ରାୟ ସାର୍ ଓ ବିନୋଦିନୀ

Odia Love Story Ray Sir o Binodini (ରାୟ ସାର୍ ଓ ବିନୋଦିନୀ) by Rojalin Parida

ବହୁତ କାମ ଏଇ ସ୍କୁଲରେ । ଯେବେଠୁ ବଦଳି ହେଇ ଆସିଛି ଗୋଟିଏ ପରେ ଗୋଟିଏ କାମ ସବୁବେଳେ ଲାଗି ରହିଛି । ମନେ ମନେ ଭାରି ବିରକ୍ତ ହେଉଥିଲି । ପୁଣି ପାଠାଗାରର ଦାୟିତ୍ୱ ବି ମୋ ଉପରେ ଲଦି ଦେଲେ ! ଆଉ ମୋତେ ତ ଲାଗେ ଏଇ ବିଦ୍ୟାଳୟ ପାଠାଗାରର ବହି ସଂଖ୍ୟା ଅଳ୍ପ ବୃଦ୍ଧି କରି ଠିକ୍ ଠାକ୍ ସଜେଇ ଦେଲେ ଆଖପାଖ ଦଶ ଖଣ୍ଡ ଗାଁ ଲୋକ ବିନା ଅସୁବିଧାରେ ପଢ଼ି ପାରିବେ । ହେବନି ବି କେମିତି? ଏତେ ପୁରୁଣା ସ୍କୁଲ !! ମାତ୍ର ବହିଗୁଡ଼ିକର ଅବସ୍ଥା ସ୍ୱାଧୀନତା ପରବର୍ତ୍ତୀ ଜମିଦାରଙ୍କ ସମ୍ପତ୍ତି ଭଳି ଜରାଜୀର୍ଣ୍ଣ ଓ ଅନାଥ । ବହୁତ ଶିକ୍ଷକ ମୋ ଆଗରୁ ଦାୟିତ୍ୱରେ ରହି କେବଳ ଖାତା କଲମରେ ଠିକ୍ ଦାୟିତ୍ୱ ସମ୍ପାଦନ କରିଥିଲା ଭଳି ମନେ ହୁଏ । ମୁଁ କିନ୍ତୁ ମନରେ ଭାବି ନେଇଥିଲି, ଯେତେଦିନ ଏ ବିଦ୍ୟାଳୟରେ ରହିବି ମୋ କାର୍ଯ୍ୟ ଠିକ ଭାବରେ କରିବି । ଅନ୍ତତଃ ଏଇ ଅନ୍ଧାରୀ କୋଠରୀରେ ଥିବା ଅଭିଶପ୍ତ ଜ୍ଞାନ ଭଣ୍ଡାରକୁ ପୁନଃ ସୂର୍ଯ୍ୟାଲୋକ ଦେଖାଇବି ।

ଏହା ଭାବି ଗୁରୁ ବାରର ଶେଷ ପର୍ଯ୍ୟାୟରେ ଦଶମ ଶ୍ରେଣୀର କିଛି ପୁଅ ଓ ଝିଅଙ୍କୁ ନେଇ ବହିପତ୍ର ସଜଡ଼ା ସଜଡ଼ି କରିବାକୁ ଗଲି । ଯେହେତୁ ସ୍କୁଲଟି ବହୁତ ବଡ଼ ଓ ବହୁତ ପୁରୁଣା, ସେ କୋଠରୀଟି ମନ୍ଦିରର ଗର୍ଭଗୃହ ଭଳି ଭିତରେ ଥାଏ । ଆଲୋକ ଚଳପ୍ରଚଳ ପାଇଁ ଦୁଇଟି ଛୋଟ ଛୋଟ ଝରକା ଥାଏ । ତଥାପି ରୁମ୍ ଭିତରଟା ଯେତିକି ଦେଖାଯିବା କଥା ତା’ ଠାରୁ ଟିକିଏ କମ୍ ଦେଖାଯାଉଥାଏ । ପିଲାମାନେ ଯେ ଯାହାର ସଜଡ଼ା ସଜଡ଼ିରେ ଲାଗିଗଲେ । ମୁଁ ସବୁଠୁ ପୁରୁଣା ଆଲମାରୀଟା ମୋ ଭାଗରେ ରଖିଲି । ଯେହେତୁ ବହୁତ ପୁରୁଣା ଓ ଅନେକ ଦିନରୁ ଅବ୍ୟବହୃତ, ତେଣୁ କିଛି ସରୀସୃପଙ୍କ ଭୟ ପାଇଁ ଡରି ଡରି ଆସ୍ତେ କରି ଖୋଲୁଥିଲି ।

