ଶିଳ୍ପପତି ଦୁର୍ଗମାଧବଙ୍କ ପତ୍ନୀ, ଚୌଧୁରୀ ଏଣ୍ଡ ସନ୍ସ ଇଷ୍ଟେଟର ମାଲିକାଣି ଋତୁପର୍ଣ୍ଣ। ଚୌଧୁରୀ । ହଠାତ ଦିନେ ମତେ ଫୋନ କଲେ ।
– “ହ୍ୟାଲୋ ସାର, ଗୁଡ଼ ଇଭିନିଂ । ମୁଁ ଋତୁପର୍ଣ୍ଣ। ଚୌଧୁରୀ କହୁଛି ।”
– “ହଁ ମାଡମ କୁହନ୍ତୁ ।”
– “ମୁଁ ସେ ଫାଇଲ ପାସ୍ କରିବା ପାଇଁ ଫୋନ କରିନି । ଫାଇଲ ପାସ୍ ହେଲା ହେଲା ନ ହେଲା ନାହିଁ । କାଲି ସଣ୍ଡେ ଅଛି । ଆପଣ ଆମ ରେସ୍ ଆଡେ ଟିକେ ଆସିପାରିବେ କି? କହିଲେ ଗାଡ଼ି ପଠେଇଦେବି ।”
ନା କହିବାର ଶକ୍ତି ନଥିଲା । ଏଡ଼େ ବଡ଼ ଲୋକ ।
– “ହଁ, ପଠେଇବେ ।”
– “ଠିକ ଅଛି ସକାଳ ନ’ଟାରେ ଗାଡ଼ି ପଠେଇବି ।”
ପରଦିନ ଠିକ ସମୟରେ ଗାଡ଼ି ଆସିଲା ମୁଁ ଯାଇଁ ପହଞ୍ଚିଲି ତାଙ୍କ ଘରେ । ଘର ନୁହଁ ତ ରାଜଉଆସ । ଭିତରକୁ ପଶୁପଶୁ ମତେ ଲାଗିଲା କୋଉ ଇନ୍ଦ୍ରପୁରୀକୁ ଆସିଛି ମୁଁ । କୌଣସି ଭୁଲଭୁଲେୟାରେ ପଶିଲେ ଅବସ୍ଥା ଯାହା ଠିକ ସେମିତି ମଣିଷ ୟା ଭିତରେ ବାଟ ଭୁଲିଯିବ । ମୋ ଅବସ୍ଥା ଠିକ ସେମିତି ।
ଚୌଧୁରୀ ମାଡମ ଦେଖି ବସିବାକୁ କହିଲେ ।
– “କ’ଣ ନବ । ଥଣ୍ଡା ନା ଗରମ?”
– “ନା ଥାଉ ।”
– “ହଁ ମୋ’ ଡାକିବାର ଉଦେଶ୍ୟ, କାଲିଠୁ ଚାକିରୀ ଛାଡ଼ିଦିଅ । କାଲିଠୁ ମୁଁ ତମକୁ ଦୁଇଗୁଣ ଦରମା ଦେବି ।”
ମନେମନେ ଭାବିଲି ଏ ମହିଳାଜଣଙ୍କ କ’ଣ କହୁଛନ୍ତି । କେଡ଼େ କଷ୍ଟରେ ସରକାରୀ ଚାକିରୀ ଖଣ୍ଡେ ପାଇଛି । ମତେ କହୁଛନ୍ତି ଚାକିରୀ ଛାଡ଼ିଦେ ।
– “ବିଶ୍ୱାସ ହଉନି ବୋଧେ । ଦୁଇ ଗୁଣ ଦରମା ଗୋଟିଏ ବର୍ଷର ଅଗ୍ରୀମ ଦଉଛି । ବାକି କଣ୍ଟ୍ରାକ୍ଟ ସାଇନ୍ ହେଲେ ମାସକୁ ମାସ ପାଇବ ।”
