ଅଫିସରୁ କାମ ଶେଷ କରି ଶୀଘ୍ର ବସଷ୍ଟାଣ୍ଡ ଆସିଯାଇଥିଲି, ବସଟେ ମିଳିଗଲେ ସମୟ ପୂର୍ବରୁ ଘରେ ପହଞ୍ଚିଯିବି । ସମୟ ରାତି ୯ଟା, ଅନ୍ଧାର ରାତି ଯୋଗୁଁ ରାସ୍ତାଘାଟ କିଛି ଦିଶୁନଥାଏ । ଏପଟେ ବର୍ଷା ମଧ୍ୟ ଏମିତି ହଉଛି, କମିବାର ନାଁ ହିଁ ଧରୁନି । ବସକୁ ଅପେକ୍ଷା କରୁକରୁ ଅଧ ଘଣ୍ଟା ବିତିସାରିଥାଏ । ମନ ଭିତରେ ଗୋଟେ ଭାବନା ଆସୁଥାଏ କି ଓଡ଼ିଶାର ପବ୍ଲିକ ଟ୍ରାନ୍ସପୋର୍ଟ କେବେ ଠିକ ହେବ । ଏଇ ଭାବନା ଏଇଥିପାଇଁ ଆସିଲା କି ଛଅ ମାସ ପୂର୍ବେ ଅଫିସ କାମରେ ଶିମ୍ଲା ଯାଇଥିଲି । ସେଠି ପବ୍ଲିକ ଟ୍ରାନ୍ସପୋର୍ଟ ବହୁତ କଷ୍ଟରେ ଦଶ କି ପନ୍ଦର ମିନିଟ ଡେରିରେ ଆସେ ।
ଏଇ ସବୁ କଥା ଭାବୁ ଭାବୁ ସାମ୍ନାରେ ଅଚାନକ ଏକ ବୃଦ୍ଧ ଦମ୍ପତି ରାସ୍ତା ପାରି ହଉଥିବାର ଦୃଶ୍ୟ । ବୟସ ପାଖାପାଖି ୬୦ କି ୭୦ ହେବ । ଅନ୍ଧାର ଆଉ ବର୍ଷା ହେତୁ ତାଙ୍କୁ ବି ସ୍ପଷ୍ଟ ଦେଖାଯାଉନଥାଏ । ବହୁତ କଷ୍ଟରେ ବଙ୍କୁଲି ବାଡ଼ିଟିକୁ ସାହାରା କରି ବୁଢ଼ାଟି ବୁଢ଼ୀର ହାତକୁ ଧରି ବସଷ୍ଟାଣ୍ଡ ପାଖରେ ପହଁଞ୍ଚିଲା । ହଠାତ ବାଡ଼ିଟି ଖାଲରେ ପଡ଼ିଯିବାରୁ ଦୁହେଁ ଆସି ମୋ ଉପରେ ପଡ଼ିଲେ ।
ତାଙ୍କୁ ସମ୍ଭାଳୁ ସମ୍ଭାଳୁ ଅଜାଣତରେ ପଚାରି ବସିଲି, “ଅଙ୍କଲ.. କୁଆଡ଼େ ଯିବେ?” ବୁଢ଼ାଟି କହିଲା, “ପୁଅ ଏଇ ପାଖରେ ଆମ ଘର” ତା’ପରେ ଦୁହିଁଙ୍କ ହାତ ଧରି ତାଙ୍କ ଘର ଆଡ଼େ ମୁହାଁଇଲି । କିଛି ବାଟ ଗଲା ପରେ ଅଙ୍କଲ କହିଲେ, ହଉ ପୁଅ… ଆମ ଘର ଆସିଗଲା । ମୁଁ କହିଲି, “ଠିକ ଅଛି, ଅଙ୍କଲ ଆପଣ ଦୁହେଁ ଘରକୁ ଯାଆନ୍ତୁ, ମୁଁ ବସଷ୍ଟାଣ୍ଡ ଯାଉଛି । ଯାଇ ଦେଖେ, ମୋ ଗାଡ଼ି ଚାଲି ଯାଇନି ତ !”
