ମୁଁ ଶିଶୁ ମନ୍ଦିରରେ ପଞ୍ଚମ ଶ୍ରେଣୀରେ ପଢ଼ୁଥାଏ । ଶିଶୁ ମନ୍ଦିରରେ ପ୍ରତିବର୍ଷ ବିଜ୍ଞାନ ମେଳା ଆୟୋଜିତ ହୁଏ । କିନ୍ତୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୁଁ କେବେ ବି ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିନଥିଲି । ଆତ୍ମ ବିଶ୍ୱାସର ଅଭାବ କାରଣରୁ ମୁଁ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପରେ ଅଂଶଗ୍ରହଣ ନିମନ୍ତେ ଆଗ୍ରହ ପ୍ରକାଶ କରେନାହିଁ । ଆମ ଘରକୁ ଜଣେ ଗୁରୁଜୀ ମୋତେ ପଢ଼ାଇବାକୁ ଆସନ୍ତି । ସେ ମୋତେ ଅଂଶଗ୍ରହଣ ନିମନ୍ତେ ଉତ୍ସାହିତ କଲେ । ଜାଣେନା କାହିଁକି ସେ ବର୍ଷ ମୋର ଅଂଶଗ୍ରହଣ ନିମନ୍ତେ ଇଚ୍ଛା ମଧ୍ୟ ଥିଲା ।
ପ୍ରତିବର୍ଷ ପରି ସେ ବର୍ଷ ବିଜ୍ଞାନମେଳା ଆୟୋଜିତ ହେଲା । ମୁଁ ମଧ୍ୟ ଭାଗ ନେଇଥିଲି । ମୋର ବିଷୟ ଥିଲା “ସବୁଜ ଗୃହର ପ୍ରଭାବ” । ତାହା ‘ନୂତନ ପ୍ରୟୋଗ’ ବିଭାଗରେ ଯାଏ । ବିଜ୍ଞାନ ମେଳାରେ ପ୍ରତ୍ୟେକ ବିଭାଗରେ ଜଣଙ୍କୁ ଚୟନ କରାଯାଇ ସଂକୁଳ (ବ୍ଲକ) ସ୍ତରୀୟ ବିଜ୍ଞାନମେଳାକୁ ପଠାଯାଏ ଯାହା ନିଜ ବ୍ଲକ୍ରେ ଅନୁଷ୍ଠିତ ହୁଏ । ସେଠାରେ ଯିଏ ଚୟନ ହୁଏ ବିଭାଗ (ଜିଲ୍ଲା) ସ୍ତରୀୟ ବିଜ୍ଞାନମେଳା ଏବଂ ତା’ ପରେ ରାଜ୍ୟ ସ୍ତରୀୟ ବିଜ୍ଞାନମେଳାକୁ ଯାଏ ।
ଗୋଟିଏ ପ୍ରକଳ୍ପରେ ଜଣେ ଲେଖାଏଁ ଭାଗ ନିଅନ୍ତି କିନ୍ତୁ ସେ ବର୍ଷ ବିଜ୍ଞାନମେଳା ଦିନ ହିଁ କହିଲେ ସହଯୋଗୀ ଜଣେ ମଧ୍ୟ ରହିପାରିବେ । ସେମିତିରେ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣର ସୁଯୋଗ ପାଇବେ । ଯେଉଁମାନେ ଏ ବର୍ଷ ସହଯୋଗୀ ହେବେ, ସେ ଅତି ନିକଟରୁ ସବୁ କିଛି ପର୍ଯ୍ୟବେକ୍ଷଣ କଲେ ତାଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବ ଏବଂ ସେ ଆଗାମୀ ବର୍ଷ ସ୍ୱାଧୀନ ଭାବେ ଅଂଶଗ୍ରହଣ ନିମନ୍ତେ ଉତ୍ସାହିତ ହେବେ । ମୋ ସହ ଆଉ ଜଣେ ସହଯୋଗୀ ରଖିବାକୁ ଗୁରୁଜୀ ପରାମର୍ଶ ଦେଲେ । ସହଯୋଗୀର ଅବଦାନ କେବଳ ସାଥୀରେ ଠିଆ ହେବା । ସେ କୌଣସି କାର୍ଯ୍ୟରେ ଯୋଗ ଦିଅନ୍ତି ନାହିଁ । ମୋର ଜଣେ ସହଯୋଗୀ ମୋ ଶ୍ରେଣୀର ହିଁ ଜଣେ ଭଉଣୀ ହେଲେ । ବିଜ୍ଞାନମେଳା ସୁରୁଖୁରୁରେ ହେଲା ।ଯେଉଁ ଅତିଥି ମାନେ ଆସିଥିଲେ ସେ ମୋତେ ଯେଉଁ ପ୍ରଶ୍ନ ପଚାରିଥିଲେ ମୁଁ ତା’ର ସଠିକ୍ ଉତ୍ତର ଦେଇଥିଲି, ତେଣୁ ମୋର ବିଶ୍ଵାସ ଥିଲା ମୁଁ ନିଶ୍ଚୟ ପ୍ରଥମ ହେବି ।
