ଏକ କୋଳାହଳ ଶୀତଳ ସନ୍ଧ୍ୟାରେ ଆମେ ଭେଟିଥିଲୁ ତାକୁ । ଗଉଡ଼ ଘର ଦାଣ୍ଡ ପିଣ୍ଡାରେ ଓହଳା ଯାଇଥିବା ଦଦରା ବାଉଁଶ ଓଦର ପାଖ ଦୁଇଚାରି ଘଷିବସ୍ତା ପାଖରେ । ମଙ୍ଗଳା ମଣ୍ଡପର ରୁଗ୍ଣ ଠେକା ଭିଡ଼ା ଭଳି ଛାତ ତଳୁ ପିଣ୍ଡାର ଦୂରତା ମାତ୍ର ପଚାଶ ହାତ ସରିକି । ଫିକା ଜହ୍ନ ଆଲୁଅ କିମ୍ବା ବାରିକ ଘର ଡିବିରି ଆଲୁଅର ଛିଟାରେ ସେ ଦେଖାଯାଉଥାଏ ଗୋଟିଏ ବଣଭାଲୁ ଭଳି । ଭୟାନକ, ଦୁର୍ଦ୍ଦଶ ଏବଂ ସକଳ ସଂସାର ପାପର ଶାସ୍ତିଦାତା ସ୍ୱୟଂ ଯମ ବୁଢ଼ାଙ୍କ ସଦୃଶ । ଏବଂ ବାହାର ତୋଫା ଜହ୍ନ ଆଲୁଅରେ ସଜନା ଓ କଦଳୀ ଗଛଗୁଡ଼ିକ ସାକ୍ଷାତ ଯମଦୂତ !
ମାର୍ଗଶିର ମାସ ପଣ୍ଡୁ ପୂର୍ଣ୍ଣିମା ଆଗ ସନ୍ଧ୍ୟାର ଜହ୍ନ । ସନ୍ଧ୍ୟା ପୂର୍ବରୁ ଅସରାଏ ପସରା ମଣ୍ଡପରେ ଖୁନ୍ଦି ହୋଇଯାଇଥାଏ । ଫଳ ଏବଂ ମିଠା ଗୁଡ଼ିକୁ ଢାଙ୍କି ରହିଥାଏ କିଛି ଫୁଲ, ଛୋଟ କଅଁଳିଆ ବାଉଁଶ ଡାଳ ଅଗି ଓ ଆମ୍ବଡାଳ । ଗୋଟିଏ ଲେଖାଏଁ ବରଜ ମୂଳି (ବଜ୍ର ମୂଳି) ପହଁରା ଶୋଇରହିଥାନ୍ତି ପସରା ଗୁଡ଼ିକଙ୍କ ଥନ୍ତଲା ପେଟ ପାଖେପାଖେ ।
ଆମ ପିଲାଙ୍କ ଅଗ୍ରହର ପ୍ରଥମ ତାଲିକାରେ ଥିଲା ସେ ‘ଯମ’, ଯିଏ ଦୀର୍ଘ ସମୟ ଧରି ଲୋକ ଗହଳି ଉହାଡ଼ରେ ଏକା ବସି ବିଡ଼ି ପିଉଥିଲା । ବେଳେବେଳେ କାଶ ସହ ତାଳିମାରି ଗୁଣୁଗୁଣଉ ଥିଲା ଜଗନ୍ନାଥଙ୍କ ଜଣାଣ । ଆମର ସାହସ ହେଉନଥାଏ ତା’ ଓଳି ଅନ୍ଧାର ଦୁନିଆକୁ ଦେଖିଯିବାକୁ, କିମ୍ବା ପିଣ୍ଡା ପାଖକୁ ଯାଇ ବଳଦ ଯୋଚା ଖୁଣ୍ଟି ଉପାଡ଼ି ସେ ଜାଗାରେ ତିଆରି ହୋଇଥିବା ଗାତଟିକୁ ଦେଖିବାକୁ ! ହୁଏତ ସେ ଯମ ବୁଢ଼ା ସେ ଗାତ ଜଗିଥିବ । ଜେଜେମା କହେ ସେ ଗାତଟି ବିରାଟ ବଡ଼ । “ପାତାଳି ଗାତ” । ଗାତ ଚାରିପାଖେ ଗୋବର ଲିପା ହୋଇ ଚିତା ପଡ଼ିଛି, ସଜ୍ଜିତ ହୋଇ ରହିଛି ବଜ୍ରମୂଳି ପହଁରା କେତୋଟି ।
