ଶୋଭନ ନିଜ ଚେୟାରରୁ ଉଠିଲେ । ଫୋନଟି ସେହିପରି ବାଜୁଥାଏ । ଯେମିତି ଶୋଭନ ରିସିଭ ନ କରିବା ପର୍ଯ୍ୟନ୍ତ ସେ ବାଜିଚାଲିବ ବୋଲି ସ୍ଥିର କରିସାରିଛି ! ତାଙ୍କର ବିଲକୁଲ ଇଚ୍ଛା ନ ଥିଲା କାହାସହ କଥା ହେବାକୁ ଆଜି । ସେଥିପାଇଁ ସେ ତାଙ୍କ ପୁରୁଣା ଡାଈରୀ ଓ କିଛି ନିଜ ହାତଲେଖା କବିତା ଗୁଡ଼ିକୁ ପଢ଼ୁଥାନ୍ତି ଓଳିଏ ହେଲା ।
ଫୋନ୍ ରିସିଭରଟି ଉଠାଇ କାନରେ ରଖିଛନ୍ତି, ଆରପଟୁ କାନ୍ଦ କାନ୍ଦ ସ୍ୱର ସାନ ବୋହୂର । ଶୋଭନଙ୍କୁ ଆଉ କିଛି ଶୁଭିଲା ନାହିଁ । ତାଙ୍କ ମୁଣ୍ଡ ବୁଲେଇଦେଲା, ପାଖ ସୋଫାରେ ସେ ବସିପଡ଼ିଲେ । ରିସିଭରରେ ଅନେକ କିଛି ଶୁଭୁଥାଏ । କିନ୍ତୁ ସେ ନିଃଶ୍ଚଳ । ଲୋତକ ପୂର୍ଣ୍ଣ ମୁଦ୍ରିତ ଚକ୍ଷୁ । କୋହରେ ଛାତି ତାଙ୍କ ରୁଦ୍ଧ ହୋଇଗଲା, ସତେ ଅବା ସେ ଏବେ ଏବେ ମରିଯିବେ !
ଏଇ କିଛି ସମୟ ପୂର୍ବରୁ ସବୁକିଛି ଠିକ୍ ଠାକ୍ ଥିଲା । ତାଙ୍କ କବିତାର କିଛି ପଂକ୍ତି ସେ ଆବୃତି କରୁଥିଲେ । ମନେପକୋଉଥିଲେ କେବେ ଏବଂ କୋଉଥିପାଇଁ ସେ କବିତା ଗୁଡ଼ିକୁ ଲେଖିଥିଲେ । କିଛି କବିତା ଶୀର୍ଷକରେ କିଛି ଚିହ୍ନ ଲାଗେଇଥିଲେ କଲେଜ ସମୟରେ ତାହା ପ୍ରକାଶ ପାଇଥିବାରୁ । ବଡ଼ପୁଅ ଆକାଶ ସକାଳୁ ବୋହୁ ଓ ନାତୁଣୀ ରାନୁକୁ ନେଇ ମନ୍ଦିର ଯାଇସାରିଥିଲା । ସକାଳର ବ୍ରେକଫାଷ୍ଟ ବି ଟେବୁଲ ଉପରେ ଏପର୍ଯ୍ୟନ୍ତ ଥୁଆ ହୋଇଛି । ଖାଇବାକୁ ଇଚ୍ଛା ନାହିଁ ତାଙ୍କର । ସାନପୁଅ ଫୋନ କରି ପ୍ରାୟ ପାଞ୍ଚ ମିନିଟ ଗପିଥିଲା । ସବୁ ଠିକ୍ ଠାକ୍ ଥିଲା । ଅନେକ ବର୍ଷ ତଳର ଏକ ଝଡ଼ ପୁଣି ଯେମିତି ତାଙ୍କ ଭିତରକୁ ପଶି ଆସିଛି ।
କ୍ଲାସ ସାରି ଘରେ ପାଦ ଦେଇଛନ୍ତି କି ନାହିଁ ବାପା ଧରେଇଦେଇଥିଲେ ନୂଆ ଚେତକ ସ୍କୁଟରର ଚାବି । ଚାବି ରିଂରେ ସେ ଓହଳାଇଦେଲେ କିଛି ନାରଙ୍ଗୀ ତୋଫା ଧଳା ପକ୍ଷୀ ପର ଗୁଚ୍ଛାଏ । ସେ ରଙ୍ଗ ଶୋଭାଙ୍କ ଭାରି ପ୍ରୟ । ସେଥିପାଇଁ ଇଚ୍ଛା ନ ଥିଲେ ବି ଶୋଭନ ମଫୁଙ୍କ ଭଳି ଅନେକ ସମୟରେ ବିନା ଗାରପକା ଧଳା ସାର୍ଟ କିମ୍ୱା ନାରଙ୍ଗୀ ସାର୍ଟ ପିନ୍ଧି ସାଇକେଲରେ ଯା’ଆସ କରନ୍ତି କଲେଜ । ଟାହିଟାପରା ଅନେକ ଚାଲେ, କିନ୍ତୁ ସେ କେବେ ବି ଖାତିର କରିନାହାନ୍ତି ।
