କରତାଳିର ସୁଅରେ ଫାଟି ପଡ଼ୁଥିଲା ସଭା । ସାମ୍ୱାଦିକ ତଥା ଅନ୍ୟାନ୍ୟ ଗଣମାଧ୍ୟମର ଲୋକମାନେ ଫୋଟ ନେବାରେ ବ୍ୟସ୍ତ । ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ତଥା ଅତିଥିଗଣଙ୍କର ପ୍ରଶଂସାରେ ପାଟି ଥକୁ ନଥିଲା । ବହିଟି ଏ ବର୍ଷର ‘ବେଷ୍ଟ ବୁକ୍ ଅଫ୍ ଦ ଇଅର’ ପୁରସ୍କାର ପାଇଛି । ଆଉ ଏସବୁ ଭିତରେ ପୁଣ୍ୟତୋୟାଙ୍କ ଆଖିରୁ ଝରି ଯାଉଥିଲା ଆନନ୍ଦାଶ୍ରୁ । ଯେମିତି ଯେମିତି ସଭା କାର୍ଯ୍ୟ ଆଗକୁ ବଢ଼ିଲା ସ୍ୱର୍ଗତ ଅର୍ଦ୍ଧେନ୍ଦୁ ଓ ଚାରଲେଟ ଚୌଧୁରୀଙ୍କ ବହି ଉନ୍ମୋଚନ ତଥା ବଳିଷ୍ଠ ବ୍ୟକ୍ତିତ୍ୱ ଓ ସ୍ମୃତି ଚାରଣର ବକ୍ତବ୍ୟ ଆରମ୍ଭ କଲେ ପୁଣ୍ୟତୋୟା । ଲୋକମାନେ ତାକୁ ଶୁଣି ବିଭୋରିତ ହେଉଥିଲେ ଆଉ ପୁଣ୍ୟତୋୟା ଧୀରେ ଧୀରେ ଫେରିଯାଉଥିଲେ ୩୦ବର୍ଷ ତଳକୁ…
ନା ହାତରେ ଶଙ୍ଖା ନା ମଥାରେ ସିନ୍ଦୂର, ତଥାପି ଅର୍ଦ୍ଧେନ୍ଦୁଙ୍କ ସହ ସଂସାର କରିବାକୁ ସୁଦୂର କାଲିଫର୍ଣ୍ଣିଆରୁ ଧାଇଁ ଆସିଥିଲେ ଚାରଲେଟ । ଅର୍ଦ୍ଧେନ୍ଦୁ କାଲିଫର୍ଣ୍ଣିଆରେ କିଛି ସମୟ ପାଇଁ ନିଜର ଏକ ଉଚ୍ଚତ୍ତର ଅଧ୍ୟୟନ ପାଇଁ ଯାଇଥିଲେ । ବହିର ପୋକ ଅରୁ ଆଉ ଚାରଲେଟ ବି ଭାଷା ସଂସ୍କୃତି ଜ୍ଞାନର ଭୋକିଲା । ପରସ୍ପରର ସଂସ୍କୃତି ଆଉ ଭାଷା ଶିଖିବାର ଇଚ୍ଛା ସେମାନଙ୍କୁ ଏମିତି ବାନ୍ଧିଲା ଯେ ୧ ବର୍ଷ ଭିତରେ ଏତେ ବିଶ୍ୱାସ ଆସି ଯାଇଥିଲା ସେମାନଙ୍କର ପରସ୍ପର ପ୍ରତି । ସେଥିପାଇଁ ତ ଚାରଲେଟ ନିଜର ସବୁକିଛି ପରିତ୍ୟାଗ କରି ଅର୍ଦ୍ଧେନ୍ଦୁ ସହ ସାତ ଦରିଆ ଅତିକ୍ରମ କରି ଚାଲିଆସିଲେ ଭାରତବର୍ଷକୁ !