କେଇଜଣ ବୁଢ଼ୀ କଥା ହେଉଥିଲେ। “ଯୋଉ ଛୁଆ ସେ ଗାତ ପାଖକୁ ଯିବ; ସେ ଯମ ବୁଢ଼ା ତାକୁ ମାଡ଼ିବସି ପହଁରାରେ ପିଟିବ ।” ତେଣୁ ଆମେ ଖେଳିଲା ବେଳେ ଭୁଲ୍ରେ ମଧ୍ୟ ସେ ଗାତ ପାଖ ମାଡ଼ୁନଥିଲୁ ।
ପୂର୍ଣ୍ଣିମାର ଚନ୍ଦ୍ର ବାରିକଘର ଚାଳ ଉପରକୁ ଯେବେ ଉଙ୍କିମାରିଲେ, ସେବେ ପୂଜା ଆରମ୍ଭ ହେଲା । ସାଇ କମ୍ପି ଉଠିଲା ହୁଳହୁଳି ଶବ୍ଦରେ । ଧୂପ, ଶାଳ ଝୁଣା, ଦୀପ ଓ ନୈବେଦ୍ୟର ସୁଗନ୍ଧରେ ଝୁମି ଉଠିଲେ ସଞ୍ଜ ବେଳର ସେ ଯମଦୂତ ରୂପୀ ବୃକ୍ଷଗୁଡ଼ିକ । କିନ୍ତୁ ଯମବୁଢ଼ା ବସିଥାଏ ନୀରବ ହୋଇ । ତା’ ହାତରେ ସେ ନିଆଁଲଗା ବିଡ଼ି ନଥାଏ ।
ଅନେକ ସ୍ତ୍ରୀ ଲୋକଙ୍କ ଭିତରେ ମୋ ବୋଉ, ସବୁ ସାନବୋଉ ଓ ମୋ ଜେଜେମା ଥାଆନ୍ତି । ବରଜ ମୂଳି ପହଁରାରେ ଦାଣ୍ଡଧୂଳି ଉଠି ଚନ୍ଦ୍ରାଲୋକକୁ ମଧ୍ୟ ଧୂଷରିଆ କରିପକାଉଥାଏ । କିଛି ସ୍ତ୍ରୀ ଲୋକ ପଣତରେ ନାକ-ମୁହଁ ଢାଙ୍କି କାଶୁଥିବା ବେଳେ ଜେଜେମା ମୋ ପାଖକୁ ଆସି କହିଲା, “ସେ ଗାତରେ ହାତ ପୁରେଇ ଭୋଗ ନେବୁନି, ଯିଏ ନେବ ନେଉ, ତୁ ଯା, ତୋ’ ମା ପାଖରେ ବସିବୁ ।”
କିଛି ପସରାରୁ ଭୋଗ ନେଇ ସେ ଗାତରେ ଅନେକ ଢାଳୁଥିଲେ । ଗାତ ଚାରିପାଖରେ ଫୁଲ । ଝୁଣା ଦୀପ ହୁତୁହୁତୁ ହୋଇ ଜଳୁଥାଏ ମାଟି ପସରା ଭିତରେ । “ପାତାଳକୁ ଯାଇଥିବା ଗାତଟା କ’ଣ ଏତିକି ଭୋଗରେ ପୂରିଯିବ?” ଜେଜେମା ମୁହଁ ଦେଖି ମୁଁ କହିଲି । ସେ ନଇଁପଡ଼ିଥାଏ ମୋ ଜନ୍ମ ବେଳୁ । ସେ ତା ଅଣ୍ଟା ଟିକେ ସଳଖି କହିଲା, “ହଁ, ସେ ବଙ୍ଗାଳି ବୁଢ଼ା ମନ୍ତ୍ର ଜାଣିଛି । ଗାତ ପୂରିଯିବ ।” ମୁଁ ଡରିଡରି ପଚାରିଲି, “ସେ ଯମ ବୁଢ଼ା?”
