ବିଜୁଳି ତାର ଉପରେ । ମତେ ବି ମଜା ଲାଗେ ତାଙ୍କ ଗମାତ ଦେଖିବାକୁ । ଆଜି କିନ୍ତୁ ସେମିତି କିଛି ଗମାତ କରୁନାହାନ୍ତି । ଚୁପଚାପ ବସିଛନ୍ତି ତା’ ପୁଣି ଅଲଗା ଅଲଗା ହୋଇ ।
– “ଆରେ ଏମାନଙ୍କର ପୁଣି କ’ଣ ହେଲା?? ସବୁବେଳେ ତ ପାଖାପାଖି ହୋଇ ବସନ୍ତି ଅଥଚ ଆଜି ମୁହଁ ଫୁଲା ଫୁଲି ହୋଇ ବସିଛନ୍ତି ଯେ, ଝଗଡ଼ା ହୋଇଛି ବୋଧେ”, ମନେ ମନେ ଭାବୁଥାଏ ମୁଁ ।
– “ଏ ଚନ୍ଦୁ (ପାୟଲ ଡାକିଲା) ପ୍ରେୟାର କ୍ଳାସ ଯିବୁନି କି?? ସେତେବେଳୁ ଦେଖୁଛି ତୁ ସେ ଝରକା ପାଖରେ ବସି କ’ଣ କରୁଛୁ?”
– ଆରେ ନାଇଁମ ଏମିତି ବସିଥିଲି । ଓଃ ସିଟ୍ ! ୫.୩୦ ହେଲାଣି ଚାଲ ଯିବା ନେହେଲେ ଦୀପ୍ତି ମାଡାମ ଗାଳି କରିବେ ଲେଟ ହେଲାଣି ଜଲଦି ଚାଲ….
– ନାଇଁ ତୁ ଥା ମୁଁ ମାଡାମଙ୍କୁ କହିଦେବି ଆମ ରାଇଟର ମହାଶୟା ଲେଖୁଛନ୍ତି ତେଣୁ ପ୍ରେୟାର କ୍ଳାସ ଆସିବେନି ।
– ହାଃ ହାଃ ହାଃ କେତେ କଥା କହୁଛୁ ବେ ଚାଲ ଜଲଦି । ପ୍ରେୟାର କରିବା ସମୟରେ ବି ମୁଁ ସେ ଦୁଇଟି ଚଢ଼େଇଙ୍କ କଥା ଭାବୁଥାଏ । ସତ କଥାହେଲା ମୁଁ ସେମାନଙ୍କୁ ଲୁଚି ଲୁଚି ଦେଖେ । ଦୁହିଁଙ୍କର ପ୍ରେମର ଗଭୀରତାକୁ ମାପେ । ଏକ ଭିନ୍ନ ପ୍ରେମ କାହାଣୀର ଅନୁଭବ ହୁଏ ସେ ଦୁଇଜଣଙ୍କୁ ଦେଖିଲେ । ପ୍ରେୟାର ସରିବା ପରେ ଆସି ଝରକା ପାଖରେ ବସି ପଡ଼ିଲି ଆଉ ପୁଣିଥରେ ସେମାନଙ୍କୁ ଦେଖିବା ଆରମ୍ଭ କରିଦେଲି । ଆଉ ଯାହା ଦେଖିଲି ରାଗ ଲାଗୁଥାଏ । କିଏ କହିଲା ପଶୁପକ୍ଷୀମାନେ ପ୍ରେମ କରନ୍ତିନି, ସେମାନଙ୍କର ମନମାଳୀନ ହୁଏନି । ମୁଁ ଦେଖିଛି ଯେତେବେଳେ ଜଣେ ଉଡ଼ିଯାଇ ଅନ୍ୟ ଜଣକ ପାଖରେ ବସିଲା । ସାଙ୍ଗେ ସାଙ୍ଗେ ଅନ୍ୟ ଚଢ଼େଇଟି ସ୍ଥାନ ପରିବର୍ତ୍ତନ କରି ଦୂରରେ ଯାଇ ବସିଲା ।
