ପୃଥିବୀରେ ହାତ ଗଣତି ଅଳ୍ପ ଏମିତି ଲୋକ ଜନ୍ମ ହୋଇଛନ୍ତି ଯେଉଁମାନେ ତାଙ୍କର ଅଗାଧ ପରିଶ୍ରମ ବଳରେ ଓ ଭାଗ୍ୟ ସାଥିରେ ଯୁଦ୍ଧ କରି ସଫଳ ହୋଇଛନ୍ତି ତଥା ଅତି ଦରିଦ୍ର ଅବସ୍ଥାରୁ ଉନ୍ନତି କରି ଦେଶ ବିଦେଶରେ ବିଖ୍ୟାତ ଓ ଧନବାନ ହୋଇପାରିଛନ୍ତି । ଭାରତରେ ମଧ୍ୟ ସେହିଭଳି ଲୋକଙ୍କର ଅଭାବ ନାହିଁ । ରଜନୀକାନ୍ତ, ନୱାଜୁଦ୍ଦିନ ସିଦ୍ଦିକି, ଅକ୍ଷୟ କୁମାର, ବୋମାନ ଇରାନୀ, ଜନିୱାକର ଇତ୍ୟାଦି ଲୋକପ୍ରିୟ ଅଭିନେତାମାନେ ଏହିଭଳି ସ୍ତରରୁ ଉଠିଛନ୍ତି । ଏମାନଙ୍କ ମଧ୍ୟରୁ ଟିଭି ଧାରାବାହିକ ‘ରାମାୟଣ’ର ନିର୍ଦ୍ଦେଶକ ରାମାନନ୍ଦ ସାଗର (୨୯ ଡିସେମ୍ବର ୧୯୧୭ – ୧୨ ଡିସେମ୍ବର ୨୦୦୫) ଅନ୍ୟତମ ।
ଲାହୋର ନିକଟସ୍ଥ “ଅସଲ ଗୁରୁ କେ” ନାମକ ସ୍ଥାନରେ ରାମାନନ୍ଦ ୨୯ ଡିସେମ୍ବର ୧୯୧୭ରେ ଏକ ଧନାଢ଼୍ୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ଚୋପ୍ରା ଜଣେ କବି ଥିଲେ । ତାଙ୍କର ଜନ୍ମ ନାମ ଚନ୍ଦ୍ରମୌଳି ଚୋପ୍ରା ଥିଲା । ତାଙ୍କର ବଡ଼ ଜେଜେ ଲାଲା ଶଙ୍କର ଦାସ ଚୋପ୍ରା ଲାହୋରରୁ ଦେଶାନ୍ତର ହୋଇ କାଶ୍ମୀର ଆସି ବସବାସ କଲେ ଓ ସେଠାରେ ବ୍ୟବସାୟ କରି ରହିଗଲେ । ସେଠାରେ ସେ ଲୋକମାନଙ୍କ ମଧ୍ୟରେ ‘ନଗର ସେଠ’ ଭାବରେ ପରିଚିତ ଥିଲେ । ତାଙ୍କର ଆଈଙ୍କର ନିଜର ପୁତ୍ର ନଥିବାରୁ ରାମାନନ୍ଦଙ୍କୁ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରିଥିଲେ ।
ରାମାନନ୍ଦ ବହୁତ ଜିଦଖୋର ଥିଲେ । ଯୌତୁକ ପ୍ରଥାର ବିରୋଧ କରିବାରୁ ତାଙ୍କୁ ଘରୁ ତଡ଼ି ଦିଆଯାଇଥିଲେ । ଘରୁ ବାହାରିଗଲେ ସିନା, ତାଙ୍କର ‘ଯୌତୁକ ବିରୋଧୀ’ ଜିଦରେ ଅଟଳ ରହିଲେ । ସେହିଠାରୁ ହିଁ ତାଙ୍କର ଅନେକ ବର୍ଷର ଦୁଃଖଦାୟକ ସମୟ ଓ ଜୀବନ ସଂଘର୍ଷ ଆରମ୍ଭ ହୋଇଥିଲା ।
ତାଙ୍କର ନିଜ ମାଆଙ୍କର ମୃତ୍ୟୁ ହେବାରୁ ତାଙ୍କ ପିତା ଦ୍ଵିତୀୟ ବିବାହ କରିଥିଲେ ଯାହାଙ୍କ ଔରସରୁ ବିଧୁ ବିନୋଦ ଚୋପ୍ରା (ନିର୍ଦ୍ଦେଶକ, ପ୍ରଯୋଜକ ଓ ପଟ୍ଟକଥା ଲେଖକ) ଜନ୍ମ ଗ୍ରହଣ କରିଥିଲେ ।
