ମୁଁ ବ୍ୟୋମକେଶ, ବ୍ୟୋମକେଶ ରଥ । ବଣ୍ଡ, ଜେମ୍ସ ବଣ୍ଡ ଭଳିଆ ପଢ଼ିବେ । ଏଇଟା ମୁଁ ଲେଖୁଥିବା ପ୍ରଥମ ଲେଖା- ଗପ, ସତ ନା ଗପ ହେଲେ ବି ସତ, ସେଇଟା ପଢ଼ୁଥିବା ଲୋକ ଉପରେ ଛାଡ଼ିଲି, ମାନେ ତୁମ ଉପରେ । ଏତେ ବ୍ୟସ୍ତ ହୁଅନି, ମୁଁ ବ୍ୟୋମକେଶ ରଥ, ବକ୍ସି ନୁହେଁ ଯେ ପଢ଼ିସାରି ତୁମକୁ ଅନୁମାନ ଲଗେଇବାକୁ ହେବ ଅପରାଧୀ କିଏ ବା ହତ୍ୟା କିଏ କରିଛି… ସାଧାରଣ କଥାଟିଏ, ତୁମର ମୋର ଜୀବନକୁ ନେଇ ଯଦି କେହି କାହାଣୀଟିଏ କେବେ ଲେଖେ, ବୋଧେ ଏମିତି କିଛି ଲେଖିବ ।
ବାକିମାନଙ୍କ ଭଳି ସାଧାରଣ ପରିବାର, ସାଧାରଣ ପିଲାଦିନ । ଅଷ୍ଟମ ଶ୍ରେଣୀଯାଏଁ ସବୁକିଛି ଠିକ ଥିଲା, କିନ୍ତୁ ନବମରେ ସ୍କୁଲକୁ ଆସିଲା ସିଏ ଏବଂ ମୋର ସବୁ ଅଙ୍କ ଭୁଲ ହେଇଗଲା, ବହିର ଅଙ୍କ ନୁହେଁ ଜୀବନର ଅଙ୍କ । ସିଏ ଆଉ କେହି ନୁହେଁ, ମୋର ପ୍ରଥମ ପ୍ରେମ “ମୁଗ୍ଧା” । ପୁରାନାମ କହିବିନି, ତୁମେ ସୋସିଆଲ ମିଡିଆ ଘାଣ୍ଟି ପକେଇବ, ବିଚାରି ମିଛଟାରେ ପୁଣିଥରେ ହଇରାଣ ହେବ ।
ନବମ କେବଳ ଏକ ଶ୍ରେଣୀ ନୁହେଁ, ସିଏ ଅନୁଭବ ଏବଂ ଉଦ୍ଦାମତାର ଏକ କକଟେଲ । ଏ ବୟସରେ ପ୍ରେମରେ ପଡ଼ିବା ବି ଖୁବ ସହଜ ଯେ, ବହି କି ଖାତାଟିଏ ନାଁ ଧରି ମାଗିଦେଲେ ପ୍ରେମ, ପ୍ରାର୍ଥନା ବେଳେ ଆଖିରେ ଆଖି ମିଶିଗଲେ ପ୍ରେମ, ଏମିତିକି ପାଖାପାଖି ରୋଲ ନମ୍ବର ପଡ଼ିଗଲେ ବି ପ୍ରେମ । ତଥାପି ସ୍କୁଲ ତ ସ୍କୁଲ ହିଁ ଥିଲା, ପୁଣି ଆଦ୍ୟ ଦୁଇ ହଜାର ମସିହା