ପୁରସ୍କାର ବିତରଣର ସମୟ ହେଲା । ଯେତେବେଳେ ବିଜେତାର ନାମ ଘୋଷଣା ହେଲା ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ କାରଣ ସେ ନାମ ଥିଲା ମୋ ସହଯୋଗୀର ଆଉ ପ୍ରକଳ୍ପ ଥିଲା ମୋର । କେବଳ ସାଥୀରେ ଠିଆ ହେଲେ ଆତ୍ମବିଶ୍ୱାସ ବଢ଼ିବ କହି ଯାହାକୁ ମୋ ସହଯୋଗୀ କରିଥିଲେ ହଠାତ୍ ମୋ ପ୍ରକଳ୍ପ ତା’ର ହେଲା କେମିତି ମୁଁ ବୁଝି ପାରିଲିନି । ୧୫ଦିନ ଧରି ଯେଉଁ ପରିଶ୍ରମ କରିଥିଲି କ୍ଷଣକରେ ମୂଲ୍ୟହୀନ ହେଇଗଲା । ତଥାପି ଚୁପ୍ ରହିଲି । ସେତେବେଳେ ମୋ ରାଜ୍ୟ ସ୍ତରୀୟ ବିଜ୍ଞାନମେଳା ଯିବାକୁ ଥିବା ଆଶା ଭାଙ୍ଗି ଚୁରମାର୍ ହେଇଗଲା ।
କିଛି ସମୟ ପରେ ମୋତେ ପ୍ରଧାନ ଗୁରୁଜୀ ଡାକିଲେ ଏବଂ କହିଲେ ବାଧ୍ୟ ବାଧକତାରେ ତାଙ୍କୁ ମୋ ପ୍ରକଳ୍ପର ନାମ ଅନ୍ୟକୁ ଦେବାକୁ ପଡ଼ିଥିଲା । ସବୁ ପ୍ରକଳ୍ପରେ ଜଣେ ସହାୟକ ଶିକ୍ଷକଙ୍କ ନାମ ରୁହେ ଯିଏକି ନିଜର ଶ୍ରେଣୀ ଶିକ୍ଷକ । ମୋ ପ୍ରକଳ୍ପରେ ଯେଉଁ ସହାୟକ ଶିକ୍ଷକ ଥିଲେ ସେ ମୋ ସହଯୋଗୀଙ୍କ ସଂପର୍କୀୟ । ତେଣୁ ଯେତେବେଳେ ପ୍ରଥମ ସ୍ଥାନ କଥା ଉଠିଲା ଅତିଥିମାନେ ସହାୟକ ଶିକ୍ଷକଙ୍କୁ ଜଣାଇଲେ ଏବଂ ମୋ ସହାୟକ ଶିକ୍ଷକ ଆମ ୨ଜଣଙ୍କ ମଧ୍ୟରୁ ମୋ ସହଯୋଗୀଙ୍କ ନାମ ପାଇଁ ପ୍ରସ୍ତାବ ଦେଲେ । ଯେହେତୁ ଅତିଥିମାନେ ଥିଲେ ଅନ୍ୟ ଗୁରୁଜୀମାନେ ନୀରବ ରହିଲେ । ତା’ପରେ ଗୁରୁଜୀମାନେ ମୋତେ ଆଗାମୀ ବର୍ଷ ପୁନର୍ବାର ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ନିମନ୍ତେ ପ୍ରୟାସ କରିବାକୁ କହିଲେ । କିନ୍ତୁ ସେଦିନ ମୋ ଆତ୍ମବିଶ୍ୱାସ ଭାଙ୍ଗିଗଲା । ପ୍ରତିବର୍ଷ ବିଜ୍ଞାନମେଳାରେ ଅଂଶଗ୍ରହଣ କରିବାକୁ ସମସ୍ତେ ମୋତେ ଉତ୍ସାହିତ କରିଛନ୍ତି କିନ୍ତୁ ମୁଁ ଆଉ କୌଣସି ବର୍ଷ ମଧ୍ୟ ଅଂଶଗ୍ରହଣ କଲି ନାହିଁ । ଜିତିବା ପରେ ମଧ୍ୟ ମୋତେ ଯେଉଁ ପରାଜୟ ମିଳିଥିଲା ତାହା ମୋ ମନୋବଳ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଦେଲା । ପ୍ରଧାନ ଗୁରୁଜୀଙ୍କ ବାରମ୍ବାର କହିବା ପରେ ବିଜ୍ଞାନମେଳାର ଅନ୍ୟ ଏକ ବିଭାଗ ବୈଦିକ ଗଣିତ ପ୍ରଶ୍ନ ମଞ୍ଚରେ ମୁଁ ଅଂଶଗ୍ରହଣ କଲି । ସେହିବର୍ଷ ପରେ କ୍ରମାଗତ ଭାବରେ ୪ ବର୍ଷ ପର୍ଯ୍ୟନ୍ତ ମୁଁ ବୈଦିକ ଗଣିତ ପ୍ରଶ୍ନମଞ୍ଚରେ ରାଜ୍ୟ ସ୍ତରୀୟ ବିଜ୍ଞାନମେଳା ପର୍ଯ୍ୟନ୍ତ ମନୋନୀତ ହେଇ ଯାଇଛି । ପ୍ରତିବର୍ଷ ମୋତେ ପ୍ରଧାନଗୁରୁଜୀ ହିଁ ପ୍ରଶ୍ନମଞ୍ଚ ନିମନ୍ତେ ପ୍ରସ୍ତୁତ କରନ୍ତି । ସେହିବର୍ଷ ଠାରୁ ଆଜି ପର୍ଯ୍ୟନ୍ତ ମୁଁ କେବେ ଆଉ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିନାହିଁ କି କେବେ ଆଗ୍ରହ ମଧ୍ୟ ହେଇନି ।
– ବସୁମତୀ ସାହୁ
Comments

ବସୁମତୀ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।