ଅନୁରାଗ
ଡା. ରୋଶନୀଙ୍କୁ ତୁରନ୍ତ ଉଡ଼ିଆସିବାକୁ ହେଲା ଜର୍ମାନୀରୁ । ଆମ୍ରିରେ ଶେଷସମୟ ଠାକୁରମାଆଙ୍କର । ଗୋଟାକିଆ ପକାଉଛନ୍ତି କହିଲେ ଚଳେ । ବିମାନବନ୍ଦରରୁ ତରବରହୋଇଯାଇ ହାସପାତାଳ କେବିନରେ ପାଦଦେଉଦେଉ ଡାକିଦେଲେ, “ଠାକୁ’ମା’!” ସେପଟୁ ଶୁଭିଲା, “ଆ’ଲୋ ଚଣ୍ଡୀ ।” ବାସ୍ ଆଖିଦୁଇଟି ସେତିକିରେ ଚିର ସ୍ଥିରହୋଇଗଲା ।
ପ୍ରେରଣା
ଡା. ମାନସଙ୍କର ନିଶାହେଉଛି ସଙ୍ଗୀତ । ବେଶ କିଛି ଅର୍ଥ, ବହୁଶ୍ରମ ଓ କଷ୍ଟ ସ୍ୱୀକାର କରି ମାତୃଭାଷାର ଏକ ନିରୁତା ଗୀତ ତିଆରି କଲେ । ୟୁଟ୍ୟୁବ୍ରେ ନାନାଦି ମତାମତ । ସାମ୍ପ୍ରତିକ ସମାଜ ଗ୍ରହଣ କଲାନି ପୁରୁଣା ଶବ୍ଦସବୁ । ହତାଶାରେ ଥିବାବେଳେ, ପତ୍ନୀଆସି ଚୁମାଟିଏ ଆଙ୍କି ଦେଉଦେଉ କହିଲେ, “କେହି ନଶୁଣନ୍ତୁ, ମୁଁ ଶୁଣିବି । ତୁମେ ଗୀତ କରିଚାଲ ।”
ବିଶ୍ୱାସ
ଘରେ ମାମୁଁ ଆସି ପହଞ୍ଚିଲେ । ଛକସାରା ଆଇଁଷ ଟିକେ କିଛିନାହିଁ । କୁଣିଆଙ୍କୁ କ’ଣ ଦିଆଯିବ! ବୁଢ଼ା’ପା କହିଲେ, “ତୋ ଛୁଆ’ପାର ଆଇଁଷିଆ ରାଶି, ତା’ ହାତରେ ଭଲ ମାଛ ପଡ଼େ । ଛଡ଼ନେଇ ନଈକୁ ଚାଲିଯା’ । ଖରାରେ ବାଳିଆ ନିଶ୍ଚେ ଉଠିବେ ।” ମାଆ ସିଆଡ଼େ ବେସର ବାଟିବାକୁ ଲାଗିଲା ଓ ମୁଁ ଖଳେଇ କାଖେଇ ଚାଲିଲି ଛୁଆ’ପାଙ୍କ ସାଙ୍ଗରେ ନଈକୁ ।
ଅପେକ୍ଷା
ହଙ୍ଗକଙ୍ଗରୁ ଫେରି କବାଟରେ ଠକଠକ କଲା ପୃଥ୍ବୀରାଜ । ଘରଣୀ କବାଟ ଖୋଲୁଖୋଲୁ, କୁନି ପୁଅଝିଅ ଅବିଳମ୍ବେ ଦୁଇଗୋଡ଼କୁ ଜାବୁଡ଼ିଧରି ଏକସଙ୍ଗେ ଚିଲେଇଲେ, “ଆମକୁ କାଖା !” ଦୁଇକାଖରେ ଦୁହିଁଙ୍କୁ କୋଳେଇନେଉନେଉ ପଛପଟେ ଆଉଜି ହୋଇପଡ଼ୁଥିଲେ ଘରଣୀ ।
ଅକାଳକୁଷ୍ମାଣ୍ଡ
କଲେଜ ଛାଡ଼ିବାର ବହୁବର୍ଷପରେ ଆଜି ସେଣ୍ଟ୍ରାଲ୍ରେ ତା’ସହ ଦେଖାହେବା ପୂର୍ବରୁ ଅଧଘଣ୍ଟାଏ ଲୁଚିଲୁଚି ମନଭରି ଦେଖିଥିଲି ତା’କୁ ଦୂରରୁ । ପଛପଟୁ ଆସି କାନଧରି କହିଲା, “ଅକାଳକୁଷ୍ମାଣ୍ଡ ! ୧୦ବର୍ଷରେ ପଦେ ତ କହିପାରିଲନି । ତଥାପି ଲୋଭ ଛାଡ଼ିନ ! ଆରଜନ୍ମକୁ ଅପେକ୍ଷାକର ।”
