ଗତରାତିରୁ ଲାଗିରହିଛି ଝିପିଝିପି ବର୍ଷା ! ସେହି ଝିପିଝିପି ବର୍ଷାରେ ଫଗୁ ମଉସା ବାଡ଼ିଖଣ୍ଡେ ଧରି ବାହାରି ପଡ଼ିଛନ୍ତି ଘର ବାହାରକୁ ! ହାତରେ ଖଣ୍ଡେ ଛତା ଆଉ ଆଖିରେ ସ୍କ୍ରଚ୍ ପଡ଼ିଥିବା ପୁରୁଣା କାଚ ଚଷମାଟିଏ । ଚାରି ଆଡ଼େ ଅନ୍ଧାର; ସୂର୍ଯ୍ୟ ଉଇଁବାକୁ ଆହୁରି ବେଶ୍ କିଛି ସମୟ ଅଛି ! ହେଲେ ଫଗୁ ମଉସା ସେହି ଅନ୍ଧାର ବର୍ଷା ରାତିକୁ ଖାତିରି ନକରି ମାଡ଼ି ଚାଲିଛନ୍ତି ଆଗକୁ ଆଗକୁ ! ବର୍ଷାର ଶୀତଳତା ଭିତରେ ବି କେଉଁଠି ନା କେଉଁଠି ଥିଲା ଉଷ୍ମତାର ସ୍ପର୍ଶ ଆଉ ସେହି ଉଷ୍ମତାଟା ଥିଲା ଫଗୁ ମଉସାଙ୍କ ଆଖିରି ଝରୁଥିବା ଧାରଧାର ଲୁହ ! ସେହି ଲୁହ କେତେବେଳେ ପାଚିଲା ନିଶର ଧାରଦେଇ ବହିଯାଉଥାଏ ତ କେତେବେଳେ ପୁଣି ପାକୁଆ ପାଟିର ଶୁଖିଲା ଓଠକୁ ଭିଜାଇ ଦେଇ ବହିଯାଉଥାଏ ! ସାରା ଦୁନିଆଁଟା ଶୀତଳ ବାରି ଧାରାରେ ସ୍ନାନ କରୁଥିବାବେଳେ ଫଗୁ ମଉସା ଦେହରେ ଉଷ୍ମ ଲୋତକ ଧାରାର ସ୍ପର୍ଶ ! କ’ଣ କରିବେ ! ବୟସର ଅପରାହ୍ନରେ ଅବସ ହୋଇଆସୁଥିବା ଶରୀରଟା ପାଇଁ କ’ଣ ନିଜ ସ୍ୱାଭିମାନ ନିଜ ନୀତି ଆଦର୍ଶସବୁକୁ ଜଳାଞ୍ଜଳି ଦେଇଦେବେ ! ନାଁ ! ହେଇପାରିବନି ! ସ୍ୱାଭିମାନହୀନ ଜୀବନ ଠାରୁ ବରଂ ସ୍ୱାଭିମାନ ଭରା ମରଣରେ ଆନନ୍ଦ ଅଛି । ଆଉ ପଡ଼ିବ ନାହିଁ ଏ ପାଦଚିହ୍ନ ପୁଣି ଲେଉଟାଣିର ! ଏ ରୁକୁଣା ଶରୀରଟା ଆଜି ଅଣଲେଉଟା ! ଏମିତି କେତେ କ’ଣ ମନେମନେ ଭାବି ଭାବି ଅନ୍ୟମନସ୍କ ଭାବେ ଆଗକୁ ବଢ଼ିଚାଲିଥାନ୍ତି ଫଗୁ ମଉସା । ସେହି ମୁହଁ ଅନ୍ଧାର ବର୍ଷା ରାତିରେ ହଠାତ୍ ଝୁଣ୍ଟି ପଡ଼ିଲେ ଫଗୁ ମଉସା ପକ୍କା ସଡ଼କଟା ଉପରେ ! ଭିଜିଗଲା ନିଜ ପିନ୍ଧା ଧୋତିଟା । ଉଠିବାକୁ ନିଜ ସବୁଯାକ ବଳ ଖଟାଇଲା ବେଳେ ଲାଗିଲା ହଠାତ୍ ଯେମିତି କେହିଜଣେ ହାତ ବଢ଼ାଇଦେଇଛି ତାଙ୍କ ଆଡ଼କୁ ତାଙ୍କୁ ଉଠାଇ ଦେବାପାଇଁ । ହେଲେ ଅଭିମାନୀ ଫଗୁ ମଉସା କହିଲେ, “ନା ! ନା ! ମୋର ଦରକାର ନାହିଁ କାହାରି ସାହାଯ୍ୟ ! ମୋ ଦେହରେ ଏବେ ବି ଏତିକି ବଳ ଅଛି ଯେ ମୁଁ ନିଜେ ରାନ୍ଧି ବାଢ଼ି ଖାଇପାରିବି ଆଉ ବେଳପଡ଼ିଲେ ନିଜେ ନିଜ ଗୋଡ଼ରେ ଉଠି ଛିଡ଼ା ହୋଇପାରିବି !” ଏତିକିକହି କୁନ୍ଥେଇ କାନ୍ଥେଇ ନିଜ ଗୋଡ଼ରେ ନିଜେ ଛିଡ଼ା ହେଲେ ଫଗୁ ମଉସା !
ଫଗୁ ମଉସା: କିଏ ତୁମେ ! ମୋତେ ତୁମର କୌଣସି ସାହାଯ୍ୟ ଲୋଡ଼ାନାହିଁ । ତୁମେ ତୁମ ରାସ୍ତାରେ ଯାଅ !
ଏହାକହି ସେହି ଅନ୍ଧାରରେ ନିଜ ଛତାଟା ଅଣ୍ଡାଳିବାକୁ ଲାଗିଲେ । ସେହି ଆଜଣା ହାତଟା ଫଗୁ ମଉସାଙ୍କ ହାତକୁ ଛତାଟା ବଢ଼ାଇଦେଲା । ଛତାଟିକୁ ଧରି ଧୀରେଧୀରେ ସେହି ଓଦା ଲୁଗାରେ ଆଗକୁ ବଢ଼ିଚାଲିଲେ ଫଗୁ ମଉସା । କିଛି ସମୟ ପରେ ଫଗୁ ମଉସା ଲକ୍ଷ୍ୟ କଲେ କେହି ଜଣେ ଯେମିତି ୟା ଭିତରେ ତାଙ୍କ ପଛେପଛେ ତାଙ୍କୁ ଅନୁସରଣ କରୁଛି !
ଫଗୁ ମଉସା: ବଡ଼ ବିଚିତ୍ର ଲୋକ ହୋ ତମେ ! ବର୍ଷାଟାରେ ଭିଜିଭିଜି ମୋ ପଛରେ କାହିଁକି ଚାଲିଛ? ତୁମେ ତୁମ ରାସ୍ତାରେ ଯାଉନ?
ଅଜଣା ଲୋକ: ମୁଁ ତ ମୋ ରାସ୍ତାରେ ଯାଉଛି ! ଆପଣଙ୍କୁ ଏକୁଟିଆ ଦେଖି ମନଟା ବୁଝିଲାନି ! ଆପଣଙ୍କ ଆଖିର ଲୁହ ଥରଥର ଓଠ କହିଦେଉଛି ଆପଣ ନିହାତି କିଛି ଅସୁବିଧାରେ ଅଛନ୍ତି ।
ଲୋକଟା ମୁହଁରୁ ଏକଥା ଶୁଣି ହଠାତ୍ ଫଗୁ ମଉସା ନିଜ ଆଖି ଅଣ୍ଡାଳିବାକୁ ଲାଗିଲେ ! ଆରେ ! ସତକଥା ତ ! ମୋ ଅଜାଣତରେ କେତେବେଳେ ଆଖିରୁ ଧାର ଧାର ଲୁହ ବହି ଚାଲିଛି ! ଲୋକଟା ଠିକ୍ ଲକ୍ଷ୍ୟ କରିଛି ତାହା ହେଲେ ! ଏହିକଥା ଭାବୁଭାବୁ ତାଙ୍କ ମୁହଁରୁ ସ୍ୱତଃ ବାହାରି ଆସିଲା, “ବାପା ! ଏ ଅଷାଢ଼ୁଆ ବର୍ଷାରେ କାହିଁକି ବାହାରେ ତିନ୍ତୁଛ ! ମୋ ଛତା ତଳକୁ ଚାଲିଆସ ! ନହେଲେ ଦେହ ଖରାପ ହୋଇଯିବ ! ନହେଲେ ଗୋଟେ କାମକର ଏ ଛତାଟା ନେଇଯାଅ !”