ସମୟ, ତେଣୁ ମର୍ଯ୍ୟାଦାର ସୀମା ଭିତରେ ରହି, ପରିବାରର ଇଜ୍ଜତକୁ ଆଖି ଆଗରେ ରଖି ଯେମିତି ପ୍ରେମ ସମ୍ଭବ, ତା’ର ଦଶ ଭାଗରୁ ଭାଗେ ମୁଁ ମୁଗ୍ଧାକୁ ଦେଖେଇ ପାରୁଥିଲି । ନବମ ସରୁସରୁ ଓ ତା’ର ମୋର ବନ୍ଧୁତା ହଉ ହଉ ଦଶମ ଆସିସାରିଥିଲା ଏବଂ ମୁଁ ଏମିତି କିଛି କରିବାକୁ ଚାହୁଁ ନଥିଲି ଯାହା ଦ୍ୱାରା ମୋର କିମ୍ବା ତା’ର ବୋର୍ଡ଼ ପରୀକ୍ଷା ଖରାପ ହେଇଥାନ୍ତା, ତେଣୁ ସବୁ ସରିବାର ପ୍ରତୀକ୍ଷା ଆରମ୍ଭ ହେଲା ।
ମୁଁ କି ଜାଣିଥିଲି ଯେ ସବୁ ସରିବା ଭିତରେ ସେ ସବୁ ବି ସରିଯିବ, ଯାହା କେବେ ଠିକରେ ଆରମ୍ଭ ବି ହେଇନଥିଲା । ପୁଅର ବାପା, ଝିଅର ଭାଇ ମାନଙ୍କ ପାଇଁ ଯେତେ ପ୍ରେମ କାହାଣୀ ଭାଙ୍ଗୁଥିବ ନା, ତା’ଠୁ କାହିଁ ଅଧିକା ସମ୍ପର୍କ ଭାଙ୍ଗୁଥିବ ଏ ଦଗାଦିଆ ସମୟ ପାଇଁ । ବୋର୍ଡ଼ ପରୀକ୍ଷା ସରୁସରୁ ମୁଗ୍ଧା ବାପାଙ୍କର ଟ୍ରାନ୍ସଫର ହେଇଗଲା ଏବଂ ସେମାନେ କେଜାଣେ କଉଠିକି ପଳେଇଲେ । ତା’ର ଗୋଟେ ସାଙ୍ଗ କହୁଛି କୋରାପୁଟ ତ ଜଣେ କହୁଛି ବାରିପଦା । ନା ସେତେବେଳେ ମୋ ପାଖେ ମୋବାଇଲ ଥିଲା, ନା ଫେସବୁକ ଆଉ ନା ଅରକୁଟ, ଖୋଜିବି ତ ଖୋଜିବି କେମିତି? ଏମିତି ସେମିତି ପ୍ରେମ ବି ତ ନୁହେଁ, ଇୟେ ମୋର ପ୍ରଥମ ପ୍ରେମ, ଭୁଲିବି ତ ଭୁଲିବି କେମିତି?
ଏଇଠି ଏ ଲେଖାର ମଧ୍ୟାନ୍ତର ବୋଲି ଭାବି ନିଅନ୍ତୁ ଏବଂ ଆଗକୁ ବଢ଼ିବା ଆଗରୁ ଗୁଲାମ ଅଲିଙ୍କର ଏଇ ଗଜଲଟି ନିଶ୍ଚୟ ଥରେ ଶୁଣିନିଅନ୍ତୁ ଯାହା ମୁଁ ସେଇଦିନ ପରଠାରୁ ପ୍ରତ୍ୟେକ ସନ୍ଧ୍ୟାରେ ଶୁଣିଛି…