– କେତେ ଅଭିମାନ ତା’ର କେଜାଣି । ସବୁଦିନ ଚୁମା ଚୁମି ହେଉଥିଲେ ଅଥଚ ଆଜି ପାଖାପାଖି ବି ବସୁ ନାହାନ୍ତି । କିଛି ତ ହୋଇଛି ନିଶ୍ଚୟ । ମୁଁ ଯଦି ସେମାନଙ୍କ ପରି ଚଢ଼େଇ ହୋଇଥାନ୍ତି ଉଡ଼ିଯାଇ ପତା ଲଗେଇଥାନ୍ତି । ହେଲେ କ’ଣ ହେବ ଆଜିକାଲିକା ହ୍ୱଟ୍ସଆପ, ଫେସବୁକ୍, ଟୁଇଟର ଜମାନାର ମଣିଷଟେ ମୁଁ । କ’ଣ ବା କରିପାରିବି ! ପକ୍ଷୀମାନେ କ’ଣ ମୋ କଥା ବୁଝିପାରିବେ? ନା ମୁଁ ତାଙ୍କ କଥା ବୁଝିପାରିବି ! ଝରକା ପାଖରେ ବସି ଛଟପଟ ହେଉଥିଲି ସିନା କିନ୍ତୁ କିଛି କରି ପାରୁ ନଥିଲି । ଇଆଡ଼େ ପୁଣି ବର୍ଷା ଆରମ୍ଭ ହୋଇଗଲାଣି କ’ଣ ଯେ ହବ? ପବନ ବି ବହିଲାଣି । ଯେତେ ଚେଷ୍ଟାକଲେ ମଧ୍ୟ ମୋ ଆଖି ସେ ବିଜୁଳି ତାରକୁ ଚାହିଁରହିଥାଏ । ବର୍ଷା ଯୋଗୁଁ ଗୋଟେ ଚଢ଼େଇ ବିଜୁଳି ତାର ଉପରୁ ଉଡ଼ିଯାଇ ରାସ୍ତା କଡ଼ର ଖାଲି ପଡ଼ିଥିବା ଜମି ପାଖରେ ଥିବା ଶାଗୁଆନ ଗଛରେ ବସିଲା । “ଓହୋ ! ଟିକେ ଶାନ୍ତି ମିଳିଲା । ଭାବିଲି ଜଣେ ଉଡ଼ିଗଲାଣି ମାନେ ଆଉ ଜଣେ ବି ତା’ ପଛେ ପଛେ ଚାଲିଯିବ ।” ତେଣୁ ଯାଇ ପାଠପଢ଼ାରେ ବ୍ୟସ୍ତ ହୋଇଗଲି । ରାତି ସାଡ଼େ ଆଠ; ମନ ମାନିଲାନି କାହିଁକି କେଜାଣି ଅବାନ୍ତର ଚିନ୍ତାଧାରା ସବୁ ମନକୁ ଆସୁଥିଲା । ବର୍ଷା ମଧ୍ୟ ପ୍ରତିଶୋଧ ନେବାରେ ଅବହେଳା କରି ନଥିଲା ସେଦିନ । ଘଡ଼ଘଡ଼ିରେ ଛାତି ଥରୁଥାଏ । ମଝିରେ ମଝିରେ ବିଜୁଳିର ଚିକ୍ ଚିକ୍ ଆଲୋକ ରଶ୍ମିଟା ଝରକାର କାଚରେ ଝଲସି ଉଠୁଥାଏ । ହେଲେ ଏସବୁ ଦୃଶ୍ୟକୁ ଦେଖି ମଧ୍ୟ ମୁଁ ଅଣଦେଖା କରିଦେଉଥାଏ । ଯଦିଓ ବର୍ଷା ଋୁତୁ ମୋର ପସନ୍ଦ କିନ୍ତୁ ଆଜି ଏ ବର୍ଷାରେ ଭିଜିବାକୁ ମନ ନାହିଁ । ସବୁବେଳେ ସ୍ୱପ୍ନ ଦୁନିଆରେ ଉଡ଼ିବୁଲୁଥିବା ମନ ସେଦିନ ସେ ନିରୀହ ଚଢ଼େଇଙ୍କ ମନମାଳିନ୍ୟ ହୋଇଥିବା ପ୍ରେମକାହାଣୀରେ ଅଟକି ଯାଇଥିଲା । କିଛି ସମୟ ପରେ ବର୍ଷା