କଥାଟିଏ କହୁଁ… କଥାଟିଏ

Odia Poem Kathatie Kahun Kathatie (କଥାଟିଏ କହୁଁ... କଥାଟିଏ) by Manoj Kumar Tripathy

ଜଙ୍ଗଲ ନିଆଁ ହୁ ହୁ ହେଇ ମାଡ଼ିଚାଲିଥିଲା ପାହାଡ଼ରୁ ପାହାଡ଼କୁ । ଜଳିଯାଉଥିଲେ ବଣର ଗଛ, ତରୁ, ଲତା, ଫୁଲ, ଫଳ ଆଉ ତା’ ଭିତରେ ରହୁଥିବା ଜୀବଜନ୍ତୁ । ଆଧାଜଳା ଥୁଣ୍ଟା ଗଛଟିଏରେ କପୋତୀଟିଏ ବସିଥିଲା ଲୁହଭରା ଆଖିରେ । ତା’ ଆଖି ଆଗରେ ତା’ ସ୍ଵପ୍ନସବୁ ଜଳି ପୋଡ଼ି ପାଉଁଶ ହେଇଯାଉଥିଲା । ଏତିକିବେଳେ କପୋତଟିଏ କାହୁଁ ଉଡ଼ିଆସି କପୋତୀ ପାଖରେ ବସିଲା । ଦୂର ପାହାଡ଼ରେ ତା’ ସଂସାର ବି କେବେଠୁଁ ଜଳି ସାରିଥିଲା, କିନ୍ତୁ ଦାରୁଣ ନିୟତି ତା’ ଲୁହଧାର ସବୁକୁ ଶୁଖେଇ ଦେଇଥିଲା । କପୋତୀର ଲୁହ ଦେଖି କପୋତ ନିଜ ଦୁଃଖ ଭୁଲି ଯାଇ କପୋତୀର ମୁହଁରେ ହସ ଆଣିବା ଚେଷ୍ଟାରେ ଲାଗିଗଲା । ଥଣ୍ଟରେ ଥଣ୍ଟକୁ ଘଷିଲା, କଞ୍ଚା ଅଧାଜଳା ଡାଳଟିଏ ଆଣି ପାଖରେ ରଖିଲା, ବର୍ଷା ଆସିଲେ ନିଆଁ ଲିଭି ଯାଇ ନୂଆ ପତ୍ର କଅଁଳିବ ବୋଲି ବୁଝେଇଲା । କପୋତୀ ଧୀରେ ଧୀରେ ନିଜ ଦୁଃଖ ଭୁଲି କପୋତର ସାଥି ହେବ ବୋଲି ସ୍ଥିର କଲା । ଦୁହେଁ ସୁଖ ଦୁଃଖର ସାଥି ହୋଇ ଦିନ କାଟିଲେ, ଏକାଠି ଖାଇଲେ, ଏକାଠି ଉଡ଼ି ବୁଲିଲେ; ଦୁଇ ଶରୀର କିନ୍ତୁ ଏକ ପ୍ରାଣ ହୋଇ । ଏମିତିରେ ଗ୍ରୀଷ୍ମ ସରିବାକୁ ଲାଗିଲା । ବର୍ଷା ଆସିବା ଆଗରୁ କପୋତ କହିଲା ନୀଡ଼ ସଜାଡ଼ିବାକୁ ହେବ । ଦୂର ପାହାଡ଼କୁ ଯାଇ ମୁଁ ଡାଳ ଲତା ନେଇ ଆସିବି । କିଛି ଦିନ ଲାଗିବ । ବ୍ୟସ୍ତ ହେବୁନି । ମୁଁ ଫେରିବି । ଫେରିବି, ଆମ ଭବିଷ୍ୟତର ପ୍ରସ୍ତୁତି ନେଇ । କପୋତୀ ପ୍ରାଣ ଅଜଣା ଭୟରେ ଥରି ଉଠିଲା । କପୋତ ସାହସ ଦେଲା ଆଉ ଶୀଘ୍ର ଫେରି ଆସିବା କଥା ଦେଇ, ଉଡ଼ିଗଲା ଦୂର ଦିଗବଳୟ ଆଡ଼କୁ । ନୀଡ଼ ସାଜ ସଂଗ୍ରହରେ କପୋତ ମଜ୍ଜିଗଲା । ଲକ୍ଷ୍ୟ କେବେଳ ଗୋଟିଏ; କପୋତୀ ସହିତ ଏକ ସୁଖର ସଂସାର । ଏଣେ କପୋତୀ ମନ ଅଥୟ ହେଲା । କପୋତ ବି କପୋତୀର ବେଦନାକୁ ବୁଝୁ ବୁଝୁ ଗାଉଥିଲା;

