ବିଗତ ପାଞ୍ଚ ଦିନରୁ ଅନ୍ଧାର ଘରଟା ଭିତରେ ବସି ରାଘବ ଖାଲି ଭାବୁଛି ଆଉ ଭାବୁଛି । ମୁହଁକୁ ମୁହଁ ଦେଖା ଯାଉନଥିବା ଅନ୍ଧାର ଭିତରେ ତାକୁ ଖାଲି ସେଇ ସେଇ ଦୃଶ୍ୟ ଦେଖା ଯାଉଛନ୍ତି, ଯାହାଙ୍କ ସହିତ ତା’ର କିଛି ବି ସମ୍ପର୍କ ନାହିଁ । ତାକୁ ଖାଲି ଅନୁଭବ ହେଉଛି ସେ ବି ସେଇମାନଙ୍କ ଭିତରୁ ଜଣେ ଯେମିତି ! ସେଇ ଖଣ୍ଡିଆ ଖାବରା ଦେହ… ରକ୍ତ ସାଲୁବାଲୁ ଚେହେରା… ହୃଦ ଦହଲା ଆକୂଳ ଚିତ୍କାର…
ଓଃ, ସେ ଏବେ ସତରେ ପାଗଳ ହେଇଯିବ !
ନା, ଆଉ ମୋଟେ ନୁହେଁ । ସେ ଏସବୁ ଜମା ସହ୍ୟ କରିପାରିବ ନାହିଁ । ସେ ଏଠୁ ପଳେଇ ଯିବ… ତା’ ଦେଇ ଏସବୁ କେବେ ହେଇପାରିବ ନାହିଁ । ଏପରି ନିଷ୍ଠୁର ହୃଦୟ ତା’ର ନୁହେଁ । ସେ ସାମାନ୍ୟ ସଙ୍ଗୀତକାରଟିଏ । ଜୀବନକୁ ଭଲ ପାଇବା ଶିଖିଛି ଆଉ ଶିଖେଇଛି । କଲମ ଧରିବା ହାତରେ ସେ ବୋମା ଧରିପାରିବ ନାହିଁ, କି କାହାରି ପ୍ରାଣ ନେଇ ପାରିବ ନାହିଁ । ତାକୁ ଭାରି ଅଣନିଶ୍ୱାସୀ ଲାଗୁଛି… ଭୟ ଲାଗୁଛି… ଛାଟିପିଟି ଲାଗୁଛି ! ତାକୁ ମୁକ୍ତି ଦରକାର… ମୁକ୍ତି !
ଓଃ, କିଏ ଅଛ କୋଉଠି? ତାକୁ ଏଠୁ ବାହାରକୁ ନେଇଯାଅ ଟିକେ ! ଚେନାଏ ଆଲୋକ ଦିଅ… ମୁଠାଏ ପବନ ଦିଅ… ଶାନ୍ତିରେ ଘଡ଼ିଏ ଶୋଇଯିବାକୁ ତ ଦିଅ !
କାହିଁ ଆଉ ଶାନ୍ତି ! ଚାରିଆଡ଼େ ତ ଖାଲି ପ୍ରତିଶୋଧର ଲେଲିହାନ୍ ଶିଖା ! ଧର୍ମର ନାଁରେ ହାଣ୍ କାଟ୍ ମାର୍ର ଶିକ୍ଷା ! ଏ ଭିତରେ ତାକୁ କିଏ ଆଣି ଦେଇ ପାରିବ ତା’ର ବହୁ ପ୍ରତୀକ୍ଷିତ ଶାନ୍ତିକୁ !
ବିଗତ ପାଞ୍ଚ ରାତିରୁ ସେ ଶୋଇ ପାରିନାହିଁ । ଆଖି ବନ୍ଦ କଲା ମାତ୍ରେ ତା’ ସାମନାକୁ ଚାଲି ଆସୁଛି ସେଇ ଅଭାବନୀୟ ଦୃଶ୍ୟ, ଯାହାକୁ ସେ କେବେ ଚିନ୍ତା କରିନଥିଲା… ନିଜେ କରିବା କଥା ତ ବହୁ ଦୂରକୁ ରହିବ ! କାନ ପାଖରେ ଅହରହ ଗୁଞ୍ଜରି ଉଠିଛି କିଛି କାଳ୍ପନିକ ଲୋକଙ୍କର ଯନ୍ତ୍ରଣା ଜର୍ଜରିତ ଚିତ୍କାର – ୟା ଅଲ୍ଲାହ… ୟା ପର୍ବର୍ଦିଗାର… ଆହୁରି ସେମିତି କିଛି – କେବେ ନଶୁଣିଥିଲା ପରିକା ଶବ୍ଦ !
ଏମାନେ ସବୁ କିଏ ! କ’ଣ କ୍ଷତି କରିଛନ୍ତି ତା’ର? କିଛି ବି ତ ନୁହେଁ ! ତା’ହେଲେ ସେ କାହିଁ ସେମାନଙ୍କୁ ନିପାତ କରିଦେବାର ସାଧନ ବୋହିନେବ ! କାହିଁକି ତାଙ୍କ ସଂସାରକୁ ଅସମୟରେ ଛାର୍ଖାର୍ କରିଦେବ ! ସେ କ’ଣ ଆତଙ୍କବାଦୀ !
କିନ୍ତୁ ପର ମୁହୂର୍ତ୍ତରେ ତା’ କାନରେ ଆସି ବାଜୁଛି ଗୁରୁ ଗମ୍ଭୀର ସ୍ୱରରେ କହିଥିବା କଥା ସବୁ ଭଗିନୀ ପ୍ରିୟମ୍ବଦାଙ୍କର ! “ଆମେ ଆତଙ୍କବାଦୀ ନୁହେଁ… ଆମେ ହେଲୁ ଧର୍ମଯୁଦ୍ଧର ସଚ୍ଚା ସିପାହୀ…”
କେତେ ବର୍ଷ କାଳ ଆଉ ଆତଙ୍କବାଦର ଶିକାର ହୋଇ ଚୁପ୍ ବସି ରହିଥିବା ଆମେ ! ଆମର ଏହି ନିରବତା ହି ସେମାନଙ୍କ ସାହାସ ବଢ଼େ଼ଇ ଚାଲିଛି । ରାଜ୍ୟ ଆମର… ଦେଶ ଆମର… ପାଣି, ପବନ, ଆକାଶ, ମାଟି ସବୁ ଆମର ! ତଥାପି ଆମେ ସେମାନଙ୍କ ଦୟାରେ ନିଶ୍ୱାସ ନେଉଥିବା ! ଡରିମରି ଜିଉଁଥିବା ! କାହିଁକି? କି ଅପରାଧ ଆମର?
ସେମାନେ ଯଦି ତାଙ୍କ ଧର୍ମଗୁରୁଙ୍କର କଥାକୁ ବେଦବାକ୍ୟ ମନେ କରି ହଜାର ହଜାର ମଣିଷଙ୍କୁ ଗୋଟାଏ ଝଟ୍କାରେ ମାରିଦେଇ ପାରୁଛନ୍ତି… ଆମେ କାହିଁକି ଚୁଡ଼ି ପିନ୍ଧି ଘର କୋଣରେ ବସି ରହିଥିବା ! ଆମ ଜାତି କ’ଣ ସତରେ କାପୁରୁଷ, ଯାହା ସେମାନେ ଛାତି ପିଟି ପିଟି କହି ଚାଲିଛନ୍ତି !