ଅର୍ଦ୍ଧେନ୍ଦୁଙ୍କର ଦୁନିଆ ଥିଲା ବହୁତ ବଡ଼ କିନ୍ତୁ ଚାରଲେଟ ସେ ଦୁନିଆରେ ପାଦ ବି ରଖିପାରିଲେନି । ବିନା କୌଣସି ସଖା ସମ୍ୱନ୍ଧୀରେ ପୁରୀରେ ବୈଦିକ ରୀତି ବିବାହ ପରେ ଅର୍ଦ୍ଧେନ୍ଦୁ ଏକ ଛୋଟିଆ କଲେଜରେ ନିଜର ଅଧ୍ୟାପନା ଜାରି ରଖିଲେ । ଅବଶ୍ୟ ଏବେ ଚଳିବା ଟିକେ କଷ୍ଟ ହୋଇଯାଉଥିଲା । ତଥାପି ମୁଁ ଜାଣିଥିଲି ଅରୁ ପାଠରେ ଶାଠରେ କୋଉଥିରେ କମ୍ ନୁହେଁ । ଚାରଲେଟ ଆଉ ସେ ମିଶି ସୁଖର ସଂସାରଟିଏ ଗଢ଼ିନେଲେ ।
ଅରୁ ଏବଂ ଚାରଲେଟ ଦୁହିଁଙ୍କୁ ବହି ପଢ଼ିବାର ବହୁତ ସଉକ୍ । ଅଭାବ କିନ୍ତୁ ସବୁ ସଉକ୍ ପୋଛିଦିଏ । ଅରୁ ଆଉ କେବଳ ବହି ପଢ଼ୁ ନଥିଲା; ସେ ନିଜର ସମସ୍ତ ଗବେଷଣା, ଭାଷା, ସଂସ୍କୃତି, ଯାହା ସେ ଆହରଣ କରୁଥିଲା ତାକୁ ନଥିପତ୍ରର ରୂପ ଦେବାରେ ଲାଗିପଡ଼ିଥିଲା । କେଜାଣି କ’ଣ ଲେଖୁଥିଲା ସେ ରାତିରାତି ଆଉ ହଜିଯାଇଥିଲା ସେଥିରେ !! ତା’ ପାଖରେ ଜ୍ଞାନର ଭଣ୍ଡାରଟେ ଥିଲା । ଆଉ ସେତେବେଳକୁ ସେ ସଦ୍ୟ ଜନ୍ମିତ ଦୁଇ ଯମଜ କନ୍ୟାର ପିତୄତ୍ୱ ଲାଭ କରିଥାଏ ମଧ୍ୟ । ପ୍ରେମ ସିନା ଆଖି ଭରିଦିଏ, ମନ ଭରିଦିଏ କିନ୍ତୁ ଆଉ ପେଟ ତ ଭରେନି । କଅଁଳା ପିଲାର କ୍ଷୁଧା କେଉଁ ମା’ ବା ସହିପାରିବ ! ଚାରଲେଟ ବି ବିବଶ ଥିଲା । ଏହି ବହି ହିଁ ଦୁହିଁଙ୍କୁ ପାଖକୁ ଟାଣି ଆଣିଥିଲା । କିନ୍ତୁ ଅବଶୋଷ ବୋଧେ ଏହି ବହି ଧୀରେ ଧୀରେ ସେମାନଙ୍କ ଭିତରେ ଫାଟ ପକାଇବା କରିବା ଆରମ୍ଭ କରିଥିଲା । ଧୀରେ ଧୀରେ ବହୁଥିବା ମଳୟ ପବନ ଟି ଅକସ୍ମାତ ଘୂର୍ଣ୍ଣିଝଡ଼ର ରୂପ ନେବାକୁ ଲାଗିଲା । କୁହୁଳୁ ଥିବା ଧୂଆଁ ହଠାତ ଦିନେ ନିଆଁ ଧରିନେଲା । ଛାରଖାର ହୋଇଗଲା ଏକ ସୁନ୍ଦର ପରିବାର । ହଠାତ୍ ଏମତି ଏକ ଝଡ଼ ରାତିରେ ଚାରଲେଟ ତା’ ଦୁଇ ଝିଅ ସହ କୁଆଡ଼େ ଚାଲିଯାଇଥିଲା । ଆଉ ସେ ଘରେ ଏକା ରହିଯାଇଥିଲେ କେବଳ ଅର୍ଦ୍ଧେନ୍ଦୁ ଚୌଧୁରୀ । ଚୌଧୁରୀ ବଂଶର ପୁତ୍ର । ଯାହାର ଖୋଜ ଖବର କେହି ରଖି ନଥିଲେ କାରଣ ଚୌଧୁରୀ ବଂଶରେ ୬ଜଣ ପୁତ୍ର ଭିତରୁ ଜଣେ ମରି ହଜି ଗଲେ କ’ଣ ବା ଫରକ୍ ପଡ଼ିବ? ଆଉ ସେ ବି ଏକ ତେଜ୍ୟ ପୁତ୍ର !!! ଆଉ ଦିନେ ସେ ଦିନ ବି ଆସିଲା । ଚୌଧୁରୀ ବଙ୍ଗଳାର ଟେଲିଫୋନଟି ରଡ଼ି କରି ଓଠିଲା ବିକଟାଳ ପରି । ମୁଁ ଥରଥର ହାତରେ ଫୋନ ଓଠାଇଲି ଆଉ ସେଇ ପାହନ୍ତରେ ହିଁ ଗାଡ଼ି ଦୌଡ଼ାଇ ଯାଇଥିଲି ୨୫୦ କିଲୋମିଟର ଦୂର ଜଗତପଡ଼ା ଗାଁ’ର ଏକ ମଫସଲିଆ ଡାକ୍ତରଖାନାକୁ । ତାଙ୍କର ଶେଷ ସମୟରେ ମୁଁ ଦେଖିଛି ଅର୍ଦ୍ଧେନ୍ଦୁକୁ । କେମିତି ଏକ ପାଗଳପ୍ରାୟ ହୋଇଯାଇଥିଲା ସେ । ଶେଷବେଳକୁ କେବଳ ଏତିକି କହି ପାରିଲେ ସେ, “ମୁଁ କେବଳ ବହିଟିଏ ହେବାକୁ ହିଁ ତ ଚାହିଁ ଥିଲି ମାତ୍ର !? କିନ୍ତୁ….” ମୋ ପାଇଁ କ୍ଷମା ମାଗିବା ମୁଦ୍ରାରେ ହାତ ଯୋଡ଼ି ହିଁ ଜୀବନ ଛାଡ଼ିଯାଇଥିଲା ତାଙ୍କର ।
ମୁଁ ତା’ ପରେ ଯାଇଥିଲି ତାଙ୍କର ସେହି ଘରକୁ । ଘର କହିବା ଭୁଲ ହେବ । ମୁଁ ଦେଖି ହତଚକିତ ହୋଇଥିଲି ଯେ ଅରୁ କେମିତି ଏ ଘରେ? ଧୀରେ ଧୀରେ ଗୋଡ଼ ବଢ଼ାଇ ଭିତରକୁ ଗଲା ପରେ ମୁଁ ଆବିଷ୍କାର କରିଥିଲି ସେ ଘରେ ଏକ ବହି ଆଉ ତା’ ଭିତରେ ଆଉ ଏକ ବହି, ଆଉ ବହି ଆଉ କେବଳ ବହି । ମୁଁ ମନେ ପକାଉ ଥିଲି ଅରୁର ଶେଷ କଥା ସେ ଏକ ବହି । ହଁ ! ବିଶ୍ୱାସ ହେଲା ସେ ନିଜକୁ ଏକ ବହି ସଜେଇ ଦେଇଥିଲା । ଟେବୁଲ ଉପରୁ ଚିଠିଟିରୁ ଜାଣିଲି ଚାରଲେଟ୍ର ଗାଡ଼ି ଦୁର୍ଘଟଣା ଘଟିଥିଲା । ସେଥିରେ ମାଆ ଆଉ ଛୁଆ କେହି ବଞ୍ଚି ପାରିଲେନି । ଅରୁ କେଜାଣି କେତେ ବର୍ଷ ହେଲା ତାଙ୍କୁ ଖୋଜି ବୁଲୁଥିଲେ । ଆଉ ଶେଷରେ ଏଇ ଅବସ୍ଥାରେ କିଛି ଲୋକ ତାକୁ ଏଇ ହସ୍ପିଟାଲରେରେ ଭର୍ତ୍ତି କରେଇଥିଲେ ଆଉ ମତେ ଫୋନ ଯୋଗେ ଜଣେଇଲେ । ଅରୁର ଡେସ୍କ ଉପରେ ଦେଖିଲି ମେଞ୍ଚେ ଚିଠି ମୋ’ ପାଇଁ, ଯାହା କେବେବି ପୋଷ୍ଟ କରାଯାଇନି । ବୋଧେ ସାହାସ ପାଇନି । ମୁଁ ସେଇଠି ନିଶ୍ଚିତ କରିନେଇଥିଲି ଯେ ମୋ ଅରୁର ସ୍ୱପ୍ନ ନିଶ୍ଚୟ ପୂରା ହେବ । ସେ ନିଜ ଜୀବନକୁ ଗୋଟେ କାହାଣୀ ଭଳି ଜୀଇଁଥିଲା । ଆଉ ନିଜକୁ ବହିଟିଏ କରିବାକୁ ଚାହିଁଥିଲା ଆଉ ଏବେ ସେୟା ମୋ ଜୀବନର ଲକ୍ଷ୍ୟ । ବିଗତ ୧୨ବର୍ଷ ହେଲା ମୁଁ ସଂଘର୍ଷ ଚଲେଇଛି । ଘର ଘର ବୁଲିଛି । ଅର୍ଦ୍ଧେନ୍ଦୁଙ୍କର ହାତ ଲେଖା ଢେର୍ ଅଛି । ଲେଖାର ଗନ୍ତାଘରଟିଏ । ଏ ୧୦ ବର୍ଷରେ ମୁଁ କୋଡ଼ିଏ ଖଣ୍ଡ ବହି ଛପେଇ ସାରିଲିଣି । ଆଜିର ବହିଟି ‘ଏକ ଲେଖକର ମୄତ୍ୟୁ ପରେ !!’ ଅର୍ଦ୍ଧେନ୍ଦୁଙ୍କ ସଂଘର୍ଷ ଆଉ ଜୀବନ ଉପରେ ଥିଲା ଯାହା ପାଠକ ମହଲରେ ବେଶ୍ ଆଦୄତ ହୋଇଛି ।
ସମସ୍ତଙ୍କ ଆଗରେ ନମସ୍କାର ମୁଦ୍ରାରେ ପୁଣ୍ୟତୋୟା ବକ୍ତବ୍ୟ ଶେଷ କଲେ । ସମସ୍ତେ ବହିଟିର ସଫଳ କାମନା କରୁଥିଲେ । ପୁଣ୍ୟତୋୟା ବର୍ତ୍ତମାନ ନିଜ ସ୍ଥାନରେ ବସିବାକୁ ଉଦ୍ୟତ ହେଉଥିଲେ ଜଣେ ତରୁଣ ବୟସ ଯୁବା ଲେଖକ ତାଙ୍କ ଗୋଡ଼ ତଳେ ସାଷ୍ଟାଙ୍ଗ ଦଣ୍ଡବତ ମୁଦ୍ରାରେ ଲୋଟିଗଲେ । ପୁଣ୍ୟତୋୟା ତାଙ୍କୁ ହୄଦୟରେ ଲଗାଇ ନେଲେ । ଯୁବକଟି କହିଲେ, “ମା’ ! ମୁଁ ଏ ଦୁନିଆରେ ସମ୍ପୂର୍ଣ୍ଣ ନୂଆ, ମୋତେ କିଛି ଉପଦେଶ ଦେବେନି !? ଆଉ ମା’ ଆପଣ କେମିତି ଏତେ ପାଖରୁ ଜାଣିଥିଲେ ଅର୍ଦ୍ଧେନ୍ଦୁ ଚୌଧୁରୀଙ୍କୁ । ତାଙ୍କରି ରଚନା ହିଁ ତ ମତେ ଲେଖିବାକୁ ଖୋରାକ୍ ଯୋଗାଉଛି । ମୁଁ ଏ ବହିଟି ଏବେ କିଣିଛି । ଆପଣଙ୍କର ଏକ ହସ୍ତାକ୍ଷର ଦିଅନ୍ତେନି?” ପୁଣ୍ୟତୋୟା ମୁହଁରେ ସ୍ୱଳ୍ପ ହସ ରଖି ଯୁବକ ହାତରୁ ବହିଟି ନେଲେ ଓ ବହିର ଶେଷ ପୄଷ୍ଠା ବାହାର କରି ସେଥିରେ ହସ୍ତାକ୍ଷର କରୁକରୁ କହିଲେ, “ବାବାରେ ଖୁବ୍ ଲେଖ ଖୁବ୍ ନାଆଁ କମାଅ, କାହାଣୀକୁ ତୁମ ହାତରେ ରଖ କିନ୍ତୁ ମନେ ରଖ ତୁମେ କେବେ କାହାଣୀ ହେବାକୁ ଚେଷ୍ଟା କରନି ।”
ପୁଣ୍ୟତୋୟା ବହିଟି ଦେଇ ସଭା ବାହାରକୁ ଯାଉଥିଲେ ଧୀରେ ଧୀରେ ଆଉ ଯୁବକଟି ଧରିଥିବା ବହିର ହସ୍ତାକ୍ଷରଟି ଦେଖି ଚମକି ଉଠିଲେ । ଲେଖାଥିଲା “ଶ୍ରୀମତୀ ପୁଣ୍ୟତୋୟା ଅର୍ଦ୍ଧେନ୍ଦୁ ଚୌଧୁରୀ ।”
– ପରମିତା ମିଶ୍ର
Comments
ପରମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।