– ଲୀନା, ଲୀନା, ଲୀନା
ଆରେ ସୁମି, ଲୀନା କୁଆଡ଼େ ଗଲା? କେତେବେଳୁ ଡାକପକଉଛି ଅଥଚ ସୋର ଶବଦ କିଛି ବି ନାହିଁ ।
– ପଢ଼ା ଘରେ ଦେଖିବ ଯାଅ । ଅଲିଅଳି କନ୍ୟାରତ୍ନ ତମର ସକାଳ ପହରୁ ମୁହଁ ଶୁଖେଇ ବସିଛି ଯେ, ଉଁ କି ଚୁଁ କିଛି ବି ନାହିଁ । ତମେ ବାପ–ଝିଅ ବୁଝାବୁଝି ହୁଅ ।
ପଢ଼ାଘରେ ଲୀନା ଆଉ ତା‘ ବାପା ଅଭିଜିତ ସାମନ୍ତରାୟ । କାନ୍ଦି କାନ୍ଦି ମୁହଁଟା ଫୁଲି ଯାଇଛି । ବାପାଙ୍କୁ ଦେଖି ଆଖିର ଲୁହଟା ପୁଣିଥରେ ବନ୍ଧ ଭାଙ୍ଗିଲା । ହେଙ୍କା ଉଠେଇ କହିଲା, “ଆଜି ପ୍ରତ୍ୟୁଷ ସବୁ ସମ୍ପର୍କ ଭାଙ୍ଗି ଦେଲା । ତା‘ ଘର ଲୋକ ମତେ କେବେ ବି ନିଜର କରିବେନି । ମୁଁ ବ୍ରାହ୍ମଣ ନୁହଁ ନା । ଆଉ ତା‘ ପାଇଁ ଖାଲି ତା‘ ବାପା, ମା‘ ବଡ଼ ।“
ଆଉ କିଛି ବୁଝିବାରେ ବାକି ନଥିଲା । ପ୍ରତ୍ୟୁଷ ମିଶ୍ର । ତା‘ ସହ ଲୀନାର ସମ୍ପର୍କ ଦୀର୍ଘ ଛଅ ବର୍ଷର । ହେଲେ ଭବିଷ୍ୟତ କିଏ ବା ଦେଖିଛି । ଯୋର କରି ତ‘ ଆଉ ବାନ୍ଧି ହବନି । ଖାଲି ମୁଣ୍ଡ ଆଉଁସି ଶୁଆଇଦେବା ଛଡ଼ା ଆଉ ବା କ‘ଣ କରିପାରି ଥା‘ନ୍ତେ ଅଭିଜିତ । କିନ୍ତୁ ମନଟା ତାଙ୍କର ସତେ ଯେମିତି ଚାଲିଗଲା ତିରିଶ ବର୍ଷ ପଛକୁ, ଶ୍ରୀଯୁକ୍ତ ସାମନ୍ତରାୟ ହୋଇ ।
ଏମିତି ଗୋଟେ ଦିନ ଅନି ଦଉଡ଼ି ଆସିଥିଲା ଆଖିରେ ଆଖିଏ ଲୁହ ନେଇ । ପାଞ୍ଚ ବର୍ଷ ସମ୍ପର୍କର ମୂଲ୍ୟ ପଚାରି ବସିଥିଲା । ବିଚାରି ଜାଣିନଥିଲା ସମୟ ଢେଉରେ କେତେବେଳେ ଅଭିଜିତ, ଶ୍ରୀଯୁକ୍ତ ସାମନ୍ତରାୟକୁ ପରିବର୍ତ୍ତିତ ହୋଇସାରିଥିଲା । ପାଞ୍ଚ ବର୍ଷର ସମ୍ପର୍କ ଗୋଟିଏ ଶବ୍ଦରେ ଭଟ୍ଟା ପଡ଼ିଯାଇଥିଲା । ଅନିର ନାଁ‘ଟା ଅନିନ୍ଦିତା ସାହୁ ଥିଲା ଯେ । ମା‘ ତ ସଫାସଫା କହି ଦେଇଥିଲା, “ମୋ ରୋଷେଇ ଘରେ ଅଜାତି ଝିଅର ପାଦ ପଡ଼ିବନି ।” ବାପା ତ‘ ଅଡ଼ି ବସିଥିଲେ, ଗୋଟିଏ ଦିନରେ ସବୁ ଫଇସଲା