ନା, ସେକଥା ହେଇପାରିବନି ଆଉ ! ଆମେ ବି ଦେଖେଇ ଦେବା ଆମ ଧର୍ମର ତାକତ । ରକ୍ତ ନଦୀ ବୁହାଇବାର ଶିକ୍ଷା ପାଇନୁ ସତ, ହେଲେ ସମୟ ପଡ଼ିଲେ ଅର୍ଜୁନ ହୋଇ ଦେଖେଇ ଦେଇପାରିବୁ – ସମର କ୍ଷେତ୍ରରେ କେହି କାହାର ନୁହନ୍ତି ! ଆମ ରଥର ସାରଥୀ ସ୍ୱଂୟ ନାରାୟଣ ଯେତେବେଳେ, ଶତ୍ରୁ ସଂହାର କଲା ବେଳେ ଆମେ ନିଜ ପର କିଛି ଦେଖିବୁନି ! ସମୟ ଆସିଗଲା – ଏଥର ଟେକାର ଜବାବ ପଥରରେ ଦେବାକୁ ହେବ । ଏଥର ଆମେ ଆମର ସୈନ୍ୟ ପ୍ରସ୍ତୁତ କରିବା । ନିଜ ଧର୍ମର ସୁରକ୍ଷା କରିବା । ସେମାନଙ୍କୁ ବି ସେହିପରି ନିପାତ କରିବା – ଦୀର୍ଘ ଦିନରୁ ଯେପରି କରିଚାଲିଛନ୍ତି ସେମାନେ ଆମର ! ସେ ଶାନ୍ତି… ମୈତ୍ରୀ… ପ୍ରୀତି… ସଂହିତିର ଭାଷା ବହୁତ କୁହା ହେଇଗଲା । ଏଥର ଯାହା କିଛି ବି ହେବ, ତାହା କେବଳ ଯୁଦ୍ଧ… ଧର୍ମଯୁଦ୍ଧ ! ଆଉ ଏ ଯୁଦ୍ଧର ଆମେ ସମସ୍ତେ ହେଲେ ଜଣେ ଜଣେ ଦାୟୀତ୍ୱବାନ ସିପାହୀ… ମହାଭାରତ ଯୁଦ୍ଧର ଫାଲ୍ଗୁନି…”
ହଁ, ଏମିତି କଥା ସବୁ ତ କହିଥିଲେ ସେଦିନ ଭଗିନୀ ପ୍ରିୟମ୍ବଦା ଘର ଘର ବୁଲି ! ବାଣ୍ଟିଥିଲେ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ବିଷାଦ ବେଳରେ ଶ୍ରୀକୃଷ୍ଣଙ୍କ ଗୀତା ଉପଦେଶର କ୍ୟାଲେଣ୍ଡର । ବହୁତ ବେଶୀ ପ୍ରଭାବିତ ହୋଇପଡ଼ିଥିଲା ରାଘବ ପ୍ରିୟମ୍ବଦାଙ୍କ ବାଣୀରେ, ଯେମିତି ହୋଇପଡ଼ିଥିଲେ ଯୁଦ୍ଧ କ୍ଷେତ୍ରରେ ଅର୍ଜୁନ, ଆଉ ସଂହାର କରି ଦେଇଥିଲେ ନିଜର ଅତି ଆପଣାର ପ୍ରିୟଜନମାନଙ୍କୁ ।
ଧ୍ୱଂସ ଆଉ ସୃଷ୍ଟିର ଏ ଅପୂର୍ବ ଉଦାହରଣ କାଳେ କାଳେ ଆମ ଧର୍ମର ପଥ ପ୍ରଦର୍ଶକ ସାଜିଛି । ଧର୍ମ ଯୁଦ୍ଧରେ କେହି ଆତଙ୍କବାଦୀ ନୁହନ୍ତି । ସମସ୍ତେ ପ୍ରଭୁ ନାରାୟଣଙ୍କ ଦ୍ୱାରା ସଂଚାଳିତ ଜଣେ ଜଣେ ସିପାହୀ କେବଳ, ଯେଉଁମାନେ ତାଙ୍କରି ନିର୍ଦ୍ଦେଶର ପାଳନ କରୁଛନ୍ତି ମାତ୍ର !
ଗୀତାର ପ୍ରତିଟି ଅଧ୍ୟାୟରେ ଏମିତି ସବୁ ଲେଖା ହେଇଛି ବୋଲି ସେଦିନ ଭଗିନୀ ସମସ୍ତଙ୍କୁ କହିଥିଲେ । ଆଉ ଏକଥା ବି କହିଥିଲେ ଯେ ପ୍ରଭୁଙ୍କ ନିର୍ଦ୍ଦେଶରେ ହିଁ ସେ ଏଠିକୁ ଆସିଛନ୍ତି । ତେଣୁ ଯାହା କିଛି ବି ହେବ ଆଉ ହେଉଛି, ସେସବୁଥିରେ ପ୍ରଭୁଙ୍କର ହି ଇଚ୍ଛା ରହିଛି । ସମସ୍ତ ଯୁବାଗୋଷ୍ଠୀଙ୍କୁ ସେ ଆହ୍ୱାନ କରିଥିଲେ ଏହି ଯୁଦ୍ଧରେ ଝାସ ଦେବାକୁ । ମାତୃଭୂମୀକୁ ବିଧର୍ମୀଙ୍କ ହାତରୁ ମୁକ୍ତ କରିବାକୁ ।
ସେହି ଡାକରାରେ ସେଦିନ ଉଦ୍ବୁଦ୍ଧ ହେଇ ରାଘବ ଘର ଛାଡ଼ିଲା, ପରିବାର ଛାଡ଼ିଲା, ସମାଜରେ ଏତେ ଦିନରୁ ସୃଷ୍ଟି କରିଥିବା ନିଜର ବହୁମୂଲ୍ୟ ପରିଚୟକୁ ବି ଛାଡ଼ିଲା ! ନିଜ ମାଟି, ପାଣି, ପବନ, ସାଙ୍ଗସାଥି ସବୁ ଛାଡ଼ିଲା । ନିଜକୁ ସେ ଏବେ ଅର୍ଜୁନ ମନେ କରୁଥିଲା… ଆଉ ଭଗିନୀ ପ୍ରିୟମ୍ବଦାଙ୍କୁ ତା’ ରଥର ସାରଥୀ – ପ୍ରଭୁ ଶ୍ରୀକୃଷ୍ଣ ! ତାଙ୍କରି ନିର୍ଦ୍ଦେଶକୁ ସେ ଅକ୍ଷରେ ଅକ୍ଷରେ ପାଳନ କରିବ… ଭୁଲିଯିବ ସତ୍ୟ ଅସତ୍ୟ… ନ୍ୟାୟ ଅନ୍ୟାୟ… ନିଜ ପର… ! ଧର୍ମଯୁଦ୍ଧରେ ସବୁ ଗ୍ରହଣୀୟ – ମିଛ ବି… ସତ ବି !
