ପ୍ରଜ୍ଞାନ ପୁରୁଷ ପଦ୍ମଭୂଷଣ ମନୋଜ ଦାସ

Biography of Padmabhusan Manoj Das (ପଦ୍ମଭୂଷଣ ମନୋଜ ଦାସ)

ପଦ୍ମଭୂଷଣ ମନୋଜ ଦାସ ଓଡ଼ିଆ ଏବଂ ଇଂରାଜୀ ଭାଷାର ଜଣେ ଗାଳ୍ପିକ ତଥା ଔପନ୍ୟାସିକ ଥିଲେ । ଏତଦ ବ୍ୟତୀତ ସେ ଭ୍ରମଣ କାହାଣୀ, ଶିଶୁ ସାହିତ୍ୟ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜର ଲେଖନୀ ଚାଳନା କରିଥିଲେ ।

ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ କରିବା ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଏବଂ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ଉପାଧି ପାଇଥିଲେ । ସେ ସାହିତ୍ୟ ଏକାଡେମୀ ଫେଲୋସିପ ମଧ୍ୟ ପାଇଥିଲେ । ବିଭିନ୍ନ ସମୟରେ ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜ ପାଇଁ ଲେଖିଥିଲେ ।

ମନୋଜ ଦାସ ୧୯୩୪ ମସିହାର ଫେବୃଆରୀ ୨୭ ତାରିଖରେ ବାଲେଶ୍ୱର ଜିଲ୍ଲା ସ୍ଥିତ ଶଙ୍ଖାରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାରରେ ପ୍ରଥମ ଦୁଇ ସନ୍ତାନ ପୁଅ, ତା’ ପର ଦୁଇ ସନ୍ତାନ ଝିଅ ଏବଂ ସେ ପଞ୍ଚମ ତଥା କନିଷ୍ଠ ସନ୍ତାନ ଅଟନ୍ତି । ତାଙ୍କ ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜ ଦାସଙ୍କର ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଏହି ଦୁଇଟି ଗ୍ରନ୍ଥକୁ ‘ଅଲୌକିକ ଶକ୍ତିର ଉତ୍ସ’ ଭାବେ ଅଭିହିତ କରିଥିଲେ ।

ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହୋଇଥିଲା । ସେତେବେଳେ ବଡ଼ଭାଇ ମନ୍ମଥ ନାଥ ଦାସ ଫକୀର ମୋହନ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଥିଲେ । ସେମାନେ ଯେଉଁ ଘରେ ରହୁଥିଲେ, ତାହା ଥିଲା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବାସଗୃହ । ଏହା ଜାଣିବା ପରେ ମନୋଜ ଦାସଙ୍କ ହୃଦୟ, ସୃଜନ ସମ୍ଭାରର ପରିବ୍ୟାପ୍ତ ହୋଇଯାଇଥିଲା । ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଥିଲା ଏବଂ ସେହି ସମୟରେ ‘ଦିଗନ୍ତ’ ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ ।

ପରବର୍ତ୍ତୀ ସମୟରେ ସେ ବାମପନ୍ଥୀ ଆନ୍ଦୋଳନ ସହିତ ଯୋଗ ଦେଇଥିଲେ । ୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପଢ଼ିବା ସମୟରେ ସେ ଛାତ୍ର ସଂସଦର ସଭାପତି ଏବଂ ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ନିର୍ବାଚିତ ହୋଇଥିଲେ । ୧୯୫୫ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେତେବେଳକୁ ‘ଜୀବନର ସ୍ୱାଦ’ ଗଳ୍ପ ସଂକଳନ ସହିତ ବିଭିନ୍ନ ଇଂରାଜୀ ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହେଉଥିଲା ।

୧୯୫୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ଛାତ୍ର ସଂଘର ସଭପତି ରୂପେ ଇଣ୍ଡୋନେସିଆରେ ଆୟୋଜିତ ଛାତ୍ର ସମ୍ମିଳନୀରେ ସେ ଯୋଗ ଦେଇଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ସାରିବା ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ ସେ । ସେହି ବର୍ଷ ଦିଗନ୍ତ ମାସିକ ପତ୍ରିକାର ପୁନଃ ପ୍ରକାଶ ଆରମ୍ଭ ହୋଇଥିଲା ।