ନିଧିଅଜା
ଶୁଶ୍ରୀ ସଙ୍ଗୀତା ପଢ଼ୁଛି ସେଣ୍ଟ ଫିଲିପ୍ସ କଲେଜରେ । ଇଂରାଜୀ ହିନ୍ଦୀ କହିଲାବେଳେ ପାଟିରେ ବାଟୁଳି ବାଜୁନି । ଆଉ ଓଡ଼ିଆ କହିଲାବେଳେ ଥଙ୍ଗାଉଛି ଝୁଅ । ଅଜାଙ୍କୁ ଦେଖି ହାୟ କରିଦେବାରୁ, ଅଜା ଗେଲରେ କଲିକତା ମାଇଲ ଖୁଣ୍ଟ ଦେଖେଇଦେଲେ । ସେବେଠୁଁ ଜବର ମୁଣ୍ଡିଆଟେ ମାରିବାକୁ କେବେ ଭୁଲୁନି ଶୁଶ୍ରୀ ।
ସମାନତା
ଭିଆଇପି କଲୋନିରେ ଶିଶୁଉଦ୍ୟାନ । ରମା ଘରକାମ କରିବାକୁ ଆସିବାବେଳେ ଝିଅକୁ ଛାଡ଼ିଦିଏ । ଜଗୁଆଳ କିନ୍ତୁ ଦୋଳି, ସ୍ଲାଇଡ କେଉଁଠିକୁ ବି ଛାଡ଼େନି ତା’କୁ । ଆକଟ କରି କହେ, “ବାଲିରେ ଖେଳ । ଦୋଳି ସାହେବଙ୍କ ପିଲାଙ୍କ ପାଇଁ ।” ଡା. ବିଶାଲଙ୍କ ପୁଅ ଏସବୁ ସବୁଦିନେ ଦେଖେ । ଦିନେ ଜିଦିକରି ଝିଅକୁନେଇ ଦୋଳିରେ ବସେଇ ଝୁଲେଇଲା । ସେବେଠୁଁ ସମସ୍ତେ ତା’ର ସାଙ୍ଗ ।
ପ୍ରେମ
ଗେହ୍ଲୀର ଖୁବପ୍ରିୟ ବିଲେଇଛୁଆଟି ପ୍ରାୟ କ୍ଷୀରହାଣ୍ଡି ମାରାକଲାବୋଲି ବାପା ତାକୁ ଅଖାରେ ପୁରେଇନେଇ ନଈ ସେପାରିରେ ଛାଡ଼ିଦେଲେ । ଏବେ ସ୍କୁଲରୁ ଫେରିଲେ ସନ୍ଧ୍ୟାରେ ଘଡ଼ିଏଲେଖାଏଁ ନଈକୂଳେ ଝୁରେ ଗେହ୍ଲୀ । ଯେମିତି ଶୀତକାଳେ ପାଣି ଶୁଖିଛି, ହଠାତ୍ ଦିନେ ସନ୍ଧ୍ୟାରେ ବିଲେଇ ଆସି ଗେହ୍ଲୀ କୋଳରେ ।
– ଡ. ବିଶ୍ୱରଞ୍ଜନ କର
Comments
ଡ. ବିଶ୍ୱରଞ୍ଜନ କର ପେଶାରେ ଜଣେ ଡାକ୍ତର ହେଲେ ମଧ୍ୟ ନିଶା ତାଙ୍କର ଗପ ଓ କବିତା ଲେଖିବା । ସେ ତାଙ୍କର ଫାଙ୍କା ସମୟରେ ବିଭିନ୍ନ ଗପ ଓ କବିତା ଆଦି ଲେଖନ୍ତି । ଶୁଭପଲ୍ଲବର ପ୍ରତିଷ୍ଠା ହେବାଠାରୁ ସେ ସମ୍ପାଦକମାନଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରିଆସିଛନ୍ତି ।