ପ୍ରଥମ ଦିନରୁ ହି ତାକୁ ନିଜ ଧର୍ମକୁ ଖୁବ୍ ବେଶି ଭଲ ପାଇବା ସହିତ ଅନ୍ୟ ଧର୍ମକୁ ତା’ଠୁ ଅଧିକ ଘୃଣା କରିବା ଶିଖାଗଲା । ନିଜ ଧର୍ମର ସୁରକ୍ଷା ପାଇଁ ଯେକୌଣସି ପଥକୁ ଆପଣେଇ ନେଲେ ବି ତାହା ପୂଣ୍ୟ ହେବ, ସେକଥା ତା’ ମୁଣ୍ଡରେ ପୂରେଇ ଦିଆଗଲା ! ତା’ପରେ ଦିନରାତି ତାକୁ ଦେଖା ଚାଲିଲା କିଛି ଏମିତି ଭିଡ଼ିଓ, ଯାହା ତାକୁ ଭିତରୁ ଦୋହଲେଇ ପକେଇଲା । ତା’ ଭିତରେ ଅଜବ ବେଦନା ଟକ୍ମକ୍ ଫୁଟିବାକୁ ଲାଗିଲା । ନିଜ ଲୋକଙ୍କ ପାଇଁ ବହୁତ କିଛି କରି ପକେଇବାକୁ ତା’ ଭିତରେ ଆଲୋଡ଼ନ ସୃଷ୍ଟି ହେବାକୁ ଲାଗିଲା ।
ସେ ଛଟପଟ ହେଲା… ବ୍ୟାକୁଳ ହେଲା… ହାତ ମୁଠା ମୁଠା କଲା ! ଏତେ ବର୍ଷ ଯାଏଁ କେମିତି ଏସବୁ ଜାଣି ନଥିଲା ଭାବି ଦୁଃଖିତ ହେଲା । ଆଉ ପଣ କଲା, ନିଶ୍ଚୟ ଏମିତି କିଛି କରିବ, ଯାହା ସମସ୍ତଙ୍କ ପାଇଁ ହିତ ସାଧନ କରିବ… ନିଜ ଧର୍ମର ସୁରକ୍ଷା ହେବ ।
ତା’ପରେ ଆସିଲା ଟ୍ରେନିଙ୍ଗ୍ ନେବାର ପାଳି । କିଛିଟା ଥିଲା ବେସିକ୍ ଟ୍ରେନିଙ୍ଗ୍, ଯାହା ସମସ୍ତଙ୍କ ପାଇଁ ନିର୍ଦ୍ଧାରିତ ଥିଲା । ଆଉ କିଛି ଥିଲା ବିଶେଷ ଟ୍ରେନିଙ୍ଗ୍, ଯାହା ପାଇଁ ପରୀକ୍ଷା ଦେବାକୁ ହେବ । ସେଥିପାଇଁ ଶାରୀରିକ ସ୍ତର ସହିତ ମାନସିକ ସ୍ତରରେ ବହୁତ ବେଶି ଦୃଢ଼ ରହିଥିବା ପିଲାଙ୍କୁ ହିଁ ବଛାଗଲା । ଆଉ ସବୁଥିରେ ରାଘବ କୃତିତ୍ତ୍ୱ ସହକାରେ ସଫଳ ହେଲା । ତା’ ଭିତରର ଧାର୍ମିକ ମନୋବୃତ୍ତିକୁ ସମସ୍ତେ ଚିହ୍ନି ପାରି ଖୁସି ହେଇଥିଲେ । ତାଙ୍କ ଦଳର ଲିଡର୍, ମାନେ ଭଗିନୀ ପ୍ରିୟମ୍ବଦା, ସର୍ବ ସମୁଖରେ ଦିନେ ଘୋଷଣା କରିଦେଲେ ରାଘବ ତାଙ୍କର ଡାହାଣ ହାତ ବୋଲି ।
ସେଦିନ ପରଠୁ ତାକୁ ଲାଗୁଛି ଆକାଶଟା ମାତ୍ର ଦୁଇ ହାତ ଉଚ୍ଚାରେ ରହିଛି ତା’ଠୁ । ଆଉ ଟିକିଏ ପ୍ରୟାସ କଲେ ସେଇ ଦୂରତାକୁ ବି ସେ ପାର୍ କରିଯିବ ଅକ୍ଳେଶରେ ! ସେଇ ଚେଷ୍ଟାରେ ଦିନରାତି ଏବେ ଲାଗି ରହିଥିଲା ବେଳେ ହଠାତ୍ ତା’ ଜୀବନଟା କଡ଼ ଲେଉଟେଇ ଦେଲା ଯେମିତି ! ଗୋଟାଏ ନିହାତି ଅସମ୍ଭବ କଥାଟେ ଟଳମଳେଇ ଦେଲା ତା’ର ବଢ଼ି ଯାଉଥିବା ପାଦକୁ… ତା’ର ସବୁ ଦୃଢ଼ତାକୁ… ଧର୍ମକୁ ନେଇ ତା’ର ସବୁ ଭାବପ୍ରବଣତାକୁ ! ନିଜ ନିର୍ଣ୍ଣୟ ଉପରେ ତା’ର ସନ୍ଦେହ ହେବାକୁ ଲାଗିଲା ଏବେ ।
ଏ କ’ଣ କରିବାକୁ ଯାଉଛି ସେ ସତରେ ! ତା’ ବାପା ମା’ କ’ଣ ତାକୁ ଏଇଥିପାଇଁ ଜନ୍ମ ଦେଇଥିଲେ ! ତାକୁ ନେଇ ଏଇ ସ୍ୱପ୍ନ ଦେଖିଥିଲେ ଯେ ସେ ଜଣେ ମଣିଷମରା ହେଇ ବାହାରିବ ଶେଷରେ !… ହଁ, ମଣିଷମରା ନୁହେଁ ତ ଆଉ କ’ଣ ! ଧର୍ମ ଭିନ୍ନ ହେଲେ ବି, ଯୋଉମାନଙ୍କୁ ଶେଷ କରିବାକୁ ସେ ରାତିଦିନ ଲାଗି ପଡ଼ିଛି, ସେମାନେ କ’ଣ ରକ୍ତମାଂସରେ ଗଢ଼ା ନୁହନ୍ତି ! ସେମାନଙ୍କର କ’ଣ ପରିବାର ନାହିଁ ନା ହସଖୁସି ନାହିଁ ! ଭବିଷ୍ୟତକୁ ନେଇ ସ୍ୱପ୍ନ ନାହିଁ ନା ପିଲାଙ୍କୁ ସତ୍ ବାଟରେ ନେବାର ଆଗ୍ରହ ନାହିଁ ! ତା’ହେଲେ ସେ କାହିଁକି ସେମାନଙ୍କର ସ୍ୱପ୍ନ ଆଉ ବାସ୍ତବତା ଭିତରେ ପ୍ରାଚୀର ହୋଇ ଠିଆ ହେବ ! କାହିଁକି ସେମାନଙ୍କ ସହିତ ଶତ୍ରୁତା ଆଚରଣ କରିବ !
ନା, ନା, ସେ ମୋଟେ ପାରିବନି । କହିଦେବ ସମସ୍ତଙ୍କୁ, ବିଶେଷ କରି ଭଗିନୀ ପ୍ରିୟମ୍ବଦାକୁ ଯେ ତାକୁ ଏ କାମରୁ ସେ ଓହରେଇ ନିଅନ୍ତୁ । ତା’ ଭିତରର ସବୁ ଆବେଗ, ସବୁ ଜୋଶ୍ ଥଣ୍ଡା ପଡ଼ିଯାଇଛି । ଧ୍ୱଂସ ପରିବର୍ତ୍ତେ ତା’ ଭିତରେ ଏବେ ସୃଷ୍ଟି ପ୍ରତି ମୋହ ଜାଗିଛି । ସେ ବି ଅନ୍ୟ ସାଧାରଣ ମଣିଷଙ୍କ ପରି ଭଲ ପାଇବା… କାହାକୁ ନିଜର କରିବା… ତା’ ପାଇଁ ସ୍ୱପ୍ନ ଦେଖିବା ପରିକା ଅନୁଭବ ସବୁକୁ ନିଜ ଭିତରେ ଏବେ ଅନୁଭବ କରୁଛି । ତାକୁ ସେସବୁ କାମ ଜମାରୁ କରିବାକୁ ନାହିଁ, ଯାହା ପାଇଁ ସେ ଏଠିକୁ ଆସି ଦୁଇ ଦିନରୁ ରହିଛି । ବରଂ ସେ ସେଇଆ କରିବାକୁ ଚାହୁଁଛି, ଯାହା ସେଇ ନୀଳ ନୀଳ ଆଖି ନିରବରେ ତାକୁ କରିବାକୁ ପ୍ରେରିତ କରୁଛି… !
ନୀଳ ଆଖି… !