୧୯୫୯ ମସିହାରେ ମନୋଜ ଦାସ କୁଜଙ୍ଗ ରାଜପରିବାରର କନ୍ୟା ପ୍ରତିଜ୍ଞା ଦେବୀଙ୍କୁ ବିବାହ କରିଥିଲେ । ୧୯୬୩ ମସିହାଠାରୁ ସେ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରି ଆସୁଥିଲେ । ସେଠାରେ ସେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ ଏବଂ ପ୍ରତିଜ୍ଞା ଦେବୀ ମନସ୍ତତ୍ୱ ବିଭାଗରେ ଅଧ୍ୟାପିକା ଭାବେ ଯୋଗ ଦେଇଥିଲେ ।

ତାଙ୍କ ଗଳ୍ପ ସଂକଳନଗୁଡ଼ିକ ମଧ୍ୟରେ ସମୁଦ୍ରର କ୍ଷୁଧା, ଆରଣ୍ୟକ, ଶେଷ ବସନ୍ତର ଚିଠି, ମନୋଜ ଦାସଙ୍କ କଥା ଓ କାହାଣୀ, ଲକ୍ଷ୍ମୀର ଅଭିସାର, ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ, ଧୂମ୍ରାଭ ଦିଗନ୍ତ ଓ ଅନ୍ୟ କାହାଣୀ, ମନୋଜ ଦାସଙ୍କ ଗଳ୍ପ, ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ, ଚତୁର୍ଥ ବନ୍ଧୁ ଓ ଅନ୍ୟାନ୍ୟ କାହାଣୀ, ଅବୋଲକରା କାହାଣୀ, ମନୋଜ ପଞ୍ଚବିଂଶତି, ବିଷକନ୍ୟାର କାହାଣୀ, ଜୀବନର ସ୍ୱାଦ ଆଦି ଅନ୍ୟତମ ।

ଭିନ୍ନ ଭିନ୍ନ ସମୟରେ ପ୍ରକାଶ ପାଇଥିବା ତାଙ୍କ କବିତା ସଙ୍କଳନଗୁଡ଼ିକ ମଧ୍ୟରେ କବିତା ଉତ୍କଳ, ତୁମଗାଁ ଓ ଅନ୍ୟାନ୍ୟ କବିତା, ଉପନିବେଶ, ନନ୍ଦାବତୀର ମାଝି, ପଦଧ୍ୱନୀ, ବିପ୍ଳବୀ ଫକୀରମୋହନ, ଶତାବ୍ଦୀର ଆର୍ତ୍ତନାଦ ଆଦି ଅନ୍ୟତମ । ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ତନ୍ଦ୍ରାଲୋକର ପ୍ରହରୀ, ଆକାଶର ଇସାରା, ଅମୃତ ଫଳ, ଗୋଧୁଳିର ବାଘ, ପ୍ରଭଞ୍ଜନ, ବୁଲଡୋଜର୍ସ ଆଦି ଅନ୍ୟତମ ।

ମନୋଜ ଦାସଙ୍କୁ ତାଙ୍କର ନିଆରା ଲେଖା ଶୈଳୀ ପାଇଁ ଓଡ଼ିଆ ସାହିତ୍ୟର ବିଷ୍ଣୁ ଶର୍ମା ବୋଲି କୁହାଯାଏ ଆଉ ଏଥି ନିମନ୍ତେ ସେ ଭାରତର ଜଣେ ସୁଗାଳ୍ପିକ ଭାବରେ ପରିଚିତ । ୨୦୨୧ ମସିହାର ଅପ୍ରେଲ ୨୭ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ତାଙ୍କର ମୃତ୍ୟୁ ଘଟିଥିଲା ।

ଉତ୍ସ: ଓଡ଼ିଆ ଉଇକିପିଡ଼ିଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...