ସହରର ଆଧୁନିକତାରୁ ଖୁବ ଦୂରରେ ବିଚିତ୍ରପୁର ଗାଁ । ପାଠପଢ଼ୁଆ ଯେ କିଛି କମ୍ ଅଛନ୍ତି ଗାଁରେ ସେମିତି ନୁହେଁ, କିନ୍ତୁ ତାଙ୍କ ପାଠର ଆଧୁନିକତା ଏ ଯାଏ ତାଙ୍କ ଗାଁକୁ ସ୍ପର୍ଶ କରିପାରିନି । ଏ ଗ୍ୟାସ, ବିଜୁଳି ଆଲୁଅର ଯୁଗରେ ବି ସନ୍ଧ୍ୟା ହେଲେ ଗାଁରୁ ଭାସି ଆସେ ଘଷି ଧୁଆଁ ଆଉ ବାଦାମ ତେଲର ମିଶମିଶି ବାସ୍ନା । ବିଜୁଳି ଆଲୁଅର ଏଇ ଅଛି ଏଇ ନାହିଁର ଲୁଚକାଳି ଭିତରେ ଲଣ୍ଠନ ନିଜ ଅସ୍ତିତ୍ୱ ହରେଇବ କ’ଣ ଆହୁରି ଦୃଢ଼ ହେଇଚି ।
ସେଇ ଗାଁ’ର ପିଲା କୁମୁଦ ଆଉ ବିରେନ । ବାପାମାଆଙ୍କର ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନୁହେଁ । ଛାତ୍ରବୃତ୍ତି ପାଇ ସୁଦୂର ସହରରେ ପ୍ରଯୁକ୍ତିବିଜ୍ଞାନରେ ଅଧ୍ୟୟନରତ । ପିଲାଟି ଦିନରୁ ଏଇ ଗାଁରେ ବଡ଼ ହୋଇଛନ୍ତି ସେମାନେ । ବହୁତ ଆଶା ତାଙ୍କର ଗାଁକୁ ସୁଧାରିବା ନେଇ । ପ୍ରଥମ ଏବଂ ସବୁଠାରୁ ବଡ଼ କାମ ହେଲା ଗାଁ ପୋଖରୀ, ମାନେ “କଇଁ ପୋଖରୀ” ବିଷୟରେ ଥିବା ଅନ୍ଧବିଶ୍ୱାସକୁ କେମିତି ଲୋକଙ୍କ ମନରୁ କାଢ଼ି ଫିଙ୍ଗିବେ ।
ଆଗରୁ ଗାଁରେ ପ୍ରଧାନ ପାଣିର ଉତ୍ସ ଥିଲା ଏଇ କଇଁ ପୋଖରୀ । ସରକାରଙ୍କ ବିଭିନ୍ନ ଯୋଜନା ପାଇ ଗାଁରେ ଚାରି ପାଞ୍ଚଟି ନଳକୂପ ହେଲା ପରେ କଇଁ ପୋଖରୀ ବର୍ତ୍ତମାନ ପ୍ରାୟ ଉପେକ୍ଷିତ । କହିବାକୁ ଗଲେ ପୋଖରୀ ପରିତ୍ୟକ୍ତ ହେବାରୁ ଲୋକ ଶାନ୍ତିରେ ନିଶ୍ୱାସ ମାରିଲେ ।
କିନ୍ତୁ କାହିଁକି???
କାରଣ ହେଲା ତା’ ପଛରେ ଥିବା ଭୟଙ୍କର କିମ୍ୱଦନ୍ତୀ, ଜଳଯକ୍ଷର କାହାଣୀ । କୁଆଡ଼େ ସନ୍ଧ୍ୟା ନଇଁଲେ କଇଁ ପୋଖରୀ ଅଶରୀରିଙ୍କ କ୍ରୀଡ଼ାଭୂମି ହେଇଯାଏ । ଅନେକ ଜଳ ଜକ୍ଷୀନି ସେଠୁ ବାହାରି ଆସି କୂଳରେ ବସନ୍ତି । ପୋଖରୀର ପାଣି ସୁନା ପରି ଚମକିବାକୁ ଲାଗେ । କୂଳରେ ଗଦା ହେଇଯାଏ ବିଭିନ୍ନ ଧନ ରତ୍ନ, ହୀରା ନିଳା, ମୋତି ମାଣିକ୍ୟ । ଆଉ ଯିଏ ତା’ ଲୋଭରେ ପଡ଼ିଲା ସେ ଗଲା । ଗାଁର ନିରୀହ ଲୋକ ୟାକୁ ଖୁବ ମାନନ୍ତି ତେଣୁ ସନ୍ଧ୍ୟା ହେଲେ ସେପଟେ କାଉ କୋଇଲି ବି ବୋବାଏନି ।