ଅନ୍ଧାର ଭିତରେ ବିଜୁଳିର ଚମକ ଖେଳେଇ ଆସି ଠିଆ ହେଇଗଲା ସେଇ ଝିଅଟି, ଯାହାକୁ ପ୍ରଥମ ଦିନ ସିଢ଼ିରେ ଆସୁ ଆସୁ ସେ ଭେଟିଥିଲା । ଅନ୍ୟମନସ୍କତାରେ ସିଢ଼ି ଚଢ଼ୁ ଚଢ଼ୁ, ମୁଣ୍ଡକୁ ତଳକୁ କରି ଗୁଣୁ ଗୁଣୁ ଗୀତ ଗାଇ ଗାଇ ତଳକୁ ଓହ୍ଲେଇ ଯାଉଥିବା ସେଇ ଅନୁଢ଼ା କିଶୋରୀଟି ଦେହରେ ସାମାନ୍ୟ ଧକ୍କା ଲାଗିଗଲା । ଚମକି ପଡ଼ିଲା ରାଘବ । ଅଟକି ଗଲା ସମ୍ଭାବ୍ୟ ବିରକ୍ତିର ଆଶଙ୍କା କରି । ହେଲେ ସେ ନିଜ ଧୁନ୍ରେ ମଗ୍ନ ହେଇ ସେମିତି ଗୁଣୁଗୁଣେଇ ଚାଲି ଯାଉଥିଲା ବେଳେ ମୁଣ୍ଡ ଉଠେଇ ଚାହିଁଲା ଆଉ ଫିକ୍ କରି ହସିଦେଲା । ହାତରେ ତା’ର ଥିଲା କିଛି ତାଜା ଲାଲ୍ ଗୋଲାପର ଫୁଲ – ରକ୍ତ ରଙ୍ଗର । ବିନା ଶବ୍ଦଟିଏର ଆଦାନ ପ୍ରଦାନରେ ସେଥିରୁ ଫୁଲଟିଏ କାଢ଼ି ତା’ ହାତରେ ଧରେଇ ଦେଇ – “ଇଦ୍ ମୁବାରକ୍… ମୁଁ ନିଲୋଫର୍” ବୋଲି କହି ଦେଇ ଆଗେଇ ଗଲା ନିଜ ବାଟରେ ।
ତା’ ସାଥିରେ ଥିଲା କିଛି ଅପଙ୍ଗ ଆଉ ମାନସିକ ଅନଗ୍ରସର ପିଲାଙ୍କର ଗୋଟିଏ ଦଳ । ସେମାନଙ୍କୁ ସେ ଜୀବନର ମହତ୍ତ୍ୱ ବୁଝୋଉଥିଲା । ଭଲ ପାଇବାର ଆବଶ୍ୟକତା ସୂଚାଉ ଥିଲା । ଜୀବନର ଶ୍ରେଷ୍ଠ ଧର୍ମ ମାନବିକତା ବୋଲି କହୁଥିଲା । ହିଂସାର ପଥ ସବୁବେଳେ ଧ୍ୱଂସ ଆଡ଼କୁ ନେଇଯାଏ… ସେଥିରେ କାହାରି କେବେ ହିତ ସାଧନ ଆଜି ପର୍ଯ୍ୟନ୍ତ ହେଇନି କି ହେବନାହିଁ । ଏହା ହିଁ ସବୁ ଧର୍ମର ମୂଳମନ୍ତ୍ର ବୋଲି ସେମାନଙ୍କୁ ବୁଝୋଉଥିଲା । ଗାଇକି ଶୁଣୋଉଥିଲା କୋଉ ଏକ କବିତାରୁ ଦୁଇ ଧାଡ଼ି…
କ’ଣ ଥିଲା ସେ ସ୍ୱରରେ ! କ’ଣ ଥିଲା ସେ ମୋହମୁଗ୍ଧ ଆଖିରେ ! କ’ଣ ଥିଲା ମଣିଷକୁ ଭଲ ପାଇବାର ସେଇ ଦୁର୍ବାର ଚେଷ୍ଟାରେ ! ବର୍ଷ ବର୍ଷର ମୁଖରିତ ସମୟ ଯେମିତି ସ୍ଥାଣୁ ପାଲଟି ଯାଇଥିଲା ଗୋଟିଏ ବିନ୍ଦୁରେ ! ଆଗକୁ ବଢ଼ିଯିବାର ପାଦଟା ଅଟକି ରହିଯାଇଥିଲା ବେଶ୍ କିଛି ସମୟ ପାଇଁ । ଧ୍ୱଂସର ଦୁନିଆ ଭିତରେ ଏକ ସବୁଜ ପୃଥିବୀ ସହ ଏଇ ଆକସ୍ମିକ ମୁହାଁମୁହିଁ ଚକିତ କରିଦେଇଥିଲା ତାକୁ ।
କିଛି ବୁଝିବା ପୂର୍ବରୁ ବିଜୁଳି ସମ କିଛି ଗୋଟାଏ ତାଳୁରୁ ତଳିପା ପର୍ଯ୍ୟନ୍ତ ଘୂରି ଆସି ଉଭେଇ ଯାଇଥିଲା । ତଳ ସିଢ଼ିକୁ ଓହ୍ଲେଇ ସାରିଥିଲା ସେଇ ନୀଳ ଆଖିବାଲା ଝିଅଟି ସେଇ ପିଲାମାନଙ୍କୁ ସାଙ୍ଗରେ ଧରି । ଏବେ ବି ତା’ ସ୍ୱରର ଗୁଞ୍ଜରଣ ବାୟୁମଣ୍ଡଳରେ । କି ଗୀତ ଗାଉଛି ସେ ! ଭଲକରି ଶୁଣିବାକୁ ଚେଷ୍ଟା କଲା । ଓଃ… ଏଇଟା ! ଅଟକି ଗଲା ତା’ର ପାଦ । ଦିନେ ତାରି ଦ୍ୱାରା ରଚିତ ହୋଇଥିବା ଅସଂଖ୍ୟ ଗୀତମାନଙ୍କ ଭିତରୁ ଗୋଟିଏ ବହୁତ ଲୋକପି୍ରୟ ଗୀତ, ଯୋଉଟା ତା’ ନିଜକୁ ବି ଭାରି ପସନ୍ଦ ।
ଭାରି ମଧୁର ତା’ର ସ୍ୱର… ! ଆବେଗରେ ଛଳ ଛଳ… ଜଳ ପରି ତରଳ ଆଉ ସ୍ୱଚ୍ଛ ! ମୁଗ୍ଧ ହେଇଗଲା ସେ । ବଢ଼ି ଯାଉଥିବା ପାଦ ମାଟିରେ ଧସିଗଲା ଯେପରି ! ସଙ୍ଗୀତ ପ୍ରତି ତା’ର ଢେର ଦୁର୍ବଳତା ! ନିଜେ ବି ଭଲ ଗୀତ ଗାଇପାରେ । ମା’ର ଇଚ୍ଛା ଥିଲା ସଙ୍ଗୀତକୁ ସେ ନିଜ ରୋଜଗାରର ପନ୍ଥା କରୁ । କରିଥିଲା ମଧ୍ୟ । ହେଲେ ପରିସ୍ଥିତି ହଠାତ୍ ଏମିତି ବଦଳିଗଲା ଯେ ସେ ନିଜ ପ୍ରିୟ ସଙ୍ଗୀତ ଠାରୁୁ ଖୁବ୍ ବେଶି ଦୂରେଇଗଲା । ଭଗିନୀ ପ୍ରିୟମ୍ବଦା ତା’ ମନ ମସ୍ତିଷ୍କକୁ ଏପରି କାବୁ କରି ପକେଇଲେ ଯେ ଏବେ ସଙ୍ଗୀତର ସାତ ସୁର ନୁହେଁ, ତା’ ଛାତିରୁ ଅହରହ ଝରୁଛି ଯୁଦ୍ଧର ରଣଭେରୀ ! ନିଜର ସୁନ୍ଦର ସଂସାରରୁ ଦୂରେଇ ସେ ଏବେ ଅଜ୍ଞାତବାସରେ । ନିଜ ମାଟି ଛାଡ଼ି ପ୍ରବାସରେ । ହେଲେ ଏଠି ବି କେହି ତା’ର ପ୍ରଶଂସକ ଅଛି ! ତା’ ଗୁଣକୁ ଚିହ୍ନିବାବାଲା ଅଛି !
ଏକ ଅନନ୍ୟ ଅନୁଭବ ହଠାତ୍ ଛାତି ତଳେ ବିଗତ କିଛି ବର୍ଷରୁ ସୃଷ୍ଟି ହୋଇ ଯାଇଥିବା ଶୂନ୍ୟସ୍ଥାନକୁ ଭରି ପକେଇବାକୁ ଉଦ୍ୟମ କରିଲା । ଓଠ ଉପରକୁ ମଧୁର ହସଟିଏ ଲୁଚିଛପି ବାହାରି ପଡ଼ିଲା । କିନ୍ତୁ ପର ମୁହୂର୍ତ୍ତରେ ଚମକି ପଡ଼ିଲା ନିଜ ଭାବନାରେ । ସେ କ’ଣ ଏପର୍ଯ୍ୟନ୍ତ ବି ଜାଣିନି ଯେ ଏସବୁ ତା’ପାଇଁ ନୁହେଁ ! ସେ କ’ଣ ଏଇଥିପାଇଁ ଅନ୍ଧାରି ଜୀବନ ଜିଇଁଚାଲିଛି ବିଗତ କିଛି ବର୍ଷରୁ? ନିଜ ପରିଚୟ ଲୁଚେଇ… ଅନ୍ୟ ଏକ ମଣିଷର ମୁଖା ପିନ୍ଧି ପାଞ୍ଚ ଦିନରୁ ଅପେକ୍ଷାରେ ରହିଛି କାଲିର ସକାଳ ପାଇଁ? ତା’ ପରି ସିପାହୀ ପାଇଁ ଏସବୁ କେବଳ ଦିବାସ୍ୱପ୍ନ । ସେ କ’ଣ ଏଇ ସତ୍ୟକୁ ଆଜି ପର୍ଯ୍ୟନ୍ତ ସ୍ୱୀକାର କରିନେଇ ନାହିଁ? ତା’ହେଲେ?