ଜେଜେମା ଟିକେ ହସିଦେଲା । ଆଉ ‘ହଁ’ କହି ପସରା ଧରି ସମସ୍ତଙ୍କ ଭଳି କେତୋଟି ଫଳ, ପିଠା ଆଉ ଅଧପାଏ କ୍ଷୀର ସେ ଗାତରେ ସମର୍ପି ଦେଲା । ସତରେ, କିଛି ସମୟ ଭିତରେ ଗାତଟି ପୂରିଯାଇଥିଲା । ପୂଜା ସରିବା ପରେ ସେ ଗାତରୁ କିଛି ଭୋଗ ଏବଂ ପ୍ରତ୍ୟେକ ପସରାରୁ ଭୋଗ ଓ ପିଠା-ମିଠା ଯମ ବୁଢ଼ାର ଚାଦର ମୁଣାରେ ଢାଳି ଦିଆଯାଇଥିଲା ।
ରାତ୍ରିର ପଦାସନ୍ନ ପୂର୍ବରୁ ସମସ୍ତ ସ୍ତ୍ରୀ ଲୋକ ଘରବହୁଡ଼ାରେ ମନ ଦେଲେ । ପାତାଳି ଗାତର କିଛି ଦୂରରେ କାଣ୍ଡିଏ ବରଜ ମୂଳି ପହଁରା ଗଦା ହୋଇଗଲା । ସେତେବେଳେ କେଇଜଣ ବୟସ୍କ ପିଲା ଝାମ୍ପି ପଡ଼ିଲେ ଗାତ ଉପରକୁ । ସମସ୍ତ ଛଡ଼ା ଓ କଟା ଫଳକୁ ଉଦରସ୍ଥ କରିଚାଲିଲେ ଏବଂ ଯମ ବୁଢ଼ା ତା’ ଜାଗାରୁ ଉଠି ଯିବାକୁ ପ୍ରସ୍ତୁତ ଥିଲେ, ସେବେ ଜେଜେମା କହିଲା, “ଦେଖୁଛୁ ତ କେମିତି ଠେଲାପେଲା ହେଉଛନ୍ତି ! ତୁ ଛୋଟ ପିଲା, ସେଠାକୁ ଯିବୁନି ।”
କିନ୍ତୁ ମୋ ଇଚ୍ଛା ଥିଲା ସେ ଗାତରୁ କିଛି ମିଠା ନେଇ ଖାଇଦେବାକୁ । କହିଲି, “ସେ ତ ମଣିଷଟିଏ । ତାକୁ ତୁ ଯମ କାହିଁକି କହୁ?” ମା ହସିଦେଇ କହିଲା, “ତୁ ଜାଣିନୁ ତାକୁ; ସେ କେତେଥର ଆମ ଘରକୁ ଆସନ୍ତି ପରା ! ତା’ ନାଁ ବଙ୍ଗାଳି ମଳିକ । ସବୁ ବର୍ଷ ସେ ଯମ ହୋଇ ଏଇଠି ବସନ୍ତି । ମହାପୃ ଯମ ରାଜାଙ୍କ ମାନ୍ୟତା ପାଆନ୍ତି । ପିଠା-ମିଠା, ଫଳ ସମସ୍ତେ ଦିଅନ୍ତି । ସବୁଦିନ ସନ୍ଦ୍ୟା ବେଳେ ବଙ୍ଗାଳି ଭାଇ ଏଇଠି ବସି ଛୁଆଙ୍କୁ ଗପ କୁହେ ।”
ଏକଥା ଶୁଣି ମୁଁ ଖୁସି ହୋଇଗଲି । କହିଲି, “ମୁଁ ବି କାଲିଠାରୁ ଆସିବି । ତୁ ଆସିବୁ ମୋ ସହ । ଏବେ ତାଙ୍କୁ କହିଲେ ସେ ଗପ ଶୁଣେଇବ? ତା’ ମିଠାରୁ ମୋତେ ଗୋଟିଏ ଦବ?” ଜେଜେମା ମୋ’ ହାତ ଧରିପକେଇ କହିଲା, “ଛେ ! ତାଙ୍କୁ କାଇଁ ମାଗିବୁ? ଆମର କ’ଣ ନାହିଁ ! ତାଙ୍କୁ କିଛି ମାଗିବୁନି କି କିଛି ତାଙ୍କଠାରୁ ଖାଇବୁ ନାହିଁ । ସେ ଜାତିରେ ପାଣ ପରା ।”