କୁମୁଦ ଓ ବିରେନ କିନ୍ତୁ ଏସବୁ ବିଶ୍ୱାସ କରନ୍ତନି, ସେ ଜାଣନ୍ତି ସେ ପାଣିକୁ ଯଦି ଜମିରେ ମଡ଼ା ଯିବ ଏ ଅଦିନିଆ ମରୁଡ଼ିକୁ ଗାଁ ଲୋକେ ଆରାମରେ ପାର୍ କରିପାରିବେ । କାରଣ ଗୋଟିଏ ବିଶେଷତ୍ୱ କଇଁ ପୋଖରୀ କେବେ ଖାଲି ହୁଏନି । ଅକାତକାତ ପାଣି ସେଥିରେ । କିନ୍ତୁ ଏ ଅନ୍ଧବିଶ୍ୱାସ ଯୋଗୁଁ ନା ସେ ପାଣିର ବ୍ୟବହାର କରୁଛନ୍ତି ଲୋକ, ନା କାହାକୁ କରିବାକୁ ଦେଉଛନ୍ତି ।
ଅତୀତରେ କୋଉ ଦୁଇ ଚାରିଜଣ ବୁଡ଼ି ମରିଯାଇଥିବା ଦୁଃଖକୁ କାହାଣୀ ରୂପେ ସଜେଇ ଏବେ ବି ଅନ୍ଧବିଶ୍ୱାସର ଘେରରେ । ସମସ୍ତଙ୍କ ଚିନ୍ତା ଧାରା ବଦଳେଇବାକୁ ଦୁଇ ସାଙ୍ଗ ପୋଖରୀ ପୁନରୁଦ୍ଧାରରେ ଲାଗିପଡ଼ିଲେ । ଘରେ ଆଉ ଗାଁର ସମସ୍ତେ ମନା କରୁଥାନ୍ତି । କିନ୍ତୁ ସେମାନେ ଜିଦ୍ରେ ଅଟଳ ।
ପଢ଼ିଥିବା ପାଠ ଯଦି କାମରେ ନ ଲାଗିଲା ପୁଣି ନିଜ ଗାଁର ଉନ୍ନତିରେ ତେବେ ପାଠର କ’ଣ ଲାଭ । ଏପଟେ ରହି ରହି ମନରେ ଲୋଭ ବି ଟିକେ ଟିକେ ଆସୁଥାଏ ଧନ ରତ୍ନର ଗୁଜବ ଶୁଣି ଶୁଣି । କାଳେ କିଛି ପୋତା ଧନ ମିଳିଯିବ । ତା’ ଉପରେ ନିଜର ଯୁବାରକ୍ତ ବି ଧାରାରୁ ଅଲଗା ଯାଇ ସେମାନଙ୍କୁ କିଛି ନୂଆ କରିବାକୁ ଉଦ୍ବୁଦ୍ଧ କରାଉଥାଏ ।
ଗାଁ ଲୋକ କେହି ସହଯୋଗ ନକରିବାରୁ, ଶେଷରେ ଦୁଇ ସାଙ୍ଗ ସହରରୁ ଲୋକ ଡକେଇ ପୋଖରୀ ସଫା କରେଇବାର ଦାୟିତ୍ୱ ଦେଲେ । ସବୁ ଦଳ ସଫା ହେବା ସଙ୍ଗେ ସଙ୍ଗେ ପୋଖରୀରୁ ବହୁତ ମାଛ ଧରା ପଡ଼ିଲେ । ଗାଁ ଲୋକ ଯକ୍ଷ ସମ୍ପତ୍ତି କହି ମାଛକୁ ହାତ ବି ଲଗେଇଲେନି । ବାଧ୍ୟ ହେଇ ସଫେଇ କର୍ମଚାରୀମାନେ ଅତି ଖୁସିରେ ସବୁତକ ମାଛ ନେଇ ଗାଁରୁ ଫେରିଗଲେ ।
କୁମୁଦ ଆଉ ବିରେନ ଖୁସିରେ ଆତ୍ମହରା ହେଇ ପଡ଼ୁଥାନ୍ତି । ଏତେ ସୁନ୍ଦର ପୋଖରୀଟିକୁ ପୁନରୁଦ୍ଧାରକରି ପାରିଥିବାରୁ । କଇଁ ପୋଖରୀରେ କାଚକେନ୍ଦୁ ପରି ପାଣି ଝଲସୁଥାଏ । ଦୁହେଁ ସେଇଠି ବସି ଗପୁ ଗପୁ ସଞ୍ଜ ନଇଁ ଆସିଲା । କୁମୁଦ ରହି ରହି ଘରକୁ ଫେରିଯିବା ପାଇଁ ବିରେନକୁ ବାଧ୍ୟ କରୁଥାଏ । ସକାଳୁ ଏଠି ଜଗି ଜଗି ତାକୁ ଥକା ବି ଲାଗୁଥାଏ । କିନ୍ତୁ ବିରେନ ଆଉ ଟିକେ ସମୟ ବସିବାକୁ ଜିଦ୍ କଲା, ସେମାନେ ସେଇଠି ପାଣିରେ ଗୋଡ଼ ବୁଡ଼େଇ ବସିଥାନ୍ତି । ଆରାମ ଲାଗୁଥାଏ ।
