ନୂଆ ନୂଆ କଲେଜ୍ ଯିବା ଯେଉଁ ଖୁସି ତାହା କେଉଁ ପାର୍କ କି ହୋଟେଲ୍ରେ ମିଳେନା । ନୂଆ ସାଙ୍ଗ ଖୁଲମ୍ଖୁଲା ମସ୍ତି ତାହା ପୁଣି ଟିଚର କି ଘର ଲୋକଙ୍କ ଟେନସନ୍ ବିନା । ସତେ ଯେମିତି ମଣିଷ ଆଜାଦି ପାଇଗଲା । କିଛି ଦିନ ତ ବେସ୍ ଭଲ ଲାଗିଲା । ପରେ ଯେସାକୁ ତେସା ହୋଇଗଲା । କହିବାକୁ ଗଲେ ଅନର୍ସ ମିଳିବା ପରେ ସମସ୍ତେ ଯେମିତି ପର ହୋଇ ଯାଇଥିଲେ । ନିଜ ନିଜ ଅନର୍ସରେ ପଢ଼ାପଢ଼ି, କ୍ଲାସ ଓ ଡିପାଟମେଣ୍ଟକୁ ନେଇ ବ୍ୟସ୍ତ । କିନ୍ତୁ ମୁଁ ମୋ ଡିପାଟମେଣ୍ଟକୁ ନେଇ କମ୍ଫଟ ଫିଲ୍ କରୁନଥିଲି । ଫାଇନାଲି ମୋତେ ଭାରି ବୋରିଂ ଲାଗୁଥିଲା । ଏମିତି ଏମିତିରେ ପ୍ରଥମ ସପ୍ତାହ କଲେଜ୍ ଖୋଲିଲା ପରେ ପାଠ ପଢ଼ାରେ ମନ ଦେଲି ।
କଲେଜ୍ ପାଖ ଅଙ୍କାବଙ୍କା ଫାଙ୍କାଫାଙ୍କା ରାସ୍ତା ଆଉ ରାସ୍ତା ପଖରେ ଗୋଟେ ଚା’ ଦୋକାନ ପାଖରେ ବସିଥାଏ ମୁଁ । ଅପେକ୍ଷା କରିଥାଏ କେହିଜଣେ ସାଙ୍ଗକୁ ଲିପ୍ଟ୍ ନେଇ କଲେଜ୍ ଯିବି । ଧୀରେ ଧୀରେ ପବନର ବେଗ ବଢ଼ିବାକୁ ଲାଗିଲା, ଗଛର ପତ୍ର ସାଙ୍ଗକୁ ଧୂଳିବି ଉଡ଼ିବାରେ ଲାଗିଲା; ସତେ ଯେମିତି ଆଷାଢ଼ାଆ ବର୍ଷାଟା ଏଇନା ବରଷିଯିବ । କହୁ କହୁ ଧିମାଧିମା ବର୍ଷା ଆରମ୍ଭ ହୋଇଗଲା । ସେହି ସମୟରେ ସେ ପାଖରୁ ସାଙ୍ଗ ଦିଲ୍ଲୀପ୍ ସାଇକେଲକୁ ଦୃତଗତିରେ ମୋ ଆଡ଼କୁ ଆସୁଥିଲା । ମୋତେ ଦେଖି ସଙ୍ଗେ ସଙ୍ଗେ ସାଇକେଲ କୁ ମୋ ଆଗରେ ରଖି ପଛପଟ ସିଟ୍ରେ ବସିପଡ଼ିଲା । ଏମିତିରେ ବି ବର୍ଷାର ମାତ୍ରା ବଢ଼ିବାରେ ଲାଗିଥାଏ । ମୁଁ ସାଇକେଲକୁ ଧରି ସ୍ପିଡ୍ରେ ଚଲାଇ ଚଲାଇ କଲେଜ୍ ଭିତରେ ପ୍ରବେଶ କଲି, କିନ୍ତୁ କଣ୍ଟୋଲ୍ କରି ନପାରିବାରୁ ସାଇକେଲ୍ ଷ୍ଟାଣ୍ଡରେ ଧକ୍କା ହେଲା । ଏପାଖେ ବର୍ଷାର ମାତ୍ରା ସାଙ୍ଗକୁ କ୍ଲାସ୍ ଲେଟ୍ ହେଉଥିବାରୁ ଦିଲ୍ଲୀପ୍ ଆଉ ମୁଁ ଦୌଡ଼ି ଦୌଡ଼ି କ୍ଲାସ୍ରେ ପସିଗଲୁ ।