ଦୁହେଁ ମୋ ହାତକୁ ଜୋରରେ ଜାବୁଡ଼ି ଧରିନେଇ କହିବାକୁ ଲାଗିଲେ, “ନା ପୁଅ… ବାହାରେ ବହୁତ ଥଣ୍ଡା ଚାହା ଟିକେ ପି’କରି ଯିବ ।” ବର୍ଷାରେ ଭିଜିଥିବା ହେତୁ ମୋ ଦେହବି ଥଣ୍ଡା ଲାଗୁଥାଏ । ତାଙ୍କ ହଁରେ ହଁ ଭରି ଘର ଭିତରକୁ ପ୍ରବେଶ କଲି । ଆଣ୍ଟି ରୋଷେଇଘରକୁ ଚାଲିଗଲେ ଆଉ ଅଙ୍କଲ ମୋ ସହିତ ସୋଫା ଉପରେ ବସିଲେ । ଚାଲିଲା ବାର୍ତ୍ତାଳାପ; ପୁଅ ତମ ଘର କୋଉଠି? ତୁମେ କ’ଣ କର? ବାହା ହେଲାଣି କି ନାହିଁ? ଏମିତି କେତେପ୍ରଶ୍ନ । କଥା ହଉ ହଉ ଅଙ୍କଲ କହିବାକୁ ଲାଗିଲେ, “ପୁଅ ଆମେ ଦୁହେଁ ଆମ ନାତିର ଜନ୍ମଦିନ ପାଇଁ ପୁଅ ଘରକୁ ଯାଇଥିଲୁ । ପୁଅ ଏଇ ପାଖରେ ରହୁଛି । ସେ ବଡ଼ ହେଲା ପରେ ଅଲଗା ଘର ନେଇ ବୋହୂ ସହିତ ରହିଲା । ତା’ ଅଫିସର ଷ୍ଟାପ୍ ବନ୍ଧୁ ଆସିବା… ଆମ ସାଙ୍ଗରେ ରହିବା ତାକୁ ଅସହଜ ଲାଗୁଥିଲା । କିନ୍ତୁ ଆମ ପାଇଁ ତା’ର ବହୁତ ଚିନ୍ତା, ଦେଖିନୁ ସେଇଥିପାଇଁ ଏଇ ପାଖରେ ଘରଭଡା ନେଲା । ନାତିଆ ଟୋକାଟିକୁ ବୁଢ଼ାବୁଢ଼ୀ ଓଳିଏ ନ ଦେଖିଲେ ରହି ପାରୁନୁ, ଦେଖା କରିବାକୁ ଚାଲିଯାଉ । ଆଜିବି ସେଇ ଟୋକା ଫୋନ କରି କହିଲା, “ଜେଜେବାପା-ଜେଜିମା, ଯଦି ତୁମେଦୁହେଁ ନ ଆସିବ ମୁଁ କେକ କାଟିବିନି ।” ପାର୍ଟିରୁ ଫେରିଲା ବେଳେ ପୁଅ ବି କହୁଥିଲା ଯଦି ଆପଣଙ୍କୁ କିଛି ଅସୁବିଧା ନ ହୁଏ, ମୁଁ ମୋ କାରରେ ଛାଡ଼ିଦେବି । କିନ୍ତୁ ମୁଁ ମନା କଲି, ପୁଅ ଏଇ ପାଖରେ ତ ଘର, ବର୍ଷା ବି ଝିପିଝିପି ହଉଛି ଆମେ ଚାଲିଯିବୁ । ସେ ରାଜିହେଲା, ଆମେ ଚାଲିକି ଆସିଲୁ ।”
ଏହି ସମୟରେ ଆଣ୍ଟି ଦୁଇକପ ଚାହା ଆଣି ଟେବୁଲ ଉପରେ ରଖିଲେ । ଦରଦୀ ହୃଦୟରେ କହିଲେ, “ନିଅ ପୁଅ, ଚାହା ପିଇ ଦିଅ !” ଚାହାର ଗୋଟେ ଢୋକ ନେଇଛି କି ନାହିଁ । ମନେପଡ଼ିଗଲା ସକାଳୁ ଅଫିସ ଆସିଲାବେଳେ ବାପା ତାଙ୍କ ଚଷମାର ଫ୍ରେମ ଠିକ କରିବାକୁ ଦେଇଥିଲେ । ମୁଁ ବ୍ୟାଗରେ ହାତ ପୁରାଇଲି, ଚଷମା ବାହାର କଲି । କାନ୍ଥରେ ଲାଗିଥିବା ଘଣ୍ଟାକୁ ଚାହିଁଲି । ସମୟ ରାତି ୧୧ଟା !
ଶୀଘ୍ର ସେମାନଙ୍କଠାରୁ ବିଦାୟ ନେଲି । ରାସ୍ତା ସାରା ଖୋଜିବାକୁ ଲାଗିଲି । କୋଉଠି ନା କୋଉଠି ଗୋଟେ ଚଷମା ଦୋକାନ ଦିଶିଯାଆନ୍ତା କି, ବାପାଙ୍କ ଚଷମା ଠିକ କରି ନିଅନ୍ତି । ପୁଣି ବହୁତ କଷ୍ଟରେ ଗୋଟେ ଦୋକାନ ମିଳିଲା । ଯିଏ ସଟର ବନ୍ଦ କରିବାକୁ ବସିଥିଲା । ମୋର ବହୁତ ଅନୁରୋଧ ପରେ ଦୋକାନ ଖୋଲି ଚଷମା ଠିକ କଲା । ଜଲଦି ଷ୍ଟାଣ୍ଡକୁ ଯାଇ ବସ ଧରି ଘରେ ପହଞ୍ଚିଲି । ପାଖାପାଖି ରାତି ୧୨ଟା ବାଜିସାରିଥାଏ । କଲିଂବେଲ ମାରିବାକୁ ଯାଉଛି ଦେଖେ ତ ବାପା ଦ୍ଵାର ମୁହଁରେ ଠିଆ ହୋଇଛନ୍ତି । ବହୁତ ବେଳୁ ସେ ମତେ ହିଁ ଅପେକ୍ଷା କରିଥିଲେ । ମତେ ଦେଖି ଖୁସି ହେଇଗଲେ । ମୁଁ ବି ଚଷମା ଦେବାକୁ ଡେରି କଲିନି ।
ସେଦିନ ରାତିରେ ମୁଁ ଜମା ବି ଶୋଇପାରିନଥିଲି । କେବଳ ସେ ବୃଦ୍ଧଦମ୍ପତିଙ୍କ କଥା ମୋ ମୁଣ୍ଡ ଭିତରେ ବୁଲୁଥିଲା । “ଚଷମା ପୁରୁଣା ହେଇଗଲେ ତାକୁ କ’ଣ ଏମିତି ଫିଙ୍ଗି ଦେବା ଦରକାର?” ମନର ଏକ ନିବୃତ୍ତ କୋଣରୁ ଉତ୍ତର ଆସିଲା, “ନା !”
– ଆକାଶ କୁମାର ଭୋଳ
Comments
ଆକାଶ କୁମାର ଭୋଳ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି ।