ମୁଁ ଗରିବ ବୋଲି

Odia Poem Mun Gariba Boli (ମୁଁ ଗରିବ ବୋଲି) by Md Hanif Shah

ଝାଟି ମାଟି
ଦଦରା, ଦରଲିପା ଘରେ
ଅସଂଖ୍ୟ ଟିପ ଚିହ୍ନ
ଏକାଠି ଯେଉଁଠି
ସେ ନୂଆଁଳିଆ ଘର
ମୋ ଜନ୍ମ ମାଟି,
ସେ ମୋ ରାଜମହଲ
ଭାବେ ମୁଁ ଗରିବ !

ପ୍ରଥମଥର ପାଇଁ
ବୋଉ କହୁଥିଲା
ଆମେ ଗରିବ
ଯେତେ ଅଳି ଅର୍ଦଳିର
ସଂଜ୍ଞା ଆମ ପାଇଁ ଏଠି
ଭିନ୍ନ, କିନ୍ତୁ ନିର୍ଭୁଲ୍
ଉତ୍ତର
ଯେ ମୁଁ ଗରିବ !

ନୂତନ ଉତ୍ସାହ
ଉଦ୍ଦୀପନା
ରଙ୍ଗିନ୍ ସ୍ଵପ୍ନକୁ
ଦେଖିବା ଛୁଇଁବା,
ଅଧା ଓଠରେ ଭଙ୍ଗା ହସ
ହସିବା ଆମକୁ ମନା,
ଚତୁର୍ପାର୍ଶ୍ଵରେ ଉଜୁଡ଼ା
ପରିସ୍ଥିତି ନାକାବନ୍ଦୀର ଭୟ
କାରଣ ମୁଁ ଗରିବ !

ଭାଗ୍ୟର ଔଦ୍ଧତାମୀ ଅସହ୍ୟ
ବେସାହାରା କରେ
ହାତ ଛିଞ୍ଚାଡ଼ି
ବୋଳି ଦିଏ
ଭାତ ଥାଳିରେ ମୁଠାଏ ପାଉଁଶ
ନା ଖାଇ ହୁଏ
ନା ଫୋପାଡ଼ି ହୁଏ
କାରଣ ମୁଁ ଗରିବ !

ବୋଉ ଉତ୍ତରର ପରିଭାଷା
ଲୁହରେ ଭାସି ଯାଉ ଯାଉ
କିଛି କୁହନ୍ତି ମୋତେ
ବୁଝିହୁଏ ଆପେ ଆପେ
ଯେ ମୁଁ ଗରିବ !

ମୋଞ୍ଚା ମେଞ୍ଚା
ଯୋଜନାରୁ ମୋ ନାଁ’କୁ
ନିଶ୍ଚିହ୍ନ କରିଛି କିଛି
ଅଦୃଶ୍ୟ ଶକ୍ତିର ଦବଦବା
କାରଣ ମୁଁ ଯେ ଗରିବ !

ବୋଉର ପଣତ କାନିରେ
ମୁଣ୍ଡ ଗୁଞ୍ଜିଲେ
ଲାଗେ ପୃଥିବୀଟା
ଚିହ୍ନା ଚିହ୍ନା ନିଜର
ସଫଳତା ପାଦ
ଛୁଇଁ ଦିଏ ମୋର
ବୋଉ ପାଦ ତଳେ
ସ୍ଵର୍ଗ ଥାଏ ବୋଲି
ଫିକର କରେନି
ଫକର କରେ
ଯେ ମୁଁ ଗରିବ !!!

– ମହମ୍ମଦ ହନିଫ୍ ସାହା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...