କ’ଣ ବାସ୍ତବରେ ଭାରତର ୨୦୨୪ ସୁଦ୍ଧା ୫ ଟ୍ରିଲିଅନ ଡଲାର ଅର୍ଥନିତୀର ସ୍ୱପ୍ନ ସାକାର ହେବ? ପ୍ରଧାନମନ୍ତ୍ରୀଙ୍କର ଏହି ସ୍ୱପ୍ନକୁ ପୂରଣ କରିବାକୁ ହେଲେ ଭାରତକୁ ଶତକଡ଼ା ୮ରୁ ୯ ପ୍ରତିଶତ ହାରରେ ଅଭିବୃଦ୍ଧି କରିବାକୁ ହେବ । କ’ଣ ଏହା ସମ୍ଭବ? ୫ ବର୍ଷରେ ୫ ଟ୍ରିଲିଅନ ଅର୍ଥନିତୀ ଅର୍ଥନିତୀଜ୍ଞଙ୍କ ମତରେ ପ୍ରାୟତଃ ଅସମ୍ଭବ । ସଂପ୍ରତି ଭାରତରେ ଅର୍ଥନିତୀ ୨.୮ ଟ୍ରିଲିଅନ ଡଲାରରେ ପହଞ୍ଚିଛି । ୧.୮ ରୁ ୨.୮ ଟ୍ରିଲିଅନ ପହଞ୍ଚିବାକୁ ଭାରତକୁ ୧୦ ବର୍ଷ ଲାଗିଥିଲା । ତେଣୁ ପାଞ୍ଚ ବର୍ଷରେ ୫ ଟ୍ରିଲିଅନର ସ୍ୱପ୍ନ ମରିଚିକା ପରି ସଦୃଶ ହେଉଛି । ବିଗତ ଚତୁର୍ମାସରେ (ଅକ୍ଟୋବର-ଡିସେମ୍ବର) GDP ଅଭିବୃଦ୍ଧି ଶତକଡ଼ା ୪.୫ ଥିଲା, ଯାହାକି ବିଗତ ୨୬ଟି ଚତୁର୍ମାସରେ ସର୍ବନିମ୍ନ । IMF ଏବଂ ବିଶ୍ୱବ୍ୟାଙ୍କର ଅନୁମାନ ଅସୁଯାୟୀ ଭାରତର GDP ଅଭିବୃଦ୍ଧି ହାର ଯଥାକ୍ରମେ ଶତକଡ଼ା ୪.୮ ଏବଂ ୫ ହେବ । ତେବେ ଆସନ୍ତୁ ଜାଣିବା ଏ GDP କ’ଣ ଯାହା ଭାରତର ଅର୍ଥନିତୀର ଅଭିବୃଦ୍ଧି ଏବଂ ଦେଶର ବିକାଶର ମାନଦଣ୍ଡକ ।
GDP (Gross Development Produce)/ସମସ୍ତ ଘରୋଇ ଉତ୍ପାଦ ଅର୍ଥାତ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷରେ ସାରା ଦେଶରେ ଉତ୍ପାଦନ ହେଉଥିବା ଜିନିଷ ଅବା ସେବାର ସମୂଳ ମୂଲ୍ୟ । ଏହାର ଅର୍ଥ GDP ହେଉଛି ଭାରତୀୟ ଅର୍ଥନିତୀର ମୂଲ୍ୟ ନିର୍ଦ୍ଧାରଣର ଏକକ । ତେଣୁ ହଠାତ ଯେଉଁ ଦେଶ ବିଶ୍ୱର ପ୍ରଭାବଶାଳୀ ଥିଲା, ଶତକଡ଼ା ୮ ପ୍ରତିଶତ ହାରରେ ଅଭିବୃଦ୍ଧି କରୁଥିଲା ଏବଂ ବିଶ୍ୱର ୬ଷ୍ଠ ବୃହତ ଅର୍ଥନିତୀରେ ଉଭା ହେଉଥିଲା, ଏବେ ଆର୍ଥିକ ସଙ୍କଟରେ ସଂଘର୍ଷ କରୁଛି । ନିଶ୍ଚିତ ରୂପରେ ଏହି ପ୍ରଶ୍ନ ପାଠକମାନଙ୍କ ମନରେ ଉଙ୍କି ମାରୁଥିବ ଏବଂ ପ୍ରଶ୍ନବାଚୀ ସୃଷ୍ଟି କରୁଥିବ । ଏହା