ଅଚାନକ ବିରେନକୁ ତା’ ପାଦ କିଏ ସୁଲସୁଲ କରିବା ପରି ଲାଗିଲା, କ’ଣ ଭାବି ତଳକୁ ଦେଖିଲା ବେଳକୁ କିଛି ଗୋଟେ ତାକୁ ଟାଣିନେଇ ଭୁସ୍ କରି ପାଣି ଭିତରେ ପକେଇଦେଲା । କୁମୁଦ ବିରେନକୁ ପାଣିରୁ ଟାଣିବା ବେଳେ ହାଲୁକା ଅନ୍ଧାରରେ ଏକ ଝିନ ବସ୍ତ୍ର ପାଣି ଭିତରେ ଅଦୃଶ୍ୟ ହେଇଯିବାର ଦେଖିଲା । ତାକୁ ଟିକେ ଛାନିଆ ଲାଗିଲା । ବିରେନ ପାଣିରୁ ବାହାରିବା ପରେ ସେମାନେ ତରତର ହେଇ ଘରକୁ ଫେରିଲେ । ଗାଁ ପାଖ ହେଇ ପଛକୁ ବୁଲି ପୋଖରୀ ଆଡ଼େ ଦେଖିବା ବେଳକୁ ସେ ସ୍ଥାନଟି ଯେମିତି ନିଆଁ ଜଳିବା ପରି ଉଜ୍ଜ୍ୱଳ ଦିଶୁଥାଏ । କୁମୁଦ ଟିକେ ଶଙ୍କିତ ହେଇ ଯାଇଥାଏ । ତାକୁ ଲାଗୁଥାଏ ସେମାନେ କିଛି ଭୁଲ କରିଦେଇଛନ୍ତି । ହୁଏତ ଗାଁରେ ଚାଲୁଥିବା ସବୁ ଲୋକକଥା କିମ୍ୱଦନ୍ତୀ ସତ ବି ହେଇଥାଇପାରେ । ହୁଏତ କଇଁ ପୋଖରୀରେ ସତରେ ଯକ୍ଷ ରହୁଥିବେ ।
ବିରେନ କିନ୍ତୁ ବହୁତ ଖୁସି ଥାଏ ଆଉ ଆଗାମୀ କାଲି ପାଇଁ ପ୍ରସ୍ତୁତି ଚଲେଇଥାଏ । କେମିତି ସନ୍ତରଣ କରିବ ସେଇଠି, ମାଛ ଧରିବ ଏମତି ଯୋଜନା ସବୁ ଗଢ଼ୁଥାଏ । ଘରକୁ ଫେରି କ୍ଳାନ୍ତ ଦୁଇସାଙ୍ଗ ଖାଇ ପିଇ ଶୋଇପଡ଼ିଲେ । ରାତିସାରା ବିରେନ ଖାଲି ପାଣି ପାଣି ବାଉଳେଇ ହେଉଥାଏ । କୁମୁଦ ଭୟାର୍ତ୍ତ ହୋଇ ତା’ ଆଡ଼େ ଦେଖୁଥାଏ । ନିଦ ଆଖିରୁ ହଜାର କୋଶ ଦୂରରେ ।
ପରଦିନ ସକାଳୁ ସକାଳୁ ପୁଣି ସେମାନେ ପୋଖରୀକୁ ବାହାରି ପଡ଼ିଲେ । ଅଧାବାଟ ଯାଇଛନ୍ତି କୁମୁଦର ଫୋନ୍ ବାଜିଲା, ଆର ପାଖରୁ କିଛି ଶୁଣି କୁମୁଦ ହାତରୁ ମୋବାଇଲଟି ତଳେ ଖସି ପଡ଼ିଲା । ବିରେନ ଆଶ୍ଚର୍ଯ୍ୟ ହେଇ ଫୋନ୍ ଉଠେଇ ଶୁଣିଲା ବେଳକୁ ସେପଟୁ ତାଙ୍କୁ ପୋଖରୀ ସଫା କରିବାକୁ ଲୋକ ଜୁଟେଇଥିବା ମ୍ୟାନେଜର କହୁଥାଏ, କାଲି ସେମାନେ ଫେରୁଥବା ଓ ମାଛ ବୋଝେଇ ହେଇଥିବା ଗାଡ଼ିଟି ଏକ ଟ୍ରକ ସହ ଧକ୍କା ହେଇ ସବୁ ମୂଲିଆ ଆଉ କର୍ମଚାରୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟ କଥା ସେଠି କେବଳ ମୃତ ଶରୀରଗୁଡ଼ିକ ମିଳିଲା ଗୋଟିଏ ମଧ୍ୟ ମାଛ ସେଠି ପଡ଼ି ନଥିଲା ।