କ୍ଲାସ୍ ଆରମ୍ଭ ହୋଇଗଲା, ଦେଖିଲି ମୋ ସିଟ୍ ପାଖ ସିଟ୍ରେ ଗୋଟେ ଝିଅଟିଏ ବସି ମୋତେ ବାରମ୍ବାର ଚାହୁଁଛି କିନ୍ତୁ କିଛି କହୁନି ହେଲେ ତା’ ପାଖରେ ବସିଥିବା ଝିଅକୁ କିଛି ଗୋଟେ କହୁଛି । ମୁଁ ଦେଖୁଥାଏ, କିନ୍ତୁ କିଛି କହୁନଥାଏ । ଏମିତି କିଛି ସମୟ ପରେ ଦିଲ୍ଲୀପକୁ ଡାକି ଏ କଥା କହିଲି । ଦିଲ୍ଲୀପ କହିଲା, “ତୁ ବଝି ପାରୁନୁ କ’ଣ ବେ? ସେ ଝିଅ ତୋତେ ଭଲ ପାଉଛି । ସେଥିପାଇଁ ତୋତେ ବାରମ୍ବାର ଚାହୁଁଛି !” ମନ ବୁଝିଲା ନାହିଁ, ଚକରାକୁ ପଚାରିଲି ସେ ବି ସେହି କଥା କହିଲା ।
ଦ୍ୱନ୍ଦରେ ପଡ଼ିଗଲି, କିନ୍ତୁ ମନରେ ନିଆଁ ଲାଗିଗଲା, ଛାତିରେ ମଳୟ ବହିଲା ହୃଦୟର ସ୍ପନ୍ଦନଟା ଯେମିତି ଅବୋଲକରା ହୋଇଗଲା । କିଛି ବୁଝା ପଡ଼ୁନଥାଏ । ତା’ର ସେଇ ଛୋଟ ଓଠ ନିରୀହ ଆଖି ମୋତେ ଯେମିତି ପାଗଳ କରି ଦେଉଥାଏ । ବୈଶାଖରେ ସୁଖିଯାଇଥିବା ମନରେ ଯେମିତି ପ୍ରେମର ବର୍ଷା ବର୍ଷିବାକୁ ଲାଗୁଥାଏ । ଚନ୍ଦନ କାଠରେ ମଳୟ ଲାଗିଲା ଆଉ ଫୁଲ ଦେହକୁ ବାସ୍ନା ଫେରିଲା ପରି ମୋର କେମିତି କ’ଣ ଗୋଟେ ହୋଇ ଯାଉଥାଏ । ଏମିତି ଦେଖାଦେଖି ଭିତରେ କ୍ଲାସ ଶେଷ ହେବା ଘାଣ୍ଟି ବାଜିଲା । ଏମିତିରେ ଏହାରି ଭିତରେ ୩ଟା କ୍ଲାସ୍ ସରିଯାଇଥାଏ । କିଛି ଜଣା ପଡ଼ୁନଥାଏ । ଧୀରେ ଧୀରେ ସମସ୍ତେ ଉଠିକରି ବାହାରକୁ ଗଲେ ଆଉ ମୁଁ ଦିଲ୍ଲୀପକୁ ଜାବୁଡି ଧରି କହିଲି, “ରେ ଦିଲ୍ଲୀପ୍ ମୋତେ ପ୍ରେମ ହୋଇ ଗଲାରେ । ମୋତେ ପ୍ରେମ ହୋଇଗଲା ।”