ତା’ହେଲେ ଆଉ କ’ଣ ! ନିଲୋଫର୍ର ହସ, ସେ ମଧୁର ଗୀତ ଏଇ ରାଘବ ମିତ୍ର ପାଇଁ ନଥିଲା, ସେକଥାଟି ତାକୁ ମାନିବାକୁ ହିଁ ପଡ଼ିବ । ପୁଣି ଥରେ ବୁଲି ଚାହିଁଲା ସେ । ଏକଦମ୍ ତଳକୁ ଓହ୍ଲେଇ କାନ୍ଥ ପଛରେ ଅଦୃଶ୍ୟ ହେଇଗଲାଣି ଝିଅଟି । ମାତ୍ର ଏବେ ବି ତା’ କାନରେ ପ୍ରତିଧ୍ୱନିତ ହେଉଛି ତା’ର ସେହି ଗୁଣୁଗୁଣୁ ସ୍ୱର ! ଛାତି ଭିତରେ ଢେଉ ଖେଳୁଛି ଏକ ଅପ୍ରାପ୍ତିର ଜ୍ୱାଳା । ରହି ରହି ହୃଦୟ ବାରମ୍ବାର ପଚାରୁଛି – ସେ ଆଜି ଯୋଉ ପଥର ପଥିକ ହୋଇ ଏଠି ଆତ୍ମଗୋପନ କରିଛି, ତାହାର ନିର୍ଣ୍ଣୟ ନେଇ ସେ ଠିକ୍ କରିଛି ତ !
ବିଗତ ଚାରି ପାଞ୍ଚ ଦିନରୁ ନିଶଦାଢ଼ି ଲଗେଇ, ନାଁ ବଦଳେଇ ସେ ଏଠି ରହୁଛି । ଥରକ ପାଇଁ ବି ପଦାକୁ ବାହାରି ନାହିଁ କି ଏଠି କିଏ କିଏ ରହୁଛନ୍ତି, ଜାଣିନାହିଁ । ଜାଣିବାର ଆବଶ୍ୟକତା ବା କ’ଣ ! କାମ ସରିଗଲା ପରେ ଏଠୁ ସଙ୍ଗେ ସଙ୍ଗେ ଅଦୃଶ୍ୟ ହେଇଯିବାକୁ ଅଛି । ରାତି ପାହିଲେ ଇଦ୍, ସେମାନଙ୍କର ସବୁଠାରୁ ବଡ଼ ପର୍ବ । ନୂଆ ଲୁଗାପଟା ପିନ୍ଧି ଜମା ହେବେ ସମସ୍ତେ ଗୋଟାଏ ଜାଗାରେ । ଆଉ ଠିକ୍ ସେଇ ସମୟଟି ହେବ…
ଭଗିନୀ ପ୍ରିୟମ୍ବଦାଙ୍କ ଯୋଜନା ଅନୁସାରେ ସବୁକିଛି ଏପର୍ଯ୍ୟନ୍ତ ଠିକ୍ ଠିକ୍ ଚାଲିଆସିଛି । ଆସିଲା ପରଠୁ ଅନ୍ଧାର ଘର ଭିତରେ ଲୁଚିକି ବସିଛି ସେ ଏକା ଏକା । ଅନ୍ୟ ସାଥିମାନେ କୋଉଠି ଅଛନ୍ତି, ତାକୁ ଜଣା ହୋଇନି । ଯଦି ଭୁଲ୍ବଶତଃ ପୁଲିସ୍ ହାତରେ ସେ ଧରା ପଡ଼ିଯାଏ, ତେବେ ଅନ୍ୟମାନଙ୍କ କଥା କିଛି କହିପାରିବ ନାହିଁ । ସନ୍ଧ୍ୟା ପରେ କାମ ଆରମ୍ଭ କରିବାକୁ ଅଛି । ଆଜି ତା’ର ପାର୍ସଲ ଆସିଲା, ଯାହାକୁ ଆଣିବାକୁ ତାକୁ ତଳକୁ ଯିବାକୁ ପଡ଼ିଲା ମୁହୂର୍ତ୍ତକ ପାଇଁ । ଆଉ ସେଇ ଗୋଟିଏ ମୁହୂର୍ତ୍ତ ତା’ ଭିତରକୁ ଠେଲି ପେଲି ନେଇଆସିଲା ଯେତେକ ସବୁ କୁୁଢ଼ କୁଢ଼ ଅନୁଭୂତି, ଯାହାକୁ ସେ ଆଜି ପର୍ଯ୍ୟନ୍ତ ନିହାତି ଅନାବଶ୍ୟକ ମନେ କରି ଆସୁଥିଲା !
ସିଢ଼ି ଉପରେ ସେମିତି ଠିଆ ରହିଥିଲା ସେ କାହିଁ କେତେ ସମୟ ପର୍ଯ୍ୟନ୍ତ, ଯାହା ନକରିବାକୁ ତାକୁ ବାରମ୍ବାର କୁହା ଯାଇଥିଲା । କାହାରି ଦୃଷ୍ଟିରେ ପଡ଼ିବା କଥା ନୁହେଁ । ନହେଲେ ସବୁ ଯୋଜନା ଫସର ଫାଟିଯିବ । ବିଭିନ୍ନ ସ୍ଥାନରେ ସିପାହୀ ତାଙ୍କର ତାରି ପରି ଏମିତି ଲୁଚିଛପି ଅନ୍ଧାର ଘରେ ବସି ରହିଛନ୍ତି । ଏ ପାର୍ସଲକୁ ଭାଗ ଭାଗ କରି ସେମାନଙ୍କ ପାଖରେ ପହଞ୍ଚେଇ ଦେଲା ପରେ ତା’ର ଦାୟିତ୍ୱ ସରିବ । ତା’ପରେ ସେମାନେ ବିଛେଇ ହେଇଯିବେ ପୂରା ସହର ଭିତରେ । ଜନଗହଳି ସ୍ଥାନମାନଙ୍କରେ ନେଇ ରଖିଦେବେ ଛୋଟ ଛୋଟ ଖେଳନା ବାକ୍ସ ଭିତରେ ରଖା ଯାଇଥିବା ବମ୍ ସବୁକୁ । ସମସ୍ତେ ଏ ସହରରେ ପୂରାପୂରି ଅପରିଚିତ । କାମ ସାରିଦେଇ ସିଧା ସିଧା ଏଠୁ ଫେରାର ହେଇଯିବେ ପୁଣି ଏକ ଅଜ୍ଞାତ ସ୍ଥାନକୁ । ଆଉ ତା’ପରେ ଏକା ସାଙ୍ଗରେ ସେଇ ବାକ୍ସ ଭିତରେ ଥିବା ବମ୍ଗୁଡ଼ିକ ନିଜ କରାମତି ଦେଖେଇବ ! ଆମ ଧର୍ମକୁ ଅବଜ୍ଞା କରୁଥିବା ଜାତି ସମୂଳେ ଧ୍ୱଂସ ପାଇଯିବ !
ହେଲେ ତା’ ପାଦ ତ ଉଠୁନି ଜମା । ଏବେ ବି ସେ ଗୁଣୁ ଗୁଣୁ ସ୍ୱରର ଗୁଞ୍ଜରଣ ତା’ କାନ ଭିତରେ ପଶି ମନଟାକୁ ଆଉ ଥରେ ସଜାଡ଼ି ନେବାକୁ ଅନୁନୟ କରୁଛି । ବାରମ୍ବାର କହୁଛି – ଫେରିଆ… ଫେରିଆ… ଫେରିଆ… !