ପୋଖରୀଟି ସତରେ ଯକ୍ଷ ଅଧୀନରେ ଅଛି ସାର୍ । ସେଠି ତୁରନ୍ତ କାମ ବନ୍ଦ କରିଦିଅନ୍ତୁ, ଅଭିଶପ୍ତ ସେ ଜାଗା ।
କୁମୁଦ ଭୀଷଣ ଡରି ଯାଇଥାଏ, ବିରେନକୁ କହୁଥାଏ ଆମେ ଭୁଲ କରିଦେଲେ, ଚାଲ ଏବେ ଏଇଠି କାମ ବନ୍ଦ କରିଦେବା । ଆମ ପୂର୍ବପୁରୁଷ ବହୁତ ଜ୍ଞାନୀ ସେମାନେ ବୃଥାରେ ଏମତି ହିଁ ଏ ପୋଖରୀକି ପରିତ୍ୟକ୍ତ ଛାଡ଼ି ନଥିବେ । ବିରେନ କିନ୍ତୁ ଚିଡ଼ି ଉଠିଲା ଏ କଥା ଶୁଣି କହିଲା, “ତୋର ଇଚ୍ଛା ଅଛି ଯଦି ଆସ ନହେଲେ ମୁଁ ଏକା କରିବି । ମାଛ ଏତେ ସମୟ ରାସ୍ତାରେ ପଡ଼ିଲେ ଚୋରି ହେଇଯିବନି, ଯେତେ ସବୁ ବାଜେ କଥା ।” କୁମୁଦ ହତାଶ ହେଇଗଲା ସେ ନିଜ ପ୍ରିୟବନ୍ଧୁକୁ କୌଣସି ମତେ ହରେଇବାକୁ ଚାହୁଁ ନଥିଲା । ତେଣୁ ଅନିଚ୍ଛା ସତ୍ୱେ ପାଦ ଘୋଷାରି ପୋଖରୀ ଆଡ଼େ ଆଗେଇଲା ।
ଦିନ ସାରା ବିରେନ ପୋଖରୀ ପାଖ ପ୍ରକଳ୍ପ ନକ୍ସା ପ୍ରସ୍ତୁତିରେ କାଟିଦେଲା କୋଉଠି ପମ୍ପ ଆଉ ପାଇପ ସବୁ ଲାଗିବ ସେ ଏକା ଏକା ବୁଲି ବୁଲି ନିରୀକ୍ଷଣ କରୁଥାଏ । କୁମୁଦ କିନ୍ତୁ ସେଇଠି ହୁଡ଼ାରେ ଚୁପ ହେଇ ବସି ରହିଲା, ତା’ର ଉତ୍ସାହ ସମ୍ପୂର୍ଣ୍ଣ ଭାବେ ମରି ସାରିଥାଏ ।
ସଞ୍ଜ ନଇଁ ଆସିଲା ତ କୁମୁଦ ବିକଳ ହେଇ ବିରେନକୁ ଘୋଷାଡ଼ୁଥାଏ ଘରକୁ । ବାଧ୍ୟ ହେଇ ସେ ସବୁ ବନ୍ଦ କରି ଘରକୁ ବାହାରିଲା । ଦଶ ପାହୁଣ୍ଡ ଯାଇଛନ୍ତି ଏକ ବିକଳ ଚିତ୍କାର ଶୁଣି ଦୁଇ ବନ୍ଧୁ ପଛକୁ ଚାହିଁଲେ । କେହି ଜଣେ ପାଣି ଭିତରେ ଛଟପଟ ହେଉଥାଏ ଆଉ କିଏ ଜଣେ ଯେମିତି ତାକୁ ପାଣି ଭିତରକୁ ଟାଣୁଥାଏ । କୁମୁଦ ବିରେନ ବ୍ୟସ୍ତ ହେଇ ଦୌଡ଼ିଲେ, ପାଣି ଭିତରୁ ଉଦ୍ଧାର ହେଲା ପନ୍ଦର ଷୋହଳ ବର୍ଷର ଝିଅଟିଏ । ପେଟରେ ପାଣି ପଶି ଅଚେତ ହେଇଯାଇଥାଏ । ସେମାନେ ଚାରିଆଡ଼େ ଦେଖିଲେ ଆଉ କେହି ସାଙ୍ଗରେ ନାହାଁନ୍ତି ତେଣୁ ସେମାନେ ଅତର୍ଛ୍ୟା ତାକୁ ଗାଁକୁ ବୋହି ଆଣିଲେ ।
ଗାଁକୁ ପଶୁ ପଶୁ ଦେହୁରୀ ଅଜା ମୁହାଁମୁହିଁ ହେଇଗଲେ । ସେ ଝିଅ କିଏ ବୋଲି ପଚାରିଲେ । ଏମାନେ ସବୁ କହିବାରୁ କହିଲେ ତାକୁ ତୁରନ୍ତ ସେଇଠି ଛାଡ଼ି ଦେଇଆସ । ସେ ସେଇଆ ନୁହେଁ ଯାହା ତମେ ଭାବୁଛ । କୁମୁଦ ଚୁପ ରହିଲା କିନ୍ତୁ ବିରେନ ଚିହିଁକି ଉଠିଲା, ଅଜା ତମ ଅନ୍ଧବିଶ୍ୱାସ ଏବେ ଆଉ ଜଣଙ୍କ ପ୍ରାଣ ନେବ । ଛାଡ଼ ମୋତେ । ଏତିକି କହି ସେ ଝିଅକୁ ଧରି ନିଜ ଘରକୁ ଦୌଡ଼ିଲା । ମା’ ସବୁ ଶୁଣିଲେ, ବିରେନ ଡରରେ ଝିଅଟିର ସେବାରେ ଲାଗିଲେ, କିନ୍ତୁ ତାଙ୍କ ଆଖିରୁ ଡର ସ୍ପଷ୍ଟ ଦିଶୁଥାଏ ।
ଝିଅଟି ସେମିତି ଅଚେତ ଥାଏ । ବିରେନ ରାତିରେ ଉଠି ଥରକୁ ଥର ତାକୁ ଦେଖୁଥାଏ । ଅନିନ୍ଦ୍ୟ ସୌନ୍ଦର୍ଯ୍ୟରେ ଭରପୁର ପରୀ ପରି ଝିଅଟିଏ ତାଙ୍କ ଗାଁର ତ ନୁହେଁ ବୋଲି ସେ ଜାଣିଥିଲା । ତେବେ କିଏ ସେ? ଚେତା ଆସିଲେ ଜାଣିବାକୁ ଅପେକ୍ଷା କରିଥାଏ । ପରଦିନ ସକାଳୁ ଝିଅଟି ବିଛଣାରେ ଉଠି ବସିଥାଏ ମାଆ ସହ । ମା’ ତାକୁ କ’ଣ ସବୁ ଖାଇବାକୁ ଦେଇଥାଏ ସେ ଖାଉନଥାଏ ।
ବିରେନ ତାକୁ ତା’ ଘର କୋଉଠି ଆଉ ଛାଡ଼ିଆସିବାକୁ ଜିଜ୍ଞାସା କଲା । ସେ କହିଲା ସେ ସାବତ ମା’ ଅତ୍ୟାଚାରରେ ଅତିଷ୍ଠ ହେଇ ଆତ୍ମହତ୍ୟା କରିବାକୁ ଆସିଥିଲା ଆଉ ସେ ସେଇଠିକୁ ଫେରିବନି । ଏବେ ସେ ଅଲଗା ଜାଗାକୁ ଚାଲିଯିବ । କିନ୍ତୁ ବିରେନ ମନରେ ତା’ ପାଇଁ ଏକ ଆକର୍ଷଣ ଆସି ସାରିଥାଏ । ତେଣୁ ସେ ତା’ ମାଆକୁ ଅନୁରୋଧ କଲା ତାଙ୍କ ଘରେ ତାକୁ ଆଶ୍ରୟ ଦେବାକୁ । ମା’ ଟିକେ ସଙ୍କୁଚିତ ହେଇ ଅଳ୍ପ ଦିନ ପାଇଁ ହଁ କରିଲେ ।
ବିରେନ ଆଉ କୁମୁଦ ଏବେ ପୋଖରୀ କାମ ପାଇଁ ଘରୁ ବାହାରିଗଲେ । ଦିନ ସାରା ତାଙ୍କର ସେଇ କାମରେ ବିତୁଥାଏ । ଏପଟେ ଗାଁରେ ହଠାତ ଏକ ଭୟଙ୍କର ବିଭୀଷିକା ଆରମ୍ଭ ହେଇ । ସାରିଥାଏ ।
ପ୍ରତିଦିନ କାହାର ନା କାହାର ଗୁହାଳରେ ଗୃହପାଳିତ ପଶୁ ଆଉ କୁକୁଡ଼ାମାନେ ଅତି ବିଭତ୍ସ ଭାବରେ ରକ୍ତାକ୍ତ ଓ ମୃତ ଅବସ୍ଥାରେ ମିଳୁଥିଲେ ।
କଇଁ ପୋଖରୀ ଯୋଗୁଁ ସବୁ ହେଉଛି ବୋଲି ଗ୍ରାମବାସୀ ବିରେନଙ୍କୁ ତା’ କାମରେ ବିରୋଧ କରିବା ଆରମ୍ଭ କରି ଦେଇଥିଲେ । ପୋଖରୀ ସହ ଲାଗିବାରୁ ଏ ଅବସ୍ଥା ବୋଲି ତାକୁ ଦାୟୀ କରି ପୋଖରୀ କାମ ସମ୍ପୂର୍ଣ୍ଣ ବନ୍ଦ କରେଇଦେଲେ । ହେଲେବି ଏ ବିଭୀଷିକା ଥମୁ ନଥାଏ । ସବୁଦିନ ମୃତ୍ୟୁ ତା’ ବିଭୀଷିକା ରଚୁଥାଏ ଗାଁ ଭିତରେ ।