ଏମିତି ଏକ ସମୟ ଥିଲା ଯେତେବେଳେ ରାମାନନ୍ଦ ରାତିରେ ଡିଗ୍ରୀ ପାଠ ନିମନ୍ତେ ଅଧ୍ୟୟନ କରୁଥିଲେ ଓ ଦିନରେ ପିଅନ, ଟ୍ରକ କ୍ଲିନର, ସାବୁନ ବିକ୍ରେତା, ବଣିଆ-ଶିକ୍ଷାନବିସ ଇତ୍ୟାଦି କାମ କରି ନିଜର ରୋଜଗାର ନିଜେ କରି ନିଜର ଖର୍ଚ୍ଚ ତୁଲଉଥିଲେ । ଅତ୍ୟନ୍ତ ମେଧାବୀ ଛାତ୍ର ଥବାରୁ ଅବଶେଷରେ ସଂସ୍କୃତ ଓ ପାର୍ସୀ ଭାଷାଦ୍ୱୟରେ ସେ ସନ ୧୯୪୨ରେ ପଞ୍ଜାବ ବିଶ୍ଵବିଦ୍ୟାଳୟରୁ ଦୁଇଟି ସ୍ଵର୍ଣ୍ଣ ପଦକ ପାଇଥିଲେ ।
କର୍ମମୟ ଜୀବନ: ଡେଲି ମିଲାପ ଖବର କାଗଜର ସେ ସମ୍ପାଦକ ଥିଲେ । ରାମାନନ୍ଦ ଚୋପ୍ରା, ରାମାନନ୍ଦ ବେଦୀ ଓ ରାମାନନ୍ଦ କାଶ୍ମିରୀ ଇତ୍ୟାଦି ଛଦ୍ମ ନାମରେ ସେ ଉପନ୍ୟାସ, କ୍ଷୁଦ୍ର ଗଳ୍ପ ଓ କବିତା ଇତ୍ୟାଦି ଲେଖୁଥିଲେ । ସନ ୧୯୪୨ରେ ତାଙ୍କୁ ଯକ୍ଷ୍ମା ରୋଗ ହୋଇଥିଲା ବେଳେ ମଧ୍ୟ ମୃତ୍ୟୁ ସମ୍ଭାବନାରେ ସେ ଭୀତତ୍ରସ୍ତ ହୋଇନଥିଲେ । ସେ ଜଣେ ଖବର କାଗଜ ସ୍ତମ୍ଭକାର ମଧ୍ୟ ଥିଲେ । ରୋଗ ସାଥିରେ ତାଙ୍କର ଯୁଦ୍ଧର କାହାଣୀ ‘ଡାଏରୀ ଅଫ ଏ ଟିବି ପେସେଣ୍ଟ’ (‘ଏକ ଯକ୍ଷ୍ମା ରୋଗୀର ଡାଏରୀ’) ଶୀର୍ଷକରେ ଲାହୋରରୁ ପ୍ରକାଶିତ ‘ଆଦବ-ଏ-ମଶ୍ରିକ’ ପତ୍ରିକାର ଏକ ସ୍ତମ୍ଭରେ ପ୍ରକାଶିତ ହେଉଥିଲା ।
ଜୀବିକା:
ଅନେକ ବିଖ୍ୟାତ ନିର୍ଦ୍ଦେଶକଙ୍କ ଭଳି ସେ ଚଳଚ୍ଚିତ୍ର ଜଗତରେ ସନ ୧୯୩୨ରେ ପ୍ରଥମେ “ରେଡର୍ସ ଅଫ ଦି ରେଲରୋଡ଼” ନାମକ ଏକ ମୁକ ଚଳଚ୍ଚିତ୍ରର ସୁଟିଂ ସମୟରେ କ୍ଲାପର ବୟ କାମ କରିଥିଲେ । ସନ ୧୯୪୦ରେ ସେ ବିଖ୍ୟାତ ପୃଥ୍ଵୀରାଜ କପୁରଙ୍କର ପିତୃସୁଲଭ ତତ୍ତ୍ଵାବଧାନରେ ପୃଥ୍ଵୀ ଥିଏଟରରେ ଆସିଷ୍ଟାଣ୍ଟ ଷ୍ଟେଜ ମ୍ୟାନେଜର ଭାବରେ କାମ କରିଥଲେ । ଭାରତ ବିଭାଜନର ଅନୁଭୂତିକୁ ପାଥେୟ କରି ରାମାନନ୍ଦ ୧୯୪୮ ମସିହାରେ ‘ଔର ଇନ୍ସାନ ମର ଗୟା’ ନାମରେ ଏକ ହିନ୍ଦୀ-ଉର୍ଦ୍ଦୁ ପୁସ୍ତକ ରଚନା କରିଥିଲେ । ଭାରତ ପାକିସ୍ଥାନ ବିଭାଜନ ପରେ ସନ ୧୯୪୯ରେ ସେ ବମ୍ବେ (ଆଜିକାର ମୁମ୍ବାଇ) ଚାଲିଆସି ତାହାକୁ ନିଜ କର୍ମକ୍ଷେତ୍ର ଭାବରେ ବାଛିନେଲେ ।
