ଜୀବନ ଜଞ୍ଜାଳରୁ ମୁଠା ମୁଠା ହସ ଆଉ ମେଞ୍ଚା ମେଞ୍ଚା ଖୁସିର ଉପହାର ଭିତରେ ଆମେ ଅନ୍ଧପାଲଟି ଯାଇଛୁ । ହୃଦୟର କଥା ଶୁଣିବାକୁ ଆମପାଖରେ ସମୟ ନାହିଁ । ପ୍ରତିଦିନ ବ୍ୟସ୍ତ ବିବ୍ରତ ହୋଇ ସଫଳତା ଓ ବିଫଳତାର ଘମାଘୋଟ ଲଢ଼େଇ ସହ କର୍ମପଥରେ କେହି ଆଗେଇ ଯାଉଛି ତ କେହି ପଛେଇ ଯାଉଛି । ସାରୁ ପତରରେ ଟଳଟଳ ଓ ଢଳଢ଼ଳ ହେଉଥିବା ସେ ବର୍ଷା ବିନ୍ଦୁଟି ଭାରି ଚଗଲି । ପତର ଉପରେ ଖେଳିବ, ଝୁଲିବ ପୁଣି ଢଳିପଡ଼ିବ ଠିକ ଆମ ପିଲାଦିନ ଭଳି ! ଆସିବ । ପାଖରେ ବସିବ । ହସେଇବ । କନ୍ଦେଇବ ପରେ ଅଭିଯୋଗ ଆଉ ଅଭିମାନ ଭିତରେ ଢାଙ୍କିଦେବ । ଆମେ ସମାଧାନର ବାଟ ଖୋଜୁ ଖୋଜୁ ସେ ଚାଲିଯିବ । ଛାଡ଼ି ଦେଇଯିବ ଖଟା ମିଠା ସ୍ମୃତି, ଦିନେ ମନେପକାଇ ଆଖିରୁ ଲୁହ ଢାଳିବାପାଇଁ ।
ସେଦିନ ରାତିରେ ଜହ୍ନ ସହ ମୋର ବିତର୍କ ଚାଲିଥାଏ ।
-“ଗୋଟେ ଉପଗ୍ରହ ସହ କ’ଣ କଥାବାର୍ତ୍ତା ହେଉଥିବି ଏଇ କଥା ଭାବୁଛନ୍ତି ତ?? ତା’ ସହ ମୁଁ ସବୁଦିନ କଥା ହୁଏ । ତା’ର ନିଜର ଆଲୋକ ନାହିଁ ତଥାପି ମାଗିଯାଚି ଆଣିଥିବା ଆଲୋକରେ ସେ ସ୍ୱଚ୍ଛ, ନିର୍ମଳ, ଶୀତଳ, ପବିତ୍ର, ନିସ୍କପଟ କରୁଣ ଚାହାଣୀରେ ସୁଦୂର ଆକାଶରୁ ଚାହିଁରହିଥାଏ ମୋ କଥା ଶୁଣିବା ପାଇଁ ।
ଦିନେ ପଚାରିଲି, “ସବୁଦିନେ ମାମୁଁ ହୋଇ ରହିଲୁନି କାହିଁକି??”
ସେ କଳାବାଦଲ ଭିତରେ ଲୁଚିଯାଇ କହିଲା, “ସମୟ ଅଟକିଲାନି ! ତୋ ମାମୁଁରୁ ମତେ ତୋ ବନ୍ଧୁ ସାଜିବାକୁ ହେଲା । ଆଛା ! କହ ତ, ସବୁଦିନେ ମାମୁଁ ହୋଇ ରହିଥିଲେ ତୋ ବିରହ କାହାଣୀ ସବୁ କେମିତି ଶୁଣିଥାନ୍ତି??”