ଏ ହତାଶା ଭିତରେ କିନ୍ତୁ ଆଶା କିରଣ ଥିଲା ପୋଖରୀରୁ ମିଳିଥିବା ଝିଅଟି ଯିଏକି ପୂରା ଗାଁର ପ୍ରିୟ ହେଇ ଯାଇଥାଏ । ସମସ୍ତଙ୍କର ଝିଅ ହେଇ ସାରିଥାଏ ସେ । ଭଲମନ୍ଦ ସବୁଥିରେ ତାକୁ ଡାକ । ଗାଁ ସାରା ଯୁବକ ତା’ ଆକର୍ଷଣରେ ବନ୍ଧା ପଡ଼ି ସାରିଥାନ୍ତି । ସମସ୍ତଙ୍କୁ ସାହାଯ୍ୟ କରିବାରେ, ଭଲ ପାଇବାର ଝିଅଟି ଅଦ୍ୱିତୀୟ ଥିଲା । ବିରେନ ନିଜ କାମ ବନ୍ଦ ହେଇଯିବା ପୁଣି ତା’ ଉପରେ ସେ ଝିଅ ବି ହାତରୁ ଖସିବା ରାଗରେ ଖାଲି ରକ୍ତ ଚାଉଳ ଚୋବାଉଥାଏ ।
ଦିନେ ରାତିରେ ସେ ଏମତି ବିଛଣାରେ ନିଦ ନହେବାରୁ ଛଟପଟ ହେଉଥାଏ, ତାକୁ ଅଗଣା କବାଟ ଖୋଲିବା ଶବ୍ଦ ଶୁଭିଲା । ଲୁଚି ଝରକା ଫାଙ୍କରେ ଦେଖିବା ବେଳକୁ ଉକ୍ତ ଝିଅଟି ଆସ୍ତେ କବାଟ ଆଉଜାଇ ବାହାର ବାଡ଼ି ଆଡ଼େ ଯାଉଥାଏ ।
ବିରେନ କୌତୁହଳରେ ତା’ ପିଛା କଲା, ଦେଖିବା ବେଳକୁ ଝିଅଟି ପାଖ ନୀତି ମାଉସୀଙ୍କ କୁକୁଡ଼ା ଭାଡ଼ି ଯାହାକୁ ସେ ସକାଳେ ମାଉସୀଙ୍କ ସହ ମିଶି ତିଆରି କରିଥିଲା ତା’ରି ଉପରେ ଠୁଙ୍କା ମାରି ବସିଛି । ଆଉ ଗୋଟିଏ ଗୋଟିଏ କୁକୁଡ଼ା ସେଥିରୁ କାଢ଼ି କଞ୍ଚା ରଡ଼ ରାଡ଼ ଚୋବେଇ ଚାଲିଛି । ବିରେନ ଭୟରେ ସ୍ତବ୍ଧ ହେଇଗଲା ।
ଦୁଇ ମିନିଟ ବି ସେଇଠି ରହି ପାରିଲାନି, ସିଧା ଘର ଭିତରକୁ ଦୌଡ଼ିଲା । କିଛି ସମୟ ଉତ୍ତାରୁ ଝିଅଟି ରକ୍ତମୁଖା ହେଇ କବାଟ ଖୋଲି ଅଗଣାକୁ ଫେରିଲା । ତା’ ଦେହ ସାରା ରୂପା କାତି ପରି ଜହ୍ନ ଆଲୁଅରେ ଝଟକୁ ଥାଏ । ଆଉ ବେକରେ ଏକ ବିରାଟ ମାଣିକ୍ୟ ହାର ଝୁଲୁଥାଏ । ଦେହରେ କିଛି ବସ୍ତ୍ର ବିନ୍ୟାସ ବି ନଥାଏ । ଅସମ୍ଭବ ଭୟାନକ ସେ ରୂପ । ବିରେନ ଡରି ଚୁପଚାପ ଘୋଡ଼େଇ ହେଇ ଶୋଇପଡ଼ିଲା ।
ପରଦିନ ସକାଳୁ ସେ ଝିଅ ତାକୁ ଦେଖି କେମିତି ଏକ ରହସ୍ୟମୟ ହସ ଫିଙ୍ଗୁଥାଏ, ଯେପରି ସେ ଜାଣି ସାରିଥାଏ ଯେ ବିରେନ କ’ଣ ଦେଖିଚି । ବିରେନ ଯାହାକୁ ଅନ୍ଧବିଶ୍ୱାସ କହୁଥିଲା ତା’ର ଚାକ୍ଷୁସ ପ୍ରମାଣ ପାଇ ସାରିଥାଏ । ବାହାରକୁ ସାମାନ୍ୟ ଦେଖେଇ ହେଇ, ଖାଇ ସାରି ଦେହୁରୀ ଅଜାଙ୍କ ଘରକୁ ଚୁପଚାପ ବାହାରିଗଲା ଆଉ ତାଙ୍କୁ ସବିଶେଷ ବିସ୍ତାରରେ ଜଣେଇଲା ।