ହଠାତ ଅବା ମୁହୂର୍ତ୍ତକ ମଧ୍ୟରେ ହୋଇନାହିଁ, ମାତ୍ର ଏହା ବିଗତ ୪/୫ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିର ଫଳ । ତେଣୁ ପ୍ରଶ୍ନ ନିଶ୍ଚେ ଉଙ୍କି ମାରୁଥିବ, “ତେବେ ଏହା ଆଜି କେମିତି ପରିଲିକ୍ଷିତ ହେଉଛି?” ୪/୫ ବର୍ଷ ପୂର୍ବରୁ କିପରି ଏହା ଲୋକଲୋଚନକୁ ଆସିନଥିଲା? ଏହାର କାରଣ ହେଉଛି, ଭାରତର ଅର୍ଥନିତୀ ଏକ ବିଶାଳ ଅର୍ଥନିତୀ, ଯେଉଁଥିରେ ୧୩୦ କୋଟି ଜନତାଙ୍କର ଆୟବ୍ୟୟ ଜଡ଼ିତ । ତେଣୁ ଏଥିରେ ପ୍ରଭାବ ସାଧାରଣ ଜନତାଙ୍କୁ ହଠାତ ଜଣାପଡ଼ିବା କଷ୍ଟକର । ମାତ୍ର କିଛି ବର୍ଷ ପରେ ଏହା ସ୍ୱତଃପ୍ରବୃତ ଭାବରେ cyclical recession ଅଥବା inflation (ହଠାତ ଦରବୃଦ୍ଧି) ଦ୍ୱାରା ଜଣାପଡ଼ିଥାଏ । ଉଦାହରଣ ସ୍ୱରୂପ, ବେକାରୀ ସଂଖ୍ୟାରେ ଅଭିବୃଦ୍ଧି, ଗ୍ରାମାଞ୍ଚଳରେ ଆର୍ଥିକ ସଙ୍କଟ, ତୈଳ ଦର ବୃଦ୍ଧି, ନିତ୍ୟାବଶ୍ୟକୀୟ ଜିନିଷର ଦରବୃଦ୍ଧି, ବିଭିନ୍ନ କଳକାରଖାନାରେ ଉତ୍ପାଦନ ହ୍ରାସ ଏବଂ କର୍ମଚାରୀମାନଙ୍କର ଛଟେଇ, ଇତ୍ୟାଦି । ତେବେ ଏହି ଅର୍ଥନିତୀର ଦୁର୍ଗତି ପାଇଁ ଦାୟୀ କିଏ ଏବଂ ଏହାର କାରଣ କ’ଣ?
ଭାରତ ଏକ ବହୁଦଳୀୟ ରାଷ୍ଟ୍ର, ଆଉ ଦେଶର ଖର୍ଚ୍ଚ ଏବଂ ବିଭିନ୍ନ ଜନକଲ୍ୟାଣ ଯୋଜନା ସରକାରଙ୍କ ନିର୍ଦ୍ଦେଶରେ ହୋଇଥାଏ, ଏଣୁ ଦେଶର ଅର୍ଥନିତୀକୁ ସ୍ଥିର ରଖିବା ଏବଂ ଏହାର ଅଭିବୃଦ୍ଧି ପାଇଁ ସଠିକ ପଦକ୍ଷେପ ନେବା ସରକାର ଏବଂ ମନ୍ତ୍ରୀମଣ୍ଡଳଙ୍କ ଉପରେ ନିର୍ଭରଶୀଳ; ଏହା FRBM Act, ୨୦୦୩ରେ ପରିପ୍ରକାଶିତ । ଏଣୁ ଭାରତର ଅର୍ଥନିତୀର ବିକାଶ/ଦୁର୍ଗତି ସରକାରଙ୍କ ପରିଯୋଜନାର ଏକ ରୂପାନ୍ତର ମାତ୍ର । ତେଣୁ ଏହି ଦୁର୍ଗତି ପାଇଁ ଏବଂ ଅର୍ଥନିତୀର ଶୀଥିଳତା ପାଇଁ ସରକାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୂପରେ ଦାୟୀ । ତେବେ ଏହି ମନ୍ଥରତାର କାରଣ କ’ଣ?
