ହଁ ସେ ମାଆ

han-se-maa

(୧)

ମୋ ସ୍କୁଲ ଯିବା ବେଳର କଥା । ସବୁଦିନ ପରି ମୋତେ ଖାଇବାକୁ ବାଢ଼ି ଦେଇ ଟେବୁଲ ଉପରେ ଟିଫିନଟି ରଖି ଦେଇ ମମି ତା’ର କାମରେ ଲାଗିଗଲା । କୌଣସି କାରଣ ବଶତଃ ସେଦିନ ଟିଫିନଟି ବ୍ୟାଗରେ ରଖି ନଥିଲା ସେ ଆଉ ବଡ଼ ପାଟିରେ ଚିଲେଇକି କହିଲା, “ମନେ କରିକି ଟିଫିନ ବ୍ୟାଗରେ ପୁରେଇବୁ ।” ମୁଁ ଖାଇ ସାରି ଅଭ୍ୟାସଗତ ଭାବେ ବ୍ୟାଗଟି ଉଠେଇ ସ୍କୁଲ ବାହାରି ଯାଇଥିଲି ଟିଫିନଟିକୁ ସେଇ ଟେବୁଲ ଉପରେ ରଖି ଦେଇ । ଲଞ୍ଚ ବ୍ରେକରେ ବ୍ୟାଗରେ ଟିଫିନ ନ ଦେଖି ମନେ ମନେ ଖୁସି ହେଇଯାଇଥିଲି ମୁଁ । ଯାହା ହଉ ଆଜି ପକେଟ ମନୀ ୨୦ ଟଙ୍କା ଖର୍ଚ୍ଚ କରିବାକୁ ବାହାନାଟେ ମିଳି ଗଲା ।

ହେଲେ ୪ଟା ବେଳେ ଘରକୁ ଫେରି ଦେଖେ ତ ମା’ ମୋର ଦୁଇଟା ଯାଗାରେ ଖାଇବା ବାଢ଼ିଲା; ଗୋଟେ ତା’ର ଆଉ ଗୋଟେ ମୋର । ମୁଁ ପଚାରିଲି, “ମମି ତୁ କ’ଣ ଖାଇନୁ ଆଜି ଏବେ ଯାଏଁ?” କହିଲା, “ତୋ ବ୍ୟାଗରେ ଟିଫିନଟା ନ ପୁରେଇ ଏତେ ବଡ଼ ଭୁଲଟେ କଲି ଆଜି । ଛୁଆ ମୋର ଭୋକରେ ରହିଲା ଦିନ ସାରା ।”

ମୁଁ ତା’ ମୁହଁକୁ ଆଁ କରି ଚାହିଁ ଭାବୁଥିଲି ପ୍ରକୃତରେ କାହା ଭୁଲ ଥିଲା? ସକାଳୁ ଘର ଯାକର କାମ କରି ସାରିକି ବି ନିଜକୁ ଓପାସ ରଖି ଅନୁତାପ କରିବାର ଶକ୍ତି ବୋଧେ କେବଳ ମାଆର ଥାଏ ।

ହଁ ସେ ମାଆ । ମା’କୁ କେବେ ଭୋକ ହୁଏନି ।

(୨)