କରିବା ପାଇଁ । ଅଜାତିରେ ବାହା ହେଲେ କାଳେ ଚାରିକାନ୍ଧ ମିଳିବନି ପରା । ମୋ‘ ହାତରୁ ପାଣି ପାଇବେନି । ମୁଁ ବି ତ‘ ମୁଖା ପିନ୍ଧି ଖେଳିଥିଲି । ନାଁ‘କୁ ଖାଲି ଅନିଟା ଜାତିରେ ଯାଉନି, କିନ୍ତୁ ସତ ଥିଲା, ସୁମିତ୍ରା ନାଁରେ ଥିବା ସମ୍ପତ୍ତିର ଲୋଭ ଅନିର ଭଲପାଇବାକୁ ଦଳି ଦେଇଥିଲା ।
ଆଜି ବି ସେ ଦିନ ଭାସି ଆସୁଛି । ଅନି ଆଖିରେ ଆଖି ମିଶେଇ ପାରୁ ନ ଥିଲି । ମୁହଁ ପୋତି ଘରର ଶେଷକଥା ଶୁଣେଇଦେଲି । ଅସଲ କଥାଟା କୋଉ ମୁହଁରେ ବି କହିଥାଆନ୍ତି । ବିନା ଶବ୍ଦରେ ଆସିଥିଲା ସେ ମୋ ଜୀବନକୁ । କହିବା ପାଇଁ ଶବ୍ଦ ଲୋଡ଼ା ନଥିଲା । ସେ କିନ୍ତୁ ସେଦିନ ପ୍ରଶ୍ନବାଣ ଗୁନ୍ଥି ଦେଇ ଚାଲିଗଲା । “ଚାରି ବର୍ଷର ସମ୍ପର୍କ କ‘ଣ କେବେ ଗୋଟେ ଦିନରେ ଭାଙ୍ଗିଯାଏ? ତମ ବାପା, ମା‘ଙ୍କୁ ତମ ଅପେକ୍ଷା ଆଉ କିଏ ଭଲରେ ଜାଣିଛି? କ‘ଣ ଜାଣି ନଥିଲ, ପରିବାର ପାଇଁ କେବେ ଝଡ଼ ସୃଷ୍ଟି ହବ? ନା ସବୁ ଜାଣିଶୁଣି ମୋତେ ସମୟ ଅତିକ୍ରାନ୍ତର ଏକ ମାଧ୍ୟମ ଭାବିନେଲ । ଯିଏ ଜନ୍ମ କରିଛନ୍ତି, ତାଙ୍କୁ ଦୁଃଖ ଦେଇ ପାରିବନି, କିନ୍ତୁ ନିଜ ଜାତି ଅହଂକାର ପାଇଁ ଆଉ କାହାର ବିଶ୍ୱାସକୁ ଭାଙ୍ଗି ଦେଇପାରିବ ।“
କର୍ମଫଳ ଯେମିତି ହଜିଲା ଘରକୁ ଫେରି ଆସିଛି । ଲୀନାର ପାଦକୁ ବୋଧେ ପ୍ରତ୍ୟୁଷର ରୋଷେଇ ଘର ସହି ପାରିବନି କି ତା‘ ଛାଇ ପଡ଼ିଲେ ଚାରି କାନ୍ଧ ମିଳିବନି । ଅନିର ଲୁହଟା, ଲୀନା ଆଖି ଦେଇ ବୋହି ଯାଉଛି । ଅତୀତ ଆଜି ଅଭିଜିତର ଜୀବନକୁ ସତେ ଯେପରି ଝୁଣି ଖାଉଛି ।
– ଆଭା ପ୍ରଧାନ
Comments
ଆଭା ପ୍ରଧାନ ତାଙ୍କ ଛୋଟବେଳୁ ସାହିତ୍ୟ ପ୍ରତି ଅଧିକ ଆକର୍ଷିତ ଥିଲେ । ବିଭିନ୍ନ ପ୍ରକାରର ରଚନା ରହିଛି ତାଙ୍କର । ପାଠକମାନେ ସବୁବେଳେ ତାଙ୍କର ଲେଖାରେ ଥିବା ନିଜର ପଣିଆକୁ ସବୁବେଳେ ପସନ୍ଦ କରିଆସିଛନ୍ତି ।