ଅଜଣା ଲୋକ: ଛତାଟା ଯଦି ମୁଁ ନେଇଯିବି ତାହାହେଲେ ଆପଣ ଏ ବର୍ଷାରେ ଭିଜିଯିବେନି? ବୟସ ଅଧିକ ହେଲାଣି ! ସାଙ୍ଗେସାଙ୍ଗେ ଦେହ ଖରାପ ହୋଇଯିବ ଯେ !
ଫଗୁ ମଉସା: ଦେହ ଖରାପ ଆଉ କ’ଣ ଅଧିକ ଗୋଟେ ଯେ ! ମୋର ଜିଇଁଲେ କେତେ ନା ମରିଲେ କେତେ ! ମୋର ଆଉ ସଂସାରରେ ଆବଶ୍ୟକତା କ’ଣ କହିଲ ! ଖାଲି ଯାହା ପିଲାମାନଙ୍କ ମୁଣ୍ଡରେ ବୋଝ ହୋଇ ଚାଲିଛି !
ଅଜଣା ଲୋକ: କିଏ କହିଲା ଆପଣ ବୋଝ ବୋଲି ! ଜାଣନ୍ତି ଆପଣଙ୍କ ଆଶୀର୍ବାଦର ମୂଲ୍ୟ କେତେ? ସେତେକ ତ କେହି କାହାଠୁ ପାଇବେନି ! ମନ୍ଦିରର ଠାକୁର କେବେ ହାତ ଟେକି ଆଶୀର୍ବାଦ ଦେବା ଦେଖିଛନ୍ତି? ସେ ବି କିଛି କରୁନାହାନ୍ତି ! ତାହାହେଲେ ଭାବନ୍ତୁ ଆପଣ ଯେତେବେଳେ ହାତ ଟେକି ହୃଦୟରୁ କାହାରିକୁ ଆଶୀର୍ବାଦ କରନ୍ତି ତା’ର ମୂଲ୍ୟ କେତେ ହୋଇପାରେ !
ଫଗୁ ମଉସା: ସେକଥା ଛାଡ଼ ବାପା ! ସେ ପୋଥି ପୁରାଣ କଥାରେ ରଖିଛି ବା କ’ଣ ! ଏ ତ ଆଧୁନିକ ଯୁଗ ! ଏଇଠି ଆଶୀର୍ବାଦରୁ ବି ଗୋଟେ ଅଧିକ ମୂଲ୍ୟବାନ ଜିନିଷ ଅଛି ! ଆଉ ସେଇଟା ହେଲା ଟଙ୍କା ! ଏଇ ଦେଖୁନ ଟଙ୍କା ନାହିଁ ବୋଲି ମୋର ଅପରେସନ ହୋଇପାରୁନି ! ସାଙ୍ଗରେ ଏ ପରିସ୍ରା ଥଳି ଧରି ଚାଲିବାକୁ ପଡ଼ୁଛି ।
ଏତିକି କହି ନିଜ ପରିସ୍ରା ଥଳିଟା ଅଣ୍ଡାଳିବାକୁ ଲାଗିଲେ ଫଗୁ ମଉସା ! “ଆରେ ଆରେ ! ମୋ ପରିସ୍ରା ଥଳିଟା କେଉଁଠି ପଡ଼ିଗଲା ବୋଧେ ! ବୋଧେ ଅନ୍ଧାରରେ ଯେଉଁଠି ଝୁଣ୍ଟି ପଡ଼ିଲି ସେଇଠି ଗଳିପଡ଼ିଲା ! ତୁମ ସହ କଥା ହୋଇ ମୁଁ ଭୁଲିଗଲି ମୋର ପରିସ୍ରା ଥଳିଟା ଖସିପଡ଼ିଛି ବୋଲି !