– “ଇସ୍ କି ବନ୍ଧୁ ମୋର । ଚାଲ୍ ତ ଘଣ୍ଟାକଣ୍ଟାକୁ ହାତରେ ଟାଣି ଘୋସାରି ସମୟକୁ କିଛି ବର୍ଷ ପଛକୁ ଫେରାଇ ନବା । ମୋ ସହ ହାତ ମିଳେଇ ପାରିବୁ??? ମିଛୁଆ ବନ୍ଧୁ ମୋର । ମତେ ଦେଖି ପାରିବୁ, ବୁଝିପାରିବୁ ଆଉ ହଁ କଥା ମଧ୍ୟ ହେଇପାରିବୁ କିନ୍ତୁ ମତେ ଛୁଇଁ ପାରିବୁନି । ସେଥିପାଇଁ ତ ମୁଁ କଇଁ ହେବାକୁ ଚାହିଁନି । ଏତେ ପ୍ରେମ କିଏ କରିବ?? ତୁ ଆସିଲେ ଯାଇ ତା’ର ପାଖୁଡ଼ା ଖୋଲିବ ।
– ମୋ କଥା ଶୁଣି ଜହ୍ନ ହସିଲା କହିଲା, “ତୁ ବି ତ ବଦଳି ଗଲୁ, ଫ୍ରକରୁ ଏବେ ଚୁଡ଼ିଦାର ପିନ୍ଧିଲୁ । ମତେ ମାମୁଁ ବୋଲି ହାତବଢ଼େଇ ଡାକିବାକୁ ତତେ ଲାଜଲାଗିଲା, ହସମାଡ଼ିଲା । ପିଲାଦିନେ ଘରର ମାଟିପିଣ୍ଡା ଉପରେ ବସି ସାଙ୍ଗମାନଙ୍କ କାନ୍ଧରେ ହାତପକାଇ ମତେ ଦେଖୁଥିଲୁ ଆଜି ବଡ଼ ବଡ଼ କୋଠାର ଛାତ ଉପରେ ବସି ମତେ ତୋ ନିଃସଙ୍ଗତାର କାରଣ ପଚାରୁଛୁ । ହେଲେ ମୁଁ ତୋ ସାଙ୍ଗରେ ଅଛି ବୋଲି ପାଗେଳୀଟା ବୁଝିପାରୁନୁ ।”
– “ସବୁ ବୁଝି କିଛି ନବୁଝିଲା ପରି ପ୍ରଶ୍ନ କରିବା ଝିଅମାନଙ୍କର ଗୋଟିଏ ପ୍ରକୃତି । ଏତିକି ଜାଣିନୁ??? ଆଉ କେତେବର୍ଷ ବନ୍ଧୁହେବା ପରେ ଜାଣିବୁ??
– “ଜାଣେ, ସବୁକିଛି ଜାଣେ, ତମେ ଝିଅମାନେ ଭାରି ଫୁଲେଇ, କଥା କଥାକେ ମନେଇ ଆଉ ଲାଜୁକୁଳି ଲାତାପରି ଯାଆନ୍ତି ଲାଜେଇ ।”
– “ହେହେ ଏବେ ଲାଜ କରିବାର ବୟସ ଯେ । ପିଲାଦିନର ସେ ଉଦ୍ଧତପଣ ଆଉ ଚଳିବନି । ଆଜି ବି ମନେ ପଡ଼େ ସେ ମୂଲ୍ୟବାନ ଦିନଗୁଡ଼ାକ ।
