(୧)
ଦାସବାବୁଙ୍କ ପୁଅଟି ପାଠରେ ଯେମିତି ଶାଠରେ ବି ସେମିତି । ବୈଷୟିକ ଜ୍ଞାନ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଘରେ ବାପା-ବୋଉଙ୍କ ଛାତି କୁଣ୍ଢେମୋଟ । ସରକାରଙ୍କ ତରଫରୁ ଛାତ୍ରବୃତ୍ତି ବାବଦକୁ ୬୦୦୦ ଟଙ୍କା ମିଳିବ । ହେଲେ ସେଥିପାଇଁ ବାପାଙ୍କ ରୋଜଗାର ପ୍ରମାଣପତ୍ର(ଇନକମ ସାର୍ଟିଫିକେଟ) ଏବଂ ସ୍ଥାୟୀ ବସବାସ ପ୍ରମାଣପତ୍ର (ରେସିଡେନ୍ସିଆଲ ସାର୍ଟିଫିକେଟ) ଦାଖଲ କରିବା ଜରୁରୀ । ଏଣେ ଦାସ ବାବୁ ୬ଦିନ ହେବ ତହସିଲ ଅଫିସରେ ଆବେଦନ କରି ଦୌଡ଼ୁଛନ୍ତି ଯେ ଦୌଡ଼ୁଛନ୍ତି । ଚପଲ ଘୋରି ହେଇଗଲାଣି । ତଳୁ ଓପର କର୍ମଚାରୀଙ୍କ ଚା’, ପାନ, ସିଗାରେଟ ଏବଂ ଯିବା ଆସିବା ଗାଡିଭଡ଼ା ବାବଦକୁ ସର୍ବମୋଟ ୬ ଦିନରେ ୨୦୦୦ ଟଙ୍କା ଖର୍ଚ୍ଚ ହୋଇସାରିଲାଣି । “ଆଜି ଆସ କାଲି ଆସ”, “ବଡ଼ବାବୁ ଛୁଟିରେ ଅଛନ୍ତି”, “କମ୍ପ୍ୟୁଟର ଲିଙ୍କ ଫେଲ” ଶୁଣି ଶୁଣି ଶେଷରେ ବିରକ୍ତି ଆଉ ହତାଶ ହୋଇ ଆଶା ଛାଡ଼ିଦେଲେ ଦାସବାବୁ ।
(୨)
ସେ ଯାହା ହେଉ ଭଗବାନଙ୍କ କୃପାରୁ ବୃତ୍ତି ନିମନ୍ତେ ଆବେଦନ କରିବାର ଗୋଟାଏ ଦିନ ପୂର୍ବରୁ ଇନକମ ସାର୍ଟିଫିକେଟ ଏବଂ ରେସିଡେନ୍ସିଆଲ ସାର୍ଟିଫିକେଟ ମିଳିଗଲା । ପୁଅ ବି କଷ୍ଟେ ମଷ୍ଟେ ଅନଲାଇନ ଆବେଦନ କରିଦେଲା ।
ୟା ଭିତରେ ପୁଅର ଡିପ୍ଲୋମା ସରି ଇଂଜିନିୟରିଂରେ ନାମ ଲେଖାଇବା ୩ ବର୍ଷ ବିତିଗଲାଣି । ପ୍ରତିବର୍ଷ କଲେଜରୁ ଦାସବାବୁଙ୍କ ପାଖକୁ ଫୋନ ଆସେ “ଆଜ୍ଞା ପୁଅର ସ୍କୋଲାରସିପରେ ନାମ ଆସିଛି, ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ଆପଣଙ୍କ ଇନକମ ସାର୍ଟିଫିକେଟ ଏବଂ ରେସିଡେନ୍ସିଆଲ ସାର୍ଟିଫିକେଟ ଦାଖଲ କରନ୍ତୁ ।
ଗଲାବର୍ଷ ଏଇ କଥାକୁ ନେଇ ବାପ-ପୁଅଙ୍କ ଭିତରେ ଝଗଡ଼ା ହେବାରୁ ଦାସବାବୁ ନିଜେ ଯାଇ କଲେଜରେ ସବୁ ଦରକାରୀ କାଗଜପତ୍ର ଦାଖଲ କରି ଆସିଥିଲେ । ହେଲେ ଫଳ- ଯଥା ପୂର୍ବମ୍ ତଥା ପରମ୍ ।
(୩)
ଅରକ୍ଷିତକୁ ଦଇବ ସାହା । ଯାହା ହଉ, ଦାସବାବୁଙ୍କ ପୁଅ ଅଭିଷେକ ଓଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଇଂଜିନିୟରିଂ କଲେଜରେ ଇଲେକ୍ଟ୍ରିକାଲ ବିଭାଗରେ ନାମ ଲେଖାଇଲା । ନହେଲେ ପ୍ରାଇଭେଟ କଲେଜର ଦରଦାମ ଯାହା ସେଠି ପଢ଼େଇବାକୁ ଅର୍ଥ ବଳ କାହିଁ?