ଜାତିର ସୁଗନ୍ଧ/ଦୁର୍ଗନ୍ଧ ମୋତେ ଜଣା ନଥିଲା, କିନ୍ତୁ କିଛି ଲୋକଙ୍କଠାରୁ ମୋତେ ଅନେକ ସମୟରେ ଦୂରେଇ ଦିଆଯାଉଥିଲା । ଯେଉଁମାନଙ୍କୁ ପ୍ରତ୍ୟକ ଦିନ ଦେଖି ସେମାନଙ୍କ କୋଳରେ ଯାଇ ବସିପଡ଼ିବାକୁ ଇଚ୍ଛା ହେଉଥିଲା । ତାଙ୍କ ସାଇର ଅଷ୍ଟପ୍ରହରି ଭୋଜି ଖାଇ ହାତ ଧୋଇ ସାରି ପୁଣି ଶୁଙ୍ଘିଦେଇ ଡାଲମାର ବସ୍ନାକୁ ଆଉଥରେ ମନରେ ଭରିନେବାକୁ କିମ୍ବା ତାଙ୍କ ଚାଳରେ ଶୁଖାଯାଇଥିବା କୋଳି ଆଚାରରୁ କୁଳାଏ ପାଟିରେ ପକାଇ ଟାକରା ମାରିଦେବାକୁ ।
ବହୁତ ଅଝଟ କଲାପରେ ଦୁଇ-ତିନିଦିନ ପର ସନ୍ଧ୍ୟାରେ ଜେଜେମା ମୋତେ ନେଇ ବଙ୍ଗାଳି ବୁଢ଼ା ପାଖେ ଜିମା ଦେଇ ଘରକୁ ପଳାଇଥିଲା । ଗପ ସେତେବେଳକୁ ଅଧା ହୋଇସାରିଥାଏ, ବଙ୍ଗାଳି ବୁଢ଼ା ଦୁଇପଟେ ଆଠଦଶ ଜଣ ମୋ ଭଳିଆ ପିଲା ରୁଣ୍ଡ ହୋଇ ଡରରେ ଥରୁଥାନ୍ତି । ବୁଢ଼ା ଗୁ-ଖିଆ ଡାହାଣୀ କଥା କହୁଥାଏ ।
“….ନିର୍ଜନ ରାତିର ଶୁନ୍ ଶାନ୍ ଅନ୍ଧାରରେ ଗାଁ ମୁଣ୍ଡରୁ ମୁଁ ଛି’ କରି ଫେରୁଥାଏ, ହଠାତ୍ ଶୁ-ଶୁ କରି ଶବ୍ଦ ହେଲା, ପଛକୁ ବୁଲିବାକୁ ମୋର ସାହସ ହେଉନଥାଏ । କିନ୍ତୁ ମୁଁ ଜାଣିଥାଏ ସେ ଅମୁକ ଘରର ବୋହୂ ହୋଇଥିବ । ରାତି ଆରମ୍ଭରୁ ମନ୍ତୁରା ଦୂବ, କେଇଖଣ୍ଡ କାଉଁରୀ ହାଡ଼, ମୁଣ୍ଡ ଜଟର ବାଳ କନା ଧାଡ଼ିରେ ଗୁଡ଼େଇ ଘର ଚାଳରେ ଖୋସି ଆସିଥିବ ଚରିବାକୁ । ପଛକୁ ଅନେଇ ଦେଖେ ତ ଏଁ ନିଆଁ ଭଳି ତା’ ଆଖି ଦୁଇଟି ଜଳୁଛି । ଗୋଡ଼ ଉପରକୁ କରି ହାତରେ ଦୌଡ଼ିଲା ପୋଖରୀ ଧୋବା ତୁଠ ଆଡ଼େ, ଆଉ ସେତେବେଳକୁ ମୋ ହାତରୁ ଢାଳଟା ଖସିପଡ଼ିଲା …!”
ମୁଁ ହଠାତ୍ ହାଉଳି ଖାଇ ପାଖରେ ବସିଥିବା ଗୋଟିଏ ପିଲାକୁ କୁଣ୍ଢେଇ ପକେଇଲି । କେଇକ୍ଷଣ ପାଇଁ କିଛି ପିଲା ଚିହିରି ଉଠିଲେ । ତା’ ପରେ ଖୁବ୍ ହସ, ଏତେ ହସ ଯେ ବାରିକ ଘର ଜେଜେ ଉଠିଆସି ବିଡ଼ି ଧୂଆଁ ଫୁଙ୍କି ଦେଇ କହିଲେ, “ଶଳାଏ ତମକୁ ଯଦି ଏତେ ଡର, ଭୂତ ପ୍ରେତ ଗପ କାହିଁକି ଶୁଣୁଛ? ଆରେ ବଙ୍ଗାଳି ଭାଇ ! ଛୁଆଙ୍କୁ ଟିକେ ତମ ଅମଳର କାହାଣ, ପଣ, ଗଜ କି ମୁଠୁଣ ପାଠ ଟିକେ ପଢ଼ାଉନ?”