ଚୁପକେ ଚୁପକେ ରାତଦିନ
ଆଁସୁ ବହାନା ୟାଦ ହୈ
ହମକୋ ଅବ୍ ତକ୍ ଆଶିକି କା
ଓ ଜମାନା ୟାଦ ହୈ…
× × ×
ଚାଲନ୍ତୁ କାହାଣୀକୁ ଆଗକୁ ନେବା, ପ୍ରକୃତରେ ଟିକେ ପଛକୁ ନେବା । ଆପଣଙ୍କ ମନରେ ଏ ପ୍ରଶ୍ନ ଆସିଥାଇପାରେ ଯଦି ମୁଗ୍ଧା ଆଉ ମୋର ଭଲ ବନ୍ଧୁତା ଥିଲା, ତେବେ ଯିବା ଆଗରୁ ମୁଗ୍ଧା ମତେ କିଛି ଜଣେଇଲାନି କାହିଁକି? କାହାଣୀର ଦ୍ଵିତୀୟ ପାରାଗ୍ରାଫର ଶେଷ ଧାଡ଼ି ଆଉ ଥରେ ପଢ଼ନ୍ତୁ ତ ।
ବିଚାରି ମିଛଟାରେ ପୁଣିଥରେ ହଇରାଣ ହେବ, ହଁ ପୁଣିଥରେ- ଯେଉଁ ସମୟରେ ପୁଅ ଝିଅ ଦୁହେଁ ଦୁହିଁଙ୍କୁ ଚାହିଁଦେଲେ ବିଦ୍ୟାଳୟ ସାରା ପିଲାଏ ଭାବୁଥିଲେ ଏମାନେ ପ୍ରେମୀଯୁଗଳ ବୋଲି, ଆମେ ତ ତଥାପି ବନ୍ଧୁ ଥିଲୁ ଏବଂ ମୁଁ ତ ପ୍ରକୃତରେ ତାକୁ ଭଲ ପାଉଥିଲି । ତେଣୁ ଆମ ନାଁରେ ଏଣୁତେଣୁ ଗପିବା, କାନ୍ଥବାଡ଼ କଳାପଟାରେ ପାନପତ୍ର ଭିତରେ ବି ପ୍ଲସ ଏମ ଲେଖିବା ଘଟଣା ବି ଘଟିଥିଲା । ଏ ସବୁ ବି ମୁଗ୍ଧାକୁ ବାଧିନଥିଲା କିନ୍ତୁ ଦିନେ ଭୂଗୋଳ ଗୁରୁମା ତାକୁ ଡାକିନେଇ ସିଧା ସିଧା ଯେବେ ମୋ ସହିତ ତା’ ସମ୍ପର୍କ କ’ଣ ବୋଲି ପଚାରିଲେ, ତା’ ଧୈର୍ଯ୍ୟ ବି ସୀମା ଲଙ୍ଘି ଯାଇଥିଲା ।
ସେହିଦିନ ସ୍କୁଲ ଛୁଟି ପରେ ସମସ୍ତେ ଗଲାପରେ ସେ ମୋ ପାଖକୁ ଆସିଥିଲା, ପ୍ରଥମଥର ମୋ ହାତକୁ ଜାବୁଡ଼ି ଧରିଥିଲା ଏବଂ ସିଧା ସିଧା ପଚାରିଥିଲା, “ବ୍ୟୋମ୍, ତୁ ମତେ ଭଲ ପାଉ?”