– “ଝୁଲରେ ହାତି ଝୁଲ… ବାଆପାଣି ଖାଇ ଫୁଲ…” ଗୀତ ଆଉ ଜେଜେମାଆର ସ୍ନେହାଳୁ ହାତର ପିଠି ଥାପୁଡ଼ାରେ ଏକାଥରକେ ନିଦ ହୋଇଯାଉଥିଲା । କେହି ଇଛା କଲେ ମଧ୍ୟ ସେ ଦିନ ସବୁକୁ ଭୁଲେଇ ପାରିବନି । କାରଣ ସେ ଦିନ ସବୁଥିଲା ସେମିତି, ଆକାଶର ଝିଲିମିଲି ତାରା ଯେମିତି । ସେହି କୁନି ଫ୍ରକ୍ ପିନ୍ଧା ବୟସର ଦିନ । ଯେତେବେଳେ ଫ୍ରକ୍ ପିନ୍ଧିଦେଇ, ଫ୍ରକର ଚେନ୍ ଦବାକୁ ପିଠିକୁ ହାତ ପାଉନଥିଲା ଯେ ଧାଇଁ ଯାଉଥିଲି ମାଆ ପାଖକୁ । ମାଆ ଅତି ଆଦରରେ ଚେନ୍ ଦେଇସାରି ମୋ ମୁହଁକୁ ତୋଳିଧରି ଗାଲରେ ଚୁମାଟିଏ ଆଙ୍କି ଦଉଥିଲା । ମୁଁ କୁନି ହାତ ଦି’ଟାରେ ତାକୁ ଜାବୁଡ଼ି ଧରୁଥିଲି । ସେ ଗେଲ କରୁଥିଲା, ମୁଁ ଗେହ୍ଲା ହଉଥିଲି । କେବେ ମାଆର ବଳକା ଚୁଡ଼ିକୁ ଗୋଟିଏ ହାତର କହୁଣି ପର୍ଯ୍ୟନ୍ତ ପିନ୍ଧି ଝୁଣୁଝୁଣୁ କରେ ତ କେବେ ଜେଜେମାଆର ଲୁଗାପିନ୍ଧି ବୋହୂବେଶ ହୁଏ । ହାତେ ଲମ୍ବର ଓଢ଼ଣୀ ଟାଣି ପାଦ ଥାପି ଥାପି ଚାଲେ ପୁଣି ପିନ୍ଧିଥିବା ଲୁଗାର କୁଞ୍ଚରେ ଛନ୍ଦି ହୋଇ ନିର୍ଘାତ କଚଡ଼ା ଖାଉଥିଲି । ତଥାପି ଉଠି କୁଞ୍ଚସଜାଡ଼ି ଚାଲୁଥିଲି । ପୁଣି ଆମ ବାଡ଼ିପଟ ଚୂଲିରୁ ସାଙ୍ଗମାନେ ମିଶି ପାଉଁଶ କାଢ଼ି ଆକାଶରେ ଉଡ଼େଇ, କହୁଥିଲୁ କ’ଣ ନା ଖଣ୍ଡିଆଭୁତ । ଖଳାରେ କାଠିପୋତି ଛୋଟ ଛୋଟ ଘର କରିବା ଆଉ ବର୍ଷାହେଲେ ସେଥିରେ ପଲିଥିନ୍ ଜରି ଘୋଡ଼େଇବା । ପର୍ବପର୍ବାଣୀରେ ମାଆ ସଜବାଜ କରିଦେବା ପୂର୍ବରୁ ମୁଁ ଯାଇ ଆଇନା ଆଗରେ ଛିଡ଼ା ହୋଇଯାଏ । ଓଲଟା ଶୁନ୍ତାଣ କରି ମୁଣ୍ଡ କୁଣ୍ଡାଏ, କ୍ରିମ ଆଉ ପାଉଡ଼ର ବି ଲଗାଏ । ଥରେ ମାଆ ଲଗୋଉଥିବା ବଡ଼ ନାଲି ଚିକିଲିରୁ ଗୋଟେ କାଢ଼ି ଆଣି ଲଗାଇଦେଲି । ମାଆ ଆସି ସେ ଟିକିଲ୍ କାଢ଼ି କଳା ଚିକିଲି ଲଗେଇ ଦେଲା । ଗୋଡ଼ କଚାଡ଼ି କାନ୍ଦିଲି, ରୁଷିଲି ଯେ ମାଆ ବୁଝେଇଦେଲା, “ବଡ଼ମାନେ ଏ ଟିକିଲି ଲଗାନ୍ତି ।”