‘ଶୋଭା’ ତାଙ୍କ କଲେଜର ତିନିବର୍ଷ ଜୁନିୟର । ସାହିତ୍ୟର ରୁଚି ବୋଧେ ଶୋଭାଙ୍କୁ ବାଧ୍ୟ କରିଥିଲା ଶୋଭାନଙ୍କ କବିତାର ପ୍ରଶଂସାରେ ଦୁଇଧାଡ଼ି ଚିଠି ଲେଖିବାକୁ । ଧୀରେ ଧୀରେ ପ୍ରେମ, ପ୍ରେମରୁ ବିବାହର ପ୍ରତିଶ୍ରୁତି । ପ୍ରେମ ଖବରଟି କଲେଜ ପରିସର ଡେଇଁ ଶୋଭନ ବାପାଙ୍କ ଖାଲି ଚେୟାର ଉପରେ ପଡ଼ିଥିଲା ଗୋଟିଏ ଗୋଲାପୀ ଲଫାଫା ଭିତରେ । ଶୋଭନ ନୀରବରେ ଠିଆ ହୋଇ ରହିଲେ ବାପାଙ୍କ ଉତ୍ତରକୁ । କିନ୍ତୁ ବାପାଙ୍କ ‘ଜାତି, ଧର୍ମ, ବର୍ଣ୍ଣ ଓ ନିର୍ବିଶେଷରେ ସମସ୍ତେ ଆମେ ମଣିଷ’ ଲେଖାଥିବା କାନ୍ଥ ପାଖରେ ଯେ ଶୋଭନଙ୍କୁ ଏକ ନୀଚ ଜାତିର ଯୁବତୀ ସହ ପ୍ରେମ କରି ତାତ୍ସଲ୍ୟ ଶୁଣିବାକୁ ପଡ଼ିବ, ଏହା କେବେ ସେ ଭାବିନଥିଲେ । ଇଚ୍ଛା ହେଉଥିଲା ପୁଳାଏ କାଲି ଆଣି ବୋଳିଦେବାକୁ ସେ ଲେଖାଉପରେ । ସେ ପାରିଲେ ନାହିଁ ବରଂ ସ୍କୁଟର ଛୁଟେଇ ଥର ଥର ଓଠରେ ଚାଲିଯାଇଥିଲେ ଘରଠୁ ଦୂରକୁ ।
ପ୍ରେମ କ’ଣ କେହି ଜାଣିପଚାରି କରେ? ତେବେ ତାଙ୍କ ସ୍କୁଟରର ଜାତି କଣ? ତାଙ୍କ କବିତା, ପୋଷାକ କିମ୍ୱା ହାତଲେଖା ସେ ଚିଠିର ଲଫାଫା ! ଯଦି ପ୍ରତ୍ୟକର ଜାତି ବି ଥାଏ ତେବେ ଶୋଭାନଙ୍କ ଲୁହର କି ଜାତି? ସେ କ’ଣ କେବେ କଲେଜ କ୍ୟାଣ୍ଟିନର ଲଞ୍ଚ ଥାଳି ଗୁଡ଼ିକରେ ଖାଉଥିବା ପିଲାମାନଙ୍କୁ ଜାତି ପଚାରି ଖାଇଛନ୍ତି? ଯଦି ସେସବୁର ଜାତି ନାହିଁ ତେବେ ଶୋଭା ଓ ତାଙ୍କ ପ୍ରେମର ଜାତି କିପରି?
ସେ ନିରବ ରହିଲେ, ବିନା ପ୍ରତିବାଦରେ । ପ୍ରେମ ପାଇଁ ସେ ତାଙ୍କ ଜୀବନ ଓ ପରିବାରର ମର୍ଯ୍ୟାଦାକୁ ଜଳାଞ୍ଜଳି ଦେଇପାରିବେ ନାହିଁ, ବରଂ ଶୋଭାଙ୍କ ଜାଗାଟିକୁ ସାରାଜୀବନ ଖାଲି ରଖିବେ ବୋଲି ନିଜକୁ ପ୍ରତିଶ୍ରୁତି ଦେଲେ । ପ୍ରେମ ଖବର ଯେପରି ଶୋଭନଙ୍କ ବାପାଙ୍କ ପାଖରେ ପହଞ୍ଚିଥିଲା, ସେହିପରି ଏକ ଖବର ଅପେକ୍ଷା କରିଥିଲା କଲେଜ ପାର୍କ ପାଖରେ । ଶୋଭନଙ୍କ ଅନ୍ତରଙ୍ଗ
ବନ୍ଧୁ ଜଣେ ଗୋଟିଏ ଚିଠି ଧରେଇଦେଇଥିଲେ ଯେଉଁଥିରେ ଲେଖାଥିଲା-
“ମୁଁ ଜାଣେ ଏବେ ତୁମ ମନର ଆନ୍ଦୋଳିତ ଅବସ୍ଥା, କିନ୍ତୁ ମୁଁ ବି ସେଇ କାହାଣୀ ଓ ପଥର ପଥିକ । ବାଟ ଅଲଗା ହେବା ପୂର୍ବରୁ ଥରୁଟିଏ ଦେଖାହୁଅ ।”