କମିଗଲାଣି ଭାବି ଝରକା ଖୋଲୁଛି ଅଚାନକ ଘଡ଼ଘଡ଼ି ମାରିଲା । ହଠାତ ଚମକି ପଡ଼ିଲି । ହୃଦୟର ସ୍ପନ୍ଦନ ଦୃତ ବେଗରେ ଧାଉଁଥାଏ ଲଗାମଛଡ଼ା ଅଶ୍ୱ ପରି । ସେତିକି ବେଳେ ସେ ମାଇଲ ଖୁଣ୍ଟରେ ନିଆଁ ଜଳୁଥିବାର ଦୃଶ୍ୟ ଦେଖି ଭାବିଲି ଘଡ଼ଘଡ଼ି ଯୋଗୁଁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଗଲା ବୋଧେ । ତା ପରେ ସହରାଞ୍ଚଳରେ ସର୍ଟ-ସର୍କିଟ ନିତିଦିନିଆ କଥା । ତେଣୁ ସେ ଯାହା ହେଉ ମନକୁ ବୁଝେଇ ପୁଣିଥରେ ପାଠପଢ଼ା ଆରମ୍ଭ କରିଛି କି ନାଇଁ । ପୁଣି ମନେପଡ଼ିଗଲା ସେ ଚଢ଼େଇଙ୍କ କଥା ।
– “ଓ ମାଇଁ ଗଡ୍ ! ସେ ଚଢ଼େଇ ବସାକୁ ଫେରିଯାଇଥିବ ତ?? ଏତେ ବର୍ଷା ରାତିରେ, ସେ ବୁଜୁଳି ତାର ଉପରେ ବସିନି ତ?? ଯାଇ ଦେଖେ ସନ୍ଧ୍ୟାବେଳେ ତ ସେମିତି ସ୍ଥିତପ୍ରଜ୍ଞ ହୋଇ ବସିଥିଲା ସେ ବିଜୁଳି ତାର ଉପରେ । ଏବେ ବସାକୁ ଫେରିଲା ନା ନାହିଁ କେଜାଣି…
ଏ ଅନ୍ଧକାର ଭରା ରାତି ଚକ୍ଷୁ ଥିବା ମଣିଷକୁ ବି ଅନ୍ଧ କରିଦେବ । ତା’ ପରେ ପୁଣି ସେ ଚଢ଼େଇର ଆକାର ଏତେ କ୍ଷୁଦ୍ର ଯେ ଯେତେ ଦେଖିବାକୁ ଚେଷ୍ଟା କଲେ ମଧ୍ୟ କିଛି ଦେଖାଯାଉନଥିଲା । ଶେଷରେ ଝରକା ବନ୍ଦ କରି ଫେରିଆସିଲି ମୋ ଶୋଇବା ଶେଜକୁ । ସକାଳ ୭ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ କ୍ଳାସ କରି ବହୁତ ଥକା ଲାଗୁଥାଏ । ଆଖିରେ ଏବେ ନିଦର ସଉଦା । ଗୋଡ଼ ହାତ ଧୋଇ ତକିଆ ମଥାରେ ଦଇଛି କି ନାହିଁ ନିଦ କେତେବେଳେ ହୋଇଛି ଜାଣିପାରିନି । ସକାଳ ୫.୩୦ରେ ନିଦ ଭାଙ୍ଗିଲା । ଉଠି ଝରକା ଖୋଲୁ ଖୋଲୁ ସୂର୍ଯ୍ୟଙ୍କର କଅଁଳିଆ କିରଣ ଆସି ମୁହଁରେ ପଡ଼ିଲା । ଅଳସ ଭାଙ୍ଗି, ବହୁତ କଷ୍ଟରେ ନିଦୁଆ ଆଖି ଦି’ଟା ଖୋଲି ପ୍ରଣାମ କରିଲି ସୂର୍ଯ୍ୟ ଦେବତାଙ୍କୁ । ଆଉ ନଜର ପଡ଼ିଲା ବିଜୁଳି ତାର ଉପରେ, ଗୋଟିଏ ଚଢ଼େଇ ବସିଛି ।
