ସମାଜ..!
କିଏ ଏ ସମାଜ ?
କ’ଣ ତା’ର ଅଛି ଏକ ଅସ୍ଥିତ୍ଵ?
କିଏ ଗଢ଼ିଛି ଏ ସମାଜ?
କାହା ପାଇଁ ଏ ସମାଜ?
ଏମିତି ଅନେକ ପ୍ରଶ୍ନ ଉଙ୍କି ମାରେନି କେବେ ଆମ ମନରେ?
ସତରେ କ’ଣ ଆମେ ଏକ ଉଚ୍ଚ-ଶିକ୍ଷିତ ଆଧୁନିିକରଣ ଜ୍ଞାନ କୌଶଳ ଭରା ସମାଜରେ ବଞ୍ଚୁଛେ?
କେବେ ଭାବିଛନ୍ତି..!
ଏ ଆଧୁନିକତାର ଦ୍ୱାହି ଦେଇ, ନିଜ ପୂର୍ବ ପୁରୁଷମାନଙ୍କର କେତେ ସମ୍ମାନ କରୁଛେ କି ଅସମ୍ମାନ? ନିଜ ସ୍ୱାଭିମାନ, ନିଜ ଓଡ଼ିଆ ଜାତି, ନିଜ ସଂସ୍କୃତି, ପରମ୍ପରା ଅନେକ କିଛି ଆମେ ଭୁଲି ଗଲୁଣି ଓ ତାକୁ ୮୦/୯୦ ଦଶକର କାହାଣୀ କହି ଆଜି ଏଡ଼େଇ ବି ଦେଉଛେ ।
ଆଜିର ସମାଜ, ଭଦ୍ର ମୁଖା ପିନ୍ଧି ମନରେ ଈର୍ଷା, ରାଗ, ଅହଙ୍କାର, ମନ୍ଦ ବୁଦ୍ଧି ଶରୀରଧାରୀ ଆମ ପରି କିଛି ମଣିଷକୁ ହିଁ ନେଇ ବଞ୍ଚିଛି ନା, ତଥାପି ଏମିତି ଅନେକ ଅଛନ୍ତି, ଯେଉଁମାନେ ନିଜର ସବୁ କିଛି ଭୁଲି ଅନ୍ୟ ପାଇଁ ଉତ୍ସର୍ଗ କରିଦେଉଛନ୍ତି ନିଜର ମୂଲ୍ୟବାନ ଜୀବନ ।
ଆମେ ଦାନ ଦେଇ ଫଟୋରେ ଛାପି, ପ୍ରମାଣ ଦେଉଛେ ମୁଁ ଦାନୀ । ଶ୍ରୀ ମନ୍ଦିର ଗଢ଼ି ରାଜା ଇନ୍ଦ୍ରଦ୍ୟୁମ୍ନ କହିଥିଲେ, “ମୋ ବଂଶରେ କେହି ରହିବେନି, ଭବିଷ୍ୟ ଦ୍ରଷ୍ଟା ସାଜି ମାଗିଥିଲେ ଆଶୀର୍ବାଦ ।”
ହେଲେ କ’ଣ ଶିଖିଲେ ଆମେ? କାହାକୁ କୁହାଯାଏ ନିଶ୍ୱାର୍ଥପରତାର ସେବା?
ସମାଜ… ନିଜ ବାପା ମାଆଙ୍କୁ ଗଣ୍ଡେ ଭଲରେ ଖାଇବାକୁ ଦେଉ ନାହୁଁ, ଅଥଚ ବାପା ମା’ଙ୍କ ଶ୍ରାଦ୍ଧ ଦିବସରେ, ପୁତ୍ର ଓ ପୁତ୍ର ବଧୂର କର୍ତ୍ତବ୍ୟ ପରାୟଣତାର ପ୍ରମାଣ ଦେଖେଇ ହୋଇ ଅନାଥ କିମ୍ବା ବୃଦ୍ଧା ଆଶ୍ରମରେ ଭୋଜନ ଦାନ ଦେଇ ଡେଙ୍ଗୁରା ବଜେଇ ହେଉଛୁ । ଆମେ ଅନେକ କିଛି ଭୁଲକୁ ନିୟମରେ ପରିଣତ କରି, ତାକୁ ସମାଜର ଆଦର୍ଶ କହି ଆଗେଇ ବି ନେଉଛୁ ।
ନିଜର ଘରେ, ନିଜର ସ୍ତ୍ରୀକୁ ସମ୍ମାନ ଦେଉ ନାହୁଁ, ହେଲେ ପର ସ୍ତ୍ରୀ-ପୁରୁଷଙ୍କୁ ସମ୍ମାନ ଦେବାକୁ ଶିଖାଇ ଥାଉ । ନିଜର ପୁଅଝିଅଙ୍କୁ ଶୃଙ୍ଖଳା ଜ୍ଞାନ ହେଉ କି ମାର୍ଜିତ ରହିବାକୁ ଶିଖାଇ ନାହୁଁ ହେଲେ ଅନ୍ୟକୁ ନିକିତିରେ ତଉଲିବାକୁ ଟିକିଏ ସୁଯୋଗ ବି ହାତ ଛଡ଼ା କରୁନୁ ।
ସତରେ, ଏ ଭଦ୍ର ମୁଖା ପିନ୍ଧା ମଣିଷ ଦୋଷ ଦେଉଛି ଖାଲି ସମାଜକୁ, ହେଲେ ସମାଜ ହିଁ ତା’ଠୁ ଆରମ୍ଭ । କିନ୍ତୁ ବିଡ଼ମ୍ବନାର ବିଷୟ ଏହା ଯେ ସେହି କଥା ବୁଝିବାକୁ ଅସମର୍ଥ ଏ ମଣିଷ ।
ଆମେ ହିଁ ଏ କଳୁଷିତ ସମାଜର ଅଧ୍ୟକ୍ଷ ଓ ଅଧ୍ୟକ୍ଷା । ଆମ ପାଇଁ ଏ ସୃଷ୍ଟି ପୁଣି ଆମ ପାଇଁ ମଧ୍ୟ ବିନାଶ ହେବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।
– ଲୋପାମୁଦ୍ରା ମହାପାତ୍ର
Comments
ଲୋପାମୁଦ୍ରା ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।