ମୋ ଜନ୍ମଦିନ ଆଉ ସାବିତ୍ରୀ ପାଖାପାଖି ପଡ଼େ । ସେବର୍ଷ କୌଣସି କାରଣରୁ ବାପାଙ୍କୁ ପୂର୍ବ ମାସର ଦରମା ମିଳି ନଥାଏ । ବାପା ସୀମିତ ଅର୍ଥ ମମି ହାତକୁ ବଢ଼େଇ ଦେଇ କହିଲେ, “ପୁଅ ପାଇଁ ଖାଲି ସାର୍ଟଟେ ଆଉ ତା’ ପାଇଁ ଶାଢ଼ୀଟେ ନେଇ ଆସିବାକୁ ।” ହେଲେ ମୋର ଏକା ଜିଦ୍ ସାର୍ଟ ପ୍ୟାଣ୍ଟ ଦୁଇଟାଯାକ ଦରକାର । ଆଉ ସତକୁ ସତ ସେଦିନ ମୋର ଜିଦ୍ ହିଁ ରହିଥିଲା ଆଉ ମମି ବାପାଙ୍କୁ କହୁଥିଲା, “ଶାଢ଼ୀ କ’ଣ ନାଇଁ ମୋର? ବର୍ଷକୁ ଥରେ ଛୁଆଟାର ଜନ୍ମ ଦିନ ଆଉ ସେ ପୁଣି ମୋ ବଡ଼ ପୁଅ । ତା’ ପାଇଁ ନୂଆ ଆଣିବ ନା ଆଉ ।”

ହଁ ସେ ମାଆ । ମା’ର କିଛି ଇଚ୍ଛା ନଥାଏ ।

(୩)

ଥରେ ଭୀଷଣ ଜ୍ୱର ହେଇଥାଏ ମୋତେ । ଯେତେ ଔଷଦ ଖାଇଲା ପରେ ବି ଜ୍ଵର କମୁ ନଥାଏ । ମମି ଆସି ବିଛଣାରେ ମୋତେ ଝାଡ଼ି ଦେଉଥାଏ ଆଉ କହୁଥାଏ କିଛି ହେଇନି ମୋ ଛୁଆର । କିଏ ତା’କୁ ଦୃଷ୍ଟି କରି ପକେଇଚି । ଆଉ ସତକୁ ସତ ଘଣ୍ଟାଟେ ପରେ ମୁଁ ଉଠିକି ଡିଆଁ ମାରୁଥାଏ ।

ହଁ ସେ ମାଆ । ମା’ କେବେ ହାର୍ ମାନେନି । ମାଆ କିଛି ବି କରିପାରେ ।

(୪)

କବିତାର ‘କ’ ଅକ୍ଷର ଜଣା ନଥାଏ ମୋତେ । ହେଲେ କ’ଣ ଗୋଟେ ମୁଣ୍ଡରେ ପଶିବାରୁ ସାହସ କରି ସେବର୍ଷ ନୂଆ ବର୍ଷରେ ସ୍କୁଲରେ କବିତା ପ୍ରତିଯୋଗିତାରେ ଭାଗ ନେଇଗଲି । ଘରେ ଆସି ବାପାଙ୍କ ପାଖରେ ଜିଦ୍ କଲି ମୋତେ ପ୍ରସ୍ତୁତ କରେଇବାକୁ । କାହିଁକି ନା ସବୁ ବର୍ଷ ବକ୍ତୃତା, ରଚନା ଆଉ କୁଇଜ୍ ପ୍ରତିଯୋଗିତାରେ ବାପା ହିଁ ମୋତେ ପ୍ରସ୍ତୁତ କରାନ୍ତି । ସେଦିନ ବାପା ରାଗିକି କହିଲେ, “ମୋତେ କବିତା ଆସେନି । ତୋତେ କିଏ କହୁଥିଲା ସେଥିରେ ଭାଗ ନବାକୁ?” ମୋତେ ଗୋଟାଏ ପଦ ବି ମୁଣ୍ଡକୁ ପସୁ ନଥାଏ ଆଉ ପରଦିନ ସକାଳୁ ପ୍ରତିଯୋଗିତା ଥାଏ ।