– କାଲିଠୁ ଇଏ କ’ଣ ଏଇଠି ଅଛି ବସାକୁ ଫେରିନି କି?? ମନରେ ଏମିତି ହଜାରେ ପ୍ରଶ୍ନ ଗୋଳେଇଘାଣ୍ଟି ହେଉଥାଏ ।
– “କ’ଣ ପାଇଁ ବସିଛୁ, ସେ କ’ଣ ଆଉ ଫେରିବ? ତୋ ଠୁ ଦୂରକୁ ଯିବାକୁ ଚାହୁଁଥିଲା ଚାଲିଗଲା ତୁ ବି ତାକୁ ଅଟକେଇ ପାରିଲୁନି । ତାକୁ ଯିବାକୁ ଦେଲୁ । ଆଉ ସେ ତା’ ମନ ଆକାଶରେ ଉଡ଼ିଗଲା । ଏବେ କ’ଣ ପାଇଁ ବସିଛୁ? ବସାକୁ ଫେରିଯା । ବର୍ଷା ଋତୁର ପାଣିଚିଆ ଖରା ତତେ କ’ଣ କାଟୁନି କି? ଏମିତି ମନେ ମନେ ବହୁତ ଗାଳି କଲି ତାକୁ । ସେଦିନ ବ୍ୟସ୍ତତାରେ ମୁଁ ଆଉ ସେ ଚଢ଼େଇଙ୍କୁ ଦେଖିନି । ତା’ ପର ଦିନ ପୁଣି ଦେଖିଲି ସେ ଏକା ବସିଛି । ଏମିତି ବହୁଦିନ ହୋଇଗଲାଣି ସେ ବିଜୁଳି ତାର ଉପରେ ମୁଁ ଗୋଟିଏ ଚଢ଼େଇକୁ ଏକା ବସିବାର ଦେଖୁଛି ।
– “କାହିଁ ତା’ ସାଥି?? ମୁଁ ନିର୍ବିକାର ଏବେ! ସେ ଚଢ଼େଇଟି କ’ଣ ତା’ ସାଥିକୁ ଏକା କରିଦେଇ ଚାଲିଗଲା କି??” ନା ପ୍ରତାରଣା କରି ଆଉ କାହାର ଜୀବନ ସାଥି ହୋଇଗଲା??
ଗୋଟିଏ ପାର୍ଶ୍ୱରେ ଜନ୍ମଜନ୍ମାନ୍ତର ସାଥୀ ହେବା ପାଇଁ ରାଣ ନିୟମ ଦେଇ ଆଜିକାଲିକା ପ୍ରେମିକପ୍ରେମିକାମାନେ ପ୍ରେମରୁ ନିବୃତ ହେବାର ବାଟ ଖୋଜୁଛନ୍ତି । ପ୍ରେମିକା ସହ ଅସଞ୍ଜତ ମୂହୁର୍ତ୍ତର ଭିଡ଼ିଓ ଭାଇରାଲ କରି ତା’ର ଇଜ୍ଜତକୁ ବଜାରରେ ନିଲାମ କରୁଛନ୍ତି । ଆଉ ଅନ୍ୟ ପାର୍ଶ୍ୱରେ ମନ କଥା ଖୋଲି କହିପାରୁନଥିବା ପ୍ରେମିକ ଏକତରଫା ପ୍ରେମରେ ଜଳି ଜଳି ମରୁଛି । ମୁଁ ଜାଣିନି ସେଦିନ ବର୍ଷା ରାତିରେ ସେ ଚଢ଼େଇ ବସାକୁ ଫେରିଥିଲା ନା ନାହିଁ । ସେହି ବର୍ଷାରାତିଠାରୁ ସେ ଚଢ଼େଇ ଦୁଇଜଣଙ୍କୁ ମିଶିକି ବିଜୁଳି ତାରରେ ବସିବାର କେବେ ଦେଖିନି । ଯେତେବେଳେ ଝରକା ଖୋଲି ଦେଖେ ସେଠି ଗୋଟିଏ ଚଢ଼େଇ ବସିଥାଏ । କିଛି ଲୋକ କୁହନ୍ତି, “ଭଲ ତ ପାଆନ୍ତି ଭୁଲିଯିବା ପାଇଁ ।” ମୁଁ ଏକଥାକୁ ବିଶ୍ୱାସ କରେନି କାରଣ ସତ ଭଲପାଇବାରେ ଛଳନା ନଥାଏ, ପାଇବାର ଆଶା ନଥାଏ, ପ୍ରେମରେ ସହରରେ ହଜିଯିବାର ଅବଶୋଷ ନଥାଏ, ବଞ୍ଚିବାର ଇଛା ଥିଲେ ମଧ୍ୟ ପ୍ରେମ ପାଇଁ ଆତ୍ମାହୁତୀ ଦେବାରେ କୌଣସି ଅଭିଯୋଗ ନଥାଏ । ଏହା ହିଁ ପ୍ରକୃତ ପ୍ରେମ ! ଯେଉଁଥିରେ ପ୍ରେମୀ ସପନର ସୌଦାଗର ସାଜେ ଓ ଆଖିରେ ଆଖି ମିଶାଇ ପ୍ରମିକାକୁ ସପନ ରାଇଜକୁ ବୁଲାଇ ନିଏ । ପ୍ରେମୀ ଯେତେବେଳେ ପ୍ରେମିକାକୁ ବାହୁବନ୍ଧନରେ ବାନ୍ଧିଦିଏ, ରାଗ ରୁଷା ଅଭିମାନରେ ଭରା ପ୍ରେମିକାର ଉତ୍ତପ୍ତ ଶିଳା ପରି ହୃଦୟଟା ପାଣିଫୋଟକା ପରି ମିଳେଇଯାଏ ।
ସେଥିପାଇଁ ତ ସେ ଚଢ଼େଇ ଆଜି ପର୍ଯ୍ୟନ୍ତ ଚାହିଁ ବସିଛି ତା’ ସାଥୀର ଫେରିବା ବାଟକୁ । ପାଗଳ ହୋଇ ଏ ଡାଳରୁ ସେ ଡାଳ ଉଡ଼ି ବୁଲୁଛି । ଗୁମୁରି ଗୁମୁରି କାନ୍ଦୁଛି । କହୁଛି, “ଫେରିଆ ସାଥୀ ଫେରିଆ, ତୁ ନାହୁଁ ବୋଲି ବସାକୁ ଫେରିବା ରାସ୍ତା ମୁଁ ଭୁଲିଯାଇଛି ! ତୁ ସିନା ମତେ ପର କରି ଚାଲିଗଲୁ କିନ୍ତୁ ମୁଁ ଯେଉଁଠି ଥିଲି ସେଇଠି ରହିଯାଇଛି । ଏଇ ବିଜୁଳି ତାର ଉପରେ ବସି ତୋର ପ୍ରତୀକ୍ଷା କରିଛି । ଖରା ବରଷା ଶୀତ କାକରକୁ ଖାତିର କରିନି । ତୁ ମତେ ଏକାକରି ଗଲାପରେ ସତ କହୁଛି ସାଥୀ ! ତୋ ବିନା ଜୀବନଟା ଜଉଘର ପାଲଟି ଯାଇଛି । ଯଦି ତୁ ନଫେରିବୁ, ମୁଁ ବି ଫେରିବିନି ବସାକୁ ଏଇଠି ମରିଯିବି । ତୁ ଭୁଲିଯାଇପାରୁ କିନ୍ତୁ ମୁଁ ଭୁଲିପାରିବିନି ତତେ କାରଣ ତୋ ପରି କେହି ସାଥୀ ନାହିଁ”…
– ଚନ୍ଦ୍ରକାନ୍ତି ପ୍ରଧାନ
Comments
ଚନ୍ଦ୍ରକାନ୍ତି ପ୍ରଧାନ ଜଣେ ନର୍ସିଂ ଛାତ୍ରୀ । ସେ ଓଡ଼ିଆରେ ପ୍ରେମ ଭିତ୍ତିକ ଗଳ୍ପ, କବିତା ଏବଂ ଛୋଟଛୋଟ ରଚନାମାନ କରିଥାନ୍ତି ।