ସେତେବେଳେ ମୁଁ ତା’ ଆଖିରେ ଆଖି ମିଶେଇ ପାରି ନ ଥିଲି, ନୀରବ ରହିଥିଲି, ମତେ ଲାଗିଲା ଯେମିତି ତାକୁ ଭଲ ପାଇ ମୁଁ କିଛି ଗୋଟେ ବଡ଼ ଭୁଲ କରିଦେଇଛି, ଆଖିରୁ ମୋ ଗୋଟେ ଟୋପା ଲୁହ ଖସି ଆସିଲା । ମୁଗ୍ଧା ମୋ ଲୁହ ଏବଂ ମୋ ନୀରବତାର ମାନେ କ’ଣ ବୁଝିଲା କିଏ ଜାଣେ ସେଇଠୁ ଦୌଡ଼ି ପଳେଇଲା ଏବଂ ତା’ ପରଠୁ ହିଁ ତା’ ସହିତ କଥାବାର୍ତ୍ତା ପ୍ରାୟ ବନ୍ଦ କହିଲେ ଚଳେ ।
ବୟସ ଏ ଭିତରେ ଆଉ କିଛି ବର୍ଷ ବଢ଼ି ସାରିଥିଲା, ତା ସହିତ ମୁଗ୍ଧା ପାଇଁ ମୋ ପ୍ରେମ ବି । ଅବଶ୍ୟ ଏବେ ମୁଁ ତାକୁ ପାଇବି କି ପାଇବିନି ଏ ସବୁର ଚିନ୍ତା ନଥିଲା ମତେ, ମୁଁ କେବଳ ତାକୁ ତା’ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁଥିଲି, ମୁଁ ତାକୁ କହିବାକୁ ଚାହୁଁଥିଲି, “ହଁ, ମୁଁ ତତେ ଭଲପାଏ ।”
ମୁଁ ଜାଣେନାହିଁ ଅନ୍ୟମାନେ କାହିଁକି ଫେସବୁକ ବ୍ୟବହାର କରନ୍ତି, କିନ୍ତୁ ମୋ ପାଇଁ ସେ ଥିଲା ମୁଗ୍ଧାକୁ ଖୋଜି ବାହାର କରିବାର ସେଇ ଗୋଟିଏ ବାଟ । ଏକାଉଣ୍ଟ ତିଆରି କରିବା ଦିନଠୁ ମୁଗ୍ଧା ନାଁକୁ କେତେ ଥର ଯେ ଖୋଜିଥିବି, ତା’ର ହିସାବ ନାହିଁ- ମୁଁ ବି ଆଶ୍ଚର୍ଯ୍ୟ ଦୁନିଆରେ କେତେ ଝିଅଙ୍କର ନାଁ ମୁଗ୍ଧା, ପୁଣି ଅଧାରୁ ଅଧିକଙ୍କ ଡିପି କେଉଁ ସିନେମା ହିରୋଇନର ଫଟୋ । ମୋ ମୁଗ୍ଧା କିନ୍ତୁ ମିଳିଗଲା, ନିଜ ବିଷୟରେ ବେଶୀ ତଥ୍ୟ ପବ୍ଲିକ କରିନାହିଁ, ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠେଇବାକୁ ହିଁ ପଡ଼ିଲା । ଅବଶ୍ୟ ସେଣ୍ଡ ବଟନରେ କ୍ଲିକ କଲା ବେଳକୁ ମିଛ କହିବି ନାହିଁ କେବଳ ହାତ ନୁହେଁ, ହୃଦୟ ବି ଥରିଥିଲା । ଶୁକ୍ରବାର ରାତି ସାଢ଼େ ଏଗାରର ଘଟଣା ଇୟେ, ତା’ପରେ ଲମ୍ବା ଅପେକ୍ଷା ।
