ନିଆରା ପ୍ରେମ

Niara Prema

୨୦୧୨ ମସିହା ଶୀତ ଦିନରେ କଲେଜରେ ପରୀକ୍ଷା ଚାଲୁଥାଏ । ଡିଷ୍ଟାନ୍ସ କୋର୍ସ ହେଇଥିବାରୁ କ୍ଲାସ ହୁଏନି, ତେଣୁ ବେଶୀ ସାଙ୍ଗସାଥି ବି ନଥାନ୍ତି । ସେଇଠି ତାଙ୍କ ସହ ପ୍ରଥମେ ଦେଖା ହେଇଥିଲା ।

ପରୀକ୍ଷା ଆଗରୁ ଦେଖା ହଉଥିଲା ଆଉ ଦିଜଣ ଦିଜଣଙ୍କୁ GOOD LUCK କହୁଥିଲୁ ଆଉ ପରୀକ୍ଷା ପରେ ଦେଖାରେ, “କେମିତି ହେଲା?” ବାସ ଏତିକି କଥାରୁ ଏତେ ଲମ୍ବା ଗପର ଆରମ୍ଭ ।

“Love at first sight” ବାକ୍ୟଟା ଯଦିଓ ସମ୍ପୂର୍ଣ ରୂପରେ ସେ ଘଟଣା ସହ ଖାପ ଖାଇବ ନାହିଁ, ତଥାପି ଘଟଣାଟା ଟିକେ ସେଇ ଭଳିଆ ଥିଲା । ପରସ୍ପର ଦୁହେଁ ଦୁହିଁଙ୍କୁ ପସନ୍ଦ କରିଥିଲୁ ।

ତାଙ୍କ ନା ଯେମିତି ଥିଲା ସେ ବି ସେମିତି ଶାନ୍ତ ଥିଲେ, ଏତେ ଅଳ୍ପ ବୟସରୁ ଏତେ ବୁଦ୍ଧି କଉଠୁ ପାଇଥିଲେ କେଜାଣି? ସେ ଭାରତୀଯ ସେନାରେ ଚାକିରୀ କରୁଥିଲେ, ସବୁବେଳେ କହନ୍ତି, “ଫାଷ୍ଟ ନେସନ ସେକେଣ୍ଡ ହୋମ ।” କ୍ୟାଣ୍ଡେଲ ଲାଇଟ ଡିନର, ଲଙ୍ଗ ଡ୍ରାଇଭ, ଭାଲେଣ୍ଟାଇନ ଡେ ଏସବୁ ତ ବହୁତ ଦୂରରେ ଛ ମାସ କି ବର୍ଷକରେ ଥରେ ଦେଖା ହବା ବି ମହାମୁସ୍କିଲ । ଅନ୍ୟ ସମସ୍ତଙ୍କ ଭଳି ମୋର ବି ଇଛା ଥିଲା ସେ ସବୁ ସମୟକୁ ଉପଭୋଗ କରିବାକୁ, ହେଲେ ସେ ସବୁକୁ ଛାତିତଳେ ଚାପି ରଖିବାକୁ ପଡ଼ିଲା, କାରଣ ସେ ଆର୍ମିରେ ଚାକିରୀ କରୁଥିଲେ । ଯେତେବେଳେ ବି ମୁଁ ମନ ଖରାପ କରେ, ବାପାଙ୍କ ଭଳିଆ ବୁଝେଇଦିଅନ୍ତି ମତେ ।

ଏମିତି ଏମିତି ପାଞ୍ଚ ବର୍ଷ ବିତିଗଲାଣି । ଏବେ ଆଉ ଲୁଚି ଲୁଚି କଥା ହବାକୁ ପଡ଼ୁନି, ଏବେ ଆମେ ସମାଜର ଆଉ ପରିବାରର ସ୍ଵୀକୃତିପ୍ରାପ୍ତ ପୁଅ-ବୋହୂ ।

ମୁଁ ମୋ ଚାକିରୀ ଛାଡ଼ିପାରିଲି ନା ସେ ପାରିଲେ, ସେଥିପାଇଁ ଆମେ ଏବେ ବି ସେତିକି ଦୂରରେ ।

ସୁଖରେ ଦୁଃଖରେ, ଭଲରେ ମନ୍ଦରେ, ପୂଜାପର୍ବରେ ସେ କେବେ ବି ମୋ ସହ ରହିପାରନ୍ତିନି । ସାବିତ୍ରୀରେ ତାଙ୍କୁ ଟିକେ ଦେଖିବା ବି ମୋ ଭାଗ୍ୟରେ ଜୁଟେନି । ଅବିରର ରଙ୍ଗ ଫିକା ଲାଗେ, କୋଇଲିର କୁହୁତାନ ବି କର୍କଶ ଶୁଭେ ମତେ । ତଥାପି ମନ ଭିତରେ ଗୋଟେ ବଡ଼ ସିନ୍ଦୁକର ଗର୍ବ, କାରଣ ସେ ଆମ ଦେଶର ସେବା କରୁଛନ୍ତି ତାଙ୍କରି ଭଳି କେତେଜଣ ନିଜ ନିଦ ହଜାନ୍ତି ବୋଲି ତ ଦେଶସାରା ଲୋକେ ଶାନ୍ତିରେ ଶୋଇପରନ୍ତି । ତାଙ୍କ ଆଦର୍ଶ ଆଉ ଆଦେଶ, ବାସ୍ ଏତିକି ହିଁ ମୋର ସମ୍ବଳ ।