ଇତି
ଶୋଭା
ଶୋଭନ ଭାବିପରି ନଥିଲେ ସେ କ’ଣ କରିବେ । ପ୍ରେମ ପତ୍ରରେ ସାହିତ୍ୟର ଅନର୍ଗଳ ଲେଖା ପଠାଉଥିବା ଝିଅ ମାତ୍ର ଦୁଇଧାଡ଼ିର ଚିଠି ଲେଖିଛନ୍ତି !? ଶୋଭନଙ୍କୁ ଡର ବି ଲାଗୁଥାଏ । ସ୍କୁଟର ଛୁଟାଇ ପହଞ୍ଚିଥିଲେ ପାର୍କ । ଶୋଭାଙ୍କ ପାଖେ ।
ବିନା ବାକ୍ୟ ବ୍ୟୟରେ ଶୋଭା ଧରେଇଦେଇଥିଲେ ଏକ ବିବାହ ନିମନ୍ତ୍ରଣ ପତ୍ର ଖଣ୍ଡିକ । ସେ ଛୋଟ ସହରରେ ହୁଏତ ସେ ଦୁଇଜଣ ହିଁ ସମଦୁଃଖୀ ଥିଲେ । ଜଣେ ଅନ୍ୟଜଣଙ୍କୁ ବାଧ୍ୟ କରୁନଥିଲେ ନିଜର ନିଷ୍ପତ୍ତି ବଦଳାଇବାକୁ । ବୁଝିପାରୁଥିଲେ ପରସ୍ପରର ଆନ୍ତରିକ ଦୁଃଖ । ଜାତିର ଚାବୁକ୍ ମାଡ଼ ଖାଇବା ଅପେକ୍ଷା ଏ ନିଷ୍ପତ୍ତି ଶୋଭାଙ୍କୁ ଭଲଲାଗିଥିଲା, ସେଇଥିପାଇଁ ସେ ଓ ତାଙ୍କ ପରିବାର ସମସ୍ତ କଥା ମାନିନେଇଥିଲା ଯେଉଁଦିନ ଶୋଭନଙ୍କ ବାପା ଯାଇଥିଲେ ଶୋଭାଙ୍କ ଘରକୁ ।
ଶୋଭନ ମ୍ରିୟମାଣ ହୋଇ ବସିପଡ଼ିଲେ ସିମେଣ୍ଟ ବେଞ୍ଚରେ । ଲୁହ, କୋହ ଓ ପ୍ରତିବାଦର ଜ୍ୱାଳାରେ ତାଙ୍କ ପୁରା ଶରୀର ପ୍ରକମ୍ପିତ ହୋଇଉଠୁଥିଲା । କିନ୍ତୁ ସେ ନାଚାର । ଶୋଭନଙ୍କ ପ୍ରେମ ନିବେଦନର ପ୍ରଥମ ଦିନରେ ହିଁ ଶୋଭା ଇଙ୍ଗିତ କରିଥିଲେ ଏଇଭଳି ଦିନଟିକୁ । ହୁଏତ ଶୋଭା ଏହିଦିନଟିକୁ ପ୍ରତ୍ୟକଦିନ ନିଜ ଅନ୍ତରରେ ଦହନ କରିଥିବେ ! ସେଇଥିପାଇଁ ସେ କଠୋର ପାଲଟି ଯାଇଛନ୍ତି ।
ଶୋଭାଙ୍କ ଶେଷ ନିଷ୍ପତ୍ତି ଶୁଣିସାରିଲା ବେଳକୁ ଶୋଭନଙ୍କ ଅଶ୍ରୁପୂର୍ଣ୍ଣ ଆଖି ଦୁଇଟି ଲାଲ ପଡ଼ିଯାଇଥାଏ । ଦଶ ଖଣ୍ଡ ମୌଜାରେ ‘ଦିଗମ୍ୱର ପଣ୍ଡା’ଙ୍କ ଯେଉଁ ଖ୍ୟାତି ଅଛି, ତାକୁ ସେ କିମ୍ୱା ଶୋଭା ନିଚ୍ଚସ୍ତରକୁ ନେବାକୁ ଚାହୁଁନଥିଲେ । ଶୋଭାଙ୍କ ଚିକ୍କଣ ଗୋରା ଗାଲଦୁଇଟି ବି ଲାଲ ପଡ଼ିଯାଇଥାଏ ଲୁହ ପୋଛି । ବିଦାୟ ନେବାକୁ ଚାହିଁଲେ ଶୋଭା, ନିଜ କୋହକୁ ସମ୍ଭାଳି ନ ପାରି ଚିତ୍କାର କରିଉଠିଲେ ଶୋଭନ । କହିଲେ “ତୁମ ବିନା ମୁଁ ବଞ୍ଚିପାରିବି ନାହିଁ ଶୋଭା । ମୋ ଆତ୍ମଦାହରେ ମୋ ଜାତି, ଆମ ସମାଜ କିମ୍ୱା ଆମ ପ୍ରେମ ପ୍ରଣୟ ଉପରେ କିଛି ବି କଳଙ୍କ ଲାଗିବ ନାହିଁ, ଅନ୍ତତଃ ଏତିକି ମୋର ଅଧିକାର” ।