କିଛି ବହି ସଜାଡ଼ିବା ପରେ ଆଲମାରୀର ପଟା ମଧ୍ୟରେ ଯେଉଁ ଫାଙ୍କା ଜାଗା ଥାଏ, ସେଇଠି ମେଞ୍ଚାଏ କାଗଜ ଯେମିତି ମୋଡ଼ି କି ରଖା ହେଇଛି ବୋଲି ମନେହେଲା । ସେଇଟିକୁ ସଫା କରିବା ପାଇଁ କାଗଜଟିକୁ ବଳ ପ୍ରୟୋଗ କରି ଟାଣି ଆଣିଲି । କାଗଜଟି ବହୁତ ପୁରୁଣା ଥିଲା, କିନ୍ତୁ କ’ଣ ସବୁ ଲେଖା ଅଛି ପଢ଼ିବାକୁ ଇଚ୍ଛା ହେଲା । ଖୋଲି କି ଦେଖିଲି, ତ ଲାଗୁଥିଲା ଜଣଙ୍କ ପାଖକୁ ଚିଠିଟେ ଲେଖା ହେଇଛି । ତା’ ପରେ ଯେହେତୁ ଘଣ୍ଟା ବାଜିଲା ସ୍କୁଲ ଛୁଟି ହେବାର, ପିଲାଙ୍କୁ ବାହାର କରି ରୁମ୍ ବନ୍ଦ କରିବାକୁ ବାହାରିଲି । କାଗଜଟିକୁ ଫୋପାଡ଼ି ଦେଉଥିଲି କିନ୍ତୁ କ’ଣ ମନହେଲା କେଜାଣି ସାଙ୍ଗରେ ନେଇ ଆସିଲି ।

ଘରକୁ ଫେରି କାମରେ ବ୍ୟସ୍ତ ରହି ଚିଠି କଥା ଭୁଲି ଯାଇଥିଲି । ରାତିରେ ଶୋଇବା ବେଳେ ବ୍ୟାଗରୁ ଇୟର୍ ଫୋନ୍ ଖୋଜିଲା ବେଳେ ସେ କାଗଜଟି ପାଇଗଲି ଆଉଥରେ । ଖୋଲିକି ପଢ଼ିବାରେ ଲାଗିଗଲି ତ ସେଥିରେ ଲେଖାଥିଲା-

ପ୍ରାଣପ୍ରିୟା ବିନୋଦିନୀ,

ମୁଁ ଜାଣିନି ଏ ଜନ୍ମରେ ତୁମକୁ କେବେ କହି ପାରିବି କି ନାହିଁ- କିନ୍ତୁ ମୁଁ ସତରେ ତୁମ ବିନା ବଞ୍ଚି ପାରିବିନି । ଗୋଧୂଳିର ଆରପଟେ ମୁଁ ଆଉ ଏପଟେ ତମେ । ମିଳନ ହୁଏତ ଅସମ୍ଭବ । ବହୁତ ଚେଷ୍ଟା କରି ବି କହି ପାରିଲିନି । ଏଇଆ ବି ଜାଣିନି ତମର ବି ମୋ ପ୍ରତି ସମାନ ଭାବନା ଅଛି କି ନାହିଁ । ଆଜି ମୋର ଏଇ ବିଦ୍ୟାଳୟର ଶେଷ ଦିନ । ଅଥଚ ଆଜି ବି ଏଇ ଚିଠିକୁ ଦେଇ ପାରିବି କି ନାହିଁ ଜାଣିନି ।

ମନରେ ଅନେକ ସ୍ୱପ୍ନ ଥିଲା, ତମକୁ ନେଇ । ଆଉ ବି ଜାଣିଥିଲି ମିଛ ମରୀଚିକାରୁ ଶୋଷ ମେଣ୍ଟାଇ ପାରିବିନି । ତଥାପି ଯଦି କେବେ ଏଇ ଗୋଲ ଦୁନିଆରେ ଭେଟ ହୁଏ, ଜୀବନ ସଙ୍ଗିନୀ ନହେଇ ପାରିଲେ ନାହିଁ, ସାଙ୍ଗ ହେଇ ପୁଣି ଥରେ ଚାହା ପିଇବା ପ୍ରଥମ ଥର ଭଳି ।

ଏତିକି ଅଳି ମୋର ଜଗନ୍ନାଥଙ୍କଠାରେ, ତୁମ ମନୋବାଞ୍ଚା ସବୁବେଳେ ପୂରଣ ହେଉ !