ଅନିଚ୍ଛା ସତ୍ତ୍ୱେ ହଁ ଭରିଲି । ମନେ ମନେ ଭାବିଲି ଏମିତି କଉ କାମ କରାଇବାକୁ ଚାହୁଁଛନ୍ତି । କମ୍ପାନୀ ଆକାଉଣ୍ଟାଣ୍ଟ, ମ୍ୟାନେଜମେଣ୍ଟ, ମାର୍କେଟିଂ । ମୁଁ କ’ଣ ଏମବିଏ କରିଛି ଯେ ଏ କାମ ପାରିବି । ହଉ ଦେଖିବା । ହିମ୍ମତ ହାରିବାର ନାହିଁ ।
– “ମୁଁ ତମକୁ ମୋ ଝିଅପାଇଁ ଠିକ୍ କରିଛି । ତୁମେ ଆଉ ସେଠି କାମ କରିବନି । ଏଥର ଏଇ କମ୍ପାନୀର ବଡ଼ ପଦବୀ ନେଇ ଏଇଠି ସବୁ ବୁଝାବୁଝି କର ।”
କିଛି ନ ବୁଝି ତ ହଁ ମାରି ଦେଇଛି । ମଣିଷ ମଲା ଏଥର ।
– “ଆଜ୍ଞା ମୁଁ କ’ଣ ଏଡ଼େ ବଡ଼ ପଦବୀ ସମ୍ଭାଳି ପାରିବି ।”
– “କାଇଁ ପାରିବନି । ତମେ ଜଣେ ସଚ୍ଚୋଟ ପିଲା । ସେଇଥିପାଇଁ ତ ତୁମେ ଆମ ମାନଦଣ୍ଡରେ ଠିକ୍ ବସିଲ ।”
– “ହଁ ସେ କଥା ଠିକ ଯେ ହେଲେ…”
– “ପୁଣି ହେଲେ କ’ଣ?”
– “ଆଜ୍ଞା, ମିନାକ୍ଷୀ ବୋଲି ଝିଅଟେ ଠିକ କରିଦେଇଛନ୍ତି ଘରେ । ନିର୍ବନ୍ଧ ସରିଛି । ଆଉ କ’ଣ ସମ୍ଭବ?”
– “ହଁ । କାଇଁ ସମ୍ଭବ ନୁହେଁ । ବାହାଘର ପରେ ଲୋକ ଛାଡ଼ପତ୍ର ଦେଇ ପୁଣି ବିବାହ କରୁଛନ୍ତି ।”
– “ହଁ, ଠିକ ଯେ । କିନ୍ତୁ ଘରେ ଏ ବିଷୟରେ କଥା ନ ହେଇ…? ସବୁ ନିଷ୍ପତ୍ତିତ ସେମାନେ ନେବେ ।”
– “ହଉ ଠିକ ଅଛି । ଘରେ କଥା ହେଇ ମତେ କ’ଣ ଜଣାଓ ।”
– “ଆଜ୍ଞା।”
ଉଠି ଛିଡ଼ାହେଲି । ନମସ୍କାର କହି ସେଠୁ ଆସିଲି ।
ମନେମନେ ଖୁସି ହେଲି ଯେ ମୋ ଭିତରର ସେ ଯୋଗ୍ୟତାକୁ ଦେଖି ନିଜ ଘରର ସୌଭାଗ୍ୟ ଲକ୍ଷ୍ମୀକୁ ମୋ ହାତରେ ଟେକିଦବାକୁ ବସିଥିଲେ କିନ୍ତୁ ମୁଁ ନିଜକୁ ସେତିକି ଯୋଗ୍ୟ ବୋଲି ଭାବୁନି । ସେଇ ଦିନୁ ଆସି ସେ ମିଛ ମରୀଚିକା ‘ମିନାକ୍ଷୀ’କୁ ଖୋଜୁଛି ଆଜି ପର୍ଯ୍ୟନ୍ତ ପାଇନି । ଆପଣମାନଙ୍କୁ ଯଦି ମିନାକ୍ଷୀର ଠିକଣା କଉଠି ମିଳେ ମତେ ଜଣେଇବେ ନିଶ୍ଚିତ ।
– ବିଶ୍ୱଜିତ ରାଉତ
Comments
ବିଶ୍ୱଜିତ ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି ।