ଏଇ ବରଷ ଦେବସ୍ନାନ ପୂର୍ଣ୍ଣିମା ଦିନ ଆମ ଗାଁ ଗୋସେଇଁ ବହାରିଥାନ୍ତି ତିନି-ଚାରି କୋଷରେ ହେଉଥିବା ଦେବସ୍ନାନ ପର୍ବ ଦେଖିବାକୁ । କୋରନା କଟକଣା ଯୋଗୁଁ ପୁରୀ ଯାଇପାରିଲେ ନାହିଁ । ଯୋଗକୁ ବର୍ଷାଟା ବି ହେଉନାହିଁ । ଦୁଇଦିନ ତଳେ ଭୁବନେଶ୍ୱର ଭାସୁଥିଲା, ଆଜି ଖରା ଟାଣ ! ଗୋସେଇଁଙ୍କ ଉପବାସକୁ ଛତା ଜୋତା ଓ ସୂକ୍ଷ୍ମ ପୋଷାକ ପରିଧାନ ଶରୀରଟି ଟିକେ ମଳିନ ପଡ଼ିଯାଇଥାଏ । ଗାଁ’ର କିଛି ଲୋକ ଗୋସେଇଁଙ୍କୁ ଥଟ୍ଟା ତାମସା କରୁଥିଲେ, କିନ୍ତୁ ସେ ଥିଲେ ପ୍ରଭୁଙ୍କ ଭକ୍ତିରେ ନିଶ୍ଚଳ । ସର୍ବଦା ବେକରେ ତୁଳସୀ କାଠି ମାଳକୁ ଶ୍ରୀମନ୍ଦିରର ପଦକ, କମଣ୍ଡଳୁରେ ଚକାଆଖି ଖୋଦିତ ଚିତ୍ର, କପଡ଼ା ଝୋଲିରେ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ । ସର୍ବଦା ଶ୍ରୀଜଗନ୍ନାଥଙ୍କ ନାମ ମୁଖସ୍ଥ ।
ଦୁଇକୋଷ ଚାଲି ଚାଲି ପାରି ହେବା ଭିତରେ ଏକ ବସ୍ତି ପାଖ ବଟବୃକ୍ଷ ମୂଳେ ଗୋସେଇଁ ଟଳି ପଡ଼ିଲେ । ପାଖରେ କେହି ନ ଥିଲେ । ଭୟ ଓ କ୍ଲାନ୍ତିରେ ଜଗନ୍ନାଥଙ୍କୁ ସ୍ମରଣ କରୁଥାନ୍ତି କେବଳ । ସେତେବେଳେ ସେ ବସ୍ତି ଅଭିମୁଖେ ଯାଉଥିବା ଛୋଟ ପିଲାଟିଏ ଗୋସେଇଁଙ୍କ ଅବସ୍ଥା ଦେଖି ସାଥିରେ ନେଉଥିବା ଥଣ୍ଡା ଜଳ ଗୋସେଇଁଙ୍କୁ ପିଆଇଲା ଆଉ କିଛି ତାଙ୍କ ମୁଣ୍ଡରେ ଢାଳିଦେଲା । ସେଇ ସମୟରେ ଆମ ଗାଁରୁ ଚାରି ପାଞ୍ଚ ଜଣ ପହଞ୍ଚିଲେ । ସେମାନେ ବି କାଳିଆ ଠାକୁର ଦର୍ଶନ ଅଭିମୁଖେ ଯାତ୍ରା କରୁଥିଲେ । ଗୋସେଇଁ ଉଠିଲା ବେଳକୁ ପିଲାଟି ଯାଇ ସାରିଥିଲା । ସମସ୍ତେ ହତବାକ ହୋଇ ଗୋସେଇଁଙ୍କୁ ଚାହିଁ ରହିଥାନ୍ତି । ଅପୂର୍ବ ମହକରେ ସେ ଖଣ୍ଡକ ସମ୍ମୋହିତ ଲାଗୁଥାଏ ।
ଏମାନଙ୍କ ପ୍ରଶ୍ନିଳ ଚେହେରାର ଉତ୍ତରରେ ଗୋସେଇଁ କହିଲେ, “ମୋତେ ତ ଏଇଠି ପ୍ରଭୁ ଜଗନ୍ନାଥ ଦର୍ଶନ ଦେଇଦେଲେ, ଆହାଃ କି ମୋହିନୀ ରୂପ ଓ ଚନ୍ଦନ ବାସ୍ନା ! ଅମୃତ ପାନର ସତେଜତା ସତେ ! ଶୀତଳ ଜଳକୁ ତୁଳସୀର ବାସ୍ନା, ସତେଅବା ଶ୍ରୀଅଙ୍ଗରୁ କିଛି ଝରିଆସି ଏ ଅଧମକୁ ଭିଜେଇଦେଲା ।” ଏତକ କହିଲା ବେଳେ ଗୋସେଇଁଙ୍କ ଲୋତକପୂର୍ଣ ଚକ୍ଷୁ ଦୁଇ ମୁଦି ହୋଇଯାଉଥାଏ ।
– ହିମାଂଶୁ ଭୂଷଣ ସାହୁ
Comments
ହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।