ମୋ ପ୍ରେରଣାଦାୟିନୀ ମାଆ

Mo Preranadayini Maa (ମୋ ପ୍ରେରଣାଦାୟିନୀ ମାଆ) by Bidisha Patrao

ମାଆ… ସମସ୍ତଙ୍କ ଜୀବନରେ ଏହି ବ୍ୟକ୍ତିତ୍ୱଙ୍କର ସ୍ଥାନଟି ଅତୂଳନୀୟ । ମାନୁଛି ଯେ, ଏହି ଶବ୍ଦ ଦୁନିଆର ସବୁଠାରୁ ଛୋଟ ଶବ୍ଦ କିନ୍ତୁ ତା’ ଠାରୁ ବଡ଼ ମଧ୍ୟ ଦୁନିଆରେ କିଛି ନାହିଁ… ଆଉ କିଛି ମଧ୍ୟ ନାହିଁ । ଜନନୀ, ମାତା, ବୋଉ… ଏମିତି ବହୁତ ନାମ ଅଛି ତାଙ୍କର । ମୋ ଜୀବନରେ ମୋ ମାଆଙ୍କ ସ୍ଥାନ ସର୍ବୋଚ୍ଚ, ଅତୂଳନୀୟ । ତାଙ୍କ ପ୍ରତି ଥିବା ଅସୀମ ଭଲପାଇବାକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ପର୍ଯାପ୍ତ ଶବ୍ଦ ମଧ୍ୟ ନାହିଁ । ହଁ, ଖାଲି ଏତିକି ହିଁ କହିପାରିବି ଯେ, “ମୁଁ ଯଦି ଶରୀର ତେବେ ସେ ହେଉଛନ୍ତି ଏଥିରେ ଥିବା ଆତ୍ମା ।” ମୋ ପାଇଁ ଜୀବନ ଓ ମାଆଙ୍କ ପରିଭାଷା ଅଭିନ୍ନ । ତାଙ୍କ ତ୍ୟାଗ, ସହଯୋଗ, ସମର୍ପଣ ତଥା ନିଃସ୍ୱାର୍ଥପର ଭଲପାଇବା କଥା ଭାବିଲେ, ମୋ ଆଖିରୁ ଅକସ୍ମାତ ଲୁହ ଆସିଯାଏ । ମୋ ଜୀବନରେ ମୋ ମାଆ ହେଉଛନ୍ତି ମୋର ପ୍ରେରଣା । ଏଯାବତ ଜୀବନରେ ଯାହା ବି କିଛି କରିପାରିଛି, ସେ ସବୁର ପଛରେ ମୋ’ ମାଆଙ୍କର ହିଁ ସହଯୋଗ ତଥା ପ୍ରେରଣା ରହିଆସିଛି ।