ଆମ ପିଲାମାନଙ୍କ ଭିତରୁ ଯିଏ ବଡ଼, ସେ ଗାଲୁମାରିଲା ଜେଜେଙ୍କ ସହ ! ଗପ ଶୁଣିବାକୁ । ତେଣୁ ପୁଣି ଆରମ୍ଭ ହୁଏ ଗପ । ଯେପରି ସେଇ କିଛି ସମୟ ଡାହାଣୀଟି ଅଟକି ଯାଇଥିଲା ତା’ ଡରାଣିଆ ଭାବକୁ ନେଇ, ସମୟ ବି, ଆକାଶରୁ ଖସୁଥିବା ସଞ୍ଜା ତାରା ଆଉ ଢାଳ ତଳେ ପଡ଼ି ଅଧା ନୁଆଁଣିଆ ବୁଲିବା ! ସବୁ ବନ୍ଦ ! କେବଳ ବଙ୍ଗାଳି ବୁଢ଼ା ଗପ ଭିତର ସେ ଜୀବନ୍ତ ଝାପ୍ସା ପରଦାରୁ ବାହାରି ଆସି କହୁଥିଲା, “ଆରେ ତା’ କଥା ଛାଡ଼ ହେ, ତୁମେ ସବୁ ଶୁଣ ମୁଁ କହୁଛି ତା’ ପରେ କ’ଣ ହେଲା ।”
ଏବଂ ସେଇ ଭାବ ଓ ଠାଣିରେ ଅଧାକହା ଗପ ଚାଲେ । ଆଉ ଶୀତ? ଯେପରି ଥରି ଥରି ସେ ପିଣ୍ଡାରୁ ଓହ୍ଲେଇ ସାରା ଜଗତରେ ବିଛାଡ଼ି ହୋଇ ପଡ଼ିଥାଏ । କିନ୍ତୁ ବଙ୍ଗାଳି ବୁଢ଼ା କନ୍ଥା ଗୋଟିଏ ଘୋଡ଼େଇ ହୋଇ ଗପି ଚାଲିଥାଏ ଗୁ-ଖିଆ ଡାହାଣୀର ବୃତ୍ତାନ୍ତ ! କାରଣ ସେ ପରା ଡାହାଣୀ ସହ ଗାଁ ବାହାର ମଶାଣୀ ପାଖେ ଠେକା ମାରି, ଲୁଙ୍ଗି ଅଧା କଛା ରଖି ଶୀତଟାରେ ଠିଆ ହୋଇଛି ! ଥରିବ ନାହିଁ?
ସେଇ ଗୋଟିଏ ସନ୍ଧ୍ୟାରେ ପ୍ରଥମ ଥର ମୁଁ ଅନୁଭବ କରିଥିଲି ଡରର ବାସ୍ତବ ରୋମାଞ୍ଚ । ମୋ ଜେଜେମାର କଲୁରୀ ବେଣ୍ଟ, ବୁଢ଼ୀ ଅସୁରୁଣୀ, ଅଭିଶପ୍ତ ରାଜକୁମାର, କବନ୍ଧର ଗାଁ ଇତ୍ୟାଦିରେ ସେଭଳି ରୋମାଞ୍ଚ ନଥିଲା । ଜେଜେମା ଗପ କହେ, ଆମେ ଭାଇ ଭଉଣୀ କେତୋଟି ପାଠପଢ଼ା ଭୟରେ ଗପ ଶୁଣୁ, ତାରା ଗଣୁ ସନ୍ଧ୍ୟା ଆକାଶରେ ।
ଜେଜେମା କୋଳରେ କ’ଣ ଡର ଥାଏ କି? କିନ୍ତୁ ବଙ୍ଗାଳି ବୁଢ଼ାର ଗପରେ ଥାଏ ଭୀଷଣ ଡର । ଯେତେବେଳେ ସଇତାନ କି ଡାକବଙ୍ଗଳା ପ୍ରେତକୁ ନିଜ ଅଭିନୟ ମାଧ୍ୟମରେ, ମିଞ୍ଜିମିଞ୍ଜି ଆଲୁଅରେ ତା’ ରକ୍ତହୀନ ଶୁଖିଲା କଳା ମଚମଚ ହାତ ଆଙ୍ଗୁଠି ଗୁଡ଼ିକୁ ଫେର୍ଚ୍ଚା କରି ଅତି ଡରୁଆ ଛୁଆଟି ଆଡ଼କୁ ହଠାତ୍ ବଢ଼େଇଦିଏ ! ସେ ଛୁଆଟି ଚିତ୍କାର କରି ଠେସି ପକାଏ ଅନ୍ୟ ପିଲାଗୁଡ଼ିକୁ । ତା’ ନିର୍ବଳ ଶରୀରରେ ଏତେ ବଳ ଆସେ କୁଆଡ଼ୁ କେଜାଣି? ସବୁତକ ପିଲା ବେଳେବେଳେ ପିଣ୍ଡା ତଳୁ ଖସିପଡ଼ନ୍ତି । ଆଉ ଅନ୍ୟପାଖ ପିଲାଏ ‘ବୋଉଲୋ-ବାପାଲୋ’ କହି ଦି-ହାତେ ପଛକୁ ଘୁଞ୍ଚିଯାଇ, ଠୋ ଠୋ ହୋଇ ହସିଥାନ୍ତି ପରେ ।
