ମାଣବସା ଗୁରୁବାରର ମହତ୍ତ୍ୱ

Odia Festival Manabasa Gurubarara Mahatwa (ମାଣବସା ଗୁରୁବାରର ମହତ୍ତ୍ୱ) by Nilambar Mahananda

ବଳରାମ ଦାସ କୃତ ମହାଲକ୍ଷ୍ମୀ ପୁରାଣ (ମାଣବସା ଗୁରୁବାର) ଏକ ବିଶେଷ ପୁରାଣ ଭାବରେ ଉତ୍କଳୀୟ ସଂସ୍କୃତି ପରମ୍ପରାକୁ ଆଧାର କରି ମଣିଷ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛି ଗୋଟିଏ ସୁସ୍ଥ ସୁନ୍ଦର ସମାଜ ଗଠନ ଦିଗରେ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତଙ୍କୁ ସମ ଦୃଷ୍ଟିରେ ଦେଖିବା ଓ ନାରୀ ପୁରୁଷ ଦୁଇଟି ଜାତି ଛଡ଼ା ଅନ୍ୟ ସବୁ ମଣିଷର ଭ୍ରମ ମାନସିକତା ମନ ଗଢ଼ା ବାର୍ତ୍ତା ଦେଉଥିବା କଥା କୁହା ଯାଇଛି । ଏଠାରେ ଭାବ ଭକ୍ତି, ନାରୀର ସ୍ୱାଭିମାନ, ତାର ଅଧିକାର ଏବଂ ପତି ଭକ୍ତି, ପତି ସେବା ତଥା ଅତିଥିଙ୍କୁ କିଭଳି ଭାବରେ ଅତିଥି ସଂସ୍କାର ଦେବା କଥା ଏଠାରେ ଜୀବନ୍ତ ଓ ହୃଦୟସ୍ପର୍ଶୀ କାହାଣୀ ଭାବରେ ବର୍ଣ୍ଣନା କରାଯାଇଛି ।

ଯେତେବେଳେ ମହାଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳୁଣୀର ଘରକୁ ଯିବା କଥା ଜାଣି ବଡ଼ଭାଇ ବଳଭଦ୍ର ଲକ୍ଷ୍ମୀ ଠାକୁରାଣୀ ଘଉଡ଼ାଇ ଦେବାକୁ ଆଜ୍ଞା ଦେଲେ ଓ ବଡ଼ଭାଇର ଆଜ୍ଞାକୁ ଅବଜ୍ଞା ନକରି ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ସ୍ତ୍ରୀଙ୍କୁ ଶ୍ରୀମନ୍ଦିରୁ ଘଉଡ଼ାଇ ଦେଲେ । ଏହି ସମୟରେ ମହାଲକ୍ଷ୍ମୀ ଅଭିଶାପ ଦେଇଥିଲେ କି,

“ସତେ ଯେବେ ଚନ୍ଦ୍ରସୂର୍ଯ୍ୟ ହୋନ୍ତି ଆତଯାତ ।
ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ ॥
ବାରବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ ।
ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନ ମିଳିବ ॥
ମୁହିଁ ଚଣ୍ଡାଳୁଣୀ ଯେବେ ଟେକି ଦେବି ଅନ୍ନ ।
ଭୋଜନ କରିବ ତେବେ କାଳୀୟଗଞ୍ଜନ ॥

ପରେ ମହାଲକ୍ଷ୍ମୀ ପିତା ଘରକୁ ନ ଯାଇ ନିଜେ ଅନ୍ୟଠାରେ ରହିଲେ ଏବଂ ଅଷ୍ଟ ବେତାଳଙ୍କ ଦ୍ଵାରା ଶ୍ରୀ ମନ୍ଦିର ସବୁ ସମ୍ପତ୍ତି ଆଣି ଶ୍ରୀ ମନ୍ଦିରକୁ ଶ୍ରୀହୀନ କରିଦେଲେ । ଯାହା ଫଳରେ ଦୁଇଭାଇ ଭୋକ ବିକଳରେ ଦ୍ଵାର ଦ୍ଵାରା ଭିକ୍ଷା ବୃତ୍ତି କରିବାକୁ ପଡ଼ିଲା । ପ୍ରତି ଘରେ ସେ ଦୁହିଁଙ୍କୁ ଚୋର, ପତ୍ନୀ ଛଡ଼ା, ଅଳସୁଆ ପରି କଟୁ କଥା ଶୁଣି ଖୁବ୍ ଅପମାନ ହେବାକୁ ମଧ୍ୟ ପଡ଼ିଥିଲା ।