ଆଜି ଗୋଟେ ଅପ୍ରକାଶ୍ୟ ମହାନ ଗୋଷ୍ଠୀ ସହ ପରିଚିତ ହେବା ତାହେଲେ । ସମସ୍ତେ କହନ୍ତି ଯବାନମାନେ ମହାନ, ହଁ ବିଲକୁଲ ଠିକ ! ହେଲେ ଗୋଟିଏ ପ୍ରଶ୍ନ… ସେଇ ମାଆ କ’ଣ ମହାନ ନୁହେଁ ଯେ ନିଜ ଜୀବନର ଶଙ୍ଖାଳିକୁ ରଣଭୂମିକୁ ଛାଡ଼ିଦେଇ ସବୁବେଳେ ତା’ର ମଙ୍ଗଳ ମନାସୁଥାଏ? ସେ ସ୍ତ୍ରୀ କ’ଣ ମହାନ ନୁହେଁ, ଯିଏ ନିଜର ଶଙ୍ଖା ସିନ୍ଦୁରକୁ ଘଣ୍ଟ ଘୋଡ଼େଇ ରଖିବା ପାଇଁ ଠାକୁରଙ୍କ ପାଖରେ ଭିକ ମଗୁଥାଏ? ସେ ଭଉଣୀ କ’ଣ ମହାନ ନୁହେଁ, ଯିଏ ନିଜର ଭାଇଟାକୁ ସବୁଦିନ ପାଇଁ ହରେଇ ରାଖିପୂର୍ଣ୍ଣମୀ ଦିନ ଲୁଚି ଲୁଚି କାନ୍ଦେ ।

ଦେଶରେ ଆକ୍ରମଣ ହୁଏ ଗୋଟିଏ ସ୍ଥାନରେ । ରାଜ୍ୟ, ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଚାଲେ ଗଣମାଧ୍ୟମରେ, ତର୍କବିତର୍କ ଜୋର ଧରେ । କିନ୍ତୁ ସେ ଆକ୍ରମଣର ପ୍ରତିଧ୍ୱନି ସେଇ ଘରେ ବେଶୀ ପ୍ରକମ୍ପିତ ହୁଏ, ଯେଉଁ ଘରର ପୁଅ, ଭାଇ, ସ୍ୱାମୀ କି ନାତି ସେନାବାହିନୀରେ ଥାଆନ୍ତି । ବୁକୁଫଟା ଚିତ୍କାରରେ ଗାଆଁ ସାହି ଫାଟିପଡ଼େ, ଆକୁଳ କ୍ରନ୍ଦନ ରୋଳରେ ଗାଆଁର ଆକାଶ ଛିଡ଼ିପଡ଼େ । ସେ ଘରର ଶିରୀ ଉଜୁଡ଼ି ଯାଏ । ତଥାପି ସେମାନେ ବଞ୍ଚିରହନ୍ତି, ତାଙ୍କ ଗର୍ବର ସ୍ମୃତିକୁ ଜାବୁଡ଼ିଧରି । ଯେଉଁମାନେ ଆମ ପାଇଁ ଏତେ ସବୁ କରନ୍ତି, ଆମେ ତାଙ୍କ ପାଇଁ କରନ୍ତି ବା କ’ଣ? ବସ ଟ୍ରେନରେ ତାଙ୍କୁ ସିଟଟେ ଛାଡ଼ିବାକୁ ବି କଷ୍ଟ ଲାଗେ ଆମକୁ ।

ଭଗବାନ କରନ୍ତୁ କାହା ଜୀବନ ନଯାଉ, କାହା ରକ୍ତର ଛିଟା ଭାରତ ମାଆର ଅଙ୍ଗ ସ୍ପର୍ଶ ନକରୁ । ଯେଉଁଦିନଠୁ ମୁଁ ତାଙ୍କ ହାତ ଧରି ଏ ଘରକୁ ଆସିଛି, ସେଇଦିନଠୁ ଠାକୁରଙ୍କ ପାଖରେ ଅଖଣ୍ଡ ଦୀପ ଜଳୁଛି କେବଳ ତାଙ୍କ ପାଇଁ ନୁହେଁ ସେ ସବୁ ସୈନିକମାନଙ୍କ ପାଇଁ ଯେଉଁମାନେ ନିଜ ଜୀବନକୁ ଦେଶସେବାରେ ଉତ୍ସର୍ଗ କରିଛନ୍ତି ଆଉ ଏ ଶିଖା ଜଳୁଥିବ ସବୁ ସମୟରେ, ସବୁଦିନ ଆଉ ସବୁ ମୁହୂର୍ତ୍ତ୍ୱରେ ।

ଜୟ ହିନ୍ଦ୍
ଜୟ ହିନ୍ଦ୍ କି ସେନା ॥॥॥

– ଭାଗ୍ୟଶ୍ରୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...