ମୋତେ ଅନୁମତି ମିଳୁଥାଏ କେବଳ ଶନିବାର ଓ ରବିବାର ସନ୍ଧ୍ୟା ଦୁଇଟି ପାଇଁ । ଅଧିକାଂଶ ସମୟରେ ବାପା ମୋତେ ଘରକୁ ନେବାକୁ ଆସିଥାନ୍ତି । ନଚେତ୍ ଏକା ଫେରିବାକୁ ମୋର ପ୍ରବଳ ଡର । ଚପଲର ଗୋଇଠିରେ ବାଜିବା ଶବ୍ଦ ହେଉ କି ଶୁଖିଲା କାଠିଟିଏ ମାଡ଼ି ଦେବାର ଶବ୍ଦ ! ନିଜର ନିଃଶ୍ୱାସ ପ୍ରଶ୍ୱାସ ଶବ୍ଦ ବ୍ୟତୀତ ସେ ସମୟରେ ସବୁ ମୋତେ ଲାଗେ ଡାହାଣୀ କି ଚିରୁଗୁଣୀଙ୍କ ପାଦର ଶବ୍ଦ । କିନ୍ତୁ ବାପାଙ୍କ ଆଙ୍ଗୁଠି ଧରି ଫେରିଲା ବେଳେ, ବୀର ଦର୍ପରେ ଥାଏ ମୁଁ ।
ଏମିତି ଏକ ସନ୍ଧ୍ୟାରେ ଆମେ କେଇଜଣ ହଜିଯାଇଥାଉ ଏକ ଅଜଣା ଶୁନ୍ଶାନ୍ ଅମାବାସ୍ୟା ରାତ୍ରିର ଏକାନ୍ତ ଓସ୍ତଗଛ ଡାଳରେ ଓହଳି ରହିଥିବା ଧଳା ପ୍ରେତ ପାଖରେ । ଆଉ ବଙ୍ଗାଳି ବୁଢ଼ା ପ୍ରେତକୁ ରାସ୍ତା ଛାଡ଼ିବାକୁ ଧମକାଉଥାଏ ! ଠିକ୍ ସେତିକିବେଳେ ମୋ ଜେଜେମାର ପାଟି ଶୁଭିଲା, “ଏ ଟୋକା ! ଶୀଘ୍ର ଚାଲେ, ତୋ ମା’ ନହେଲେ ତୋତେ ବହେ ଛେଚିବ ।”
ଗପଟି ଅଧା ଛାଡ଼ି ମୋତେ ଆସିବାକୁ ହେଲା । ଜେଜେମା ହାତରେ ଗୋଟିଏ ସରୁ ଲଣ୍ଠନ ଥାଏ । ସଳିତା ଧୂଆଁରେ ଉପରିଭାଗ କାଚଟି କଳା ପଡ଼ିଯାଇଥାଏ । ଏବଂ ଆଲୁଅ ମୋ’ ଠାରୁ ଦୁଇହାତ ଦୂରରେ ପଡ଼ୁଥାଏ । ଡର ନଥାଏ ମୋ ଭିତରେ କିନ୍ତୁ ଲାଗୁଥାଏ ଯେପରି ସେ ଧଳା ପ୍ରେତଟି ଆମ ଘର ପାଖ ଚାକୁଣ୍ଡା ଗଛରୁ ଓହଳି ପଡ଼ିବ କି? ଦେହ ଶୀତେଇ ଯାଉଥାଏ ।
ଘର ଦୁଆର ପାଖେ ପହଁଚିଛି କି ନାହିଁ, ଜେଜେମାର ତାଗିଦ କି ଘରେ ପଶିବା ପୂର୍ବରୁ ମୋ ଉପରେ ପାଣି ସିଞ୍ଚା ଯାଉ । ମୁଁ ବୁଝିପାରୁଥାଏ ସବୁ, କିନ୍ତୁ ଯେଉଁ ଜାତି ପ୍ରଥା ହଜାର ହଜାର ବର୍ଷରେ ବଦଳି ପାରିଲା ନାହିଁ, ତାକୁ ବାପା ବନ୍ଧ ପାଖରେ ଠିଆ ହୋଇ ଜେଜେମା କଥାଟିକୁ ଟାଳି ଦେଇଥିଲେ କ’ଣ ହୋଇଯାଇଥାନ୍ତା?
