ଗୋଟେ କପ୍ ଲୁହ

Gote Cup Luha

ସନ୍ଧ୍ୟା ସମୟ ଆଗତ, ସୂର୍ଯ୍ୟ ସତେ ଯେପରୀ ବୈତରଣୀ ଜଳକୁ ନଇଁଲେ । ସାନ୍ଧ୍ୟ କଳାରେ ତରଙ୍ଗ ଯେପରୀ ଧୀରେ ଧୀରେ ପାଦଚାଳି ବୈତରଣୀର ଅବବାହିକାକୁ ମାଡ଼ି ଆସିଲା । ସମଗ୍ର ଜଗନ୍ନାଥପୁର ଗ୍ରାମ ଯେପରୀ ସନ୍ଧ୍ୟାର ମହିମାରେ ମହିଆନ ହୋଇଉଠିଛି । ନଦୀର ପ୍ରତିଟି ନୀଳଗାତ୍ରରେ ଭାଙ୍ଗିପଡ଼ୁଥାଏ ଅଳ୍ପକିଛି ଧୂଷର ଅନ୍ଧାର । ସତେ ଯେପରୀ ବୈତରଣୀ ଚନ୍ଦ୍ରାତୁରା ଅବୁଝା ଶିଶୁ ସନ୍ଧ୍ୟାକୁ ରାତ୍ରୀର ଗଭୀର ନିଦ୍ରାରେ ଝୁଲାଇ ଝୁଲାଇ ଶୁଆଇ ପକାଉଛି ।

ଏହି କୁମାର ପୂର୍ଣ୍ଣିମାର ଚନ୍ଦ୍ରାସ୍ନାତା ପୃଥିବୀର ମଧୁର ମନୋରମ ପରିବେଶ ଛାତ ଉପରେ ଛିଡ଼ାହୋଇ ଆକାଶରେ ଶୋଭା ପାଉଥିବା ଅଗଣିତ ତାରାମାନଙ୍କୁ ନିରବଚ୍ଛିନ୍ନ ଭାବରେ ଦେଖିଚାଲିଥାନ୍ତି ଚନ୍ଦ୍ରଶେଖର ମଙ୍ଗରାଜ ।

ହଠାତ୍ ଆଖି ଆଗରେ ଝଲସି ଉଠିଛି ଅତୀତର କେତେ କଥା । କେଉଁଭଳି ସେ ମରୁଡ଼ି ସମୟରେ ଲୋକମାନଙ୍କର ଖାଦ୍ୟ ସମସ୍ୟାକୁ ନେଇ ସରକାରଙ୍କୁ ଜଣାଇବା ହେବ ବା ବର୍ଷା, ବନ୍ୟା ବିତ୍ପାତବେଳେ ଲୋକମାନଙ୍କୁ ଚୁଡ଼ା ଚାଉଳ ବାଣ୍ଟିବା ବା’ ଶୀତ ଲହରୀ ସମୟରେ ଗରିବଲୋକମାନଙ୍କ ପାଖରେ ଚାଦରଟିଏ ପହଞ୍ଚେଇବା । ସବୁବେଳେ ନିଜ ଅର୍ଥସାରି ନିଜର ସୁଖକୁ ବଳିଦାନ ଦେଇ ସାହାଯ୍ୟ କରିବା ନିମିତ୍ତ ଅଗେଇ ଆସନ୍ତି ବାବୁ ନିଜେ ।

ଦୀର୍ଘ କୋଡ଼ିଏ ବର୍ଷ ତଳେ ଆଜିର ଦିନରେ ତାଙ୍କ ଧର୍ମପତ୍ନିଙ୍କର ବିୟୋଗ ହୋଇଥିଲା । ମୁଣ୍ଡ ଉପରେ ଛୋଟ ପିଲାଟିର ବୋଝ । ସେ ଯାହା ହେଉନା କାହିଁକି ବହୁ ଘାତପ୍ରତିଘାତ ମଧ୍ୟରେ ପୁଅଟିକୁ ମଣିଷ କରିଛନ୍ତି । ଏହି ଅତୀତରେ ସ୍ମୃତିକୁ ରୋମନ୍ଥନ କରିବାସମୟରେ ହଠାତ୍ ଲକ୍ଷ୍ୟ ପଡ଼ିଯାଏ ତଳକୁ ।

“ଆରେ କିଏ?” ବିସ୍ମିତ ହୋଇ ପଡ଼ିନ୍ତି ଚନ୍ଦ୍ରଶେଖର ବାବୁ । ଦେଖିବାକୁ ପାଇଲେ ତାଙ୍କ ପୁଅ ଦିଲୀପ ଗୋଟେ ଝିଅକୁ ସାଙ୍ଗରେ ଧରି ଆସିଛି । ତଳକୁ ଆସି ସ୍ଥିତି ଅନୁଧ୍ୟାନ କରି ବାବୁ ଜାଣିବାକୁ ପାଇଲେ ସେ ଝିଅଟି ଦିଲ୍ଲୀପର ଧର୍ମପତ୍ନୀ । ଏହି କଥାଟିକୁ ଶୁଣୁଶୁଣୁ ବାବୁଙ୍କ ପାଦତଳେ ଭୂସ୍ଖଳନ ହୋଇଗଲା ।

ଯେଉଁ ଦିଲ୍ଲୀପ ପାଇଁ ଛାତିକୁ ପଥର କରି ଚମଡ଼ାକୁ ବର୍ଷାତି କରି ଅବିରତ ବାରିପାତରେ ବନସ୍ପତି ପରି ପଡ଼ି ରହିଥିଲେ । ଆଜି ସେଇ ପୁଅ ଏଭଳି ଏକ ସିଦ୍ଧାନ୍ତ ନେଇ ପାରିଛି । ବାପାକୁ ଥରେ ପଚାରିପାରିଲା ନାହିଁ । ନିଜର କ୍ରୋଧକୁ ସମ୍ବରଣ କରି ନପାରି ନିଜ ପୁଅକୁ ଗାଳିଗୁଲଜ କଲେ । ଯେହେତୁ ବୋହୂଟି ଶିକ୍ଷିତା ଓ ସଂସ୍କାରି ଥିଲା, ଅନେକ ଭାବିଚିଞ୍ଚି ଉଭୟଙ୍କୁ ଘରେ ରହିବାକୁ ଅନୁମତି ଦେଲେ ।

ସବୁ ଠିକ୍ଠାକ୍ ଚାଲିଥାଏ । ପାଞ୍ଚବର୍ଷ ବିତିଗଲାଣି । ଚନ୍ଦ୍ରଶେଖର ବାବୁ ମଧ୍ୟ ଜେଜେ ହୋଇ ସାରିଲେଣି । ଦିନେ ଦିଲ୍ଲୀପ ଦପ୍ତରରୁ ଫେରିଲା ସମୟରେ ଟ୍ରକଟିଏ ପଛପଟୁ ଧକ୍କା ଦେଲାଯେ ସେଇଠି ହିଁ ପିଣ୍ଡରୁ ପ୍ରାଣବାୟୁ ଉଡ଼ିଗଲା ।

ସେଇଦିନଠାରୁ ଆରମ୍ଭ ହୋଇଗଲା ବାବୁଙ୍କର ଦୁର୍ଦ୍ଦିନ । ରୋଜଗାରିଆ ପୁଅର ବିୟୋଗରେ ବାପା ଭାଙ୍ଗିପଡ଼ିଲେ । ପାଖରେ ଯାହା ଟଙ୍କା ଥିଲା ସବୁତକ ନିର୍ବାଚନ ଲଢ଼ି ସାରିଦେଇଛନ୍ତି । ନାମକୁ ମାତ୍ର ଜମିଦାର । ସ୍ୱାଧୀନତା ପରେ ଜମିଦାରି ଉଚ୍ଛେଦ ପରେ ବାବୁ ଏକ ସାଧାରଣ ମଣିଷ । ସମ୍ପତ୍ତି କହିଲେ ବୁଝାଏ ଚାରିବଖରା ପୁରୁଣା ଛାତଘର, କୋଡ଼ିଏ ଗୁଣ୍ଠ ଜମି, ଗୋଟିଏ ପୋଖରୀ । ଏତେ ଆର୍ଥିକ ଅନାଟନ ହେଲେ ମଧ୍ୟ ବାବୁ ନିଜର ପ୍ରକୃତିକୁ ଏବେବି ବଞ୍ଚାଇ ରଖିଛନ୍ତି ।