ନଭେମ୍ବର ୮, ୨୦୧୬ରେ ହଠାତ ଭାରତୀୟ ମୁଦ୍ରାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ବିମୁଦ୍ରୀକରଣ ହୋଇଥିଲା । ସମସ୍ତ ଭାରତୀୟବାସୀଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇ ସେହି ସମୟ ଭିତରେ ପୁରୁଣା ନୋଟର ପରିବର୍ତ୍ତନ ଏବଂ ଜମା କରିବାର ଏକ ସୀମିତ ରାଶି ଧାର୍ଯ୍ୟ କରାଯାଇଥିଲା । ଗୋଟିଏ ଦିନରେ ୨୫,୦୦୦ ପର୍ଯ୍ୟନ୍ତ ଅର୍ଥର ଉଠାଣ ଧାର୍ଯ୍ୟ କରାଗଲା । ଏହାଦ୍ୱାରା ହଠାତ ବ୍ୟାଙ୍କ୍ରେ ଏବଂ ATMରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଲା ଏବଂ ଏହି ସମସ୍ୟା ଦୀର୍ଘ ଦୁଇମାସ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ଏହା ଭାରତୀୟ ଅର୍ଥନିତୀରେ ମୁଖ୍ୟତଃ ଦୁଇଟି ପ୍ରଭାବ ପକାଇଲା ।
୧. ଦେଶରେ ଥିବା ଦ୍ରବ୍ୟ ଏବଂ ସେବାର ଚାହିଦା କମିଗଲା, ଯେହେତୁ Money Supply ଅର୍ଥାତ ଧନରାଶିର ନିଅଣ୍ଟ ଦେଖାଦେଲା ।
୨. ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପ (Economy Activities) ହଠାତ ଠପ୍ ହେଇଗଲା ଏବଂ ମୁଦ୍ରା ଚଳନ ଓ ତରଳତା (Liquidity Crunch) ଦେଖାଦେଲା ।
ଏହାର ଫଳ ସ୍ୱରୂପ ଭାରତୀୟ GDP ୮ ପ୍ରତିଶତରୁ ୬.୭ ପ୍ରତିଶତକୁ ହ୍ରାସ ପାଇଥିଲା । ଏହା ଆଶା ଏବଂ ଉନ୍ମାଦନା ଦେଇଥିଲା ଯେ ଭାରତରେ ଥିବା ସମସ୍ତ କଳାଧନକୁ ପ୍ରତିରୋଧ କରିବା ସହ ସମ୍ପୂର୍ଣ୍ଣ ବିଲୋପ କରିବ, ତାହା RBIର ଘୋଷଣା ପରେ ସମସ୍ତ ଆଶାକୁ ପାଣି ଫୋଟକା ପରି ଆଶାରେ ହିଁ ରଖିଦେଇଥିଲା । RBIର ବାର୍ଷିକ ରିପୋର୍ଟ ୨୦୧୭-୧୮ର ଘୋଷଣା ଅନୁଯାୟୀ ଭାରତୀୟ ମୁଦ୍ରାର ପ୍ରାୟ ଶତକଡ଼ା ୯୯.୩ ଧନରାଶି ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କକୁ ଆସିଯାଇଅଛି । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ବିମୁଦ୍ରୀକରଣ ସମ୍ପୂର୍ଣ୍ଣ ବିଫଳ ହୋଇଛି ଏବଂ ଏଥିସହିତ ଯେଉଁ କଳାଧନ ଭାରତରେ ଲୁପ୍ତ ହୋଇଥିଲା ତାହା ମଧ୍ୟ ଧଳଧନ ରାଶିରେ (White Money) ରୂପାନ୍ତରିତ ହୋଇଛି । ମାତ୍ର ବିମୁଦ୍ରୀକରଣର ପ୍ରଭାବ ଭାରତୀୟ ଅର୍ଥନିତୀକୁ ଦୋହଲାଇ ଦେଇଛି ।
GST (Good and Service Tax)/ଦ୍ରବ୍ୟ ଏବଂ ସେବା କର ଅର୍ଥାତ “ଏକ ଦେଶ ଏକ କର”-
ଏହି ଟ୍ୟାକ୍ସ ପଲିସିକୁ ହଠାତ ଆପଣେଇବା ଦ୍ୱାରା କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପରେ ପ୍ରତ୍ୟକ୍ଷ ପ୍ରଭାବ ପଡ଼ିଲା ଏବଂ ଏହାର ଫଳ ସ୍ୱରୂପ ଉତ୍ପାଦନ ହ୍ରାସ ପାଇଲା । ଏହା ବ୍ୟତୀତ ଏହା “ଏକ ଦେଶ ଏକ କର” ମନେ ହେଉଥିଲେ ବି ବାସ୍ତବରେ ଏଥିରେ ଦୁଇଟି କରରାଶି ପ୍ରୟୋଜନ କରାଯାଇଛି- ପ୍ରଥମତଃ କେନ୍ଦ୍ର ସରକାର ଦ୍ୱାରା ଏବଂ ଦ୍ୱିତୀୟତଃ ରାଜ୍ୟ ସରକାରଙ୍କ ଦ୍ୱାରା । ଏହାଦ୍ୱାରା ବହୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର କର ବଢ଼ିଯାଇଛି । ବୟନଶିଳ୍ପ, ସୁନାରୂପା ଅଳଙ୍କାର, ମିଡିଆ, ଫାର୍ମା, ମୋବାଇଲ, IT ଏବଂ ଟେଲିକମ୍ ମୁଖ୍ୟତଃ ଏହି ଟ୍ୟାକ୍ସ ଦ୍ୱାରା ପ୍ରଭାବିତ ହୋଇଥିଲା । ଏତଦ୍ ବ୍ୟତୀତ Real Estate ବ୍ୟବସାୟ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଏହା ବିମୁଦ୍ରୀକରଣ ପରେ ଭାରତୀୟ ଅର୍ଥନିତୀକୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ କରାଇଛି ।
ILO (International Labour Org.) ଅନୁଯାୟୀ ଭାରତରେ ବେକାରୀ ହାର ଶତକଡ଼ା ୩.୫ (୨୦୧୮-୧୯) । ମାତ୍ର ଏହା ଅକ୍ଟୋବର ୨୦୧୯ ସୁଦ୍ଧା ଶତକଡ଼ା ୮.୫ ହୋଇଯାଇଥିଲା, ଯାହାକି ବିଗତ ୫୦ ବର୍ଷ ମଧ୍ୟରେ ସର୍ବାଧିକ ବେକାରୀ ସମସ୍ଯା ଥିଲା । CMIE ରିପୋର୍ଟ ଅନୁଯାୟୀ ଭାରତୀୟ ବେକାରୀ ହାର ୨୦୧୬ ଅଗଷ୍ଟଠାରୁ ସର୍ବାଧିକ ପ୍ରଭାବିତ ହୋଇଛି । ଏହାଦ୍ୱାରା ଭାରତୀୟ ଅର୍ଥନିତୀ ଭୁଷୁଡ଼ି ପଡ଼ିଛି ବୋଲି ଏହି ରିପୋର୍ଟରୁ ପରିଦୃଷ୍ଟ ହେଉଛି ।
ଏହା ବ୍ୟତୀତ ସରକାରଙ୍କର ମନମୁଖି ଯୋଜନା ଏବଂ ଅର୍ଥନିତୀ ଯୋଗୁଁ Liquidity Cruch ଅବା ଅର୍ଥାଭାବ, Lowered Rural Income ଅବା ଗ୍ରାମୀଣ ରୋଜଗାରରେ ଦୃତ ହ୍ରାସ, ତୈଳ ଦରର ଅହେତୁକ ବୃଦ୍ଧି, Inefficient Agricultural Policy ଅବା ଅଦକ୍ଷ କୃଷି ନିୟମ, Demand Drop ଅବା ସାମଗ୍ରୀରେ ଚାହିଦା ହ୍ରାସ, Sensex ଏବଂ NIFTYରେ ଦୃତ ହ୍ରାସ, International Issue ଅବା ଆନ୍ତର୍ଜାତୀକ ସମସ୍ୟା ଏବଂ Protectionisn ଅର୍ଥାତ ସ୍ୱଦେଶୀ ଶିଳ୍ପର ସଂଗ୍ରକ୍ଷଣ ପାଇଁ ଉଦିଷ୍ଟ ନୀତି ଯୋଗୁଁ ଭାରତର ଅର୍ଥନିତୀରେ ସଙ୍କଟ ଦେଖିବାକୁ ମିଳିଲା ଏବଂ ମୁଦ୍ରାସ୍ପତୀରେ ହ୍ରାସ ହେଲା । ଏହିସବୁ ଯୋଗୁଁ ଭାରତୀୟ ଅର୍ଥନିତୀ ଏବେ ସଙ୍କଟ ଘେରରେ ଏବଂ ଏଥିରୁ ସ୍ପଷ୍ଟ ପରିଲିକ୍ଷିତ ହେଉଛି ଭାରତର ପ୍ରଧାନମନ୍ତ୍ରୀ ଦେଖାଇଥିବା ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ ।
ତେବେ କ’ଣ କ’ଣ ଏହି ଅର୍ଥନୈତିକ ମନ୍ଥର ଗତିର ସଂକ୍ଷେପକ (Indicators)?