ଅଜଣା ଲୋକ: ଚାଲନ୍ତୁ ତାହେଲେ ! ଦେଖିବା ସେଇଠି କେଉଁଠି ପଡ଼ିଥିବ ନିଶ୍ଚୟ !
ଫଗୁ ମଉସା (ଦୀର୍ଘ ଶ୍ୱାସଟିଏ ଛାଡ଼ି): ଛାଡ଼ ! ପଡ଼ିଥାଉ ସେଇଟା ଯେଉଁଠି ପଡ଼ୁଛି ! ଆଉ ଏ ଜୀବନଟା ଧରିବାକୁ ଇଚ୍ଛା ନାହିଁ ବାପା ! ଭାରି କଷ୍ଟ ହେଲାଣି ! ଦେଖୁଛି ତୁମ ସହ କଥା ହେଉହେଉ ମନଟା କେମିତି ହାଲୁକା ହୋଇଗଲାଣି ! ହେଲେ ଘରେ ମୋ ସହ ଏମିତି ଦି ପଦ କଥା ହେବାକୁ ବି କେହି ନାହାନ୍ତି ! ଦିନରାତି ସେ ପରିସ୍ରା ଥଳିଟା ଧରି ବିଛଣାରେ ପଡ଼ିରହୁଛି ! ସମସ୍ତେ ଯେ ଯାହା ଜୀବନରେ ବ୍ୟସ୍ତ ! ମୋ କଥା ବୁଝିବ କିଏ? କିଏ ମୋ ଦେହର ଯତ୍ନ ନେବ ! ମୁଁ କ’ଣ ଖାଇ ପାରିବି ନଖାଇ ପାରିବି ସେକଥା ବୁଝିବ ବା କିଏ? ଆଉ ବଳ ବୟସ କ’ଣ ଅଛି ଯେ ନିଜେ ନିଜ କାମ କରିପାରିବି ! ବୁଢ଼ୀଟା ମୋତେ ଛାଡ଼ି ଗଲାନି ଯେ ମୋତେ ଜିଇଁ ଥାଉଥାଉ ମରିବାକୁ ଛାଡ଼ିଗଲା । ଛାଡ଼ ! ଏତେକଥାରୁ ତୁମକୁ ମିଳିବ କ’ଣ ! ମନର ଦୁଃଖଟା ତୁମ ଆଗେ କହିପକାଇଲି ! ମନଟା ଟିକିଏ ହାଲୁକା ଲାଗିଲା ! ବୁଝିଲ ବାପା ! ଏ ଭଗବାନ ବି କାହିଁକି କେଜାଣି ମଣିଷକୁ ଏତେ ବୁଢ଼ା ଯାଏଁ ବଞ୍ଚାଇ ରଖନ୍ତି? ବୋଧେ ମଜା ଦେଖିବାକୁ?