ମୁଁ ଭାବୁଥିଲି ମନେ ମନେ ତେବେ ବଡ଼ହେଲେ ଏ ଟିକିଲି ଲଗେଇପାରିବି । ଫିକ୍ କିନା ହସିଦଉଥିଲି । ସ୍କୁଲ ଗଲାବେଳେ ମୁଁ ଆଉ ମୋ ସାଙ୍ଗମାନେ କଲେଜ ପଢ଼ୁଆ ପିଲାଙ୍କୁ ଦେଖି ଇର୍ଷାରେ ଜଳିଯାଉଥିଲୁ ।
– “ଆମେ କେବେ ବଡ଼ ହବା? ଆଉ ଏମାନଙ୍କ ପରି କଲେଜ ଯିବା । ଖୁସିରେ କଟିଯାଉଥିଲା ମୋ ଦିନ ସବୁ । ସେଦିନ କିନ୍ତୁ ଗୋଟିଏ ନୂଆ କାହାଣୀ ଆରମ୍ଭ ହୋଇଥିଲା । ଜୀବନରେ ଗୋଟିଏ କଳା ଜୀବନ୍ୟାସ ପାଇଥିଲା । ସବୁଦିନ ସକାଳୁ ଟିଉସନରୁ ଆସି ଖାଇସାରି, ନଅଟା ବାଜି ତିରିଶ ମିନିଟ୍ରେ ସ୍କୁଲ ଯାଏ । ସେତେବେଳକୁ ବିଦ୍ୟାଳୟରେ ନା ଶିକ୍ଷକ ଆସିଥିବେ ନା କେହି ପିଲା ଆସିଥିବେ । ବିଦ୍ୟାଳୟ ଛୁଟି ହେବ ଅପରାହ୍ନ ୪ ଟାରେ ମୁଁ ଘରକୁ ଆସେ ୪.୩୦ରେ । ପଞ୍ଚମରେ ପଢ଼ୁଥାଏ ମୁଁ । ୩.୩୦ରେ ଖେଳଛୁଟି ହୁଏ । ଆମର ଖେଳ ଆରମ୍ଭ ହେବ ବୋହୁଚୋରିରୁ ଆଉ ସରିବ କବାଡ଼ିରେ । ଖେଳ ସମୟରେ ବହୁତ ଝଗଡ଼ା ଆଉ ବେଶି ମାଡ଼ପିଟ୍ ହୁଏ । ସେଦିନ କିନ୍ତୁ ଖେଳିବାକୁ ମୋର ଇଛା ହେଲାନି । ନଳକୂଅରୁ ପାଣି ଆଣି ବିଦ୍ୟାଳୟ ପରିସରରେ ଲାଗିଥିବା ଫୁଲଗଛରେ ମୁଁ ପାଣି ଦେଇସାରି ଅଫିସ୍ ଘରେ ବାଲତି ନେଇ ରଖିଲି । ହାତ ଗୋଡ଼ ଧୋଇବା ପାଇଁ ପୁଣି ଗଲି ନଳକୂଅ ପାଖକୁ ହେଲେ ସେଠାରେ ଯାଇ ହାତ କିଏ ଧୋଉଛି ଯେ?? ନଳକୂଅ ସାଥିରେ ଖେଳ ଆରମ୍ଭ ହେଲା । ମୋ ସାଙ୍ଗ ନଳକୂଅ ନଳାକୁ ଦୁଇ ହାତ ପାପୁଲିରେ ଚାପିଧରିଲା ଯେମିତି ଗୋଟେ ଠୋପା ପାଣି ବାହାରକୁ ଆସିବନି । ଆଉ ମୁଁ ନଳକୂଅ ମାରିଲି । ସେ ପାଣିର ଚାପ ସମ୍ଭାଳି ପାରେନି ତା’ ହାତ ଖସିଯାଏ ଓ ପାଣିସବୁ ବାହାରି ଆସେ ବହୁତ ମଜାଲାଗେ ଏପରି କରିବାକୁ । ତା’ ପରେ ମୋ ପାଳି ପଡ଼େ ମୁଁ ନଳାକୁ ଚାପିଧରେ ସେ ନଳକୂଅ ମାରେ । ଏମିତି ଖେଳ ସରିଲା । ବିଦ୍ୟାଳୟ ଛୁଟି ହେଲା ମୋର ଯାଏ କେତେ ଆସେ କେତେ?? ମୁଁ ସେ ନଳକୂଅ ଚାରିପାଖରେ ବଢ଼ିଥିବା ଅନାବନା ଗଛ ସବୁକୁ ଉପାଡ଼ି ସଫାକରୁଥାଏ । ହଠାତ୍ ଫସ୍ କିନା ଗୋଡ଼ଟା ପଙ୍କରେ ପଶିଗଲା । ଏମିତିରେ ନଳକୂଅ ଚାରିପାଖ ସନ୍ତସନ୍ତିଆ ଥାଏ । ଗୋଡ଼ ତ କାଢ଼ି ଆଣିଲି କିନ୍ତୁ ଚପଲ ପଙ୍କରେ ପୋତି ହୋଇ ରହିଗଲା । ବହୁତ ଚେଷ୍ଟା କରି ଗୋଟିଏ ତପଲ ପଙ୍କରୁ କାଢ଼ୁ କାଢ଼ୁ ଆଉ ଗୋଟେ ଗୋଡ଼ ପଙ୍କରେ ପଶିଗଲା । ଯାହା କଷ୍ଟରେ ମଣିଷ ସେଦିନ ଚପଲମାନଙ୍କୁ ପଙ୍କରୁ ଉଧାର କରିଥିଲା ତାହା ନକହିବା ଭଲ । ଚପଲମାନଙ୍କୁ ସିନା ପଙ୍କରୁ ଉଧାର କରିଲି କିନ୍ତୁ ମାଆ ରଜରେ ପିନ୍ଧେଇ ଦେଇଥିବା ପାଉଁଜିକୁ ବଞ୍ଚେଇ ପାରିଲିନି । ଅଜାଣତରେ ପଙ୍କରେ ଗୋଟିଏ ପାଉଁଜି ପୋତି ହୋଇ ରହିଯାଇଥିଲା ଆଉ ମୁଁ ଜାଣିନଥିଲି । ଶେଷରେ ଘରକୁ ଫେରୁଥାଏ ଅଧାବାଟରେ ମାଆ ସହ ଭେଟ ପଡ଼ିଗଲା । ମାଆ କହିଲା, “ସବୁପିଲା କେତେବେଳୁ ଘରକୁ ଆସିଲେଣି ଆଉ ତୋ’ର ଘରକୁ ଆସିବାକୁ ଇଛା ହଉନି???”
– “ମୁଁ ଖେଳୁଥିଲି ଯେ… ଯେ…ଯେ… ମୋ ଚପଲ ପଙ୍କରେ ପୋତି ହୋଇଗଲା ଛେପଢୋକି ଢୋକି କହିଲି ।”
– “ଚପଲ ପୋତିହେଲା କେମିତି?? ଆଉ ପାଉଁଜି ଗୋଟେ ଗୋଡ଼ରୁ କାହିଁ???”
– “ମୁଣ୍ଡ ଝାଇଁ ଝାଇଁ ହୋଇଗଲା । କେଉଁଠି ହଜେଇ ଦେଲିକି ଆଉ ?? ପାଦରୁ ତ କାଢ଼ିନି ପାଉଁଜିଟା ଗଲା କୁଆଡ଼େ?? ଏତିକି ଭାବିଛି । ମାଆର ଗୋଟିଏ ଶକ୍ତ ଚାପୁଡ଼ାରେ ଗାଲ ତାତିଗଲା । କଇଁ କଇଁ ହୋଇ କାନ୍ଦିଲି ।
– “ପଙ୍କରେ ଲଟରପଟର ହବାକୁ କିଏ କହିଥିଲା?? କାଚ କି କଣ୍ଟା ଯଦି ଗୋଡ଼ରେ ପଶିଥାନ୍ତା?? କହି ମାଆ କାନ ମୋଡ଼ି ଶାସନ କଲା । ତା’ ପରଦିନ ମୁଁ ନଳକୂଅ ପାଖରେ ଯାଇ ବହୁତ ଖୋଜା ଖୋଜି କଲି କିନ୍ତୁ ପାଇଲିନି । ଆଉ ପାଦ ଖାଲି ହୋଇଗଲା କିଛିଦିନ ପାଇଁ । ମାଆ ଆଉ ରାଗରେ ପାଉଁଜି କିଣିଦେଲାନି । ମୁଁ କିନ୍ତୁ ବହୁତ ଖୁସିଥିଲି କାରଣ ରାତିରେ ଲୁଚକାଳି ଖେଳରେ ସେ ପାଉଁଜି ଶବ୍ଦପାଇଁ ମୁଁ ଧରାପଡ଼ି ଯାଉଥିଲି । ଏବେ ଗୋଡ଼ରେ ପାଉଁଜି ନାହିଁ ମାନେ ଏଥର ମୋର ପତା କେହି ପାଇବେନି । ପଞ୍ଚମ ଶ୍ରେଣୀ ବାର୍ଷିକ ପରୀକ୍ଷା ସରିଗଲା । ନୂଆ ନୂଆ ଷଷ୍ଠଶ୍ରେଣୀରେ ପାଦ ଦେଉ ଦେଉ ଗାଁରେ ଟିଉସନ କରିବା ମଧ୍ୟ ବନ୍ଦ ହୋଇଗଲା । ଗାଁ ପାଖରେ ଆଉ ଗୋଟିଏ ଗାଁକୁ ଟିଉସନ ଯିବାକୁ ବାପା ନିଷ୍ପତି ନେଲେ । ପ୍ରଥମେ ପ୍ରଥମେ ବାପା ଗାଡ଼ିରେ ନବା ଆଣିବା କରୁଥିଲେ । କିନ୍ତୁ ପରେ ମୋ ପାଇଁ ନୂଆ ସାଇକେଲେ କିଣିଦେଲେ । ପ୍ରତିଦିନ ସାଇକେଲ ନେଇ ମୁଁ ପଢ଼ିବାକୁ ଯାଉଥିଲି । ଷଷ୍ଠ ଶ୍ରେଣୀରେ ପ୍ରଥମ ମାସିକ ପରିକ୍ଷାରେ ମୁଁ ଗଣିତରେ ଶ୍ରେଣୀରେ ଅଧିକା ନମ୍ବର ରଖିଥିଲି । ଘରେ ସମସ୍ତେ ଖୁସି ହେଲେ । ସାର୍ ଘରକୁ ଆସି କହିଲେ, “ପିଲାଟା ଚଗଲା ହେଲେ କ’ଣ ହବ ଭଲ ପାଠ ପଢ଼ୁଛି କାକୁ ଘରେ ଟିକେ ଦେଖନ୍ତୁ ଆହୁରି ଭଲ ମାର୍କ ରଖିବ ।” ସେଦିନ ବାପା ମୋ ପାଇଁ ନୂଆ ପାଉଁଜି ଆଣିଥିଲେ । ମୁଁ ବହୁତ ଖୁସିହେଲି କାରଣ ଯାହା ହେଲେ ବି କେଉଁଠି ନା କେଉଁଠି ଟିକେ ହେଉ ପଛେ ପାଉଁଜିର ଶବ୍ଦକୁ ଝୁରୁଥିଲି । ବାପା ନିଜ ହାତରେ ପାଉଁଜି ପିନ୍ଧେଇ ଦେଲେ । କହିଲେ, “ଦେଖି ଟିକେ ଦୂରକୁ ଯାଇ ମୋ ପାଖକୁ ଚାଲି ଚାଲି ଆସ । ଦେଖିବା ଏ ପାଉଁଜି ତୋ ପାଦକୁ କେମିତି ମାନୁଛି?? ମୁଁ ଗଲି ଆଉ ଚାଲି ଚାଲି ଆସିଲି.. ଝୁଣୁ ଝୁଣୁ ଶବ୍ଦରେ ଆମ ଘର ବାରଣ୍ଡା ଫାଟି ପଡ଼ୁଥିଲା । ବାପା ମାଆକୁ କହିଲେ, “ଦେଖିଲ ଦେଖିଲ ମୋ ଝିଅ ପାଉଁଜିଟା କେମିତି ଲାଗୁଛି??” ମାଆ ହସିଲା ଆଉ କହିଲା, “ଆରେ ଆରେ ଭାରି ବଢ଼ିଆ ମାନୁଛି