ପଖାଳ

Odia Poem Pakhala (ପଖାଳ) by Rudra Narayan Sahoo

ପଖାଳ ଦିବସ ବିଂଶ ମାର୍ଚ୍ଚ ମାସ
ସବୁ ବର୍ଷ ନିର୍ଧାରିତ
ଓଡ଼ିଆଙ୍କ ଘରେ ସବୁଠୁ ଶୀର୍ଷରେ
ଅନ୍ୟ ପର୍ବ ପେକ୍ଷାକୃତ ॥

ପଖାଳ ଭୋଜନ ବହୁ ପୁରାତନ
ଶ୍ରୀମନ୍ଦିରୁ ଆରମ୍ଭିଲା
ବଡ଼ ଠାକୁରଙ୍କ ଭୋଗରୁ ଏକକ
ଓଡ଼ିଆଙ୍କ ପ୍ରିୟ ହେଲା ॥

ଓଡ଼ିଶାରୁ ଜାତ ମୋ ପଖାଳ ଭାତ
ଭାବ ବୁଝନ୍ତି ଓଡ଼ିଆ
ଜଣା ପଖାଳକୁ ଅଣଓଡ଼ିଆଙ୍କୁ
ଭୁଞ୍ଜିଲେ ଲାଗେ ଅଡ଼ୁଆ ॥

ରନ୍ଧା ଭାତେ ଜଳ ନାମରେ ପଖାଳ
ଘରେ ଘରେ ପରିଚିତ
ଭୁଜନ୍ତି ଖୁସିରେ ଅତି ଆଡ଼ମ୍ବରେ
ହୃଦୟେ ଭାବି ଅମୃତ ॥

ନାନାଦି ଆଚାର ଧନିଆଁ ପତର
କଞ୍ଚା ଲଙ୍କା ସାଥେ ଦହି
ଭାତ ଓ ତୋରାଣି ହେଲେ ଏକଠାଣି
ସ୍ୱାଦ ନିଏ ମନ ମହି ॥

ବଡ଼ି ଆଉ ଲୁଣ ପିଆଜ ରସୁଣ
ପରିବା ଓ ଶାଗ ଭଜା
ମାଛ ଭଜା ସହ ପଖାଳର ମହ
ସବୁଠାରୁ ଲାଗେ ମଜା ॥

ଗ୍ରୀଷ୍ମର ପ୍ରକୋପ ଝାଞ୍ଜି ଓ ଉତ୍ତାପ
ସର୍ବେ ଛାନିଆ ଭୟରେ
ସହିନେଉ କଷ୍ଟ ନହୋଇ ଅତିଷ୍ଟ
ପଖାଳର ଭରସାରେ ॥

କର୍ମେ ବିବିଧତା ଆଉ ସରଳତା
ଧର୍ମ ଏକ ଓଡ଼ିଆଙ୍କ
ଧନୀ କି ଗରିବ ନାହିଁ ଭେଦଭାବ
ପଖାଳ ପ୍ରିୟ ସଭିଙ୍କ ॥

ଅବଦାନ ଭରେ ପଖାଳ ଭାତରେ
ଆମ ଓଡ଼ିଆ କୃଷକ
ଓଡ଼ିଆ ମୋ ଜାତି ଗର୍ବରେ କହନ୍ତି
ଅନ୍ନଦାତା ମୋ କୃଷକ ॥

ରୁଦ୍ର ନାରାୟଣ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...