ଭାରତର GDPର ଅଭିବୃଦ୍ଧି ହାରର ମନ୍ଥରତା ହିଁ ଏହାର ପରିପ୍ରକାଶକର କାରଣ । ଏହା ଭାରତରେ ବ୍ୟବହୃତ ହେଉଥିବା ଦ୍ରବ୍ୟର ଖର୍ଚ୍ଚ, ସରକାରଙ୍କ ଖର୍ଚ୍ଚ ଏବଂ ରପ୍ତାନୀର ବାହାକ । ଏଣୁ GDPର ମନ୍ଥରତା ଅର୍ଥାତ ଅର୍ଥନିତୀରେ ଶୀଥିଳତା । John Lanchestrଙ୍କ ମତରେ, “GDP can be thought as a measure, not so much of size. It measures the movement of money through and around the Economy. It measures the activities.”
ସ୍ୱୟଚାଳିତ ଯାନ (Automobile) ବିକ୍ରିରେ ମନ୍ଥରତା-
ବିଗତ ବର୍ଷ ତୁଳନାରେ ଭାରତର ମୁଖ୍ୟ ୫ଟି ସ୍ୱୟଚାଳିତ ଯାନ ଉତ୍ପାଦନ କରୁଥିବା କମ୍ପାନୀର ଉତ୍ପାଦନ ହାର ଶତକଡ଼ା ୩୦ ପ୍ରତିଶତ ହ୍ରାସ ହୋଇଛି । ଏଥିରୁ ସ୍ପଷ୍ଟ ପରିଲିକ୍ଷିତ ଯେ, ଭାରତର ଅର୍ଥନିତୀରେ ମନ୍ଥରତା ଦେଖାଦେଇଛି ।
ଗ୍ରାମାଞ୍ଚଳରେ ଖାଉଟି ସାମଗ୍ରୀରେ ହ୍ରାସ (Rural Consumption)-
ବିଗତ ବର୍ଷ ତୁଳନାରେ ଖାଉଟି ସାମଗ୍ରୀରେ ଶତକଡ଼ା ୯.୭ ପ୍ରତିଶତ ହ୍ରାସ କେବଳ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି । ଏହି ବୃତଖଣ୍ଡରେ ଚାହିଦା କେବେବି ହ୍ରାସ ହୋଇନଥାଏ; କାରଣ ଏଥିରେ ନିତ୍ୟାବଶ୍ୟକୀୟ ଜିନିଷ ଏବଂ ଖାଉଟି ସାମଗ୍ରୀ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ଥାଏ । ମାତ୍ର ଏହାର ହ୍ରାସ ଅର୍ଥନିତୀର ସଙ୍କଟର ପରିଭାଷକ । ମୁଖ୍ୟ ଶିଳ୍ପ ଯଥାକ୍ରମେ (କୋଇଲା, ଲୁହା, ଷ୍ଟିଲ୍, ସିମେଣ୍ଟ) ଉତ୍ପାଦନରେ ହ୍ରାସ, Industrial Outuptରେ ମାତ୍ର ୨ ଶତକଡ଼ା ଅଭିବୃଦ୍ଧି, ଦେଶର ଅର୍ଥନିତୀକୁ ଆହୁରି ସଙ୍କଟକୁ ଠେଲି ଦେଇଛି ।
ଭାରତୀୟ ମୁଦ୍ରାର ମୂଲ୍ୟରେ ହ୍ରାସ-
