ହେ ଆଧୁନିକତାର ବଶବର୍ତ୍ତୀ ମଣିଷଗଣ
ତୁମେ କେବେ ପରଖି ଦେଖିଛ କି???
ମାତୃ ହୃଦୟର ବ୍ୟଥାବେଦନାକୁ
ଯିଏ ଦଶମାସ ଦଶଦିନ
ଗର୍ଭରେ ଧରି
ପ୍ରସବର ଅହେତୁକ ଯନ୍ତ୍ରଣା ସହି
ତୁମକୁ ଏ ଦୁନିଆର ଆଲୋକ ଦେଖାଏ !?
ଯିଏ ନିଜର ଛାତି ଚିରି ତୁମକୁ ଅମୃତ ପାନ କରାଏ
ଯିଏ ତା’ର ପଣତ କାନିରେ ତୁମ ଲୁହକୁ ପୋଛେ
ନିଃସ୍ୱାର୍ଥପରଭାବେ ତୁମର ସେବା କରେ
କିନ୍ତୁ ପ୍ରତିବଦଳରେ ତାକୁ କ’ଣ ମିଳେ ଜାଣିଛ କି??
ବୟସର ଅପରାହ୍ନରେ ଯେବେ ସିଏ ଥକିଯାଏ
ସିଏ ତୁମପାଇଁ ବୋଝ ପାଲଟି ଯାଏ
ଏମିତିକି ତୁମ ପ୍ରାସାଦ ସମ ଗୃହରେ
ତା’ ରହିବା ପାଇଁ ଗୋଟିଏ କୋଣର ବି ଅଭାବ ପଡ଼େ
ଶେଷରେ ସହରର ଅନତି ଦୂରରେ ଥିବା
ଜରାଶ୍ରମ ପାଲଟିଯାଏ ତା’ ଠିକଣା ।
ଆଉ ଆଜି ପାର୍ବଣର ପର୍ବରେ ତୁମେ
ମାଟିର ପ୍ରତିମାକୁ ନାନା ବିଭୂଷଣରେ ସଜାଇ
ଦେବୀରୂପେ ପୂଜା କରୁଛ
କିନ୍ତୁ ତୁମେ ଭୁଲିଯାଉଛ
ଦେବୀରୂପୀ ସେଇ ଚଳନ୍ତି ପ୍ରତିମାର ସତ୍ତାକୁ
ଯା’ର ଶୁଷ୍କ ଜରାଶୀର୍ଣ୍ଣ ଶରୀରର
ସୂଷ୍ମ କଅଁଳ ହୃଦୟରେ
ଆଜି ବି ଲୁଚି ରହିଛି
ତୁମପାଇଁ ଅନାବିଳ ସ୍ନେହ
ଆଉ ଭଲପାଇବାର ଗନ୍ତାଘର ।
– ଡା. ରାଜକୁମାରୀ ବେହେରା
Comments

ଡ. ରାଜକୁମାରୀ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।