ପ୍ରିୟତମା

Odia Poem Priyatama (ପ୍ରିୟତମା) by Nitesh Behera

ସପନେ ଆସି ଦେ ତୁ ହସି
ତୋ’ର ସେ ମିଛ ହସ,
ସତରେ ପଛେ ନ ହେଲା ନାହିଁ
ହୋଇଯିବ ମୋ ବିଶ୍ୱାସ ।

ଥିଲା ମୋ ପ୍ରେମ ବାସ୍ତବରେ
ତୋ ପାଇଁ ଯାହା ଭ୍ରମ,
ମିଛ ମିଛରେ ଖେଳିଲୁ ଖେଳ
ଡାକି ତୁ ପ୍ରିୟତମ ।

ନ ଥିଲା କିଛି ଉପାୟ ମୋର
ଥିଲି ମୁଁ ନିରୁପାୟ,
ବାଟ ଅଧରେ ହାତ ମୋ’ ଛାଡ଼ି
କରିଲୁ ଅସହାୟ ।

କାହାଣୀରେ ତୁ ଥିଲୁ ଲୋ ରାଣୀ
ମୁଁ ଥିଲି କଣ୍ଢେଇ ରାଜା,
ତୋ’ ପାଇଁ ଆଜି କାହାଣୀ ଶେଷ
ପାଉଛି ମୁହିଁ ସଜା ।

ବିଶ୍ୱାସ ସିନା ପ୍ରେମର ବୀଜ
ତୋ’ ପାଇଁ ଯେ ଛଳନା,
ସମୟ ଆଜି କହୁଛି ଖୋଜି
ଭୁଲ ଥିଲା ମୋ ଭାବନା ।

ସମୟ ତୋ’ର ଅତିବାହିତ
କରୁଥିଲୁ ମୋ’ ସାଥେ,
ମୁଁ ଯେ ନିର୍ବୋଧ କାହିଁକି ଆସି
ଧରା ଦେଲି ତୋ’ ହାତେ ।

ମିଛ ତୋ’ ରାଗ ମିଛ ତୋ’ ରୁଷା
ମିଛ ବି ତୋ’ କାନ୍ଦଣା,
ତଥାପି ଆଜି ବସି ଭାବୁଛି
ଥିଲା କି ମୋ ପ୍ରେମ ଉଣା?

ନିଶ୍ୱାସ ଆଜି ଲାଗେ ଯେ ଭାରି
ଖେଳି ପ୍ରେମର ଖେଳ,
ନିଜର ଭାବି ଭରସା କଲି
ଦେଲୁ ଏମିତି ପ୍ରତିଫଳ ।

ମଉନେ ଆଜି ଖୋଜୁଛି ମୋର
ହାତର ଭଗ୍ନ ରେଖା,
କିଏ କରିଲା ଏମିତି ଭୁଲ୍
ମିଳିଲା ପ୍ରେମରେ ଧୋକା??

– ନିତେଶ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...