ଶୋଭାଙ୍କ ଧିମା ପାଦର ଗତି ଅଟକିଯାଇଥିଲା । ଏବେ ସେ କାନ୍ଦୁନଥିଲେ ବରଂ ରାଗ ତମ୍ ତମରେ ତାଙ୍କ ନାକପୁଡ଼ା ଦୁଇଟି ଫୁଲି ଉଠୁଥିଲା । ତାଙ୍କ ଓଠ ଶୋଭନଙ୍କ ଠାରୁ ଅଧିକ ଥରୁଥିଲା । ସେ ଫେରିଆସିଲେ ଶୋଭନଙ୍କ ଖୁବ୍ ନିକଟକୁ । ନିଜ ରାଗ ଓ ଦୁଖଃକୁ ସମ୍ଭାଳି କହିଲେ, “ତୁମ ପ୍ରଥମ କବିତାରୁ ଶେଷ ଚିଠି ପର୍ଯ୍ୟନ୍ତ ବଞ୍ଚିବାର କଳା ଛପିରହିଛି ଶୋଭନ ! ତୁମ ପ୍ରତ୍ୟେକ ଶବ୍ଦରେ ପ୍ରେମର ଆଭାଷ ଅଛି । ତୁମ ବକ୍ତୃତାରେ ଭରିରହିଛି ଅନେକ ଉଦବେଗ । ଆଉ ତୁମେ ଆତ୍ମହତ୍ୟା କଥା ଭାବୁଛ !? ତୁମେ ବଞ୍ଚିରହିବ; ମୋ ପାଇଁ; ତୁମ ପାଇଁ; ତୁମ ଭବିଷ୍ୟତ ପିଢ଼ି ପାଇଁ । ବିବାହ ହୋଇପାରିଲା ନାହିଁ ବୋଲି ଆମ ଅନ୍ତରର ପ୍ରେମ ତ ମରିଯାଇନି ! କିନ୍ତୁ ତୁମେ ଚାଲିଗଲେ ଆମ ପ୍ରେମ ମରିଯିବି । ତୁମ ସବୁ ଗଳ୍ପ କବିତା, ଭାବନା ନିରର୍ଥକ ପାଲଟିଯିବ । ଯେପର୍ଯ୍ୟନ୍ତ ଆମେ ବଞ୍ଚିଥାଉ, ଆମ ପ୍ରେମ ସଜ୍ଜଳ ଥାଏ । ତା’ପରେ ପାଲଟିଯାଏ କାହାଣୀ । ତୁମ କାହାଣୀ ପଢ଼ିବାକୁ ମୁଁ କିପରି ଧର୍ଯ୍ୟ ରଖିପାରିବି? “ପ୍ରେମ ସବୁଠୁ ବଡ଼ ନୁହେଁ ଶୋଭନ, ଜୀବନ ସବୁଠୁ ବଡ଼” । ଜୀବନ ଥିଲେ ପ୍ରେମ ପ୍ରତ୍ୟକ୍ଷ ମିଳେ, କିନ୍ତୁ ପ୍ରେମ ପାଇଁ ଏଭଳି ଜୀବନ ଦେଲେ ସେ ପ୍ରେମ ବି ମଳିନ ପଡ଼ିଯାଏ; ସବୁ କେବଳ କାହାଣୀଟିଏ ହୋଇ ରହିଯାଏ କିଛି ପୃଷ୍ଠାରେ । ତୁମ କାହାଣୀରେ ତୁମେ ଏକା ରହିପାରିବ ନାହିଁ, ମୋତେ ବି ସାମିଲ କରିବାକୁ ପଡ଼ିବ ନିଜକୁ ” ।
ଶୋଭନ ଚମକି ପଡ଼ିଥିଲେ ସେଦିନ । ନା ! ସେ କେବେ ଶୋଭାଙ୍କ ମୃତ୍ୟୁ କାମନା କରିପାରିବେ ନାହିଁ, ବରଂ ସାରାଜୀବନ ଝୁରିହେବେ, ସେ ବଞ୍ଚିରହିବେ । ନିଜ ହୃଦୟକୁ ଦମ୍ଭ କରି ସେଦିନ ଫେରିଆସିଥିଲେ ।
***
ମୋବାଇଲ ଫୋନଟି ଏବେ ବାଜିଉଠିଲା । ଶୋଭନ ସେହିପରି ବସିରହିଥିଲେ ଚେୟାର ଉପରେ । ଦୁଇଥରକୁ ଫୋନ୍ ରିସିଭ କରି କାନରେ ଦେଇଛନ୍ତି ସେପଟୁ ସାନପୁଅ ସମୀରର କାନ୍ଦ କାନ୍ଦ ସ୍ୱର ”ବାପା ! ବୋଉ ଆଉ ନାହିଁ । ଆପଣ ଯେତେଶିଘ୍ର ପହଞ୍ଚନ୍ତୁ” । ବାସ୍, ଆଉ କିଛି ଶୁଣିପାରିଲେ ନାହିଁ ଶୋଭନ । ସେ ପୁଣି ଫେରିଆସିଲେ ଚେୟାରକୁ । ତାଙ୍କ ଡାଈରୀର ପ୍ରଥମ ପୃଷ୍ଠା ଖୋଲାଥିଲା- ସାବିତ୍ରୀ ଏବେ ବି ହସୁଥାନ୍ତି ସେ କଳାଧଳା ଫୋଟୋଟିରେ ।
‘ସାବିତ୍ରୀ’ ।
ଶୋଭନଙ୍କ ପରିବାର ରହୁଥିବା ସେ ଛୋଟ ଅବହେଳିତ ସହରରୁ ମାତ୍ର କେଇ ମିନିଟ ବାଟରେ ସବିତ୍ରୀଙ୍କ ଗାଁ । ସାହିତ୍ୟ ସମ୍ମାନ ସହ ସ୍ନାତକ ସହ ଟାଇପିଂରେ ପାରଦର୍ଶୀ ଥିଲେ ମଧ୍ୟ ସ୍ତ୍ରୀ ମର୍ଯ୍ୟାଦା ହାସଲ ପରେ ସେ କେବଳ ଜଣେ ଗୃହିଣୀ ଓ ଘରର ବୋହୂ ହୋଇ ରହିଯାଇଥିଲେ । ଶୋଭାଙ୍କ ଠାରୁ କୌଣସି ରୂପ କି ଗୁଣରେ ଊଣା ନ ଥିଲେ । ଶୋଭନଙ୍କ ହଁ’ରେ ହଁ’ ଓ ନା’ରେ ନା’ ତାଙ୍କର ଯେପରି ଏକ ଧର୍ମ ପାଲଟିଯାଇଥିଲା ।
ପ୍ରଥମେ ଆକାଶ, ତିନି ବର୍ଷ ପରେ ସମୀରର ଜନ୍ମ । ସମୀରକୁ ପାଞ୍ଚ ବର୍ଷ ବେଳକୁ ଶୋଭନଙ୍କ ବାପା-ମା’ଙ୍କ ଦେହାନ୍ତ । ସୁଖ ହେଉ କିମ୍ୱା ଦୁଃଖ, ସାବିତ୍ରୀ କେବେ ତାଙ୍କୁ ହତାଦର କରି ନ ଥିଲେ । ପ୍ରତ୍ୟେକ କ୍ଷଣ ବନ୍ଧୁଟିଏ ଭଳି ପାଖେ ପାଖେ ରହି ଆସିଥିଲେ । ବିବାହର ଆଠମାସରେ ଶୋଭନ ଚାଲିଯାଇଥିଲେ ଲୁଧିଆନା, ତା’ପରେ ମନାଲି । ସେତେବେଳକୁ ଅକାଶର ଜନ୍ମ । ସରକାରୀ କଳ କେବେ ତାଙ୍କୁ ଓଡ଼ିଶାରେ ସ୍ଥାୟୀ ହେବାରେ ପ୍ରତିଶ୍ରୁତି ଦେଇପାରିଲା ନାହିଁ । ସାବିତ୍ରୀ ମଧ୍ୟ କେବେ ଜିଦ୍ଦି ଧରିନଥିଲେ ଶୋଭନଙ୍କ ସହ ବାହାର ରାଜ୍ୟ ଦେଖିବାକୁ । ଶାଶୂ ଶ୍ୱଶୁରଙ୍କ ସେବା ହିଁ ତାଙ୍କର ସବୁକିଛି ଥିଲା ।
ଯୌବନର ଚଲାପଥରେ ରହି ସେ ଜାଣିଥିଲେ ତାଙ୍କ ଦୁଇଜଣଙ୍କ ଭିତରେ ପ୍ରେମ ଓ ଦୈହିକ ମିଳନର ଅଭାବତାକୁ । ଅନେକ ରାତ୍ରି ସେମାନେ ଏକା-ଏକା କାଟିଛନ୍ତି ଦେହ-ମନର କାମନା ଜ୍ୱାଳାରେ । ଅନେକ ଅବ୍ୟକ୍ତ ଯନ୍ତ୍ରଣା ମଧ୍ୟ ସହିଛନ୍ତି ଦୁହେଁ । ସାବିତ୍ରୀ ବ୍ରତ ହେଉ କି ସାନ ପୁଅ ସମୀର’ର ‘ପ୍ରୋମ୍’ ଅସୁବିଧା ଜନିତ ଜନ୍ମ ! ସାବିତ୍ରୀଙ୍କ ପାଖେ ସର୍ବଦା ଶାଶୂ ହିଁ ଥିଲେ ସମ୍ଭାଳିବାକୁ । ଆଉ ଶୋଭାନ? ବୋର୍ଡ ମିଟିଂର କ୍ଳାନ୍ତ ଅଫିସରେ ଥଣ୍ଡା ପଡ଼ିରହିଥିବା କଫି ଓ ଶୁଖିଲା ବିସ୍କୁଟ ପାଖରେ ଝୁରି ହେଉଥିଲେ ସାବିତ୍ରୀଙ୍କ ଏକଲାପଣକୁ ।
ଯେବେ ସେମାନେ ସ୍ଥିର କରିଥିଲେ ସମୀରର ପ୍ରଥମ ଜନ୍ମବାର୍ଷିକୀ ପରେ ‘ମନାଲି’ କିମ୍ୱା ‘କୁଲୁ’ରେ କିଛିଦିନ କାଟିବାକୁ, ସେବେ ଶୋଭନ ବାପାଙ୍କ ହୃଦରୋଗ ଏବଂ ମାଆଙ୍କ ମଧୁମେହ ରୋଗ ସାଜିଲା ବାଧକ ।
