ନବ ବିବାହିତା ବଧୂଟି ମୁଣ୍ଡରେ ଓଢ଼ଣା ଦେଇ ଚୁପ୍ ଚାପ୍ ବସି ରହିଛି ବୈଠକ ଖାନାରେ । ପାଖ ପଡ଼ୋଶୀ ସମ୍ପର୍କୀୟମାନେ ତାକୁ ଦେଖିବାକୁ ଆସୁଛନ୍ତି । କିଏ କେତେ ପ୍ରକାରର ଟିପ୍ପଣୀ ଦେଇ ଚାଲିଛନ୍ତି । ସେ ଉଚ୍ଚ ଶିକ୍ଷିତା, ପୁଣି ପିଲାଟି ଦିନରୁ ସ୍ପଷ୍ଟବାଦିନୀ । ଠିକ୍ କଥାରେ ସେ ଠିକ୍ ଜବାବ ଦିଏ । ହେଲେ ବାପା ଆଉ ମାଆ ତାକୁ ବୁଝାଇ କରି କହିଛନ୍ତି ସବୁ କ୍ଷେତ୍ରରେ ଏମିତି ସ୍ପଷ୍ଟ କଥା କହିବା ଉଚିତ ନୁହେଁ । ଶାଶୁ ଘରେ ବିଶେଷତଃ ମାପିଚୁପୁ ଚଳିବାକୁ ହେବ । ସେ ଓଢ଼ଣା ଭିତରେ ଭାବି ଚାଲିଛି କାହିଁକି ସମସ୍ତେ ସେଇ ଗୋଟିଏ ଅବାନ୍ତର ପ୍ରଶ୍ନ ତାକୁ ପଚାରି ଚାଲିଛନ୍ତି । ଯୌତୁକରେ ସେ କ’ଣ କ’ଣ ସବୁ ଆଣିଛି । କେହି ତ ଜଣେ ପଚାରୁ ନାହିଁ ତୁ କ’ଣ କ’ଣ ସବୁ ଛାଡ଼ି କରି ଆସିଚୁ । ବାପାମାଆ, ସାଙ୍ଗସାଥୀ, ଭାଇଭଉଣୀ, ଦାଦାଖୁଡ଼ୀ, ସେମାନଙ୍କ ସ୍ନେହ ମମତା… କି ଖରାପ ମାନସିକତା ସତରେ ଏମାନଙ୍କର !!!
“ଆଉ କ’ଣ କ’ଣ ସବୁ ଯୌତୁକରେ ଆଣିଛୁ ଲୋ ବୋହୂ… କିଛି କହୁନୁ କାହିଁକି?”
“କହିବ କ’ଣ ବା… କିଛି ସେମିତି ଖାସ୍ ଯୌତୁକ ଆଣିଥିଲେ ସିନା ଗର୍ବର ସହିତ କୁହନ୍ତା ।”
“ତା’ ବାପା ମା’ କେମିତି ତାକୁ ଖାଲି ହାତରେ ବିଦା କରିଦେଇଛନ୍ତି କେଜାଣି…! ଲାଜ ନା ସରମ !”
“ବିନା ଯୌତୁକରେ କିଏ କ’ଣ କେବେ ଆସେ?”
ଏମିତି ସବୁ ଟିପ୍ପଣୀରେ ସେ ଅତିଷ୍ଠ ହୋଇଉଠିଲା । ଆଉ ଚୁପ୍ ରହି ପାରିଲା ନାହିଁ । ଓଢ଼ଣା ଖୋଲି ଦେଇ କହିଲା, “କିଏ କହିଲା ମୁଁ କିଛି ଖାସ୍ ଯୌତୁକ ଆଣି ନାହିଁ ବୋଲି? ଆଣିଛି… ଗୋଟିଏ ଦାମୀ ଷ୍ଟୋଭ୍… ଗୋଟିଏ ଗ୍ୟାସ ଚୁଲା… କିରୋସିନୀ ତେଲ ଗ୍ୟାସ ସିଲିଣ୍ଡର… ଗ୍ୟାରେଣ୍ଟେଡ଼୍ ଗ୍ୟାସ ଲାଇଟର୍ ଆଉ ଡର୍ଜନେ ଦିଆସିଲି… ଗୋଟିଏ ନବ ବିବାହିତାକୁ ଜାଳି ପୋଡ଼ି ଦେବା ପାଇଁ ଯେତିକି ନିହାତି ଦରକାର… ସେତିକି । ଆପଣମାନେ ପ୍ରତିଦିନ ଆସି ମୋ ଶାଶୁଶଶୁରଙ୍କ ମନରେ ଏମିତି ଚିନ୍ତାଧାରା ଭରି ଦିଅନ୍ତୁ… ଯେମିତି ଏ ଖାସ୍ ଯୌତୁକ ଶୀଘ୍ର କାମରେ ଲାଗିଯାଏ ।”
ଏତକ କହିଦେଇ ସେ ଚାଲିଗଲା ତା ରୁମ୍କୁ । ସେମାନେ ଜଳଜଳ କରି ତା’ ଯିବା ବାଟକୁ ଚାହିଁ ରହିଥିଲେ ଚକିତ ଭରା ନୟନରେ ।
ମୂଳହିନ୍ଦୀ- ବାଳକୃଷ୍ଣ ଗୁପ୍ତା
ଅନୁସୃଜନ- ବିନୟ କୁମାର ଦାସ
Comments
ବିନୟ କୁମାର ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିବା ସହ ଅନ୍ୟାନ୍ୟ ଭାଷାର ରଚନାରୁ ଅନୁବାଦ କରିଥାନ୍ତି ।