ପଲ୍ଲବୀ ୭ମ ଶ୍ରେଣୀରେ ପଢ଼େ । ଆଜି ତା’ ବିଦ୍ୟାଳୟରେ ଦୌଡ଼ ପ୍ରତିଯୋଗିତା ହେଉଛି । ଖେଳପଡ଼ିଆ ଚାରିପାଖେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦୌଡ଼ ପ୍ରତିଯୋଗିତା ଦେଖିବା ପାଇଁ ଭିଡ଼ାଭିଡ଼ି ହୋଇ ଛିଡ଼ା ହୋଇଥାଆନ୍ତି । ପଲ୍ଲବୀ ସେମାନଙ୍କ ମଧ୍ୟରୁ ଜଣେ । ଖେଳରେ ଅଂଶଗ୍ରହଣ କରିବା ପାଇଁ ତା’ ମନ ସବୁବେଳେ ବ୍ୟାକୁଳ ହେଉଥାଏ । ହେଲେ ତା’ ଇଚ୍ଛା ଇଚ୍ଛାରେ ରହିଯାଏ କେବେ ପୂରଣ ହୋଇପାରେନାହିଁ । କାରଣ ତା’ ଡାହାଣ ଗୋଡ଼ ପୋଲିଓ ପାଇଁ ଅକର୍ମଣ୍ୟ ହୋଇଯାଇଛି । ସାମାନ୍ୟ ପିଲାଙ୍କ ଭଳି ସେ ଠିକଭାବେ ଚାଲିପାରେ ନାହିଁ ପୁଣି ଦୌଡ଼ିବି କେମିତି? ପ୍ରତିଯୋଗିତା ଆରମ୍ଭ ହେବାକୁ ଥାଏ । ସେତିକିବେଳେ ଜଣେ ଝିଅ ପଲ୍ଲବୀକୁ ଧକ୍କାଦେଇ କହିଲା, “ପଛରେ ଠିଆ ହେବୁ ଯା… । ନିଜେ ତ ଦୌଡ଼ି ପାରୁନାହିଁ ଆଉ ଆମକୁ ବି ଦେଖିବାପାଇଁ ଦେଉନାହିଁ ।”
ଝିଅଟିର କଥା ଶୁଣି ପଲ୍ଲବୀ କିଛି କହିଲା ନାହିଁ । ହେଲେ ତା’ ଆଖିର ଲୁହ କହୁଥାଏ ଝିଅଟିର କଥା ତାକୁ ନିଶ୍ଚୟ ଖରାପ ଲାଗିଛି । କାନ୍ଦି କାନ୍ଦି ପଲ୍ଲବୀ ଘରେ ପହଞ୍ଚିଲା । ତା’ ମାଆ କାନ୍ଦିବାର କାରଣ ପଚାରିବାରୁ ସେ ସବୁକଥା ଜଣାଇଲା । ମା’ ତାକୁ ଶାନ୍ତ କରାଇ କହିଲେ, “ଦେଖ ମାଆ ଭଗବାନ ଜୀବନ ଦେଇଛନ୍ତି ତା’ ସହିତ ବଞ୍ଚିବା ପାଇଁ ଅଧିକାର ବି ଦେଇଛନ୍ତି । ତୁ ଆଜି ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିନାହୁଁ ବୋଲି ଆଦୌ ମନ ଦୁଃଖ କରନା । ଯେଉଁ ଝିଅ ତୋତେ ଠେଲିଦେଇ କଟାକ୍ଷ କଲା ତା’ର ବି ତ ଦୁଇଟି ଗୋଡ଼ ସୁସ୍ଥ ଥିବାସତ୍ୱେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇପାରିନାହିଁ । ତୋହରି ଭଳି ଦର୍ଶକଙ୍କ ଭିତରେ ରହି ପ୍ରତିଯୋଗିତା ଦେଖୁଥିଲା । ତୁ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇନପାରିଲୁ ତ କ’ଣ ହୋଇଗଲା ସେଉଠୁ? ଜୀବନ ଦୌଡ଼ରେ ଆଗକୁ ବଢ଼ି ସଭିଙ୍କୁ ଦେଖେଇ ଦେ ତୁ ବି କିଛି କମ ନୁହେଁ । ସେଇବେଳେ ଲୋକମାନେ ତୋତେ ଭଲ ଖରାପ କହିବା ବଦଳରେ ପ୍ରେରଣାର ସ୍ରୋତ ରୂପେ ଦେଖିବେ ।
ମା’ର କଥାକୁ ପଲ୍ଲବୀ ଭଲରୂପେ ବୁଝି ସେହିକ୍ଷଣରୁ ତା’ର ଇଚ୍ଛାକୁ ଉତୁଙ୍ଗ କରିବାପାଇଁ ନିଜର ପାଠପଢ଼ା ପ୍ରତି ସତର୍କ ହୋଇ ଜ୍ଞାନ ମାର୍ଗରେ ଦୌଡ଼ିବାକୁ ସାହାସ ସଞ୍ଚୟ କଲା ।
– ସୁଧାଂଶୁ ଶେଖର ଦ୍ୱିବେଦୀ
Comments
ସୁଧାଂଶୁ ଶେଖର ଦ୍ୱିବେଦୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।