ସେ ରାଜ କପୁରଙ୍କର ‘ବର୍ଷାତ’ ଚଳଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ସନ ୧୯୫୦ ମସିହାରେ ସେ “ସାଗର ଆର୍ଟସ” ନାମରେ ନିଜର ଏକ ପ୍ରଯୋଜନା ସଂସ୍ଥା ଆରମ୍ଭ କରିଥିଲେ । ଏହି ସଂସ୍ଥା ମାଧ୍ୟମରେ ସେ ଅନେକ ଚଳଚ୍ଚିତ୍ରମାନଙ୍କର ପ୍ରଯୋଜନା ଓ ନିର୍ଦ୍ଦେଶନା କରିଥିଲେ । ସନ ୧୯୬୦ ଓ ୧୯୬୫ରେ ଯଥାକ୍ରମେ ତାଙ୍କ ପ୍ରଯୋଜିତ ଘୁଙ୍ଘଟ ଓ ଆରଜୁ ଚଳଚ୍ଚିତ୍ର ସେତେବେଳେ ବ୍ଲକବୁଷ୍ଟର ହୋଇଥିଲା । ସନ ୧୯୬୪ରେ ସେ ‘ଜିନ୍ଦଗୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ । ସନ ୧୯୭୯ରେ ତାଙ୍କର ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ପ୍ରେମ ବନ୍ଧନ’ ବ୍ୟବସାୟୀକ ସଫଳତା ପ୍ରାପ୍ତ ହୋଇଥିଲା । ସେହିଭଳି ସନ ୧୯୮୨ରେ ତାଙ୍କ ନିର୍ଦ୍ଦେଶିତ ‘ଭଗୱତ’ ହିଟ ହୋଇଥିଲା ।
ଏହା ପରେ ସେ ଟେଲିଭିଜନ ତିଆରିରେ ମନ ଦେଇଥିଲେ । ‘ଦାଦା ଦାଦି କି କହାନିୟା’ର ପ୍ରଯୋଜକ ଓ ‘ବିକ୍ରମ ଓ ବେତାଳ’ର ନିର୍ଦ୍ଦେଶକ ଥିଲେ । ତାଙ୍କର ନିର୍ଦ୍ଦେଶିତ ‘ରାମାୟଣ’ ୨୫ ଜାନୁଆରୀ ୧୯୮୭ରୁ ଆରମ୍ଭ ହୋଇ ୭୮ ଏପିସୋଡ଼ ପରେ ସରିଥଲା । ରାମାୟଣ ଟେଲିକାଷ୍ଟ ହେଉଥିବା ସମୟରେ ରାସ୍ତା ଘାଟରେ ଲୋକଙ୍କର ଗମନାଗମନ ବନ୍ଦ ହୋଇଯାଉଥିଲା । ସେହି ସମୟରେ କୌଣସି କାରଣରୁ ବିଦ୍ୟୁତ ସରବରାହ ବନ୍ଦ ହୋଇଗଲେ ଲୋକମାନେ ବିଦ୍ୟୁତ ବିଭାଗ ଅଫିସକୁ ଯାଇ ଭଙ୍ଗାରୁଜା କରୁଥିଲେ । ଏହା ସେହି ସିରିଆଲର ଲୋକପ୍ରିୟତାର ସୂଚନା ଦେଉଥିଲା । ଏହା ପରେ ସେ କୃଷ୍ଣ, ଲବକୁଶ, ସାଇବାବା, ବିକ୍ରମ ବେତାଳ ଓ ଅଲିଫ ଲୈଲା ଆଦି କେତେକ ସିରିଆଲ ପ୍ରସ୍ତୁତ କରିଥିଲେ ଓ ସେଗୁଡ଼ିକ ମଧ୍ୟ ଲୋକପ୍ରିୟ ହୋଇଥିଲେ ।
