ନା କାଉର କର୍କଶ ରାବ ନା କୁମ୍ଭାଟୁଆ ବଣି,
କୋଇଲିର କୁହୁକୁହୁ ସ୍ୱର, ଆଉ ତ ଶୁଭୁନି ।
ଶୁଭୁ ନାହିଁ ଆଉ ଗୋରୁ ଗୋଠ ହମା ରଡ଼ି,
ନାହିଁ ଯେ ବସନ୍ତ, ନା ଅଛି ଶୀତର କୁହୁଡ଼ି ।
ନା ବସନ୍ତର ଆମ୍ୱ ବଉଳ ନା ଗ୍ରୀଷ୍ମର ଆମ୍ୱତୋଟା,
ନାହିଁ ଯେ ଚାଳ ଛପର ସବୁଆଡ଼େ ଖାଲି ବଡ଼ କୋଠା ।
ଖାଇଲାଣି ନଦୀ ଆଉ ନାହିଁ ଯେ ପୋଖରୀ
ମିଳୁନି ଆଉ ତାଳ ସଜ, ନା ମିଳୁଛି ଖଜୁରୀ ।
ନାହିଁ ପୂଜା, ନାହିଁ ଓଷା ନାହିଁ ଯେ ହୁଳହୁଳି,
ନାହିଁ ପିଠାପଣା ଆଉ ନା ରଜର ଦୋଳି ।
ମିଳୁନି ଯେ ଗାଈ କ୍ଷୀର, ନା ଦହି ଲହୁଣି
ନା ବାଟି ଖେଳ ଆଉ ହାରିଲେ କହୁଣି ।
ନା ପାହାନ୍ତିଆ ରବି, ନା ସକାଳୁ ଗାଧୁଆ,
ଅତର ଲଗାଇ ପୁଅ ଆଜି ମିଛୁଆ ରାଧୁଆ ।
ନାହିଁ ବରଗଛ ତଳ ସନ୍ଧ୍ୟା ତାସର ଖଟି,
ନାହିଁ ଆଉ ଭାଇଚାରା ଲୋକେ ଦେଖିଯାନ୍ତି ଉଠି ।
ନାହିଁ ବୋହୂଚୋରି ନା ଖୋଖୋ ଓ ବାଗୁଡ଼ି
ପବଜି ଫିଫା ଖେଳି ପିଲା ଗଲେଣି ବିଗିଡ଼ି ।
ନା ଚାଲିଛି ଶଗଡ଼ ନା ଅଛି ମାଟି ରାସ୍ତା
ସବୁଆଡ଼େ ପକ୍କା, ପିଚୁ; ଗାଡ଼ି ହେଲାଣି ଯେ ଶସ୍ତା ।
ନାହିଁ କେଉଟର ଜାଲ ନା ଚାଲୁଛି ଆଉ ଡଙ୍ଗା,
ଇନ୍ଦିରା ଆବାସ ଆଜି ଆଉ ଘର ନାହିଁ ଭଙ୍ଗା ।
ନାହିଁ ଚୁଲି ପୋଡ଼ା ଆଳୁ ନା କନ୍ଦମୂଳ ସିଝା,
ଖାଉଛନ୍ତି ଲୋକେ ଆଜି ବର୍ଗର ଆଉ ପିଜା ।
ଆରିସା, ଏଣ୍ଡୁରି, ମଣ୍ଡା, ପୋଡ଼ ଓ କାକରା ,
ମୋମସ୍, ଚାଉମିନ୍ ଆଉ ସୋଡ଼ାଦିଆ ବରା ।
ନାହିଁ ବାଇଗଣ ପୋଡ଼ା ଆଉ ଅରୁଆ ଟମାଟୋ
ସ୍ୱିଗି, ଓବର୍ଇଟସ୍, ଫୁଡ୍ପାଣ୍ଡା ଓ ଜମାଟୋ ।
ବଡ଼ିଚୁରା, ଶୁଖୁଆ ଓ ସେ କାଳ ପଖାଳ,
କର୍ଣ୍ଣଫ୍ଲେକ୍ସ, ବ୍ରେଡ୍ରେ ଆଜି କଟୁଛି ସକାଳ ।
ବହୁଦୂରୁ ଦିଶୁଥିଲା ଗାଁ ମନ୍ଦିରର ନେତ,
ଚାରିଆଡ଼େ କୋଠାଘର ଭାଗ ଲାଗେ କ୍ଷେତ ।
ନା ଦୀପାଳିରେ ଦୀପ ନା ଫଗୁଣରେ ଫଗୁ,
ନା କାର୍ତ୍ତିକରେ ଡଙ୍ଗା ନା ନିର୍ଜଳାରେ ସାଗୁ ।
ଯୁଗ ସାଙ୍ଗେ ଚାଲିଗଲେ ଗେଣ୍ଡାଳିଆ ଉଡ଼ି,
ନା ସାମ୍ୱରେ ଖିଚୁଡ଼ି ନା ମକରରେ ଗୁଡ଼ି ।
ନାହିଁ ଆଉ ପରମ୍ପରା ନା ଅଛି ଯେ ସଂସ୍କୃତି,
ଯେତେ ଭାଇ ସେତେ ଘର ନା ପ୍ରେମ ଆଉ ପ୍ରିତି ।
ବଦଳୁଛି ଗାଁ ମୋର ହେଉଛି ସହର,
ନାହିଁ ଆଉ ପ୍ରେମ ଏଠି କେହି ନୁହେଁ କାହାର ।
– ଅଭିଜିତ୍ ସାହୁ
Comments
ଅଭିଜିତ୍ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।