ହେଲେ କେମିତି ଫେରିପାରିବ ଆଉ ସେ? ଏ ଭିତରେ ସେ ତ ସଙ୍ଗୀତକାର ରାଘବ ମିତ୍ର ହୋଇ ଆଉ ନାହିଁ ! ଏବେ ସେ ଯାହା, ସେ ପରିଚୟ ଧରି କେବଳ ଅନ୍ଧାରରେ ଲୁଚିକି ହିଁ ରହିବାକୁ ହୁଏ ! ମୁହଁକୁ ଲୁଚେଇ ବାଟ ଚାଲିବାକୁ ହୁଏ । ପୁଲିସ୍ର ନଜର… ସରକାରଙ୍କ ହତାଦର… ଜନ ସାଧାରଣଙ୍କର ଘୃଣାର ବୋଝ ଉଠେଇ ଉଠେଇ ଛାତି ଭିତରେ ଗରଳ ଜମା କରିବାକୁ ହୁଏ । କାହାକୁ ନେଇ ସ୍ୱପ୍ନ ଦେଖିବା… କବିତା ଲେଖିବା… ଭଲ ପାଇବା… ଏସବୁ ସେମାନଙ୍କ ଭାଗ୍ୟରେ ନଥାଏ !
ଓଃ… କୁଆଡ଼େ ହଜିଗଲା ସେ ସତରେ ! କାହିଁକି ନିଜ ହାତରେ କୁରାଢ଼ି ବସେଇ ଦେଲା ନିଜ ବେକରେ ! ପୁଣି କାନର ପରଦା ପାଖରେ ଗହଳ ଚହଳ… ଆବେଗରେ ଉତ୍ତାଳ ହୋଇଉଠିଲା ତା’ର ଅନ୍ତଃସ୍ଥଳ… ସାରା ମୁହଁରେ ବିଛେଇ ହେଇଗଲା ଇନ୍ଦ୍ରଧନୁର ସପ୍ତରଙ୍ଗ ! ଜୀବନ ପ୍ରତି ଜାଗି ଉଠିଲା ଅହେତୁକ ମମତା ! କ’ଣ ଥିଲା ସେ ସ୍ୱରରେ ସତରେ ! ଅଜଣା ଏ ମଧୁର ଅନୁଭବ କାହିଁକି ଛାତି ଭିତରକୁ ମନ୍ଥି ପକୋଉଛି ! କାହିଁକି ତା’ ଭିତରର ସବୁ ଉଦ୍ଗ୍ରୀବତା ଥଣ୍ଡା ପଡ଼ିଯାଉଛି ! କ’ଣ ଇଏ? କାହିଁକି ତାକୁ ବ୍ୟାକୁଳ କରି ପକୋଉଛି ସେ ସ୍ୱର ! କ’ଣ କହିଦେଉଛି ତା’ କାନେ କାନେ?
ହଠାତ୍ ତାକୁ ବହୁତ ଦୁର୍ବଳ ଲାଗିଲା । ଭୋ ଭୋ କରି କାନ୍ଦିବାକୁ ମନ ହେଲା । ଅନ୍ଧାରର ବୁକୁ ଫଟେଇ ନୀଳ ଆଖିର ମୋହିନୀ ମାୟା ତାକୁ ବାରମ୍ବାର ନିଜ ଆଡ଼କୁ ଆକର୍ଷିତ କରିଲା । ସେ ଅନୁଭବ କଲା ତା’ର ପତଳା ଓଠର ସ୍ପର୍ଶ ନିଜର ଓଠ ଉପରେ… ତା’ କ୍ଷୀଣ କଟି ଉପରେ ଗୁଡ଼େଇ ହୋଇଯାଉଛି ତା’ର ସୁଦୃଢ଼ ହାତ…
ଠଣ୍ କରି କିଛି ବାଜିଲା ତା’ ହାତରେ ! ଚମକି ପଡ଼ିଲା ଅନ୍ଧାର ଭିତରେ । ନା, ହାତ ପାଖରେ କାହାର କଟି ନୁହେଁ, ବରଂ ଅଛି ଅନେକ ଜୀବନ ନେଇ ଯିବାର ଯନ୍ତ୍ରପାତି ! ସବୁ ଯୋଗାଡ଼ ସରିଛି । ରାତି ପାହିଲେ ତାରି ହାତରେ ନଷ୍ଟ ହେଇଯିବ ଅନେକ ନିଷ୍ପାପ ଜୀବନ । ନଷ୍ଟ ହେଇଯିବ ନିଲୋଫର୍ର ସୁନ୍ଦର ଦୁନିଆର ସ୍ୱପ୍ନ ! ଉଭେଇ ଯିବେ ତା’ର ସେଇ କୁନି କୁନି ଅର୍ଦ୍ଧ ପ୍ରସ୍ଫୁଟିତ କଳିକାମାନେ ଜୀବନକୁ ଭଲ ପାଇବା ଶିଖୁ ଶିଖୁ ! ଆଉ ସେସବୁ ପାଇଁ କେବଳ ସେ ହିଁ ଦାୟୀ ରହିବ ! ନିଜ କଠୋର ହାତରେ ସମସ୍ତଙ୍କୁ ଧ୍ୱଂସ କରିଦେବ । ସେ ଶପଥ ନେଇଛି… ଧର୍ମ ପାଇଁ ଜୀବନକୁ ବାଜି ଲଗେଇ ସାରିଛି ! ଆଉ ପଛଘୁଞ୍ଚା ନାହିଁ… !
କିନ୍ତୁ ଏତେ ସବୁ ପରେ ତା’ ନିଜ ଜୀବନର ଇନ୍ଦ୍ରଧନୁରେ ସ୍ୱପ୍ନ ଆଉ ସବୁଜିମାର ରଙ୍ଗ ଭରିବାର ବ୍ୟାକୁଳତା ତା’ ଭିତରେ କାହିଁକି ସୃଷ୍ଟି ହେଇ ଯାଉଛି ! ଏ କି ବିଡ଼ମ୍ବନା ସତରେ ! ମୃତ୍ୟୁର ସୌଦାଗର ସାଜି ଜୀବନକୁ କେମିତି ଭଲ ପାଇ ବସୁଛି ସେ !
ନା, ନା, ଏହା ଠିକ୍ କଥା ନୁହେଁ । ତା’ ଉପରେ ଅନେକ ଦାୟିତ୍ୱ । ଅନେକ ଭରସା । ସେସବୁ ତୁଲେଇବା ପାଇଁ ନିଜ ମନକୁ କେବେଠାରୁ ସେ ନିର୍ବିକାର କରିଦେଇଛି । ସବୁ ଅନୁଭବ ପାଖରୁ ଦୂରେଇ ରହିଛି । ଧର୍ମଯୁଦ୍ଧରେ ମାୟା ମୋହ, ନିଜ ପର ସବୁ ପଛକୁ ରୁହନ୍ତି । ସେ ବି ସବୁ ଆଡ଼କୁ ଆଖିବୁଜି କର୍ତ୍ତବ୍ୟ ପଥରେ ଆଗେଇ ଚାଲିବା କଥା ।
ହେଲେ… ! ଯେତେ ଚେଷ୍ଟା କରିବା କଥା କରିକି ବି ସେ ଅସଫଳ ହେଇ ଯାଉଛି ଆଜି । ସହି ପାରୁନି ନିଃସଙ୍ଗତାର ଏ ତୀବ୍ର ଜ୍ୱାଳାକୁ ! ମନ ଆଉ ହୃଦୟ ଭିତରେ ସଂଗ୍ରାମ ଚାଲିଛି । କିଏ ଜିତିବ ଆଉ କିଏ ପରାଜୟ ସ୍ୱୀକାର କରି ତାକୁ ନିଜ ବାଟରେ ଛାଡ଼ିଦେବ ! ଜୀବନ ନା ମୃତ୍ୟୁ !
ଆଖି ବୁଜିଦେଲା ସେ । ବନ୍ଦ ଆଖିରେ ପରଦା ଉପରେ ପୁଣି ଥରେ ନାଚି ଉଠିଲା ସେହି କୋମଳ ସ୍ନିଗ୍ଧ ଚେହେରା ଆଉ ବୀଣା ଜିଣା କଣ୍ଠର –
“ଆମାର ଜୀବନ୍ ତୋମାର୍ ଜନେ ଏକ୍ଟା
ଫୁଲେର୍ ରାସ୍ତା ହବେ
ଅନ୍ଧାର ଆକାଶେ ଏକ୍ଟି ତାରା ହୟେ
ସବାଇ ପଥ ଆଲୋକିତ୍ କର୍ବେ…
ଓଃ… କାନ ବନ୍ଦ କରିଦେଲା ସେ ! ଏସବୁ ସେ କିଛି ଶୁଣିପାରିବ ନାହିଁ । ତାକୁ ଯିବାକୁ ହେବ… ଯୁଦ୍ଧର ଆରମ୍ଭ କରିବାକୁ ହେବ… ହଁ… ହଁ… ସେ ଯିବ ! ତାକୁ କେହି ରୋକି ପାରିବେ ନାହିଁ !