ତ ପାଉଁଜିଟା । ମୋ ମାଆବୁଢ଼ୀଟା ପରା (ମାଆ ମତେ ବେଳେବେଳେ ସ୍ନେହରେ “ମାଆବୁଢ଼ୀ” ଡାକେ) ଏ ପାଉଁଜିଟା ହଜେଇବୁନି ।” ମୋ ମୁଣ୍ଡରେ ହାତବୁଲେଇ ଆଣି କହିଲା । ମୁଁ ମଧ୍ୟ କହିଲି ନା ହଜେଇବିନି । ତା’ପରେ ସେ ଦିନ ସାରା ମୁଁ ସେ ପାଉଁଜି ଶବ୍ଦ ଶୁଣି ଖୁସି ହଉଥିଲି । ଖଟ ଉପରେ ବାରମ୍ବାର ଚଢ଼ୁଥିଲି ଆଉ ତଳକୁ ଡେଉଁଥିଲି । ସେଦିନ ସେ ପାଉଁଜିର ରୁଣୁଝୁଣୁ ଶବ୍ଦ ଖାଲି ଖୁସିରେ ବିଭୋର ନୁହେଁ ନାଚିବା ପାଇଁ ମଧ୍ୟ ବାଧ୍ୟ କରୁଥିଲା । ପାଉଁଜିର ଶବ୍ଦ ଯେମିତି ପାଲଟି ଯାଇଥିଲା ଗୋଟିଏ ଗୀତର ସୁର, ତାଳ, ଲୟ ସବୁକିଛି ! ଜୀବନରେ ନୃତ୍ୟର ଆରମ୍ଭ ହୋଇଥିଲା ସେହିଦିନ ! ସେହି କୁନି ଫ୍ରକପିନ୍ଧା ଦିନ ସେହି ପାଉଁଜି ପିନ୍ଧାଦିନ । ଗୋଡ଼ କଚାଡ଼ି କାନ୍ଦିବା ଦିନ ! ମୋ ପିଲାଦିନ । ମୋ ଜୀବନର ଅଭୁଲା ମୁହୂର୍ତ୍ତ ସେ ଦିନସବୁ । ରାତିରେ ରାସ୍ତା ଉପରେ କିଛିବାଟ ଚାଲିଯାଇ କହୁଥିଲି, “ହେଇ ଦେଖ, ମୁଁ ଯୁଆଡ଼େ ଯାଉଛି ଜହ୍ନମାମୁଁ ମୋ ସାଙ୍ଗରେ ଯାଉଛି !” ହଠାତ ମୋ ଫୋନ ବାଜିଉଠିଲା । ସବୁ ଭାବନା କୁଆଡ଼େ ହଜିଗଲା ।
– “ରାତି ୯ଟା ହେଲାଣି ରୁମକୁ ଆସିବାକୁ ଇଛା ହଉନି??” ବାନ୍ଧବୀଙ୍କ କଡ଼ା ନିର୍ଦେଶରେ ମୁଁ ଛାତ ଉପରୁ ରୁମକୁ ଆସିଲାବେଳେ ଆକାଶକୁ ଟିକେ ଫେରି ଚାହିଁଲି । ଆଉ ସେ ଜହ୍ନ ମତେ ଖତେଇ ହେଇ କହୁଥିଲା, “ବହୁତ ସମୟ ହେଲା ପିଲାଦିନରେ ଘିରି ଘିରି ହୋଇବୁଲୁଥିଲୁ । ଏବେ ଯାଆ ପୁଣି ବ୍ୟସ୍ତ ହୋଇଯାଆ ତୋ ବ୍ୟସ୍ତବହୁଳ ଜୀବନରେ…………”
– ଚନ୍ଦ୍ରକାନ୍ତି ପ୍ରଧାନ
Comments
ଚନ୍ଦ୍ରକାନ୍ତି ପ୍ରଧାନ ଜଣେ ନର୍ସିଂ ଛାତ୍ରୀ । ସେ ଓଡ଼ିଆରେ ପ୍ରେମ ଭିତ୍ତିକ ଗଳ୍ପ, କବିତା ଏବଂ ଛୋଟଛୋଟ ରଚନାମାନ କରିଥାନ୍ତି ।