ଦିନେ ପ୍ରାକ୍ଟିକାଲ କ୍ଳାସ ଚାଲିଥାଏ । ଅଭିଷେକ ଏବଂ ତା’ ଗ୍ରୁଫର ସବୁପିଲା ମିଶି ଭୋଲ୍ଟେଜ-କରେଣ୍ଟ କ୍ୟାରକ୍ଟ୍ରିଷ୍ଟିକ ଏକ୍ସପେରିମେଂଟଟି କରୁଥାନ୍ତି । ସବୁ କନେକ୍ସନ ପରେ ସପ୍ଲାଇ ଦେଲେ । କିନ୍ତୁ ସିଆରୋରେ ରେଜଲ୍ଟ ଦେଖାଉ ନଥାଏ । ଅଭିଷେକର କିଛି ସନ୍ଦେହ ହେବାରୁ ସେ ଯାଇ ଲ୍ୟାବ ଆସିଷ୍ଟାଣ୍ଟ ଥିବା ସାରଙ୍କୁ ଏ ବିଷୟରେ ଜଣାଇଲା । ସାର “ନିଜେ ଚେଷ୍ଟା କର” ବୋଲି କହିଦେଇ କେଉଁଆଡ଼େ ଚାଲିଗଲେ । ପୁଣିଥରେ ଅଭିଷେକ ଏବଂ ତା’ର ସାଙ୍ଗମାନେ ଚେଷ୍ଟା କଲେ । ଏଥର ବି ବିଫଳ । ସାରଙ୍କୁ ଜଣାଇବାରୁ ସାର ସାମାନ୍ୟ ବିରକ୍ତ ହୋଇ “କୋଉ କଲେଜରୁ ଡିପ୍ଲୋମା ପାସ କରି ଆସିଛ କେଜାଣି ଏତିକି କରିପାରୁନ ! ନିଜେ କର” କହି କଥା ଟାଳିଦେଲେ । ବାରମ୍ବାର ଚେଷ୍ଟା ଓ ବିଫଳତା ପରେ ପିଲାମାନଙ୍କ ଚେହେରାରେ ମଧ୍ୟ ଟିକେ ଅସନ୍ତୋଷ ଭାବ ପରିଲକ୍ଷିତ ହେଉଥାଏ । ଶେଷଥରକୁ ଅଭିଷେକ ସାରଙ୍କୁ ଯାଇ ଅନୁରୋଧ କଲାରୁ ସାର କହିଲେ, “ମୁଁ କ’ଣ ଏଠି ଠିକା ନେଇଛି ଜଣ ଜଣ କରି ସମସ୍ତଙ୍କୁ ବୁଝେଇବାକୁ? ଆରେ ସରକାରୀ ଚାକିରିଆ ମୁଁ, ମୋ ବାଳ ବି କେହି ବଙ୍କା କରିପାରିବେନି ।” ଅଭିଷେକ ଏବଂ ତା’ ସାଙ୍ଗମାନେ ପରସ୍ପରର ମୁହଁ ଚାହାଁ ଚାହିଁ ହେଉଥିଲେ ।
Comments
ପଲ୍ଲବୀ ପୂଜାପଣ୍ଡା ଜଣେ କ୍ଷୁଦ୍ରଗଳ୍ପ ଲେଖିକା, କବି, ଅଧ୍ୟାପିକା, ପାଠିକା । ତାଙ୍କ ରଚିତ କବିତା ପ୍ରାୟ ସବୁବେଳେ ଫେସବୁକରେ ସେ ଛାଡ଼ୁଥିଲେ, ମାତ୍ର ପରେ ପ୍ରଥମେ ଶୁଭପଲ୍ଲବ ଜରିଆରେ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେ ଶୁଭପଲ୍ଲବର ଅନେକ ଗଳ୍ପ, କବିତାକୁ ଅଡ଼ିଓ ଭାବରେ ରେକର୍ଡ଼ କରିଛନ୍ତି ।