ମୋ ମାଆଙ୍କ ନାମ ବି. ସୁନିତା ପାତ୍ର । ସେ ଜଣେ ଗୃହିଣୀ । ସବୁ କାର୍ଯ୍ୟରେ ନିପୂଣା ସେ । ଏକ ଆଦର୍ଶ ଗୃହିଣୀ ସହ ସେ ଏକ ଆଦର୍ଶ ମାଆ ତଥା ଏକ ଆଦର୍ଶ ଭାର୍ଯ୍ୟା ମଧ୍ୟ । ଆମକୁ ରୋଗ ହେଲେ ସେ ବୈଦ୍ୟ ହୋଇଯାନ୍ତି, ଭୁଲ ହୋଇଗଲେ ଆମକୁ ଠିକ୍ ରାସ୍ତା ଦେଖାଇ ସେ ଗୁରୁ ହୋଇଯାନ୍ତି, ବଦଳୁଥିବା ସମୟ ସହ ତଥା ବର୍ତ୍ତମାନ ପିଢ଼ିର ଚିନ୍ତାଧାରାକୁ ଗ୍ରହଣ କରି ସେ ଆମ ଘନିଷ୍ଠ ବନ୍ଧୁ ମଧ୍ୟ ହୋଇଯାନ୍ତି । ଏପରିକି ଯେବେ ମଧ୍ୟ ମୁଁ ମୋ ନିଜ ଉପରୁ ଭରସା ହରାଇ ବସିଛି, ସେ ହିଁ ଆଶାର ଆଲୋକ ସାଜି ମୋତେ ପ୍ରେରଣା ଦେଇଆସିଛନ୍ତି । ସେ ସଙ୍ଗୀତପ୍ରିୟା; କୋକିଳକଣ୍ଠି । ଅବଶ୍ୟ ସେ କୌଣସି ଗୁରୁଙ୍କ ନିକଟରେ ସଙ୍ଗୀତ ଶିକ୍ଷା ଗ୍ରହଣ କରିନାହାନ୍ତି, ତଥାପି ତାଙ୍କ ଗାୟନ ଶୈଳୀରେ ମୋତେ ସର୍ବଦା ଏକ ପ୍ରକାର ଶାନ୍ତି ତଥା ଉଦାରତାର ଅନୁଭବ ହୋଇଥାଏ । ସେ ହିଁ ମୋର ସଙ୍ଗୀତ ଶିକ୍ଷା ତଥା ସଙ୍ଗୀତ ସାଧନା ପଛର ଅନ୍ୟତମ ପ୍ରେରଣା । ତାଙ୍କୁ ହିଁ ଅନୁସରଣ କରି କରି ମୁଁ ପିଲାବେଳୁ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇଥିଲି । କଥାଗୁଡ଼ିକ ତାଙ୍କର ମହୁ ଭଳି ମିଠା ଓ ହୃଦୟଟି ତାଙ୍କର ଅତ୍ୟନ୍ତ କୋମଳ । ନିରୀହ କୀଟ ହେଉ ପଶୁ ପକ୍ଷୀ ହେଉ ଅବା ମଣିଷ, ସମସ୍ତଙ୍କ ବେଦନାକୁ ସେ ଗଭୀର ଭାବେ ଅନୁଭବ କରିପାରନ୍ତି । ଏପରିକି ମୋ ମଧ୍ୟରେ ଅନ୍ତର୍ନିହିତ ହୋଇ ରହିଥିବା ଏକ ଲେଖିକା ତଥା କବିର ବୈଶିଷ୍ଟ୍ୟଗୁଡ଼ିକୁ ମଧ୍ୟ ପ୍ରଥମେ ସେ ହିଁ ଆକଳନ କରିଥିଲେ । ଆମ କଲେଜର ବାର୍ଷିକ ପତ୍ରିକାରେ ପ୍ରକାଶିତ ହୋଇଥିବା ମୋର ଏକ ଲେଖାଟିକୁ ପଢ଼ି, ସେ ମୋ ମଧ୍ୟରେ ଲୁଚି ରହିଥିବା ଏହି କଳା ବିଷୟରେ ଜାଣିପାରିଥିଲେ ଏବଂ ଆଗକୁ ସାହିତ୍ୟ ସାଧନା ଆରମ୍ଭ କରିବା ପାଇଁ ମୋତେ ପରାମର୍ଶ ଦେଇଥିଲେ । ପିଲାଟିବେଳୁ ତାଙ୍କୁ ଅନୁସରଣ କରି କରି ମୁଁ ବହୁତ ଭଲ କଥା ଶିଖିଛି । ଯେପରିକି ସମସ୍ତଙ୍କ ପ୍ରତି ଉଦାର ମନୋଭାବ ରଖିବା, ସବୁବେଳେ ସତ କହିବା, ଅହଂ ଭାବରୁ ଦୂରେଇ ରହିବା, ନିଜ ସଂସ୍କୃତି ତଥା କଳାକୁ ସମ୍ମାନ ଦେବା… ଏମିତି ବହୁତ କିଛି । ସେ କେବଳ ମୋ ମାଆ ନୁହଁନ୍ତି, ଏକ ଘନିଷ୍ଠ ବନ୍ଧୁ ମଧ୍ୟ । ତାଙ୍କ ସହ ମୁଁ ମୋ ଜୀବନର ପ୍ରତ୍ୟେକ ସୁଖ ଦୁଃଖ ତଥା ମନର ପ୍ରତ୍ୟେକ କଥାକୁ ବାଣ୍ଟିଥାଏ । ସେ ମୋ ହସରେ ହସନ୍ତି; ମୋ ଦୁଃଖରେ କାନ୍ଦନ୍ତି । ମୋ ନୀରବତାକୁ ମଧ୍ୟ କେବଳ ସେ ହିଁ ସହଜରେ ପଢ଼ି ପାରନ୍ତି । କହିବାକୁ ଗଲେ, ଆଜି ପର୍ଯ୍ୟନ୍ତ ମୁଁ ଯାହା ବି କିଛି କରିପାରିଛି; ଏକ କଣ୍ଠଶିଳ୍ପୀ ରୂପେ ହେଉ ଅବା ଏକ ସାହିତ୍ୟିକା ରୂପେ; ଏକ ଛାତ୍ରୀ ରୂପେ ହେଉ ଅବା ଏକ ସମାଜ ସେବୀ ରୂପେ; ସେ ସବୁର ପଛରେ ମୋ ମାଆଙ୍କର ହିଁ ପ୍ରେରଣା ରହିଆସିଛି । ସେ ସବୁବେଳେ କୁହନ୍ତି, “ଝିଅ ତୁ ଜୀବନରେ ଯାହା ବି କରୁଛୁ କର, ଯେଉଁ କ୍ଷେତ୍ରରେ ବି ନିଜକୁ ବିକଶିତ କରିବାକୁ ଚାହୁଁଛୁ କର, ମୁଁ ସବୁବେଳେ ତୋ’ ସହିତ ରହିଥିଲି, ରହିଛି ଆଉ ରହିଥିବି ।”

ମୁଁ ଏକ ଆଦର୍ଶ ଝିଅ କି ନୁହଁ ମୁଁ ଜାଣେନି । କିନ୍ତୁ ସେ ସବୁ ସମୟରେ, ସବୁ ପରିସ୍ଥିତିରେ, ମୋ ପାଇଁ ଏକ ଆଦର୍ଶ ମାଆ ହୋଇରହିଛନ୍ତି । ମୁଁ ସବୁବେଳେ ମୋ ମାଆଙ୍କର ଗୌରବର କାରଣ ହୋଇରହିବି, ତାଙ୍କୁ ଜୀବନର ସବୁ ଖୁସିରେ ପରିପୃଷ୍ଟ କରିବି, ଜୀବନରେ ମୋର ମାତ୍ର ଏତିକି ହିଁ ଲକ୍ଷ୍ୟ ।

“ଭଗବାନ ମୋତେ ପ୍ରତ୍ୟେକ ଜନ୍ମରେ ଏହି ପୁଣ୍ୟାତ୍ମାଙ୍କର ଝିଅ ରୂପେ ହିଁ ଜନ୍ମ ହେବାର ସୌଭାଗ୍ୟ ଦିଅନ୍ତୁ । ସେ ସବୁବେଳେ ମୋର ପ୍ରେରଣା ହୋଇରହିଥାନ୍ତୁ, ବାସ ! ଏତିକି ହିଁ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା ।

– ବିଦିଷା ପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...