ବେଳରୁ ତ ଥିଲେ ମେଳାପି, ଖର୍ଚ୍ଚି ଓ ସାହାଯ୍ୟକାରୀ ଲୋକଟିଏ । ରାତି ପାହିଲାବେଳକୁ କାହିଁ କେତେ ଲୋକ ଛୁଟି ଆସୁଥିଲେ ଗୋଟେ କପ୍ ‘ଚାହା’ ପିଇବାକୁ ତାଙ୍କ ଦୁଆରକୁ । ବାବୁ ସେମାନଙ୍କର ଏହି ଛୋଟିଆ ଆଶାଟିକୁ ଭାଙ୍ଗିବେ ବା କେମିତି । ବାଧ୍ୟହୋଇ ଚାହା ଟିକିଏ କରିଦେବାକୁ ବୋହୂକୁ କୁହନ୍ତି ଚନ୍ଦ୍ରଶେଖର ବାବୁ ।

ଏକଦା ଚନ୍ଦ୍ରଶେଖର ବାବୁଙ୍କ ପିଣ୍ଡାରେ ବାବୁଙ୍କୁ ମିଶାଇ ପାଞ୍ଚଜଣ ଲୋକ ବସିଥାନ୍ତି । ବାବୁ ଚାହା ଟିକିଏ କରିଦେବାକୁ ପାଇଁ ବୋହୂକୁ ନିର୍ଦ୍ଦେଶ ଦେଲେ । ଘରେ କିନ୍ତୁ ଚାହା କି ଚିନି ନଥାଏ । ବୋହୂଟି ପଡ଼ିଶାଘରୁ ଚାହାଚିନି ମାଗି ଆଣି ଚାହା କଲା । ଚାହା କରିସାରି ଦେଖିଲାବେଳକୁ ତିନିକପ୍ ଚାହା । ବୋହୂଟି କଷ୍ଟମଷ୍ଟେ ସବୁ କପ୍‌ରୁ ଟିକିଏ ଲେଖାଏଁ କାଢ଼ିରଖି ଚାରି କପ୍ କଲା, ହେଲେ ପିଣ୍ଡାରେ ବସିଛନ୍ତି ପାଞ୍ଚଜଣ । ବୋହୂଟି ପାଞ୍ଚଟି କପ୍‌କୁ ଟ୍ରେରେ ରଖି ମଥାରେ ଓଢ଼ଣା ଦେଇ ଚାହା ନେଇ ଗଲା ଓ ସମସ୍ତଙ୍କ ହାତକୁ ଗୋଟିଏ ଲେଖାଏଁ କପ୍ ବଢ଼େଇଦେଲା । ସମସ୍ତେ ଚାହା ପିଇବା ଆରମ୍ଭ କଲେ । ହଠାତ୍ ବାବୁ ନିଜେ ମନ୍ତବ୍ୟ ଦେଲେ ଆଜିର ଚାହା ଖୁବ୍ ନିଆରା ଲାଗୁଛି । ଚାହା ପିଇସାରି ସମସ୍ତେ ନିଜ ନିଜର ବାଟରେ ଚାଲିଗଲେ ।

ଚନ୍ଦ୍ରଶେଖର ବାବୁ ଭୋ ଭୋ କରି କାନ୍ଦିବାକୁ ଲାଗିଲେ । ସତେ ଯେପରୀ ଛାତିତଳେ ଜାବୁଡ଼ି ଧରିଥିବା ସବୁ ଦୁଃଖକୁ ଆଜି ନିଜ ନୟନାଶ୍ରୁରେ ଧୋଇ ଦେଲେ । ବାବୁଙ୍କ ଲୁହରେ ଖାଲିକପ୍‌ଟି ପୂର୍ଣ୍ଣ ହୋଇଗଲା ।

ଅର୍ଥାତ ବାବୁଙ୍କ ବୋହୂ ବାବୁଙ୍କୁ ଖାଲି କପ୍‌ଟିଏ ଦେଇଥିଲା । ବାବୁ ମଧ୍ୟ ନିଜେ ଚାହା ପିଇବାର ସୁନ୍ଦର ଅଭିନୟ କରି ଲୋକମାନଙ୍କ ଆଗରେ ନିଜର ସ୍ୱାଭିମାନକୁ ବଜାଇ ରଖିଲେ ।

ଏତିକି ବେଳକୁ ତାଙ୍କ ନାତି ପାଖକୁ ଆସି ପଚାରିଲା, “ଜେବେ କାହିଁକି କାନ୍ଦୁଛ??”

ତାଙ୍କ ବାଷ୍ପରୁଦ୍ଧ କଣ୍ଠରୁ ଝରିପଡ଼ିଲା ଭୀମଭୋଇଙ୍କର କେଇପଦ ଉକ୍ତି;

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ ।”

କେଶରୀ ପ୍ରସାଦ ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...