କାନ୍ଦି କାନ୍ଦି ଖାଇ ସାରି ଶୋଇ ପଡ଼ିଲି ରାତିରେ । ସକାଳୁ ଉଠିକି ଦେଖେ ତ ଟେବୁଲ ଉପରେ କାଗଜ ଫର୍ଦ୍ଦଟେରେ ଏକ ସୁନ୍ଦର କବିତାଟେ ଲେଖା ହେଇ ଥୁଆ ହେଇଚି । ହସ୍ତାକ୍ଷରରୁ ଜାଣି ପାରିଲି ଆରେ ଇଏ ତ ମମିର ଲେଖା । ସେଦିନ ପ୍ରତିଯୋଗିତାରେ ସମସ୍ତଙ୍କ ଠୁ ପ୍ରଶଂସା ସାଉଁଟି ସ୍କୁଲରୁ ଫେରି କୁଣ୍ଢାଇ ପକେଇଥିଲି ମମି କୁ ।

ହଁ ସେ ମାଆ । ସନ୍ତାନର ପ୍ରଥମ ଗୁରୁ । ମା’କୁ ସବୁ ଜଣା । ମା’ ପାଖରେ ସବୁ ଜ୍ଞାନ ଥାଏ ।

(୫)

ମୋତେ ଘର ଛାଡ଼ି ବାହାରେ ରହିବାରେ ପ୍ରାୟ ଦଶ ବର୍ଷ ହେଇ ଗଲାଣି । ହେଲେ ଆଜି ବି ଘରକୁ ଛୁଟିରେ ବୁଲିବାକୁ ଆସିଲେ ଗୋଡ଼ ହାତ ଟେକି ବିଛଣାରେ ପଡ଼ି ରୁହେ ମୁଁ । ଆଉ ଅର୍ଡ଼ର ମୁତାବକ ଖାଇବା ତିଆରିରେ ଲାଗି ପଡ଼େ ମା । ଯୋଉ ଯୋଉ ପର୍ବ ପର୍ବାଣୀରେ ମୁଁ ଘରେ ରହି ପାରିନଥାଏ, ସବୁଯାକ ପର୍ବ ଏକା ଥରେ ପାଳନ ହୁଏ ଆମ ଘରେ ସେଇ ଦୁଇଟା ଦିନରେ । ହେଲେ ସକାଳୁ ସଞ୍ଜ ଦୌଡ଼ି ଦୌଡ଼ି ବି ଖୁସିରେ ରାତି ଦିନ ଜଣା ପଡ଼େନି ମମିକୁ । ମୋତେ କୌଣସି ଜିନିଷରେ ହାତ ମାରିବାକୁ ପଡ଼େନି, ସତେ ଯେମିତି ମୁଁ ପୁଅ ନୁହେଁ ଘରର କୁଣିଆ ।

କେବେ କେମିତି କୌଣସି କାମରେ ହଉ କିମ୍ବା ବୁଲିବାକୁ ହଉ ମମି ଯେବେ ଭୁବନେଶ୍ୱର ଆସେ ଆଉ ମୋ ରୁମରେ ରହେ, ବର୍ଷ ଯାକର ଅଳିଆକୁ ସଫା କରି ରୁମକୁ ଚିକ୍ ଚିକ୍ କରିଦିଏ ଆଉ ମୁଁ ମନା କଲେ ଓଲଟା କହେ, “ରହ ! ମୁଁ କ’ଣ କୁଣିଆ? ତୋତେ କେତେବେଳେ ସମୟ ଯେ ତୁ ଏ ସବୁ କାମ କରିବୁ !”

ହଁ ସତରେ ସେ ମାଆ । ମା’ କେବେ ଥକି ପଡ଼େନି ।

ମୋ ହାତ ଧରି ଲେଖା ଶିଖେଇଥିବା ମାଆ ପାଇଁ ମୋର ସହସ୍ର ଶବ୍ଦ ବି ଯଥେଷ୍ଟ ନୁହଁ । ଏମିତି କିଛି ମହାନ ତ୍ୟାଗର ମହାନାୟିକା ସାଜୁଥିବା ପ୍ରତ୍ୟକଟି ମାଆଙ୍କୁ ମୋର ଭକ୍ତିପୂତ ପ୍ରଣାମ ।

ଚିନ୍ମୟ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...