ତାଙ୍କ ନାମକୁ ସେ ନିଜ କର୍ମଦ୍ଵାରା ସାର୍ଥକ କରିଥିଲେ । ରାମାନନ୍ଦ ସାଗର ଥିଲେ ସେ, ରାମ କାହାଣୀ ପ୍ରଦର୍ଶନ କରି କୋଟି କୋଟି ଲୋକଙ୍କୁ ଆନନ୍ଦ-ସାଗରରେ ନିମଜ୍ଜିତ କରି ରଖିଥିଲେ ଓ ୧୨ ଡିସେମ୍ବର ୨୦୦୫ ମସିହାରେ ତାଙ୍କର ନିଜ ଘରେ ୮୭ ବର୍ଷ ବୟସରେ ତାଙ୍କର ମହାପ୍ରୟାଣ ପରେ ମଧ୍ୟ ସେ କୋଟି କୋଟି ଲୋକଙ୍କୁ ଦୁଃଖ-ସାଗରରେ ଭସେଇ ଦେଇଥିଲେ । ଭାରତର ଜନମାନସରେ ସେ ଏକ ଏକ ଉଜ୍ଜ୍ଵଳ ତାରକା ଭାବରେ ରହିଛନ୍ତି ଓ ଭବିଷ୍ୟତରେ ମଧ୍ୟ ରହିବେ ।
ତାଙ୍କ ଜୀବନ ଅନୁଶୀଳନ କଲେ ଦେଖାଯାଏ, ଅଭାବ ଅନାଟନରେ ବଢ଼ିଥିଲେ ମଧ୍ୟ ତାଙ୍କର କଷ୍ଟଲବ୍ଧ ଶିକ୍ଷାପ୍ରାପ୍ତି ଯୋଗୁ ସେ ସଫଳତାର ଶୀର୍ଷ ପ୍ରାପ୍ତ ହୋଇଥିଲେ । ଆମେ ଏଥିରୁ ଶିଖିବା, ଜୀବନର ସିଡ଼ିରେ ଉପରକୁ ଉଠିବା ନିମନ୍ତେ ଦାରିଦ୍ର୍ୟ ଏକ ବାଧକ ନୁହେଁ ।
ସମ୍ମାନ ଓ ପୁରସ୍କାର
- ପଦ୍ମଶ୍ରୀ – ସନ ୨୦୦୦
- ହିନ୍ଦୀ ସାହିତ୍ୟ ସମ୍ମେଳନ (ପ୍ରୟାଗ), ଆଲ୍ଲାହାବାଦ ସଂସ୍ଥା ତରଫରୁ ସନ ୧୯୯୬ରେ ସାହିତ୍ୟ ବାଚସ୍ପତି (Doctor of Literature) ପଦବୀରେ ସମ୍ମାନିତ କରାଯାଇଥିଲା ।
- ଜମ୍ମୁ ବିଶ୍ଵବିଦ୍ୟାଳୟ (Honoris Causa by Jammu University) ତରଫରୁ ତାଙ୍କୁ ଡକ୍ଟର ଅଫ ଲିଟରେଚର (D.Lit.) ପଦବୀରେ ସମ୍ମାନିତ କରାଯାଇଥିଲା ।
ଚଳଚ୍ଚିତ୍ର ନିମନ୍ତେ
- ଫିଲ୍ମଫେୟାର ଶ୍ରେଷ୍ଠ ସଂଳାପ – ୧୯୬୦( ପୈଗାମ ଚଳଚ୍ଚିତ୍ର ପାଇଁ)
- ଫିଲ୍ମଫେୟାର ଶ୍ରେଷ୍ଠ ନିର୍ଦ୍ଦେଶକ – ୧୯୬୯ (ଆଁଖେ ଚଳଚ୍ଚିତ୍ର ପାଇଁ )
ମନୋନୀତ
- ୧୯୬୬ – ଫିଲିମ ଫେୟାର ପୁରସ୍କାର, ଶ୍ରେଷ୍ଠ କାହାଣୀ ‘ଆରଜୁ’
- ୧୯୬୬ – ଫିଲିମ ଫେୟାର ପୁରସ୍କାର, ଶ୍ରେଷ୍ଠ ନିର୍ଦ୍ଦେଶକ ‘ଆରଜୁ’
- ୧୯୬୯ – ଫିଲିମ ଫେୟାର ପୁରସ୍କାର, ଶ୍ରେଷ୍ଠ କାହାଣୀ – ‘ଆଁଖେ’
– ଡ. ସୁବାସ ଚନ୍ଦ୍ର ରାଉତ
Comments
ଡ. ସୁବାସ ଚନ୍ଦ୍ର ରାଉତ ଜଣେ ଅବସରପ୍ରାପ୍ତ ଶଲ୍ୟ ଚିକିତ୍ସକ । ଅଧୁନା ସେ ଓଡ଼ିଆ ଉଇକିପିଡ଼ିଆରେ ଚିକିତ୍ସା ବିଜ୍ଞାନରେ ୧୫୦୦ରୁ ଅଧିକ ପ୍ରସଙ୍ଗ ଲେଖିସାରିଲେଣି ।