ପାହାନ୍ତିଆର ସୂଚନା ଅନ୍ଧାର ଘର ଭିତରକୁ ପଶି ଆସୁଥିଲା ପକ୍ଷୀମାନଙ୍କର କାକଳି ମାଧ୍ୟମରେ । ଆଖି ଖୋଲିଲା ରାଘବ । ଆଜିର ଏଇ ଦିନଟି ପାଇଁ ଦୀର୍ଘ ବର୍ଷର ପ୍ରସ୍ତୁତି ତା’ର ଏବଂ ତା’ରି ଧର୍ମାବଲମ୍ବୀମାନଙ୍କର । ଉତ୍କଣ୍ଠାରେ ଚାହିଁ ବସିଥିବେ ସେହି ବହୁ ପ୍ରତୀକ୍ଷିତ ସମ୍ବାଦଟିକୁ ଶୁଣିବାକୁ । ଏଥରର ସଫଳତା ଉପରେ ନିର୍ଭର କରୁଛି ଆଗାମୀ ଦିନର ଯୋଜନା ସବୁକୁ ରୂପ ଦେବାର ପ୍ରକ୍ରିୟା ।
ସେ ଉଠିଲା । ହାତମୁହଁ ଧୋଇ ନିଜର ସଜାଡ଼ି ରଖିଥିବା ବ୍ୟାଗ୍କୁ ଆଉ ଥରେ ଭଲ କରି ପରଖି ନେଲା । ସବୁକିଛି ଠିକ୍ଠାକ୍ ଅଛି । ଛୋଟିଆ ଟର୍ଚ୍ଚଟିକୁ ମାରି ଦର୍ପଣରେ ନିଜ ରୂପ ଦେଖିଲା । ମଙ୍କି କ୍ୟାପ୍ରେ ମୁହଁକୁ ଭଲକରି ଢାଙ୍କିଲା ପରେ ଘର ଛାଡ଼ିବାକୁ ବାରମ୍ବାର କୁହାଯାଇଥିଲା ସମସ୍ତଙ୍କୁ । ଦର୍ପଣରେ ସେ ଦେଖୁଥିଲା ନିଜକୁ, କୋଉଠି କିଛି ଛାଡ଼ି ଯାଉନି ତ ସେ !
ମାତ୍ର ଏ କ’ଣ ! ଦର୍ପଣରେ ତା’ ନିଜ ମୁହଁ ବଦଳରେ ଏ କାହାର ପ୍ରତିଛବି ! ଚମକି ପଡ଼ିଲା ସେ । ହସ ହସ ମୁହଁରେ ନିଲୋଫର୍ ତା’ ଆଡ଼କୁ ଚାହିଁ ରହିଛି । ହାତରେ ତା’ର ତାଜା ଲାଲ୍ ରକ୍ତ ଗୋଲାପ ଆଉ ମୁହଁରେ ସେହି ମଧୁର ହସ ସହ “ଇଦ୍ ମୁବାରକ୍”ର ସମ୍ବାଦ ।
ଦାଉଁ ଦାଉଁ କରିଉଠିଲା ଛାତି ଭିତରଟା ! ହାତ ପାଦ ନିର୍ଜୀବ ହେଇଗଲା । କାନ୍ଧରୁ ଖସି ପଡ଼ିଲା ମୃତ୍ୟୁର ସରଞ୍ଜାମରେ ଭରା ସେହି ଓଜନିଆ ବ୍ୟାଗ୍ । ବୁଜି ହେଇଆସିଲା ଆଖି ଆପେ ଆପେ ।
“ଏତେ ବଡ଼ ଭୁଲ୍ କେମିତି କରିଦେଲ ତୁମେ ରାଘବ ! ତମରି ଲାଗି ଏତେ ବଡ଼ ଯୋଜନା ପଣ୍ଡ ହେଇଗଲା । କାହିଁକି ଏମିତି କଲ ତୁମେ… କାହିଁକି? ତମର ଏ ଭୁଲ୍ ପାଇଁ ତମକୁ କ୍ଷମା କରାଯାଇ ପାରିବ ନାହିଁ । ତମେ ସେ ବିଧର୍ମୀଙ୍କ ସହିତ ନିଶ୍ଚୟ ମିଶିଯାଇଛ… କୁହ, କେତେ ଟଙ୍କାରେ ବିକ୍ରି ହୋଇଗଲ ତୁମେ ! କୁହ… କାହିଁକି ନିରବ ରହିଛ ! ତମର ଏ ଭୁଲ୍ ପାଇଁ ତମକୁ ମୃତ୍ୟୁ ଦଣ୍ଡ ଛଡ଼ା ଆଉ କ’ଣ ବା ଦିଆଯାଇ ହେବ…”
ଚିତ୍କାର କରୁଥିଲେ ଭଗିନୀ ପ୍ରିୟମ୍ବଦା । କ୍ରୋଧରେ ଆକାଶ ପାତାଳ ଏକାଠି କରି ପକୋଉଥିଲେ । ହେଲେ କିଛି ବି ଶୁଭୁନଥିଲା ରାଘବର କାନକୁ । ଅନ୍ଧାର ଘରଟା ଭିତରେ ସେ ସେମିତି ନିରବରେ ମୁଣ୍ଡ ତଳକୁ କରି ଠିଆ ହେଇଥିଲା । ତା’ ଆଗରେ ଧର୍ମଯୁଦ୍ଧର ମହାରଥୀମାନେ । ହାତରେ ବନ୍ଧୁକ… ମୁହଁରେ ଅଶ୍ରାବ୍ୟ ଗାଳି… ତଥାପି ତା’ ଆଖିକୁ ଦିଶୁଥିଲା ରକ୍ତ ଗୋଲାପରେ ଭରା ଟ୍ରେ ଆଉ ତା’ ପଛର ହସ ହସ ମୁହଁ ଆଉ କିଛି ଜୋଡ଼ା ନିଷ୍ପାପ ହୃଦୟ । ସେଇ ଲକ୍ଷ୍ମଣ ରେଖାକୁ ଶେଷ ମୁହୂର୍ତ୍ତରେ ସେ ଟପି ପାରିଲାନି ବୋଲି ତା’ର ବିଚାର ଚାଲିଛି ଧର୍ମ କୋର୍ଟରେ । ସେଥିପ୍ରତି ତା’ ମନରେ ଟିକିଏ ବି ବିଚଳିତ ଭାବ ନାହିଁ । ବରଂ ଗୋଟିଏ ସୁନ୍ଦର ସ୍ୱପ୍ନକୁ ବୃନ୍ତଚ୍ୟୁତ ହେବାରୁ ରକ୍ଷା କରି ପାରିଥିବାର ସନ୍ତୁଷ୍ଟି ଭିତରେ ସେ ଝୁଲି ରହିଛି ।
ତା’ ଆଗରେ ଅଭିଯୋଗର ଫର୍ଦ୍ଦ ପଢ଼ା ଯାଉଛି, ଗାଳି ଗୁଲଜ ହେଉଛି, ଉତ୍ତର ମଗା ହେଉଛି ! ସେ କିନ୍ତୁ ପଥର ପାଲଟି ଯାଇ ଜାବୁଡ଼ି ଧରିଛି ଅତୀତ ଆଉ ଭବିଷ୍ୟତକୁ, ବର୍ତ୍ତମାନ ପ୍ରତି ତା’ର ଟିକିଏ ବି ମମତା ନାହିଁ । ତାହା ତ ସେଇ ଦିନଠାରୁ ଝୁଲୁଛି ଏକ ଅବାନ୍ତର ନିସ୍ୱତା ଭିତରେ… ନିଲୋଫର୍ର ଗୁଣୁ ଗୁଣୁ ସ୍ୱରରେ ! ଏତେ ପାଟିତୁଣ୍ଡ ଗାଳି ଗୁଲଜ ଭିତରେ ବି ରହି ରହି କାନରେ ପ୍ରତିଧ୍ୱନିତ ହେଉଛି ସେଇ ସୁନ୍ଦର କବିତାର ଦୁଇ ଧାଡ଼ି । ଆଉ ତା’ପରେ ତା’ ଓଠରେ ଖେଳି ଯାଉଛି ସମସ୍ତଙ୍କୁ ଭଲପାଇ ବସିବାର ସେଇ ଗୋଟିଏ ଉପାଦାନ – ଆଶା !
