ବିରହରେ ଯଦି ଭିଜି ନାହିଁ ଆଖି
ତାକୁ କିବା ପ୍ରେମ କୁହ
ଶୁଖି ନାହିଁ ଯଦି ତଣ୍ଟି ତା’ ଆଗରେ
ସେହି ଗଭୀରତା ପାଇ ନାହଁ ।
ମୁହେଁ ନ ଫୁଟିଛି ହସ ଯଦି ତୁମ
ତା’ ନାଁକୁ ଭିଡ଼ରେ ଶୁଣି
ହଜାରେ ସ୍ୱରରୁ ଯଦି କଣ୍ଠସ୍ୱର
ନପାରିବ ତୁମେ ଜାଣି ।
କୁହ ନାହିଁ ବନ୍ଧୁ ପ୍ରେମ ତାହାକୁ
ଖାଲି ଶାରୀରିକ ନିବିଡ଼ତା
ଭାବୁଥିଲେ ଖାଲି ପ୍ରେମ ଶରୀରରେ
ଶୁଣ ରାଧାକୃଷ୍ଣ ପ୍ରେମ କଥା ।
ଭିଜିଥିଲା ଆଖି ରାଧାକୃଷ୍ଣଙ୍କର
ବିରହ ରାଗିଣୀ ତୋଳି
ସାକ୍ଷୀ ଅଛି ସେହି ଦୁଃଖିନୀ ଯମୁନା
ସାକ୍ଷୀ ଅଛି ଗୋପ ଧୂଳି ।
ପ୍ରେମ ସୃଷ୍ଟି କରେ ନିଜର ଅସ୍ତିତ୍ୱ
ବନ୍ଧନ ତା’ ଲକ୍ଷ୍ୟ ନୁହେଁ
କେବେ ବିରହରେ କେବେ ମିଳନରେ
ସଂଜ୍ଞା ତା’ର ଖୋଜିପାଏ ।
– କୈବଲ୍ୟ ନାୟକ
Comments

କୈବଲ୍ୟ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।