ଶେଷରେ ସେଇ ବାଳିବନ୍ଧାପୁରେ ଯାଇ ପହଞ୍ଚି ଥିଲେ ଏବଂ ସେ ଚଣ୍ଡାଳୁଣୀ ବୋଲି ଘଉଡ଼ାଇ ଦେଇଥିବା ମହାଲକ୍ଷ୍ମୀ ଠାରେ ଶରଣାପନ୍ନ ହୋଇଥିଲେ । ମା’ ଲକ୍ଷ୍ମୀ ରୋଷେଇ କରି ଖାଇବା ପାଇଁ ପନିପରିବା ହାଣ୍ଡି ସବୁ ଯୋଗାଇ ଦେଇଥିଲେ ମଧ୍ୟ ତାହା ସମ୍ଭବ ହେଲା ନାହିଁ । ପରେ ଅତିଥି ଭାବରେ ଦୁଇ ଭାଇଙ୍କୁ ଘରକୁ ଡାକି ନୂଆ ବସ୍ତ୍ର, ନୂଆ ପଇତା ପୁଷ୍ପ ମାଳା ଦେଇ ଅତିଥ୍ୟ ପ୍ରଦାନ କଲେ ଆଉ ନିଜ ହାତରେ ଷାଠିଏ ପଉଟି ରାନ୍ଧି ପରିଷିଥିଲେ ।

ଜଣେ ନାରୀ ବିନା ଜଣେ ପୁରୁଷର ସ୍ଥିତ କେମିତି ହୋଇପାରେ ଏଠାରେ ବର୍ଣ୍ଣନା କରାଯାଇଛି । ନାରୀଙ୍କ ସ୍ୱାଭିମାନ ଓ ଅଧିକାର ପାଇବା ପାଇଁ ମହାଲକ୍ଷ୍ମୀ କେମିତି ନିଜେ ତାଙ୍କର ବୁଦ୍ଧି ବଳରେ ଦୁଇ ଜଣଙ୍କୁ ଦ୍ଵାର ଦ୍ଵାର ବୁଲେଇ ଥିଲେ ଓ ଶେଷରେ ନାରୀ ବିନା ପୁରୁଷ ଏକା ରହିବା ଅସମ୍ଭବର ବାର୍ତ୍ତା ବଳରାମ ଦାସ ମଣିଷ ସମାଜକୁ ଦେଇଥିଲେ । କିନ୍ତୁ, ଆଜି ମଧ୍ୟ ମଣିଷ ସମାଜରେ ସେ ନାରୀ ବାରମ୍ବାର ପ୍ରତ୍ୟେକ ଜାଗାରେ ଅପମାନ, ବଳାତ୍କାର, ଦୁଷ୍କର୍ମରେ ଶିକାର ହେଉଛି ଆମ୍ଭେ ଶିକ୍ଷିତ ବୋଲାଇ ମଧ୍ୟ ନାରୀ ପ୍ରତି ଖରାପ ଆଚରଣ ପ୍ରଦର୍ଶନ କରୁଚେ ଏହାହିଁ ସବୁଠାରୁ ଖରାପ କାର୍ଯ୍ୟ । ମାଟି ପିତୁଳାକୁ ମା’ ଲକ୍ଷ୍ମୀଙ୍କ ପ୍ରତିରୂପ ଭାବରେ ପୂଜା କରୁଛୁ କିନ୍ତୁ ନାରୀ ରୂପେ ନାରାୟଣ ଏକଥା ଭୁଲି ଯାଉଛେ …!

– ନୀଳାମ୍ବର ମହାନନ୍ଦ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...