ଦୁଇ ଦିନ ପରେ ମାନେ ସୋମବାର ରାତି ଆଠଟାରେ ମୋ ଫୋନରେ ନୋଟିଫିକେସନ ଆସିଲା, ମୁଁ ଯାହା ଭାବୁଥିଲି ଠିକ ସେଇୟା, ମୁଗ୍ଧା ରିକ୍ୟୁଏଷ୍ଟ ଗ୍ରହଣ କରିଥିଲା । ପ୍ରଥମେ ତ ତା’ ପ୍ରୋଫାଇଲପଟୁ ଘେରାଏ ବୁଲି ଆସିଲି, ଡେରାଡୁନର କେଉଁ ଏକ ଘରୋଇ କଲେଜରେ ପଢ଼ୁଛି ସିଏ, ବହୁତ ଅଳ୍ପ ଫଟୋ ଶେୟାର କରିଛି, କିନ୍ତୁ କିଛି ଗ୍ରୁପ ଫୋଟୋରେ ଟ୍ୟାଗ ହେଇଛି- ସ୍କୁଲ୍ରେ ଯେମିତି ଦେଖିଥିଲି ଠିକ ସେମିତି ହିଁ ଦିଶୁଛି, ଅବଶ୍ୟ ଅଳ୍ପ ଟିକେ ମୋଟି ହେଇଯାଇଛି । ଏ ସବୁ ଭିତରେ ମୁଁ ଯେଉଁ ଜିନିଷଟା ଦେଖି ବି ଅଣଦେଖା କରିଦେଇଥିଲି ତାହା ଥିଲା ତା’ର ରିଲେସନଶିପ ଷ୍ଟେଟସ – “ଇନ ଏ ରିଲେସନଶିପ”, ସତ କହୁଛି ହୃଦୟ ଭାଙ୍ଗିଗଲା, ଏତେ ଦିନର ଅପେକ୍ଷା ପରେ ଏଇ ପରିଣାମ ମତେ ସେ ରାତିସାରା କନ୍ଦେଇବାପାଇଁ ଯଥେଷ୍ଟ ଥିଲା । ବହୁତ କାନ୍ଦିଥିଲି, ଆଖିରୁ ଲୁହ ଶୁଖିଲା ଯାଏ କାନ୍ଦିଥିଲି । ପ୍ରଥମ ପ୍ରେମ ନା, ଯେତିକି ଖୁସି ଦିଏ, ତା’ ଠୁ ଅଧିକା ଲୁହ ଦିଏ ।
ମାନୁଛି ସିଏ କେବେ କହି ନଥିଲା ମତେ ଭଲପାଏ ବୋଲି । ମାନୁଛି ମୁଁ ବି ତା’ ପ୍ରଶ୍ନର କିଛି ଉତ୍ତର ଦେଇ ନଥିଲି । ମାନୁଛି ମୁଁ ତାକୁ ନ ପଚାରି ତାକୁ ଭଲ ପାଇଛି । ମାନୁଛି ତା’ ଇଚ୍ଛା ବିରୁଦ୍ଧରେ ମୁଁ ତା’ ଫେରିବାର ଅପେକ୍ଷା କରିଛି । ତଥାପି ବି ଆଜି ତା’କୁ ଆଉ କାହା ସହିତ ସମ୍ପର୍କରେ ଦେଖି ମତେ କାହିଁକି ଲାଗୁଛି ଯେମିତି ସିଏ ମୋ ସହିତ ପ୍ରତାରଣା କରିଛି । ଯେମିତି ମୋ ହୃଦୟରେ ଥିବା ସମସ୍ତ ଶୂନ୍ୟତା ପାଇଁ ଆଜି ସେ ହିଁ ଦାୟୀ । ଅବଶ୍ୟ ମୁଁ ଜାଣେ ସେ ଦାୟୀ ନୁହେଁ ବୋଲି, କିନ୍ତୁ ମୋ ନିଜ ହୃଦୟକୁ ବୁଝେଇବାକୁ ଏବଂ କେବଳ ମୋ ହୃଦୟକୁ ବୁଝେଇବାକୁ ଏବେ ବି ବେଳେବେଳେ ଗୁଣୁଗୁଣେଇ ଦିଏ…
ହୃଦୟର ଏଇ ଶୂନ୍ୟତାକୁ
ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି
ପ୍ରତଧ୍ୱନି କହେ ତୁମେ… ତୁମେ… ତୁମେ!!!
– ମାନସ ରଞ୍ଜନ ଦାଶ
Comments
ମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ ନିଶା ତାଙ୍କର ସଙ୍ଗୀତରେ । ସେ ଏକାଧାରରେ ଜଣେ ଗୀତିକାର, ସଙ୍ଗୀତକାର ଏବଂ ଗାୟକ । ନବପଲ୍ଲବ ତଥା ଶୁଭପଲ୍ଲବର ଥିମ୍ ଗୀତ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି ।