ଅର୍କ କ୍ଷେତ୍ର ନାମେ ପ୍ରସିଦ୍ଧ ଅଟଇ
କୋଣାର୍କ ତାହାର ନାମ
ଓଡ଼ିଶାର ଚାରି କ୍ଷେତ୍ର ମଧ୍ୟରୁ
ଏହା ଏକ ଅନ୍ୟତମ ॥
ସୂର୍ଯ୍ୟ ମନ୍ଦିର ନାମରେ ନାମିତ
ଅପୂର୍ବ ଏହାର କୀର୍ତ୍ତି
ପ୍ରସ୍ତର, ଚୂନରେ ନିର୍ମିତ ଯେ ଏହା
କଥା କହୁଥିବା ମୂର୍ତ୍ତି ॥
ସପ୍ତାଶ୍ଚର୍ଯ୍ୟ ମଧ୍ୟେ ଅନ୍ୟତମ ଅଟେ
ସୂକ୍ଷ୍ମ ତା’ର କାରୁକାର୍ଯ୍ୟ
ଓଡ଼ିଶାର ଜାତି ଆଜିବି ଗର୍ବିତ
ଉଡ଼ାଇ ତାହାର ଧ୍ୱଜ ॥
ଉତ୍କଳର ରାଜା ନରସିଂହ ଦେବ
କରିଥିଲେ ଯେ ସ୍ଥାପିତ
ସୌନ୍ଦର୍ଯ୍ୟ ତାହାର ଅପରୂପ ଦୃଶ୍ୟ
ଯୋଡ଼ୁଛି ମୁଁ ମୋର ହାତ ॥
ସାରଥୀ ରୂପରେ ବିଶୁ ମହାରଣା
କରିଥିଲେ କାର୍ଯ୍ୟାରମ୍ଭ
ବାରଶହ ବଢ଼େଇ ବଳିଦାନ ପାଇଁ
ହୋଇଛି ଆଜି ସମ୍ଭବ ॥
ଖୋଦିତ ହୋଇଛି କେତେ ପଶୁ ପକ୍ଷୀ
ଗନ୍ଧର୍ବ, କିନ୍ନର, ତପ
କବି ମାନେ ଏଠି ଅଟକି ଯାଆନ୍ତି
ଦେଖି ଏ ଅପୂର୍ବ ରୂପ ॥
ବାରଶହ ବଢ଼େଇ ନକରି ପାରିଲେ
କରିଥିଲା ଧର୍ମପଦ
ମୁଣ୍ଡି ମାରି ସିଏ ଦେଖାଇ ଥିଲା ଯେ
ଗମ୍ଭୀର ସ୍ୱରର ନାଦ ॥
ଚନ୍ଦ୍ରଭାଗା ନଦୀ ସାଇତି ରଖିଛି
ଧର୍ମପଦର ଲୁହ
ଆଜି ମଧ୍ୟ ସେଠି କୂଳ ଲଙ୍ଘୁଥାଏ
ବିତିଲାଣି ସେ ସମୟ ॥
ନାଟ ମନ୍ଦିରର ଗର୍ଭସ୍ଥ ଗୃହରେ
ସୂର୍ଯ୍ୟଙ୍କ କିରଣ ପଡ଼େ
ମୁଖଶାଳା କିନ୍ତୁ ଭଗ୍ନ ଅବସ୍ଥାରେ
ଆଖିରୁ ତ ଲୁହ ଝରେ ॥
କଳାପାହାଡ଼ ଯେ ଧ୍ୱଂସ କରିଥିଲା
ଏହାର କେତେକ ଅଂଶ
ଆଜି ବି କାନ୍ଦୁଛି ଓଡ଼ିଶାର ଜାତି
ବିଶୁ ମହାରଣା ବଂଶ ॥
ଆଜି ମଧ୍ୟ ସେହି ଭଗ୍ନ ପ୍ରସ୍ତରରୁ
ଶୁଭୁଥାଏ କେତେ ଶବ୍ଦ
ଆଉ ନାହିଁ ସେହି ସୂକ୍ଷ୍ମ କଳାକାର
ବୀରବର ଧର୍ମପଦ ॥
କୋଣାର୍କ ସାଜିଛି ସାକ୍ଷୀ ସଦୃଶ
କେତେ ଯେ ପାପ ପୁଣ୍ୟର
ଦର୍ଶନ ନକଲେ କିଛି ଲାଭନାହିଁ
ଏ ଦୁଃର୍ଲଭ ଜୀବନର ॥
ଦେଶ ବିଦେଶରୁ ଆସନ୍ତି ଯେ ଭକ୍ତ
ହୁଅନ୍ତି ବା ସମାଗମ
ଆପଣାନ୍ତି ସେ ଆମ ସଂସ୍କୃତିକୁ
କରିକି ଏକ ପ୍ରଣାମ ॥
– ଶ୍ରୀବତ୍ସ ଦାଶ
Comments

ଶ୍ରୀବତ୍ସ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।