କ୍ଲାସ ରୁମ୍ ଭିତରେ ମୋ ସାଙ୍ଗ ଚକରା, ସରୋଜ ସହ ମିଶି ମସ୍ତି କରୁଥାଏ । ହଠାତ୍ ଦିଲ୍ଲୀପ ଆସି କହିଲା, “ରାଜେଶ ତୋତେ ସେ ଝିଅ ଡାକୁଛି, ବାହାରେ ଛିଡ଼ା ହୋଇଛି, ତୋତେ କିଛି ଗୋଟେ କହିବ ।” ମନରେ ଲଡୁ ଫୁଟିଗଲା ଆଉ ମୋର ଷ୍ଟାଇଲ୍, ସ୍ମାଇଲ୍ ସହ ଚାଲିବି ବଦଳିଗଲା । ସରୋଜର ପାକିଳିଆ କଥା ଶୁଣି ଭାବିଲି ଆଜି ଗୋଟେ ପ୍ରୋପଜଟା ହୋଇଯିବ । ଆଉ ପ୍ରୋପଜ ପରେ ପାର୍ଟି, ପୁଣି ଆଉ କିଛି…. ଏମିତି ହଉ ହଉ କ୍ଲାସ ବାହାରକୁ ଆସିଲି ।
କ୍ଲାସ୍ ବାହାରେ ଗାର୍ଡେନ୍ରେ ସେ ଆଉ ତା’ ସାଙ୍ଗ ଦୁଇଜଣ ଛିଡ଼ା ହୋଇଥାନ୍ତି । ମନ ଉଛନ୍ନ ହେଲା, ଆଜି କିଛି ଗୋଟେ ହବ । ସହାସ ହେଉ ନଥାଏ, ସମସ୍ତେ ବେଷ୍ଟ ଅଫ ଲକ୍ କହି ଛାଡ଼ିଲେ । ମନ ଖୁସିରେ ଧୀରେ ଧୀରେ ଯାଇ ତାଙ୍କ ପାଖରେ ପହଞ୍ଚିଲି । ଆଉ ତା’ପରେ ଯେଉଁ କଥା ହେଲା ନା, ସେଥିରେ ମୁଁ ମୋ ପର୍ସରୁ ୫୦୦ ଟଙ୍କା ଦେଲାପରେ ଯାଇ ସୁଝିଲା ।
ପ୍ରେମ ଫେମ ସବୁକିଛି ପାଣିର ଫଟୋକା ପରି ମିଳାଇ ଗଲା । ମୁହଁକୁ ଶୁଖାଇ ଫେରିଲା ପରେ ଚକରା ଆଉ ଦିଲ୍ଲୀପ୍ ପଚାରିଲେ କ’ଣ ହେଲା? ସାଇକେଲ୍ ଷ୍ଟାଣ୍ଡରେ ସାଇକେଲକୁ ଯେଉଁ ଧକ୍କା ଦେଇଥିଲି, ସେ ସାଇକେଲ୍ ଏହି ଝିଅର ଥିଲା, ଆଉ କ’ଣ ହେବ?…… ସେବେଠାରୁ କାନ ମୁଣ୍ଡ ଆଉଁସି ଶପଥ ନେଲି କେବେବି କହା କଥାରେ ପଡ଼ି ନିଜ ଭାବନାକୁ ବଢ଼ାଇବି ନାହିଁ । କିନ୍ତୁ ସେହି ମିଛ ଭାବନାରେ ଯେଉଁ ପ୍ରେମ ଆରମ୍ଭ କରିଥିଲା ନା ପ୍ରେମର ଅନୁଭୂତିକୁ ମନ, ହୃଦୟରେ ଛାପ ଛାଡ଼ି ଦେଇଥିଲା । ଖୁବ୍ ଚମତ୍କାର ଥିଲା ତାହାର ପରିଭାଷା ।
– ରାଜେଶ କୁମାର ବାରିକ
Comments
ରାଜେଶ କୁମାର ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।