କେବଳ କିଛି ଦୁଃଖକୁ ନେଇ ତାଙ୍କ ସଂସାର ଚାଲିନଥିଲା । ଅପର୍ଯ୍ୟାପ୍ତ ସୁଖରେ ବି ପୋତି ହୋଇପଡ଼ୁଥିଲେ ଦୁହେଁ । ସାବିତ୍ରୀ କେବେବି ଅଭିମାନୀ ନଥିଲେ, କିମ୍ୱା ସାବିତ୍ରୀଙ୍କ ପ୍ରତି ଶୋଭନଙ୍କ ବାପା-ମା ଥରୁଟିଏ ମଧ୍ୟ ଅଭିଯୋଗ କରିନଥିଲେ । ବରଂ ବୋହୂର ଶୁବନ୍ଦୋବସ୍ତ ଘର ଚଳଣୀ ଏବଂ ଭକ୍ତି ସେବାରେ ଗଦଗଦ ହୋଇପଡ଼ନ୍ତି ସେମାନେ ପଡ଼ୋଶୀ-ବନ୍ଧୁବାନ୍ଧବଙ୍କ ପାଖେ ।
ଜୀବନ ଜଞ୍ଜାଳ ଆଗକୁ ଚାଲେ । ଶୋଭନଙ୍କ ପିଲା ଦୁଇଜଣ ବଡ଼ ହେଲା ବେଳକୁ ବାପା-ମା ଡାକହାକ ହୋଇ ଆର ପାରିକୁ ଚାଲିଗଲେ । ଶୋଭନ ଭାଙ୍ଗି ପଡ଼ିଥିଲେ ସତ, କିନ୍ତୁ ଦମ୍ଭ ଭରିଥିଲେ ସାବିତ୍ରୀ । ପାଲଟି ଯାଇଥିଲେ ତାଙ୍କ ବାପା-ମା’ଙ୍କ ପୁନଃଜନ୍ମର ପ୍ରତିଛାୟା । ଚେଷ୍ଟା କରିଥିଲେ ଶୋଭାନ କିପରି ଏକା ଅନୁଭବ ନ କରନ୍ତି । ସଫଳ ମଧ୍ୟ ହୋଇଥିଲେ ।
ହସ ଖୁସିର ଜୀବନ ଗଡ଼ିଚାଲିଲା ଆହୁରି ଅନେକ ବର୍ଷ । ଏକାସାଙ୍ଗରେ ନବବଧୂ ସମ୍ଭାବି ଓ ଆଶାର ସ୍ୱାଗତ କରିଥିଲେ । ଦୁଇବର୍ଷ ଭିତରେ ରାନୁ ଓ ରୋହିତର ଅଗମନକୁ ମଧ୍ୟ । ଦୁଇଟି ଶିଶୁଙ୍କ ଉପରେ ବାକିତକ ମାତୃତ୍ୱ ଢାଳିଦେଇଥିଲେ ସାବିତ୍ରୀ । ଶୋଭନ ଅବସର ନେଲେ ଚାକିରୀ ଜୀବନରୁ ।
୫୦ତମ ବିବାହ ବର୍ଷିକୀର ଠିକ୍ ଆଠଦିନ ପୂର୍ବରୁ ଦୁଇ ପୁଅ-ବୋହୂ ଓ ନାତି ନାତୁଣୀ ପହଞ୍ଚିଯାଇଥିଲେ ଘରେ । ଶୋଭନ ଓ ସାବିତ୍ରୀ ଖୁବ୍ ଖୁସି ଥିଲେ । ନାତି-ନାତୁଣୀ ଯେବେଠାରୁ ବାଙ୍ଗାଲୋରରେ ଜଣେ ଏବଂ ଭୁବନେଶ୍ୱରରେ ଜଣେ ପଢ଼ାପଢ଼ି ଆରମ୍ଭ କରିଥିଲେ ସେବେଠାରୁ ପୂରା ପରିବାରକୁ ସେମାନେ ଏକାଠି ପାଇନଥିଲେ । କିନ୍ତୁ ଏ ଏକାଠି ଯେ ଚିରଦିନ ପାଇଁ ତାଙ୍କଠାରୁ ସାବିତ୍ରୀଙ୍କୁ ଛଡ଼ାଇନେବ ସେକଥା ଶୋଭନ ଆଜି ବି ଭାବିପରୁନାହାନ୍ତି ।
ସେଇ ବିବାହ ବର୍ଷିକୀର ଆଠଦିନ ପୂର୍ବରୁ ଶୋଭନ ଜାଣିବାକୁ ପାଇଲେ ଯେ ସମୀର ବାଙ୍ଗାଲୋରରେ ଏବଂ ଆକାଶ ଭୁବନେଶ୍ୱରରେ ଘରକିଣି ସ୍ଥାୟୀ ହୋଇସାରିଛନ୍ତି । କେବଳ ବାକିଅଛି ପୈତୃକ ସମ୍ପତ୍ତିର ବିଭାଜନ, ଏବଂ ଶୋଭନ ରହିବେ ଆକାଶ ପାଖେ, ସମୀର ଓ ସାନ ବୋହୂ ଜିଦ୍ଦି ଧରିଛନ୍ତି ବୋଉଙ୍କୁ ନେଇ ଓଡ଼ିଶା ବାହାରେ ବାଙ୍ଗାଲୋରରେ ବୁଲେଇବେ ।