ତା’ ପରଠାରୁ କେବେ ମଧ୍ୟ ବାପା ମୋତେ ସେ ପିଣ୍ଡାରୁ ଆଣିବାରେ ହେଳା କରିନଥିଲେ । ଆମେ ସିଧା ଘରେ ପଶୁଥିଲୁ । କେବଳ ଭୂତ ପ୍ରେତର ଭୟାନକ କାହାଣୀ ନୁହେଁ ବରଂ ଦୁଇ ବର୍ଷ ଭିତରେ ଆମ ଗାଁର ଇତିହାସ, ନିଶ୍ଚନ୍ତାର ସୌନ୍ଦର୍ଯ୍ୟ ଓ ପର୍ବପର୍ବାଣିର ପୌରାଣିକ କଥାଗୁଡ଼ିକୁ ମଧ୍ୟ ସେ ଖୁବ୍ ସୁନ୍ଦର ଭାବରେ ବୁଝାଉଥିଲେ ।
ସନ୍ଧ୍ୟାବେଳ ଆସର ପରେ ଅନେକଥର ତାଙ୍କୁ ଦେଖିବାକୁ ପାଇଛୁ ଲୋକ ଗହଳିରୁ ବାଟଭାଙ୍ଗି ଚାଲିଯିବା । ଗୋଟିଏ ହିଡ଼ରେ ସେ ଯାଉଥିବା ବେଳେ ଅନ୍ୟକୁ ରାସ୍ତା ଛାଡ଼ିବାକୁ ଯାଇଁ ଆଣ୍ଠିଏ କାଦୁଅ ପାଣିରେ ପଶିଯିବା କିମ୍ବା ଦୋକାନର ଗୋଟିଏ କୋଣରେ ଠିଆ ହୋଇ ତଳୁ ସଉଦା ଉଠାଇ ନେବା । ଜାତିର ଏ ଛୁଆଁ ଅଛୁଆଁ ଭେଦଭାବରେ ପଣ୍ଡୁପୂର୍ଣ୍ଣିମାର ସେ ଜୀବନ୍ତ ଯମରାଜ ମଧ୍ୟ ବାଦ୍ ପଡ଼ିନଥିଲେ ।
ସେଦିନ ଥିଲା ଏମିତି ଏକ ପଣ୍ଡୁ ପୂର୍ଣ୍ଣିମାର ସୂର୍ଯ୍ୟାସ୍ତ । ଠାକୁରାଣୀଙ୍କ ମଣ୍ଡପର ସେଇ ଅନତି ଦୂରରେ ପାତାଳି ଗାତଟି ଖୋଳା ସରିଥାଏ । ଆମେ କିଛି ପିଲା ମଇଁଷିଗୋଠ ଶ୍ମଶାନ ବଣରୁ ବାଉଁଶ ଡାଳ, ବଜ୍ର ମୂଳି ଏବଂ ଆମ୍ବଡାଳ ଗୋଛାଏ ସଂଗ୍ରହ କରି ଫେରିଥାଉ ଏବଂ ଶୁଣିବାକୁ ପାଇଲୁ ଯମ ବୁଢ଼ା ଆଉ ନାହିଁ ।
ଗାଁ’ରେ କେହି ଦେହତ୍ୟାଗ କଲେ ଲୋକଙ୍କ କୋଳାହଳ ହୁଏ, କିଛି ଲୋକ କାମକାଜ ଛାଡ଼ି ମୃତକର ଦୁଆର ମୁହଁକୁ ଦୌଡ଼ନ୍ତି । ଅନେକ ପିଣ୍ଡା, ଠାକୁର ଚଉପାଢ଼ି ମାନଙ୍କରେ ଆଲୋଚନା ହୁଏ । କିନ୍ତୁ ବଙ୍ଗାଳି ବୁଢ଼ାର ମୃତ୍ୟୁରେ ସେମିତି କିଛି ବି ଜଣାପଡ଼ୁନଥାଏ, କେବଳ ତାଙ୍କ ସାହି ବ୍ୟତୀତ !
