ଲେଖିବାକୁ ଦିଅ…

Lekhibaku Dia

ଲେଖିବାକୁ ଦିଅ
ମୋତେ ଲେଖିବାକୁ ଦିଅ କବିତା ଦି ଧାଡ଼ି
ଯନ୍ତ୍ରଣାମାନଙ୍କର ଲୁହରେ
ଭିଯିବାକୁ ଦିଅ ଶବ୍ଦର ଆଖିକୁ !
ଚାଖିବାକୁ ଦିଅ ଲୁହର ଲୁଣିଆ ସ୍ୱାଦକୁ
ଲକ୍ଷେ ଦୁଃଖର ପ୍ଲାବିତ ଧାରରେ
ଭାଷିବାକୁ ଦିଅ ଶବ୍ଦକୁ !
ମେଞ୍ଚା ମେଞ୍ଚା ଭୋକ ପେଟର କଷ୍ଟକୁ
ଖାଇବାକୁ ଦିଅ ଶବ୍ଦକୁ
ଖାଲି ଦେହରେ ଶହି ଯାଉଥିବା
ତମାମ ମାଘର କାକର ସ୍ପର୍ଶକୁ
କମଲ୍ କରି ଘୋଡେ଼ଇ ହେବାକୁ ଦିଅ ଶବ୍ଦର ଦେହକୁ !
ସୂର୍ଯ୍ୟର ଛାଇରେ ଦେହ ସେକୁଥିବା ଚମଡ଼ାର
ରୁକ୍ଷ ପଣକୁ ତେଲ କରି ମାଖିବାକୁ ଦିଅ ତାକୁ
ଚିନ୍ତା ପାହାଡ଼ର ଉଚ୍ଚତା କେତେ
ଚଢ଼ିବାକୁ ଦିଅ ଶବ୍ଦକୁ !
ଅଣନିଶ୍ୱାଶି ହେବାକୁ ଦିଅ ସେ
ଅମ୍ଳଜାନ ଶୂନ୍ୟ ଦୁନିଆରେ
ପରିଶ୍ରମର ଆଶୀର୍ବାଦକୁ
ଅମଳ ପୂର୍ବରୁ ପ୍ରକୃତିର ତାଣ୍ଡବ ନୃତ୍ୟରେ
ଉଜାଡ଼ୁଥିବା ପାଦର ଦମ୍ ଦମ୍ ପ୍ରହାରକୁ
ସହିବାକୁ ଦିଅ ଶବ୍ଦର ଛାତିକୁ !
ଋଣର ବୋଝରେ ତମାମ ରାତିର
ନିଦକୁ ଖୋଲା ଆଖିରେ ଶୋଇବାର ମର୍ମନ୍ତୁକ
କଷ୍ଟକୁ କଜଳ କରି ମାଖିବାକୁ ଦିଅ ଶବ୍ଦକୁ !
ଶେଷରେ ଦଉଡ଼ିର ଫାସକୁ ବର୍ଣ୍ଣମାଳା କରି
ମୃତ୍ୟୁ ସାଥେ ବିବାହ ରଚିବାର ମୁହୂର୍ତ୍ତକୁ
ଛଟପଟ ହୋଇ ବଞ୍ଚିବାର ଭିକ୍ଷାରେ
ମିଳୁଥିବା ମୃତ୍ୟୁର ଭିକକୁ
ଗଣ୍ଠିଲିରେ ବାନ୍ଧିବାକୁ ଦିଅ ଶବ୍ଦକୁ !
ଆଜି ମୋତେ ଲେଖିବାକୁ ଦିଅ
ଲେଖିବାକୁ ଦିଅ କବିତା ଦି’ଧାଡ଼ି
ଯନ୍ତ୍ରଣା ମାନଙ୍କ ଲୁହରେ
ଭିଯିବାକୁ ଦିଅ ଶବ୍ଦର ଆଖିକୁ !

– ତପନ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...