କେତେ ଦୂରେ ଚନ୍ଦ୍ର
କେତେ ଦୂରେ କୁମୁଦିନୀ
ପ୍ରୀତି ଅଭେଦ ତାଙ୍କର
ଯେତେ ଦୂରେ ଥିଲେ
ଯେ ଯାହାର ସେ ତାହାର ।

ବର୍ଷା କାଳ ପ୍ରବେଶୁ ପ୍ରବେଶୁ କପୋତ କପୋତୀ ପାଖକୁ ଫେରି ଆସିଲା । ଧୀରେ ଧୀରେ ଅଳ୍ପ ଅଳ୍ପ ସବୁଜିମା ଚାରିପଟେ ଦେଖା ଯାଉଥିଲା । କପୋତକୁ ଦେଖି କପୋତୀ ଖୁସିରେ ଅଧୀର ହେଲା, ଉଡ଼ି ବୁଲିଲା, ନାଚିଲା, ଗାଇଲା;

ତୁମେ ଯଦି ସାଥି ମୋର
ନିଅ ମୋତେ ଭୁଲାଇ
ମିଠା ମିଠା ନିଶାରେ ଗୋ
ଦେବି ମୁଁ ହଜାଇ ।

କପୋତ ସାଥୀକୁ ପାଇ ଅନ୍ଧ ଦୃଷ୍ଟି ପାଇଲା ଭଳି ଖୁସି ହେଲା । କିନ୍ତୁ କେଜାଣି କାହିଁକି ଏକ ଅଜଣା ଭୟରେ ତା’ ଅନ୍ତର ବ୍ୟାକୁଳ ହେଲା । ଯେଉଁ କପୋତୀ ତା’ ବିନା କେବେ ନୀଡ଼ ବାହାରକୁ ଦେଖୁ ବି ନଥିଲା ଆଜି ସେ ଘେରାଏ ଉଡ଼ି ଆସୁଛି । ଭିତରେ ଭିତରେ ସଂଶୟ, କପୋତ ପ୍ରାଣକୁ ଅଥୟ କଲା । ଅହେତୁକ ଭୟ ଆଉ ଅଜଣା ଆଶଙ୍କାରେ କପୋତୀର ଉଡ଼ା ବୁଲା, ତା’ ଆଖିରେ ଅଲଗା ଲାଗିଲା । ଏକ ବିଶ୍ଵସ୍ତ ସାଥି ହରେଇବା ଭୟ, କପୋତ ଭିତରକୁ ଭୁଣପରି ଖାଇଚାଲିଲା । ଏଣେ କପୋତୀ ମଧ୍ୟ କପୋତର ଅସୁରକ୍ଷାକୁ ବିଶ୍ଵାସ ନିକିତିରେ ମାପିବାକୁ ଲାଗିଲା । ଯେଉଁ କପୋତୀ କପୋତ ଦିନେ ସାତ ଜନ୍ମର ସାଥି ହେବାକୁ ଗଣ୍ଠି ବାନ୍ଧିଥିଲେ, ସାତ ଦିନର ବିଚ୍ଛେଦ ସେମାନଙ୍କ ସାତ ସପନକୁ ସାତ କ୍ଷଣରେ ଭାଙ୍ଗିଦେଇ ଚାଲିଗଲା । ସନ୍ତପ୍ତ କପୋତ ଭାଙ୍ଗି ପଡ଼ି କପୋତୀକୁ ପୁଣି ଭଙ୍ଗା ନୀଡ଼ ସଜାଡ଼ି ଦେବାକୁ ଅନୁନୟ ବିନୟ ହେଲା । କପୋତୀ କହିଲା, “ଶୁଣ, ନୀଡ଼ ବାନ୍ଧିବା ଏକ ସ୍ଵପ୍ନ, ଉଡ଼ିଯିବା ବାସ୍ତବତା ।” ଦୂର ଆକାଶରେ ମେଘ ଆଖିରୁ ପାଣି ଢାଳୁଥିଲା… ଛମ୍ ଛମ୍ ଛମ୍ ଛମ୍ ଛମ୍ ଛମ୍

– ମନୋଜ ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...