ବୋଉ, ସାନବୋଉ, ଜେଜେମା ପିଠା ଗଢ଼ିବାରେ ବ୍ୟସ୍ତ ଥାନ୍ତି । ବାପା ଦୁଇ ପୁଞ୍ଜା ସରିକି ନଡ଼ିଆ କୋରିବା ଆରମ୍ଭ କରିଦେଇଥାନ୍ତି, ପୂର୍ଣ୍ଣିମାର ଜହ୍ନ ଉଇଁବ ଉଇଁବ ବୋଲି ତର ହେଉଥାଏ ନିଶ୍ଚନ୍ତାର ପୂର୍ବ କୋଣରୁ । ଆଉ ଆମେ କେଇଜଣ ପିଲା ଠିଆ ହୋଇଥାଉ ଆମ ଘର ଦାଣ୍ଡପାଖ ଅଙ୍କି ଏପାଖେ । ଦେଖିବାକୁ ଆମ ପ୍ରିୟ ଗାଳ୍ପିକଙ୍କ ଶେଷ ଯାତ୍ରା । ଆମ ସାହି ଭିତରେ ଘଣ୍ଟ ଓ ଶଙ୍ଖର ଶବ୍ଦ ଭାସିଆସି ଯେପରି କହୁଥାଏ କି ଏବେ ଏବେ ଯମ ମହାରାଜାଙ୍କ ପୂଜା ଆରମ୍ଭ ହେବ ! ଶୀଘ୍ର ପସରା, ପିଠାପଣା ନେଇ ପହଞ୍ଚ ।
ଏଣେ ମଳିକ ସାହିରୁ “ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ… ହରେ ରାମ, ହରେ ରାମ, ରାମ ରାମ ହରେ ହରେ…” ଏକକାଳୀନ ହୃଦୟ ବେଦନାସିକ୍ତ ଈଶ୍ୱର ଆବାହନ ସହ ମୃଦଙ୍ଗ, ଝାଞ୍ଜ ଓ ତୂରୀର କୀର୍ତ୍ତନ କରି ଶବ ବାହକଙ୍କ ପଛେ ପଛେ ଚାଲିଥାନ୍ତି କୀର୍ତ୍ତନିଆ । ଛ’ ଖଣ୍ଡ କାଠର କୋକେଇରେ ଶାନ୍ତ ରୂପେ ଶୋଇରହିଥାଏ ଆମ ଯମ ବୁଢ଼ା । ବଙ୍ଗାଳି ମଳିକ ।
ଇଚ୍ଛା ହେଉଥିଲା ସେ ଯାତ୍ରାରେ ସାମିଲ ହୋଇ ଗୋଟିଏ ପାଞ୍ଚ କି ଦଶ ପଇସି ଗୋଟେଇଆଣି ଚିରଦିନ ପାଇଁ ସାଇତି ରଖିବାକୁ । କିନ୍ତୁ ଜାତି ଓ ପ୍ରଥାର ଭୟ ଧୀରେ ଧୀରେ ମୁଁ ବୁଝିସାରିଥାଏ । ପ୍ରଥମଥର ପାଇଁ ସେ ସନ୍ଧ୍ୟାରେ ଏତେପାଖରେ ମୃତ ଶରୀର ଦେଖି ଭୟ ଲାଗି ନଥିଲା । ଆମେ ପିଲା କେତେଜଣ ଖୁବ୍ ମନଦୁଃଖ କରିଥିଲୁ । ଶବଯାତ୍ରା ଗଲାପରେ ଯାଇଥିଲୁ ଦାଣ୍ଡ-ଖରକା ଓଷା ଦେଖିବାକୁ । ଏଥର କିନ୍ତୁ ଗଉଡ଼ ଘର ପିଣ୍ଡାରେ ଜୀବନ୍ତ ଯମରାଜ ନଥାନ୍ତି । ଓଷା ସମାପ୍ତ ପରେ କିଛି ପିଠା କି ମିଠା ନେବାପାଇଁ ବଙ୍ଗାଳି ବୁଢ଼ା ନଥାଏ ।
ସେ ସନ୍ଧ୍ୟାରେ ସମସ୍ତେ ପୂଜା ପାଖେ ଥିବାବେଳେ ମୁଁ ଏକା ଫେରିଥିଲି ଘରକୁ । ମୋତେ ଡର ଲାଗୁନଥିଲା ସତ, କିନ୍ତୁ ଲାଗୁଥିଲା ଯେପରି ଏବେବି ସେ ପିଣ୍ଡାରେ ଯମବୁଢ଼ା ବସିଛି ତା’ ଚାଦର ଘୋଡ଼େଇ ହୋଇ । ଆଉ ତା’ ପାଖରେ ଅଛି ଅସରନ୍ତି ଗପ ।
– ହିମାଂଶୁ ଭୂଷଣ ସାହୁ
Comments
ହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।