ଭାରତୀୟ ମୁଦ୍ରା ରୁପି (Rupee) ମୂଲ୍ୟ ବିଗତ ୯ ମାସ ମଧ୍ୟରେ ସର୍ବନିମ୍ନ ଅଛି । ୧ ଡଲାର ଏବେ ୭୩ ଟଙ୍କା ଛୁଇଁବାକୁ ବସିଲାଣି । ଏହାର ଅଭିବୃଦ୍ଧି ପ୍ରତ୍ୟକ୍ଷ ରୂପରେ ଦେଶର ରପ୍ତାନୀ ଉପରେ ପ୍ରଭାବ ପକାଇବ ଏବଂ ପରୋକ୍ଷ ରୂପରେ ଆମଦାନୀ ହ୍ରାସ ପାଇବ । ଏହାର ସୁଦୂର ପ୍ରଭାବ ଅର୍ଥନିତୀକୁ ସଙ୍କଟକୁ ଠେଲିଦେବ । IBC (Insolvency and Bankruptcy Code), ବ୍ୟାଙ୍କମାନଙ୍କର ମିଶ୍ରଣ (Merging of Banks), RBIର Fiscal ପଲିସିକୁ କୋହଳ କରାଯିବା ଆମର ଅର୍ଥନିତୀକୁ ସଙ୍କଟରେ ପକାଇ ଦେଇଛି । ଏତଦ୍ ବ୍ୟତୀତ RBIର ୧.୭୬ ଲକ୍ଷ କୋଟି ଧନରାଶିକୁ ସରକାର ନିଜେ ଖର୍ଚ୍ଚପାଇଁ ଆଣିବା ଅର୍ଥନିତୀର ମୂଳଦୁଆକୁ ଭାଙ୍ଗିଦେଇଛି । ଏହାର ଫଳ ସ୍ୱରୂପ RBIର ଗଭର୍ଣ୍ଣର ଏବଂ ଉପ-ଗଭର୍ଣ୍ଣର ଇସ୍ତଫା ଦେଇଥିଲେ । ଏଥିରୁ ସ୍ପଷ୍ଟ ପରିଲିକ୍ଷିତ ଯେ ସରକାର ନିଜର ମନମୁଖୀ ଶାସନ କରି ଆସୁଛନ୍ତି ।
ଏହା ସହିତ ତୈଳ ଦରର ବୃଦ୍ଧି, ବିଦେଶୀ ନିବେଶକଙ୍କର ପୁଞ୍ଜିନିବେଶ ନ କରିବା, ପିଆଜ ଦର ଆକାଶଛୁଆଁ ହେବା, ଆଳୁ ଦର ୩୫ ଟଙ୍କା ଏବଂ ନିତ୍ୟାବ୍ୟବହାର୍ଯ୍ୟ ଜିନିଷର ଅହେତୁକ ମୂଲ୍ୟବୃଦ୍ଧି ଆମର ଅର୍ଥନୈତିକ ସଙ୍କଟର ପରିମାତ୍ରକୁ ସ୍ପଷ୍ଟ ରୂପରେ ଇଙ୍ଗିତ କରୁଛି ।
ପ୍ରକୃତରେ ଏହି ଅର୍ଥନୈତିକ ସଙ୍କଟ ଦେଇ ଭାରତ ଗତି କରୁଥିବାବେଳେ ସରକାରଙ୍କ ମନମୁଖୀ କାର୍ଯ୍ୟପାଇଁ ଆଜି BSNL, AIR India ଏବଂ ବିଭିନ୍ନ PSU ବନ୍ଦ ହେବା ଆଶଙ୍କାରେ । ଅର୍ଥନିତୀରେ ସଙ୍କଟ ଦିନେ ଦେଶକୁ ଗ୍ରାସ କରିଯିବ ଏବଂ ଏଭଳି ଚାଲୁ ରହିଲେ ୧୯୯୦ ମସିହା ପରି ଭାରତରେ ଅର୍ଥ ସଙ୍କଟ ତଥା ଅର୍ଥନିତୀରେ ସର୍ଜିକାଲ ଷ୍ଟ୍ରାଇକ୍ ଦେଖିବା ଦୂର ନୁହେଁ । ଅତଃ ବିଳମ୍ବ ନକରି ଏଥିପ୍ରତି ସଜାଗ ହେବାସହ ଦେଶର ଅର୍ଥନିତୀକୁ ସ୍ଥିର ଏବଂ ସୁଦୃଢ଼ କରିବାପାଇଁ ଶୀଘ୍ର ପଦକ୍ଷେପ ନେବା ନିତ୍ୟାନ୍ତ ଆବଶ୍ୟକ ।
(ତାରିଖ: ୧ ଜାନୁଆରୀ ୨୦୨୦)
Comments
ଶେଖ୍ ଜୁନେଦ୍ ଜାଫ୍ରି ଓଡ଼ିଆ ସମେତ ହିନ୍ଦୀ ଓ ଇଂରାଜୀ ଭାଷାରେ ବିଭିନ୍ନ କବିତା, ଗପ ଓ ତର୍କ ସମ୍ୱନ୍ଧୀୟ ଲେଖାମାନ ରଚନା କରିଥାନ୍ତି ।