ତାକୁ ଦେଖ !
ଆଉ ଦେଖିବାକୁ ଚେଷ୍ଟାକର
ତା’ର ସେଇ ଭଗ୍ନାବଶେଷକୁ
ଯେଉଁଠି ଖାଲି ମୁଠାଏ ମୁଠାଏ
ମରୀଚିକା ସଜାଏ ତା’ ମୁହାଣରେ
ପାହାନ୍ତି କାକର ବୁନ୍ଦା ଉପରେ
ସୁନୀଳରୁ ସ୍ୱର୍ଣ୍ଣାଭ ସକାଳ ।
ଖୋଜ !
ଆଉ ତତ୍ପର ହୁଅ,
ଦେଖିବ ଝଲସି ଉଠିବ
ଧରମା ଲୀନ ହୋଇଥିବା ସେଇ
ରଥାକୃତି କୋଣାର୍କର ପ୍ରାଙ୍ଗଣର
ଅସଜଡ଼ା ମରୁଭୂମିର
ଭିଟା ରଣ ହୁଙ୍କାର ॥
ଆହାଃ…
କେଡ଼େ ମନୋହର ତା’ର
ଚିତ୍ରପଟ୍ଟରେ ଭରି ରହିଥିବା
ସେହି ନର, ନାରୀ, ଦେବତା
ମାନଙ୍କ ଅସ୍ତିତ୍ୱ ତିଆରି
ଚଳନ୍ତି ଖପୁରି ଭିତରେ
ଲୁଚିରହିଥିବା ବିଶୁମହାରଣାଙ୍କ
ବଟାଳିରେ ଖୋଦିତ ବାର ଶହ ବର୍ଷ କଥା ।
ହଁ ମୁଁ ଇତିହାସ…
ସମସ୍ତଙ୍କ ମନରେ ଆଙ୍କେ
ତମାମ୍ ଅତୀତଗୁଡ଼ିକୁ ବିଦ୍ରୋହୀର
ଆହ୍ୱାନ ଦେଇ,
ତମର କ’ଣ ମନେ ନାହିଁ?
ଧର୍ମକୁ ଆଗକୁ ନେଇ
ଖଣ୍ଡ ବିଖଣ୍ଡିତ କରିଥିଲା
ସେ ନିର୍ଲଜ, ବ୍ୟଭିଚାରୀ
ମିମାଂସୀ ପୁରୁଷ
ଯାହାର ନାଁ କଳା ପାହାଡ଼ !
ଦେଖୁନ !
ସେ ତ ଅଛି ଆଜିବି ଅଛି
ସେମିତି ମୁଣ୍ଡଟେକି
ପିଠି ତ ଡେରିନି କାହା କାନ୍ଧରେ,
ତଥାପି ଆମକୁ ଦେଖାଉନି
ତା’ ଲଜ୍ଜିତ ହେବାର ରୂପ ॥
ଧିକ୍ ଆମ ଜୀବନ !!
ଲାଜ ଲାଗେ ଆଜି
କୋଣାର୍କ କହେ ଇତିହାସ ॥
– ଦେବେନ୍ଦ୍ର ସେଠୀ
Comments
ଦେବେନ୍ଦ୍ର ସେଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।