ଗାଲରେ ତା’ର ଠୋ କରି ଆସି ବସିଗଲା ଗୋଟାଏ ବ୍ରହ୍ମ ଚାପୁଡ଼ା । ଚମକି ପଡ଼ିଲା ସେ । ଭଗିନୀ ପ୍ରିୟମ୍ବଦାଙ୍କର ଲାଲ୍ ଲାଲ୍ ଆଖି ରକ୍ତ ଗୋଲାପର ସ୍ଥାନରେ । ତାଙ୍କ ବାଁ ପଟରେ ଠିଆ ହେଇଥିବା ଲୋକଟି ହାତରେ ଗୁଳି ଭର୍ତ୍ତି ବନ୍ଧୁକ । ଦାନ୍ତି ଚିପି ଚିପି ସେ କହୁଥିଲେ, “ତୁ କ’ଣ ଭାବୁଛୁ, ଏ ଯୁଦ୍ଧ ଏଇଠି ଶେଷ ହେଇଗଲା ! ତୁ ଦିଗହରା ହେଇଗଲୁ ବୋଲି ଆମ ଉଦ୍ଦେଶ୍ୟ ବି ପଥହରା ହେଇଯିବ ! ନା, ମୋଟେ ନୁହେଁ… ଏ ଯୁଦ୍ଧ ହେବ… ନିଶ୍ଚୟ ହେବ… ହେଲେ ତୁ ନଥିବୁ… ତୋର ସେ ମାୟାବିନୀ ନୀଳନୟନା ବି ନଥିବ…
ତୁ ଭାବିଛୁ, ଆମକୁ କିଛି ଜଣା ନାହିଁ – ନୁହେଁ? ହେଲେ ଏତିକି ମନେ ରଖିଥା, ଏଇଟା ଧର୍ମଯୁଦ୍ଧ, ଏଠି ସବୁକିଛି ପାରଦର୍ଶୀ । ତୋ’ ଆଖିରୁ ମୁଁ ପଢ଼ି ପାରୁଛି ଜୀବନକୁ ଭଲ ପାଇବାର କୁହୂକ ନିଶାରେ ତୁ ଗ୍ରସ୍ତ… ତୁ ପାପ କରିଛୁ, ତେଣୁ ତୁ ଆମର କୌଣସି କାମକୁ ନୁହେଁ । ତୁ ଭୁଲ୍ କରିଛୁ । ଆମର ଏ ଧର୍ମଯୁଦ୍ଧରେ ଭଲ ପାଇବାର ସ୍ଥାନ ନାହିଁ… ଏଠି କେହି ନିଜର ନୁହେଁ… କେହି ଆପଣାର ନୁହେଁ… ସମସ୍ତେ ଆମେ ନାରାୟଣଙ୍କ ଦ୍ୱାରା ପରିଚାଳିତ । ସମସ୍ତେ ତାଙ୍କ ନିର୍ଦ୍ଦେଶକୁ ମାନିବାକୁ ବାଧ୍ୟ । ଆଉ ତୁ କେମିତି ସେଥିରୁ ବାହାରି ଯାଇପାରିବୁ? ଏଠି ରହି ଆଜି ପର୍ଯ୍ୟନ୍ତ କେହି ବି ଜୀବନର ସ୍ୱପ୍ନ ଦେଖିବାର ଅଧିକାର ପାଇନାହିଁ । ତୁ ସେ ସ୍ୱପ୍ନ ଦେଖିଛୁ ମାନେ ତତେ ଆଗ ମରିବାକୁ ହେବ ! ତୋର ସେହି ନୀଳନୟନାର ମାୟା ପାଇଁ, ତୋ’ ପାପର ଶୁଦ୍ଧି ପାଇଁ ଆମେ ବାଧ୍ୟ ହେବୁ ତା’ର ମୃତ୍ୟୁ ପାଇଁ… ତା’ପରେ ଯାଇ ଏ ଯୁଦ୍ଧ ନିଜର ଉଦ୍ଦେଶ୍ୟକୁ ହାସଲ କରିପାରିବ…”
ସେମାନଙ୍କ ମୁହଁରେ ଜୀବନ ଆଉ ମୃତ୍ୟୁର ମାୟାବୀ ହସ । ସେ ହସର ଢେ଼ଉରେ ତା’ର ସବୁ ପାପ ପୂଣ୍ୟରେ ବଦଳି ଯାଉଛି । ସବୁ ନିରାଶା ଆଶା ଅଭିମୂଖୀ ହେଇଯାଉଛି । ଧର୍ମ ନାଁରେ ଚାଲିଥିବା ଖେଳ ତାକୁ ମିଛ, ଅବାସ୍ତବ ଆଉ ଅଗ୍ରହଣୀୟ ଲାଗୁଛି । ଜୀବନ ହିଁ ବଡ଼… ମଣିଷ ହିଁ ବଡ଼… ମାନବିକତା ବଡ଼… ତା’ କାନ ପାଖରେ ବାରମ୍ବାର ଗୁଞ୍ଜରି ଉଠୁଛି ।
ଧଡ଼୍ କରି ସେ ଭିଡ଼ିଆଣିଲା ବନ୍ଧୁକଟା ସେଇ ଲୋକଟା ହାତରୁ । ଧାଏଁ… ଧାଏଁ… ଧାଏଁ… ଏକାଥରେ ସବୁ ଯୁଦ୍ଧକୁ ସେଇଠି ଶେଷ କରିଦେଲା ସେ । ସମସ୍ତଙ୍କ ଛାତିରୁ ଲାଲ୍ ରକ୍ତର ଧାର ଛୁଟିଆସି ତା’ର ସର୍ବାଙ୍ଗକୁ ଲାଲ୍ କରିଦେଲା । ମୁହଁରେ ତା’ର ହସ ଖେଳିଗଲା । ବିଜୟର ହସ ! ସେ ଆଜି ଜିତିଗଲା… ସତରେ ଜିତିଗଲା ! ଧର୍ମଯୁଦ୍ଧରେ ଅଂଶଗ୍ରହଣ କରି ନୁହେଁ… ଧର୍ମକୁ ପଛକୁ ପେଲି ଦେଇ… ତା’ର ସମସ୍ତ ସିପାହୀଙ୍କୁ ନିପାତ କରିଦେଇ… ନିଲୋଫର୍କୁ ଶାନ୍ତିରେ ବଞ୍ଚେବାକୁ ଦେଇ… ପିଲାମାନଙ୍କ ମୁହଁରେ ବିଶ୍ୱାସର ହସ ଭରିଦେଇ, ସେ ଆଜି ବାସ୍ତବରେ ଜିତିଗଲା !
– କମଳା ଶତପଥୀ
Comments
କମଳା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା, ନାଟକ ଆଦି ରଚନା କରନ୍ତି । ତାଙ୍କର କିଛି ଗଳ୍ପ-ସଂକଳନ, ଉପନ୍ୟାସ, କବିତା-ସଂକଳନ, ଅନୁବାଦ ପୁସ୍ତକ ଓ ଭ୍ରମଣ କାହାଣୀ ଆଦି ପ୍ରକାଶିତ ହୋଇଛି । ୨୦୨୨ ମସିହାରେ ତାଙ୍କୁ ଅନୁବାଦ ସାହିତ୍ୟରେ କେନ୍ଦ୍ର ସାହିତ୍ୟ ଏକାଦେମୀ ପୁରସ୍କାର ମିଳିଥିଲା । ସଇଦ ସଲିମ୍ଙ୍କ ରଚିତ ତେଲୁଗୁ ଉପନ୍ୟାସ ଭେଣ୍ଡି ମେଘମ୍ର ଓଡ଼ିଆ ଅନୁବାଦ ସୁନେଲି ବାଦଲ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।