ସ୍ୱଭାବ କବି ଗଙ୍ଗାଧର ମେହେର

Gangadhar Meher

ଗଙ୍ଗାଧର ମେହେର ଜନ୍ମରୁ ଉଚ୍ଚ ଶିକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବିସ୍ୱଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ତଥା ୧୮୬୨ମସିହାର ଅଗଷ୍ଟ ମାସ ୯ ତାରିଖରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।

ଗଙ୍ଗାଧର ବାଲ୍ୟକାଳରୁ କବିତା ଲେଖିବା ଆରମ୍ଭ କରିଥିଲେ । ଓଡ଼ିଶାର ପୁରାତନ କବିମାନଙ୍କର ପଦାଙ୍କ ଅନୁସରଣ କରି ସେମାନଙ୍କ ଶୈଳୀରେ ସେ ନିଜର ପ୍ରଥମ ଲେଖା ସବୁ ଲେଖିଥିଲେ । ତାଙ୍କର ଆଦ୍ୟ ରଚନାବଳୀ ଭିତରେ ରସ ରତ୍ନାକର ଓ ଅହଲ୍ୟା ସ୍ତବ ଆଦି ଅନ୍ୟତମ । ଏ ଗୁଡ଼ିକ ରୀତିଯୁଗୀୟ ଶୈଳୀରେ ରଚନା କରାଯାଇଥିଲା ।

ଏହା ପରେ କବିବର ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ ଇନ୍ଦୁମତୀ ନାମକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟର ଆଧୁନିକ କବିମାନଙ୍କ ଭିତରେ ନିଜର ସ୍ଥାନ ସ୍ଥାପିତ କରି ପାରିଥିଲେ । ତାଙ୍କ ଲେଖା ସବୁ ଉତ୍କଳ ଭାରତୀର ଅମୂଲ୍ୟ ରତ୍ନ । ୧୯୧୨ ମସିହାରେ ଗଙ୍ଗାଧରଙ୍କ ରଚନାରେ ପ୍ରକାଶ ପାଇଥିବା ତପସ୍ୱିନୀ କାବ୍ୟ ଥିଲ ସର୍ବାଧିକ ଲୋକପ୍ରିୟ କାବ୍ୟ । ୧୯୧୫ରେ ମହାକବି କାଳିଦାସଙ୍କ ‘ଅଭିଜ୍ଞାନ ଶାକୁନ୍ତଳମ’ ନାଟକର ଅନୁସରଣରେ ରଚିତ କାବ୍ୟ ପ୍ରଣୟ ବଲ୍ଲରୀ ପ୍ରକାଶ ପାଇଥିଲା । ଏହାପରେ ରସ ରତ୍ନାକର, ମହିମା, କବିତା କଲ୍ଲୋଳ, ଅଯୋଧ୍ୟା ଦୃଶ୍ୟ, ବଳରାମଦେବ ଆଦି କାବ୍ୟ ରଚାନ କରିଥିଲେ ସେ । ତାଙ୍କ ରଚିତ ଶେଷ କାବ୍ୟ ଥିଲା ପଦ୍ମିନୀ ।

ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣ୍ଣନା କରିବାରେ କବିଙ୍କର କୃତିତ୍ୱ ପ୍ରଶଂସିତ ହୋଇଛି । ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନାହାନ୍ତି, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଛନ୍ତି । ଛନ୍ଦମାଧୁର୍ଯ୍ୟର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଗାନଯୋଗ୍ୟତା ଭରିଛନ୍ତି । ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତି ପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ ।

୧୮୮୫ ମସିହାରେ ଗଙ୍ଗାଧର ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ । ୧୯୨୪ ମସିହାର ଅପ୍ରେଲ ମାସ ୪ ତାରିଖରେ ଚୈତ୍ର ଅମାବାସ୍ୟା ତିଥିରେ ସେ ୬୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଉତ୍ସ: ଓଡ଼ିଆ ଉଇକିପିଡ଼ିଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...