ସେ କହିଲେ, “ଯାହାକୁ ଡରି ଏତେ ଦିନ ପୋଖରୀ ପରିତ୍ୟକ୍ତ ହେଇ ପଡ଼ିଥିଲା ତାକୁ ତୁ ନିଜେ ଗାଁ ଭିତରକୁ ଡାକି ଆଣିଛୁ । ଏବେ ମୋତେ କିଛି ବ୍ୟବସ୍ଥା କରିବାକୁ ପଡ଼ିବ କିନ୍ତୁ ଅତ୍ୟନ୍ତ ସତର୍କତାର ସହିତ । ଯେମିତି ସେ ଯକ୍ଷିନୀକୁ କିଛି ଜଣା ନ ପଡ଼ିବ । ତାର କିଛି ପ୍ରିୟ ଜିନିଷ ତମକୁ ଆଣିବାକୁ ପଡ଼ିବ ଯାହାକୁ ଆମେ ପୋଖରୀରେ ପକେଇ ଦେବା ଆଉ ସେ ତାକୁ ଆଣିବାକୁ ଗଲେ ପୁନଃ ତାକୁ ସେଇଠି ବନ୍ଦୀ କରିଦେବା । ଆଜି ଅମାବାସ୍ୟା । ଆଜି ହିଁ ସେ କାମ ସମ୍ପନ୍ନ କରବାକୁ ପଡ଼ିବ ।” ଏତିକି ବେଳେ ବିରେନ ସେ ବିରାଟ ମାଣିକ୍ୟ ହାର କଥା ଦେହୁରୀ ଅଜାଙ୍କୁ ଜଣେଇଲା । ଅଜା ସେଇ ମାଣିକ୍ୟ କୌଶଳରେ ଆଣି ପୁଷ୍କରିଣୀରେ ପକେଇ ଦେବାକୁ କହିଲେ ।
ବିରେନ ରାତିରେ ସେ ଝିଅ ଅଗୋଚରରେ ହାର ନେଇ ଅଜାଙ୍କୁ ଦେବାକୁ ବାହାରିଲା । କିଛି ରାସ୍ତା ଯାଇଛି ତା ପଛରେ ଦ୍ରୁତ ଗତିରେ କେହି ଜଣେ ଦୌଡ଼ୁଥିବାର, ସରସର ଶବ୍ଦ ଆସୁଥିବାର ଅନୁଭବ କରିଲା ।
ପଛକୁ ଚାହିଁବାକୁ ଯାଉଛି ଅଜା ପାଖ ଗଛ ପଛରୁ ତା’ ହାତ ଧରିନେଇ ଏକ ବଳୟ ମଧ୍ୟକୁ ଟାଣିନେଲେ । ପଛକୁ ଚାହିଁଲେ ବଞ୍ଚିବା ଅସମ୍ଭବ କହି ତା’ ଦେହରେ ଏକ ମନ୍ତ୍ରିତ ଓଁ ତାବିଜ ଗଳେଇ ଦେଲେ ।
ବିରେନ ଅଜାଙ୍କ ଛାତିରେ ଆଉଜେଇ ହେଇ ମନ୍ତ୍ରିତ ବଳୟ ବାହାରକୁ ଦେଖିଲା ବେଳକୁ ରଡ଼ ନିଆଁ ପରି ଧପ ଧପ ଜଳୁଥିବା ଆଖି, ଓ ଅତି ବିଭତ୍ସ ରୂପ ନେଇ ସେଇ ଝିଅରୂପୀ ଯକ୍ଷଟି ଚିତ୍କାର କରୁଛି । ଅଣ୍ଟା ତଳକୁ ଦେହ ନା ସର୍ପ ନା ମୀନ, କିନ୍ତୁ ମିଶା ମିଶି ଏକ ଅଦ୍ଭୁତ ରୂପ । ବିରେନ ଭୟରେ ମୂର୍ଚ୍ଛା ଯିବା ଉପରେ । ଦେହୁରୀ ଅଜା କହିଲେ, “ଇଏ ଜଳ ଯକ୍ଷ ଓ ଯକ୍ଷିନୀ ମଣିଷକୁ ପାଇଲେ ଧନ, ରୂପ ସୌନ୍ଦର୍ଯ୍ୟର ଫାଶରେ ପକେଇ ନିଜ ଭୋକ ମେଣ୍ଟାନ୍ତି । ଆମ ପୂର୍ବଜ ଏହି ଭୟାନକ ପିଶାଚମାନଙ୍କ ପାଖେ ଅନେକ ଥର ଫସିବା ପରେ ଏ ଜଳାଶୟକୁ ମନ୍ତ୍ରିତ କରି ପରିତ୍ୟାଗ କରିଦେଇଥିଲେ । ଏବେ ତୁ ଆସି ସବୁ ଭାଙ୍ଗି ଏମାନଙ୍କୁ ପୁନଃ ଜାଗ୍ରତ କରିଦେଇଛୁ । ଏବେ ସକାଳଯାଏ ଆମେ ଏଇଠି ଅପେକ୍ଷା କରିବା, ସକାଳ ହେଲେ ସେ ଶକ୍ତିହୀନ ହେଇଗଲେ ଏ ମାଣିକ୍ୟ ହାର ସେଇ ପୁଷ୍କରିଣୀରେ ପକେଇ ଦେଲେ ସେ ସେଠାକୁ ଫେରିଯିବ ଓ ମୁଁ ପୁନଶ୍ଚ ସେ ପୁଷ୍କରିଣୀକୁ ମନ୍ତ୍ରିତ କରି ବନ୍ଦୀ କରିଦେବି ।”
ବିରେନ ଅପରାଧ ବୋଧରେ ସବୁ ଚୁପଚାପ ଶୁଣୁଥାଏ । ବଳୟ ଚାରି ପାଖରେ ଭୋକିଲା ବାଘୁଣୀ ପରି ସେ ଯକ୍ଷିନୀ ବୁଲୁଥିବା ଦେଖି ସକାଳଯାଏ ସେ ବଞ୍ଚି ପାରିବ ସେ ଆଶା ତା ମନରୁ ଛାଡ଼ି ଦେଇଥାଏ । କିନ୍ତୁ ଅଜା ତାକୁ ସାନ୍ତ୍ୱନା ଦେଉଥାନ୍ତି ଯେ ମୁଁ ଅଛି ଡରନା । କିଛି ସମୟ ପରେ ସିନ୍ଦୁରା ଫାଟି ଆସିଲା କ୍ଷଣି ସେ ଯକ୍ଷିନୀ ସେଠୁ ଅନ୍ତର୍ଧ୍ୟାନ ହେଇଗଲା । ଅଜା କିନ୍ତୁ ବିରେନକୁ ଜାବୁଡ଼ି ଧରିଥାନ୍ତି କାରଣ ସେ ଜାଣନ୍ତି ସେମାନେ ଖୁବ ମାୟାବୀ । ପୂର୍ଣ୍ଣ ସୂର୍ଯ୍ୟୋଦୟ ନିଶ୍ଚିତ ହେବା ପରେ ଓ ଜଣେ ଜଣେ ଗ୍ରାମବାସୀ ସେଆଡ଼କୁ ଆସୁଥିବା ଦେଖି ଦୁହେଁ ବଳୟ ବାହାରକୁ ଆସିଲେ । ଅଜା ତାଙ୍କର ବାକି କାର୍ଯ୍ୟ ଓ ବନ୍ଦୀକରଣ ସାରିବା ପରେ, ତା’ ଗାଆଁ ଯେ ସୁରକ୍ଷିତ ଭାବି ବିରେନ ଟିକେ ଆଶ୍ୱସ୍ତ ହେଲା ।
ପୁଷ୍କରିଣୀ ଆଉ ତା’ ଚାରିପାଖରେ ଖେଳେଇ ହେଇଥିବା ତା’ର ଅର୍ଧ ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଲୁହ ଭର୍ତ୍ତି ଆଖିରେ ଶେଷ ବିଦାୟ ଦେଇ ଅଜାଙ୍କ ସହ ଗାଁ ଆଡ଼କୁ ମୁହଁଇଲା । ସେତେବେଳକୁ ଏକ ନୂତନ ସକାଳର ସୂର୍ଯ୍ୟକିରଣ ପଡ଼ି ପୁଷ୍କରିଣୀ ଜଳ ସୁନା ପରି ଝଟକୁଥିଲା । ଅତଳ ଗଭୀର ଜଳ ଭିତରେ ଏବେ ବି କେହି ଜଣେ ଝିନ ବସ୍ତ୍ର ପିନ୍ଧି ସନ୍ତରଣ କରୁଥିବାର ସ୍ପଷ୍ଟ ଦିଶୁଥିଲା ।
– ସୌମ୍ୟା ରଥ
Comments
ସୌମ୍ୟା ପ୍ରିୟଦର୍ଶିନୀ ରଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରିଥାନ୍ତି । ସେ ମୁଖ୍ୟତଃ ଭୂତ ଗପରେ ଲୋକପ୍ରିୟତା ଅର୍ଜନ କରିଛନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହେବା ସହିତ ପାଠକୀୟ ଆଦୃତି ଲାଭ କରିଛି । ସେ ଭୂତ ଗପ ବ୍ୟତୀତ ପ୍ରେମ ଭର ଗପ ତଥା ସାମାଜିକ ଚଳଣୀକୁ ନେଇ କିଛି କିଛି କ୍ଷୁଦ୍ର ଗପ ମଧ୍ୟ ରଚନା କରିଥାନ୍ତି ।