ଅଜଣା ଲୋକ: ନା ମଉସା ! ଆପଣ ଭୁଲ ବୁଝୁଛନ୍ତି ! ଏଇଟା ପରା ଗୋଟେ ସୁଯୋଗ ପିଲାମାନଙ୍କର ! ଆପଣଙ୍କ ସେବା କରି ନିଜ କୃତ କର୍ମର ପାପକୁ ଲାଘବ କରିପାରିବେ ! କେମିତିକା ପିଲା ସେମାନେ ହୋ ! ବାପଟାକୁ ମରିବାକୁ ଛାଡ଼ିଦେଉଛନ୍ତି ! ଖଣ୍ଡିଏ ଦାନା ମିଳିଲେ ବି ଆଗ ଅଧା ଆପଣଙ୍କୁ ଦେବା ଦରକାର ! ମଉସା ! ଜମା ମନ ଦୁଃଖ କରନ୍ତୁ ନାହିଁ ! ମୋର ବୃଦ୍ଧାଶ୍ରମଟିଏ ଅଛି ! ସେଇଠି ଆରାମରେ ଖୁସିରେ ରହିବେ ! ହେଲେ ତା’ ଆଗରୁ ଚାଲିଲେ ଆପଣଙ୍କ ସେ ପିଲାମାନଙ୍କୁ ଦେଖିବା ! ମୋତେ ଚିହ୍ନିନାହାନ୍ତି ! ଏ ଇଲାକାର ବଡ଼ ଗୁଣ୍ଡା ମୁଁ ! ମୋ ଆଗରେ କେହି ତା’ ବାପାମାଆକୁ ହତାଦର କଲେ ଭଲକି ପାନେ ମୁଁ ତାକୁ ଆଗ ଦେଇଦିଏ ! ଚାଲନ୍ତୁ ମୋ ସାଙ୍ଗରେ !
ଏହାପରେ ଦୁହେଁ ସାଥୀ ହୋଇ ଚାଲିଲେ ଫଗୁ ମଉସାଙ୍କ ଘର ଆଡ଼କୁ ! କିଛିବାଟ ଆସିଛନ୍ତି ରାସ୍ତା କଡ଼ରେ ପଡ଼ିଲା କଲ୍ୟାଣୀ ହସ୍ପିଟାଲ ! ଡାକ୍ତରଖାନା ସାମନାରେ କିଛି ଲୋକ ରୁଣ୍ଡ ହୋଇଥାନ୍ତି ! ବର୍ଷାଟା ଥମିବାର ନାଁ ନେଉନି; ହେଲେ ସକାଳର ଆଲୋକଟା ଧୀରେଧୀରେ ଚାରିଆଡ଼େ ବିଛାଇ ହୋଇ ପଡ଼ିଚାଲିଛି ! ସୂର୍ଯ୍ୟଟା ମେଘ ପଛପଟେ ଲୁଚି ରହିଛି ! ହଠାତ୍ ଫଗୁ ମଉସାଙ୍କ ନଜର ପଡ଼େ ନିଜ ଦୁଇ ପୁଅଙ୍କ ଉପରେ ! ଡାକ୍ତର ଖାନା ଆଗରେ ଖୁବ୍ ବ୍ୟସ୍ତ ଜଣାପଡ଼ୁଥାନ୍ତି ଦୁହେଁ !
ଫଗୁ ମଉସା: ଆରେ ବାପା ! ରହ ରହ ! ହେଇଟି ଦେଖ ! ମୋ ପୁଅ ଦୁଇ ଜଣ !
ଅଜଣା ଲୋକ: ଚାଲ ମଉସା ! ତାଙ୍କ ସହ ଶେଷ କଥା ହୋଇଯିବା ! କ’ଣ ତାଙ୍କ ଅଭିପ୍ରାୟ !
ଫଗୁ ମଉସା: ନା ! ନା ବାପା ! ଟିକିଏ ରହିଯା ! ମୋ ମନଟା ଭାରି ଗୁଡ଼େଇ ହେଉଛି ! କାହାର କିଛି ଅସୁବିଧା ହେଲାକି ! ମୋ ବୋହୂ ମୋ ନାତି ନାତୁଣୀ କାହାରି କିଛି ଅସୁବିଧା ହୋଇନି ତ? ତୋତେ ମୋ ରାଣ ମୋ ଆଗରେ ତାଙ୍କୁ ଜମାରୁ ଗାଳି କରିବୁନି କି କିଛି ହେଲେ କହିବୁନି ! ମୁଁ ଘର ଛାଡ଼ି ଯାଉଥିଲି ବୋଲି ବି କହିବୁନି !
ଅଜଣା ଲୋକ: ଏମିତିକା ପୁଅଙ୍କୁ ମୁଁ ଧରି ଛେଚିଥାନ୍ତି ! ଖାଲି ଆପଣ କହୁଛନ୍ତି ବୋଲି ଚୁପ୍ ରହିବି ! ଆପଣ ଯାହା କଥାହେବା କଥା ହେବେ !
ଏତିକି କହି ଉଭୟେ ଫଗୁ ମଉସା ଆଉ ସେ ଅଜଣା ଲୋକ ଚାଲିଲେ ଡାକ୍ତରଖାନା ଆଡ଼କୁ । ଆଉ ଚଢ଼ିବାକୁ ଦୁଇଟା ପାହାଚ ଅଛି ନଜର ପଡ଼େ ତଳେ ଧଳା କନାରେ ଗୁଡ଼ାହୋଇଥିବା ଗୋଟେ ଶବ ଉପରେ !
ଫଗୁ ମଉସା: ଆରେ ବାପା ! ଆରେ ବାପା ! ଇଏ କ’ଣ ହେଲାରେ ! କାହାର କ’ଣ ହୋଇଗଲା ! କୁହରେ ବାପାମାନେ ! କାହାର କ’ଣ ହୋଇଗଲା !
ଏତିକିବେଳେ ବର୍ଷା ମିଶା ଶୀତଳ ପବନର ଗୋଟିଏ ଶକ୍ତ ପାହାରରେ ଖୋଲିଗଲା ସେହି ତଳେ ରଖାଥିବା ଶବ ଉପର ଧଳା କପଡ଼ାଟା ! ଦେଖିଦେଇ କିଛି ବୁଝିପାରିଲେନି ଫଗୁ ମଉସା !
ଫଗୁ ମଉସା: ବାପାରେ ! ଏଇଟା କ’ଣ?
ନିରୁତ୍ତର ଥିଲା ଅଜଣା ଲୋକଟି । ଏଥର ବିରକ୍ତ ହୋଇ ଫଗୁ ମଉସା ପଚାରିଲେ, “ପଚାରୁଛି ପରା ଏସବୁ କ’ଣ? କହୁନୁ କାହିଁକି କହ?
ଅଜଣା ଲୋକ: ମୋତେ ତ ଆପଣ କିଛି କହିବାକୁ ମନା କରିଥିଲେ ! ଏଥର କହୁଛି ଶୁଣନ୍ତୁ ! ଆପଣ ଯେତେବେଳେ ସେଇଠି ଝୁଣ୍ଟିପଡ଼ିଥିଲେ ସେତେବେଳେ ଆପଣଙ୍କୁ ମୁଁ ହାତଦେଇଥିଲି ଉଠାଇଦେବି ବୋଲି ଆପଣ ଇଚ୍ଛା କଲେନି ! ସେତେବେଳେ ଆପଣ ଏ ଦୁନିଆଁ ଛାଡ଼ି ସାରିଥିଲେ ! ଆଉ ଏହାପରେ ଆପଣଙ୍କୁ ଏ ଦୁନିଆଁରେ କେହି କିଛି କଷ୍ଟ ଦେଇପାରିବେନି ! ଆପଣ ଏବେ ମୋ ପାଖରେ ଅଛନ୍ତି ! ଦୁନିଆଁର ସବୁ ସୁଖ ଆପଣଙ୍କୁ ଅପେକ୍ଷା କରିଛି । ମନ କଷ୍ଟ କରନ୍ତୁ ନାହିଁ ! ଏମାନଙ୍କ କୃତ କର୍ମର ଫଳ ଆଗକୁ ସେମାନେ ନିଶ୍ଚୟ ଭୋଗିବେ ! ଯେତେଦିନ ଆପଣ ଏମାନଙ୍କ ସାଙ୍ଗରେ ଥିଲେ ବିପଦ ସ୍ପର୍ଶ କରିବାକୁ ସାହସ କରୁନଥିଲା ! ଏବେ ବିପଦର ଘନ ଅନ୍ଧାର ତାଙ୍କ ଜୀବନରେ ଘୋଟିଆସିବ ।
ଫଗୁ ମଉସା: ନା ! ନା ! ବାପା ! ଏମିତି କରନା ! ମୁଁ ଏମାନଙ୍କ ଏତେ ଅନିଷ୍ଟ ଚିନ୍ତା କରିପାରିବିନି ! ମୋର ଦରକାର ନାହିଁ ସେ ସୁଖ ! ତୋ’ ସୁଖ ତୋ’ ପାଖରେ ରଖ ! ମୋ ପିଲାମାନଙ୍କୁ ବିପଦରେ ଛାଡ଼ି ମୁଁ କ’ଣ ଯାଇପାରିବି ! ମୁଁ ସବୁବେଳେ ତାଙ୍କ ସାଥିରେ ଥିବି !
ଅଜଣା ଲୋକ: କ’ଣ କହୁଛନ୍ତି ମଉସା ! ମୁଁ ଆପଣଙ୍କ ପାଇଁ ବର୍ଷାରେ ଭିଜୁଛି ! ଆପଣଙ୍କ ସାଥିରେ ଚାଲିଛି ! ଆପଣଙ୍କୁ ଝୁଣ୍ଟିବାରୁ ବଞ୍ଚାଇଛି ! ଅଥଚ ଆପଣ ସେ ଅମଣିଷ ଗୁଡ଼ାକୁ ଛାଡ଼ି ମୋ ସହ ଯିବାକୁ ପ୍ରସ୍ତୁତ ନୁହନ୍ତି ! କାହିଁକି ମଉସା କାହିଁକି? ଦେଖୁଛନ୍ତି ଆପଣଙ୍କ ମୃତ୍ୟୁରେ ବି କାହାରି ମନରେ ନା ଅଛି ଅନୁଶୋଚନା ନା ଆଖିରେ ଦୁଇଟୋପା ଲୁହ ! ମୁଁ ତ ଦୁଇ ହାତରେ ଆପଣଙ୍କୁ ଆଲିଙ୍ଗନ କରିବାକୁ ବ୍ୟଗ୍ର !
ସେହି ଅଜଣା ଲୋକର ମୁହଁରୁ ଏତେକଥା ଶୁଣି କିଛି ନକହି ଖାଲି ହସିଦେଲେ ଫଗୁ ମଉସା ! ଅନେକ ସମୟ ବିତିଗଲାଣି ! ସେମିତି ବର୍ଷାରେ ଦୁହେଁ ଛିଡ଼ା ହୋଇଥାନ୍ତି ଡାକ୍ତରଖାନା ଆଗରେ ! କିଛି ସମୟ ପରେ ପଛରୁ କୌଣସି ଏକ ଅଜଣା ନାରୀ କଣ୍ଠ ସେହି ଅଜଣା ଲୋକକୁ ପଚାରୁଥିବାର ଶୁଣାଗଲା, “ଏ ମଣିଷଟା କିଏ? କେଉଁ ଉପାଦାନରେ ଗଢ଼ା? ସବୁ ଜାଣିବି…”
ସେହି ଅଜଣା ଲୋକ: ମୋତେ ଫେରିବାରେ ବିଳମ୍ୱ ହେବ ! କେତେହେବ କହିପାରିବିନି ! କେଜାଣି କେତେ ଖରାବର୍ଷା କେତେ ଋତୁଚକ୍ରର ଆବର୍ତ୍ତନକୁ ଦେଖିବାକୁ ପଡ଼ିବ କହିହେବନି ! କାହିଁକି ନା ଇଏ ପରା ଜଣେ ବାପା…!!!
– ଜ୍ୟୋତିରଞ୍ଜନ ସାହୁ
Comments
ଜ୍ୟୋତିରଞ୍ଜନ ସାହୁ ପେଶାରେ ଜଣେ ସରକାରୀ ଚାକିରୀଆ, କିନ୍ତୁ ନିଶା ତାଙ୍କର ଗପ ଲେଖିବା । ସେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ କେତେଗୁଡ଼ିଏ ଗଳ୍ପ ସଂକଳନ ପୂର୍ବରୁ ଲୋକାର୍ପିତ ହୋଇସାରିଛି ।