ଗଗନର ଗର୍ଭଚିରି ପ୍ରବେଶିଲା ଶକ୍ତି,
ଚତୁଃପାର୍ଶ୍ଵେ ଗୁରୁଣ୍ଡିଲା ନପାଇଲା ମତି ।
ନିଶାରେ ଅନ୍ଧକାର ମତୁଆଲା ହୋଇ,
ବିକଟାଳ ରୂପ ତା’ର ଘାରିଥିଲା ଭୂଇଁ ।
ନିଃସଙ୍ଗ, ଭୟଭୀତ ହେଲା ଯେ ଶକ୍ତି,
ନପାଇ ସଖୀ ତା’ର ଥରିଥିଲା ଛାତି ।
ଭାବିଥିଲା ନେବ ସେ ସତ୍ୟର ଦୀକ୍ଷା,
ବହୁ ଉଦ୍ଦୀପନା ଥିଲା ମନରେ ଆକାଂକ୍ଷା ।
ପରୀ ସ୍ୱପ୍ନ ରାଇଜ କଳ୍ପିତ ଦୁନିଆ,
କିନ୍ତୁ ଦୃଶ୍ୟତେ ଅନ୍ଧକାର ନିଆଁ ।
କେମନ୍ତେ ତୋଳିବ ଅହିଂସାର ଘର,
ଏଠାରେ ତ ଦୁନିଆ ଗୋଲାମି ଅନ୍ଧକାରର ।
ହୃଦୟ ତ ପୂର୍ଣ୍ଣ ହିଂସାରେ ଲାଳିତ,
ଜଳିବ କି ଏଠି ଦୀପିକା ସତେ ତ???
ଖୋଜେ ତ ନମିଳଇ କ୍ଷଣିଏ ଶାନ୍ତି,
ସାମ୍ନେ ତା’ର ଦେଖଇ ରାତି ହିଁ ରାତି ।
ଭାବିନେଲା ଅଭିଶାପ ତା’ର ଏ ଜୀବନ,
କାହିଁ ଦେଲ ଜନମ? ହେ ! ଆଦରିବି ମରଣ ।
ନିରାସକ୍ତ ମନ ଧରି ହୃଦୟ କ୍ରନ୍ଦନ,
ନିର୍ଲିପ୍ତ, ନିଃସହାୟ ଚାଲଇ ଶମଶାନ୍ ।
ଦେଖି ମହାକାଳ ଅଶ୍ରୁପୂର୍ଣ୍ଣ ନୟନ,
କହେ କୋହେ ମୁହିଁ ଆଜି ଦେବି ପ୍ରାଣଦାନ ।
ଏହାଶୁଣି ଚମକିଲେ ଦେବର ଦେବ,
କହିଲେ ତୁ ନୁହେଁ କ୍ଷୁଦ୍ରର ପାର୍ଥିବ ।
ସୃଷ୍ଟି ତୋ’ର ସୃଷ୍ଟିକର୍ତ୍ତା କରି ପୂର୍ଣ୍ଣ ଚିନ୍ତନ,
ଜନ୍ମଦେଇ ଭାବିଥିଲା ହେବ ଦୁଃଖ ଦମନ ।
ତୋ’ ପାଖେ ଏ ନୁହେଁ ବିଶ୍ୱାସର ଆଶା,
ହେଲେ ତୁ ଏମନ୍ତ ସବୁ ହେବ ପଶା ।
ମହାକାଳ ବାଣୀ ଶୁଣି ହେଲା ସେ ଜାଗ୍ରତ,
ବୁଝଇ ଯାତ୍ରା ପୁଣି କରିବ କେମନ୍ତ?
କହଇ ମହେଶ୍ୱର ବାସୁଦେବ ଦର୍ଶନ,
ଦେବ ତୋତେ ପୁଣି ପୂର୍ଣ୍ଣର ଜୀବନ ।
ଆନନ୍ଦେ ଫେରଇ ଧରି ଏହି ବଚନ,
ବାସୁଦେବ ବାସୁଦେବ କରଇ ସେ ମନନ ।
ଅଜ୍ଞାତରେ ପହଞ୍ଚିଲା ପଦ୍ମନାଭ ପାଶ,
ପ୍ରଥମ ଦର୍ଶନେ ଚହଟିଲା ଦିଗ ଦଶ ଦଶ ।
ଆତ୍ମା ତା’ର ପୂର୍ଣ୍ଣେ ଆନନ୍ଦେ ବିଭୋର,
ବୁଝଇ ନିର୍ଲିପ୍ତେ ସେ ଲକ୍ଷ ଜୀବନର ।
ହସି ଜନାର୍ଦ୍ଦନ ଦେଇ ଖଣ୍ଡି କାଶ,
କହଇ ତୁ ପରା ଆଲୋକେ ପ୍ରକାଶ ।
କର୍ଣ୍ଣମୂଳେ ବିପ୍ଳବ ରଚଇ ଏହି ବାଣୀ,
ପୂର୍ଣ୍ଣରୂପେ ପ୍ରକାଶିଲା କେଶବଠୁ ଶୁଣୀ ।
ଅନ୍ଧକାର ଦୂରେ ଗଲା ଦେଖି ଏହି ଶକ୍ତି,
ଆଲୋକ ପ୍ରବେଶିଲା ଦେଖାଇ ତା’ ଗତି ।
ସୁନ୍ଦର ସୃଷ୍ଟି ପୁଣି ହସଇ ମୁରୁକି,
ଦେଖି ଆଲୋକେ ସତ୍ୟର ଚୁମୁକି ।
ସୁନ୍ଦର ଜଗତ ଯାହା ବୃଦ୍ଧ ବ୍ରହ୍ମା ସୃଷ୍ଟି,
କିନ୍ତୁ ଆଲୋକେ ନାଚଇ ଜୀବନର ଦୃଷ୍ଟି ।
– ସ୍ମୃତିରଂଜନ ବାରିକ
Comments
ସ୍ମୃତିରଞ୍ଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।