ଇତି
ରାୟ ସାର

ଚିଠି ପଢ଼ି ମନ ଖରାପ ହେଇଗଲା । ତା’ ହେଲେ ସେଦିନ ବି ସେ ଚିଠିଟି ଦେଇପାରି ନଥିଲେ । ମନରେ ବହୁତ କୌତୁହଳ ଜାତ ହେଲା, କିଏ ସେ ରାୟ ସାର୍ !? ଆଉ କିଏ ଏ ବିନୋଦିନୀ? ଛାତ୍ରୀ ନା ସହକର୍ମୀ?? ଏମାନଙ୍କର କ’ଣ ଆଉ କେବେ ଦେଖା ହେଲାନି?? ମନଟା ଖାଲି ଛଟପଟ ହେଲା; କୌଣସି ପ୍ରେମ ଯୋଡ଼ିର ବିଚ୍ଛେଦ ମୋ ମନକୁ ଅସ୍ତବ୍ୟସ୍ତ କରି ପକାଏ ।

ତା’ ପରଦିନ ସ୍କୁଲକୁ ଯାଇ ପୁରୁଣା ରେଜିଷ୍ଟର୍ ସବୁ ଖୋଜି ପକେଇଲି ।ରାୟ ସାରଙ୍କ ନାମରେ କାହାକୁ ବି ପାଇଲିନି । ଲାଇବ୍ରେରୀ ଦାୟିତ୍ୱରେ ଥିବା ପୁରୁଣା ସାରଙ୍କ ଦସ୍ତଖତ ଦେଖିଲି । ତଥାପି ରାୟ ସାରଙ୍କ ନାମରେ କାହାକୁ ପାଇଲିନି । ସବୁଠୁ ପୁରୁଣା ସହକର୍ମୀଙ୍କୁ ପଚାରିଲି ହେଲେ ସେ ବି କିଛି ଜାଣି ନାହାଁନ୍ତି କହିଲେ । ତା’ ପରେ ମୁଁ ବି ଭୁଲିଗଲି ଧୀରେ ଧୀରେ ରାୟ ସାର ଓ ବିନୋଦିନୀଙ୍କୁ ।

ବେଶ୍ କିଛି ଦିନପରେ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କର ସ୍କୁଲ ଲିଭିଙ୍ଗ୍ ସାର୍ଟିଫିକେଟରେ ଜନ୍ମ ତାରିଖ ନେବାକୁ ଆସିଲେ । ତାଙ୍କର ୧୯୭୫ ମସିହାରେ ମାଟ୍ରିକ୍ ପାସ୍ । ବଡ଼ ଅଫିସର ଥିଲେ ଜଳସେଚନ ବିଭାଗରେ । ତାଙ୍କର ଜନ୍ମ ତାରିଖ ଖୋଜିବାରେ ଟିକେ ଅଧିକ ସମୟ ଲାଗିଗଲା । ସେ ବସି ତାଙ୍କ ପୁରୁଣା ସ୍ମୃତି ରୋମନ୍ଥନ କରୁଥାନ୍ତି ହେଲବି କାହାର ବି ଶୁଣିବାକୁ ଇଚ୍ଛା ନଥାଏ ସେ କଥା ସବୁ । ମୁଁ ବି କ୍ଲାସ୍ ଯିବା ପାଇଁ ବାହାରିଲି । ହଠାତ୍ ମୋତେ ଲାଗିଲା ଯେମିତି ସେ କହିଲେ ‘ରାୟ ସାର୍’ ମୋତେ ବହୁତ ଭଲ ପାଉଥିଲେ କିନ୍ତୁ ମାଡ଼ ବି ଦେଉଥିଲେ ।

ପାଦଟି ଅଟକି ଗଲା ମୋର । ଆଉ କ୍ଳାସ୍ ଯିବାକୁ ଇଚ୍ଛା ବି ହେଲାନି, କିନ୍ତୁ କ୍ଳାସ୍ ତ ଯିବାକୁ ପଡ଼ିବ । ଆଉ ପାଠ ପଢ଼େଇବାରେ ମୋର ଜମା ମନ ଲାଗୁନଥାଏ । ମୋତେ ଲାଗୁଥାଏ ଇଏ ଆଉ ରାୟ ସାରଙ୍କ ବିଷୟରେ କିଛି ଜାଣିଛନ୍ତି କି !? ସେଦିନ ଶୀଘ୍ର କ୍ଳାସରୁ ବାହାରି ଆସିଲି । ରାସ୍ତାରେ ଭେଟ ହେଇଗଲେ ସେ ବୃଦ୍ଧ ବ୍ୟକ୍ତି ଜଣକ । ନିଜ ଆଡ଼ୁ କଥା ବାର୍ତ୍ତା ଆରମ୍ଭ କରି ପଚାରିଲି –

– ସାର୍ ଆପଣଙ୍କ କାମ ହେଇଗଲା?
– ହଁରେ ଝିଅ ! କେତେ ହଇରାଣ ହେଲିଣି ମୁଁ ଏଇ ପେପର୍‌ଟେ ପାଇଁ ।
– ସାର ! ଯଦି କିଛି ମନେ ନକରନ୍ତି କଥାଟେ ପଚାରିବି?
– ହଁ ଝିଅ ! ପଚାର…
– ଆପଣଙ୍କ ପଢ଼ିବା ସମୟରେ ଏଠାରେ ରାୟ ସାର୍ ବୋଲି କେହି ଥିଲେ କି?

ସେ ଆଶ୍ଚର୍ଯ୍ୟ ହୋଇ ମତେ ପଚାରିଲେ….

– ହଁ ମାଆ । ହେଲେ ତମେ କେମିତି ଜାଣିଲ?
– ନା.. ମାନେ ଏମିତି ପଚାରିଲି ।
– ଓଃ ! ହଁ କିଛି ଦିନ ପାଇଁ ଆସିଥିଲେ । ତାଙ୍କ ଘର ଖୋର୍ଦ୍ଧାରେ । ବଦଳି ହେଇ ଏଠିକି ଆସିଥିଲେ । ମାତ୍ର ଛଅ ମାସରେ ଏଠାରୁ ପଳେଇଲେ । ବହୁତ ଭଲ ସାର୍ ଥିଲେ । ଭଲ ଗଣିତ ପଢ଼ାଉଥିଲେ । କମନ୍ ରୁମରେ ନବସି ସେ ସବୁବେଳେ ଲାଇବ୍ରେରୀରେ ବସି ବହି ପଢ଼ୁଥିଲେ ।

– କିନ୍ତୁ ଏତେ ଶୀଘ୍ର ପଳେଇଲେ କାହିଁକି?
– ଜାଣିନିରେ ଝିଅ ! ପରେ ଏମିତି ଶୁଣିଥିଲି କି ତାଙ୍କର କାଳେ ବଡ଼ ଘରର ଝିଅ ସହ ବାହାଘର ଠିକ୍ ହେଇଥିଲା । ସେମାନେ ନେତା ମନ୍ତ୍ରୀ ଲଗେଇ ବଦଳି କରେଇଥିଲେ । ସେମାନେ ବି ତାଙ୍କୁ କାଳେ ପାଠ ପଢ଼େଇ ଥିଲେ । ତାଙ୍କର ବି କାଳେ ଏଇଠୁ ଯିବାକୁ ଇଚ୍ଛା ନଥିଲା ।

– ଆଉ ବିନୋଦିନୀ??
– କିନ୍ତୁ ତମେ ବିନୋଦିନୀଙ୍କୁ କେମିତି ଜାଣିଲ?

ଆଶ୍ଚର୍ଯ୍ୟ ହୋଇ ପଚାରିଲେ ସେ ।

– ନା ନା ଏମିତି ।
– ଓଃ ! ସେ ବି ଆମ ସ୍କୁଲରେ ଥିଲେ । ଏମିତି ପଢ଼ାଉଥିଲେ । ଚାକିରୀ ପାଇନଥିଲେ ବୋଧେ । ସେ ଅଳ୍ପ ବୟସରୁ ବିଧବା ଥିଲେ । କିନ୍ତୁ ରାୟ ସାର୍ ଗଲା ପରେ ସେ ବି ଚାକିରୀ ଛାଡ଼ି ଦେଇଥିଲେ । ତା’ ପରେ ମୁଁ ଆଉ ଜାଣିନି । ଆଉ ସେ ବି ବହୁତ ପୁରୁଣା କଥା । କିନ୍ତୁ ଥରେ ଶୁଣି ଥିଲି ବିନୋଦିନୀ ଦିଦି ସନ୍ୟାସିନୀ ହେଇ ଯାଇଛନ୍ତି ଆଉ ମାଉଣ୍ଟ ଆବୁରେ ରହୁଛନ୍ତି । ହଉରେ ମାଆ, ମୁଁ ଆସୁଛି । ବହୁତ ଡେରି ହେଲାଣି ।
– ହଁ ହଁ ସାର !! ମୁଁ ପୂରା ଅନ୍ୟମନସ୍କ ହେଇଯାଇଥିଲି । କ୍ଷମା କରିବେ, ମୁଁ ଆପଣଙ୍କୁ ଅଯଥା ହଇରାଣ କଲି ।

ଅନେକ ଅସମାହିତ ପ୍ରଶ୍ନର ଉତ୍ତର ପାଇଯାଇଥିଲି । କି ଏକ ଅଧୁରା ପ୍ରେମ କାହାଣୀର ଆରମ୍ଭରୁ ଶେଷର କଳ୍ପନା ଚିତ୍ରଣରେ ବ୍ୟସ୍ତ ହେଇ ଯାଇଥିଲି ବୋଧେ !!!

– ରୋଜାଲିନ ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...