ସାରାରାତି ଶୋଭନ ଓ ସାବିତ୍ରୀ ଅନିଦ୍ରା ରହିଥିଲେ । ଦୀର୍ଘ ପଚାଶ ବର୍ଷର ନିଃସଙ୍ଗତାକୁ ଚାରୋଟି ଆଖି ଦେଇ ନିଗାଡ଼ି ଦେଇଥିଲେ । ସବୁକିଛି ଥାଇବି ସର୍ବସ୍ୱ ହରାଇ ବସିଥିଲେ ଦୁଇଜଣ । ଶୋଭନ ଚାହୁଁନଥିଲେ ସାବିତ୍ରୀଙ୍କୁ ଜୀବନର ଶେଷ ଭାଗରେ ଏକା ଛାଡ଼ିଦେବାକୁ । ପୁରା ଚାକିରୀ ଜୀବନରେ ତାଙ୍କୁ ଅନେକ ମାସ, ଅନେକ ବର୍ଷ ଏବଂ ଅଗଣିତ ରାତ୍ରି ଏକା ଛାଡ଼ିଦେଇଥିଲେ । କିନ୍ତୁ ସାବିତ୍ରୀ ଚୁପ୍ ରହିଥିଲେ ସେ ବିଷୟରେ । ହୁଏତ ବର୍ଷବର୍ଷର ତାଙ୍କ ଅଭିମାନ ଜାହିର୍ କରୁଥିଲେ ଶୋଭନଙ୍କ ଲୁହର କୈଫିୟତ ପାଖରେ । ଶୋଭନଙ୍କ ଅନ୍ତରରୁ ସ୍ୱତପ୍ରବୃତ୍ତ ଭଳି ବାହାରି ଆସିଲା “ତୁମ ବିନା ମୋ ବାକି ଜୀବନ ଅସମ୍ଭବ, ବଞ୍ଚିବାର ଆଶା ଆଉ ରହିବ ନାହିଁ ସାବିତ୍ରୀ ! ତୁମ ବିନା ମୁଁ ଶୀଘ୍ର ମରିଯିବି” ।
ସାବିତ୍ରୀ ନିରବ ରହିଲେ କିଛିକ୍ଷଣ । ଜାଣିପାରୁଥିଲେ ଶୋଭନଙ୍କ ମନର ବ୍ୟଥା । କିନ୍ତୁ ଭାଙ୍ଗିପଡ଼ିବାର ଏ ସମୟ ନୁହେଁ । ବୟସ ବି ନାହିଁ ପିଲାଙ୍କ ସହ ଯୁକ୍ତି କି ଲଢ଼େଇ କରିବାରୁ ।
କହିଲେ “ମୁଁ ଜାଣେ ତୁମ ମନର ଅବସ୍ଥା । କିନ୍ତୁ ଆମେ ସେମାନଙ୍କର ବାପା-ମା, ପିଲାଙ୍କର ଏ ଛୋଟ ଭୁଲ ପାଇଁ ଏମିତି ଭାଙ୍ଗିପଡ଼ିଲେ ହେବ ନାହିଁ, କିଛିଦିନର ତ କଥା !ମୁଁ କ’ଣ ସେ ଅଜଣା ଜାଗାରେ ସବୁଦିନ ରହିବିକି? ତୁମେ ଏ ପାପ କଥା ଗୁଡ଼ିକ କାହିଁକି ଧରୁଛ? ରାନୁର ଆଉ କେଇବର୍ଷରେ ବାହାଘର ହେବ, ରୋହିତର ଗ୍ରାଜୁଏସନ୍ । ତୁମ ବିନୁ କ’ଣ ଏସବୁ ମୁଁ ଦେଖିପାରିବି? ସମସ୍ୟା କିମ୍ୱା ମୃତ୍ୟୁ ନୁହେଁ, ‘ଜୀବନ ସବୁଠୁ ବଡ଼’ । ବଞ୍ଚିଥିଲେ ହୁଏତ ଏ ଦିନ ପୁଣି କଡ଼ ଲେଉଟେଇବ । ତୁମେ ନଥିଲେ ତୁମ କବିତା ଗୁଡ଼ିକ ବେସାହାରା ହୋଇପଡ଼ିବେ, ନିରର୍ଥକ ହୋଇପଡ଼ିବ ତୁମ ବାପା-ମା’ଙ୍କୁ ଦେଇଥିବା ମୋ ପ୍ରତିଶ୍ରୁତି । ତୁମେ ଥିଲେ ମୁଁ ତୁମ ପାଖେପାଖେ ସର୍ବଦା ଥିବି ” ।
ଶୋଭନଙ୍କୁ ଜଣା ନଥିଲା ସେ କେତେ ସମୟ ଧରି ବସିଥିଲେ । ଆକାଶ ଓ ସମ୍ଭାବି କାନ୍ଦ କାନ୍ଦ ଚେହେରାରେ ତାଙ୍କୁ ପ୍ରକୃତିସ୍ଥ କରାଉଥିଲେ । ରାନୁର ଗୋରୀ ଚେହେରାଟି ରାଗରେ ଲାଲ ହୋଇପଡ଼ିଥାଏ । କେବଳ ସେ ହିଁ ଜଣେ ଯିଏ ତିନିଦିନ ତଳେ ଘୋର ବିରୋଧ କରିଥିଲା ଜେଜେ-ଜେଜେମାଙ୍କ ବିଚ୍ଛେଦକୁ ।
“ବାପା ! ବାଙ୍ଗାଲୋର ଯିବାକୁ ଫ୍ଲାଇଟ ଟିକେଟ ହୋଇଯାଇଛି । ଆମକୁ ଏବେ ବାହାରିବାକୁ ହେବ, ଡ୍ରେସ ଚେଞ୍ଜ କରିନିଅ ” । କହିଲା ଆକାଶ ।
ଶୋଭନଙ୍କ ରୁଦ୍ଧ କଣ୍ଠରୁ ଧୀରେ ଧୀରେ କିଛି ଶବ୍ଦ ବହାରିଆସି ତାଙ୍କ ଆଖପାଖରେ ମିଳେଇଯାଉଥାଏ, “ତାଙ୍କ ଶାଢ଼ୀ..ବଡ଼ଦାଣ୍ଡ.. ପୁରୀ..ସ୍ୱର୍ଗଦ୍ୱାର…” ।
ଶୋଭନ ତାଙ୍କ ପଲଙ୍କ ପାଖକୁ ଗଲେ । ଯେଉଁଠି ପ୍ରଥମ ଚାନ୍ଦିନୀ ରାତିର ଗୋଲାପ ବେଢ଼ା, ସଜ ଗଜରା ମାଳ ଆଢ଼ୁଆଳ ଓଢ଼ଣା ତଳେ ସେଦିନ ଲୁଚିରହିଥିଲେ ସାବିତ୍ରୀ । ଅନେକ ରାତ୍ରିର ଅନିଦ୍ରାର ଦୈହିକ ଜ୍ୱଳନରେ ପଡ଼ିରହି ଦୁଇଟି ଛୁଆକୁ ସମ୍ଭାଳିଥିଲେ । ଆଉ ଏଇ ତିନିଦିନରେ ପଚାଷ ବର୍ଷର ଖାଲିପଣ ଅନୁଭବ କରିସାରିଥିଲେ ଶୋଭନ, ସେଇ ଏକା ପଲଙ୍କ ଉପରେ ।
ସେ ବୁଝିପାରୁନଥିଲେ ସାବିତ୍ରୀ କି ପ୍ରତିଶ୍ରୁତି ଦେଇଥିଲେ ତାଙ୍କ ବାପା-ମା’ଙ୍କୁ । ସୁସ୍ଥ ସବଳ ଓ ଦୃଢ଼ ମନୋବଳ ଲୋକଟି ଏଇ ତିନିଦିନର ବିଚ୍ଛେଦରେ ସତରେ ଏତେ ଭାଙ୍ଗିପଡ଼ିଥିଲା? ହୁଏତ ସେ ଜାଣିପାରିଥିଲେ ଏ ମିଳନ ଅସମ୍ଭବ । ତେଣୁ ସାନ୍ତ୍ୱନା ଦେଇ ଖୁସିଖୁସିରେ ବିଦାୟ ନେଇଗଲେ, ଯେପରି ଶୋଭା ।
କିନ୍ତୁ ଶୋଭାନ ପ୍ରତିବଦ୍ଧ ହେଲେ, ବଞ୍ଚିରହିବେ । ସାବିତ୍ରୀଙ୍କ ସାଂସାରିକ ମୋହର ଏଇ କେତୋଟି ପ୍ରତିଶ୍ରୁତିକୁ ନିଶ୍ଚୟ ପାଳନ କରିବେ । ସାବିତ୍ରୀଙ୍କ ପାଇଁ କୋଡ଼ିଏ ଦିନ ତଳୁ କିଣିଥିବା ଶାଢ଼ୀଟିକୁ ନେଲେ ବ୍ୟାଗରେ । ବିଦାୟ ଦେବେ ଅହିସୁଲକ୍ଷଣି ରୂପେ । କ୍ରିମେସନ ଚ୍ୟାମ୍ୱରରେ ବିଦାୟ ନେବେ ସାବିତ୍ରୀ । ମନେମନେ ସେ ଗୁଣୁଗୁଣାଇବେ “ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ” !
ଆଉ ଶୋଭନ ! କେବଳ ବଞ୍ଚିରହିବେ । ସାବିତ୍ରୀ ତ କହିଥିଲେ “ଜୀବନ ସବୁଠୁ ବଡ଼ !” ।
– ହିମାଂଶୁ ଭୂଷଣ ସାହୁ
Comments
ହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।