ଶୀତ ରାତିର ଘାସ ଉପରେ ପହଡ଼ିଥିବା ଶିଶିର ବିନ୍ଦୁ ସମକ୍ଷ କିଛି କ୍ଷଣ ମଧ୍ୟରେ ନିଜର ସତ୍ତା ହରେଇବାର ଭୟ ଲିପୁନକୁ ଆହୁରି ବିଚଳିତ କରି ପକାଉଥାଏ । କେତେବେଳେ ହସ୍ପିଟାଲ ବେଡ୍ ତ କେତେବେଳେ ଝରକା ଆଡ଼େ ନିରନ୍ତର ଭାବେ ଚାହିଁ ଆଖିରୁ ଲୋତକ ଧାର ବୁହେଇ ଚାଲିଥାଏ । କେତେ କ’ଣ ସେ ଭାବି ନଥିଲା ମାନସୀକୁ ନେଇ ସଂସାର ଗଢ଼ିବାକୁ ହେଲେ ଦଇବ ବଇରୀ ସାଜି ଛଡ଼େଇ ନେଇଗଲା ତା’ ଓଠର ହସ ଓ ଜୀବନରୁ ଖୁସି । ତେବେ ଇଏ କ’ଣ ସେଦିନ ରାତିରେ ତା’ ଦ୍ୱାରା ଅଜାଣତରେ ହୋଇଥିବା ଭୁଲର ପରିଣାମ । ସତେ କ’ଣ ଭଗବାନ ତା’ ଭୁଲ ପାଇଁ ନିର୍ଦ୍ଦୟ ହୋଇ ତାକୁ ଏତେ ବଡ଼ ଦଣ୍ଡ ଦେଇଛନ୍ତି?
ଆଜି ବି ମନେ ଅଛି ତା’ର, କଲେଜର ପ୍ରଥମ ଦେଖାରୁ ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ । ଧୀରେ ଧୀରେ ଭଲ ପାଇବା ନେଇଥିଲା ସମ୍ପର୍କର ନାଁ । କିଛି ବର୍ଷ ପରେ ଘର ଲୋକଙ୍କ ସହମତିରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇ ଯାଇଥିଲେ । ମାନସୀକୁ ସାଥି ରୂପେ ପାଇ ଜୀବନରୁ ଦୁଃଖ ନାମକ ଶବ୍ଦଟି କୁଆଡ଼େ ହଜି ଯାଇଥିଲା ଲିପୁନର । ବିବାହ ପରର ସମୟ ବହୁତ ଭଲ ଭାବରେ ଅତିବାହିତ ହେଉଥାଏ । ଘର ଲୋକଙ୍କ ସମ୍ମତିରେ ଦୁହେଁ ବାହାରି ପଡ଼ିଲେ ହନିମୁନ୍ ପାଇଁ ସୁଦୂର ମନାଲି । ଭୁବନେଶ୍ୱରରୁ ଫ୍ଲାଇଟରେ ଦିଲ୍ଲୀ ଓ ଦିଲ୍ଲୀରୁ ଟ୍ୟାକ୍ସି ନେଇ ଉଭୟ ବାହାରି ପଡ଼ିଲେ ମନାଲି । ଚଣ୍ଡିଗଡ଼ରୁ କିଛି ସମୟ ପରେ ଘାଟି ରାସ୍ତା ଆରମ୍ଭ । ଘାଟି ହେଲେ ବି ଦୁଇ ପାର୍ଶ୍ୱର ପ୍ରାକୃତିକ ମନୋରମ ଦୃଶ୍ୟ ତା’ ସହିତ ମାନସୀର ସାନିଧ୍ୟ ଲିପୁନ ଦେହରେ ଶିହରଣ ଭରି ଦେଉଥାଏ । ଉଭୟେ ଉଭୟଙ୍କ ଆଖିରେ ଆଖି ମିଶେଇ ଯାତ୍ରାକୁ ଆହୁରି ରୋମାଞ୍ଚକର କରିଦେଉଥିଲେ । ରାତ୍ରି ଢାବାରେ ଡିନର୍ ସାରି ଟ୍ୟାକ୍ସି ପୁଣି ଆଗକୁ ମାଡ଼ି ଚାଲିଲା । ବାହାଘର ପରେ ପ୍ରଥମଥର ବାହାରକୁ ଆସିଥିଲେ ଉଭୟ । ଶୂନଶାନ ଅନ୍ଧାର ନିଛାଟିଆ ରାସ୍ତାରେ ମଝିରେ ମଝିରେ କାଁ ଭାଁ ଗାଡ଼ି ଯାଉଥାଏ । ଶୀତ ରାତି ଥଣ୍ଡା ପାଇଁ ଲିପୁନର ଆଖି ମାଡ଼ି ଦେଉଥାଏ କିନ୍ତୁ ମାନସୀ ଆଦୌ ନଶୋଇ କାଳେ ଶୋଇଲେ ଡ୍ରାଇଭର ବି ଶୋଇପଡ଼ିବ ବୋଲି ତାଗିଦ କରି ଲିପୁନକୁ ଚେଇଁ ରହିବାକୁ ଅନୁରୋଧ କରୁଥାଏ ।
ନବବିବାହିତା ପତ୍ନୀର ଅନୁରୋଧକୁ ଆଡ଼େଇ ନ ପାରି ଇଆଡ଼େ ସିଆଡ଼େ ଅନେଇ ନିଦ ଭାଙ୍ଗିବାକୁ ଚେଷ୍ଟା କରେ ଲିପୁନ ହେଲେ ଅମାନିଆ ଆଖିପତା ଦୁଇଟି ଅଜାଣତରେ ପୁଣି ବନ୍ଦ ହୋଇ ଯାଉଥାଏ । ହଠାତ୍ ଡ୍ରାଇଭର ଏତେ ଜୋର୍ରେ ବ୍ରେକ୍ ଲଗେଇଲା କି ଲିପୁନ ମୁଣ୍ଡ ଜୋରରେ ଆଗ ଡ୍ୟାସବୋର୍ଡ଼ରେ ବାଡ଼େଇ ହୋଇ ନିଦ ଭାଙ୍ଗିଗଲା । ବିରକ୍ତ ହୋଇ ଡ୍ରାଇଭରକୁ ଅନେଇବାରୁ ବିଚରା ଡରରେ କହିଲା କିଏ ଜଣେ ବୋଧେ ଗାଡ଼ି ସାମ୍ନାରେ ଆସି ଯାଇଛି । କାରରୁ ବାହାରି କ’ଣ ହୋଇଛି ଦେଖିବ ବୋଲି ବାହାରିବାରୁ ଡ୍ରାଇଭର ମନା କରି କହିଲା ଆଜ୍ଞା ଗାଡ଼ି ଆଗରେ ଅନ୍ଧାରରେ କେହି ବୋଧେ ଚାଲି ଆସିଛି । ସେ ନିଶ୍ଚୟ ଏଠିକାର ବାସିନ୍ଦା ହୋଇଥିବ ଏତେ ଜୋରରେ ଧକ୍କା ହୋଇଛି ଲାଗୁନି ଲୋକଟି ବଞ୍ଚିଥିବ । ସେ କାର୍ ଲାଇଟ୍ରେ ଦେଖିଛି ଲୋକଟି ଛିଟିକି ବହୁତ ଦୂରରେ ପଡ଼ିଲା । ଏବେ କାରରୁ ଓହ୍ଲେଇଲେ ସେଠିକାର ବାସିନ୍ଦା ଆସି ପୋଲିସ୍ରେ କେସ୍ ଦେଇଦେବେ । ଯେହେତୁ ସେମାନେ ତିନ ଜଣ ବାହାରଲୋକ କଚେରୀ ମୋକଦ୍ଦମାରେ ଥରେ ଫସିଗଲେ ସହଜରୁ ବାହାରିବା ଅସମ୍ଭବ । ଲିପୁନ ମାନସୀ କ’ଣ କରିବେ କିଛି ଭାବି ପାରୁନଥିଲେ; ସେ ଅଚିହ୍ନା ଅଜଣା ଜାଗାରେ ଡ୍ରାଇଭର କଥା ସେମାନଙ୍କୁ ଠିକ୍ ଲାଗିଲା । ଅନିଚ୍ଛା ସତ୍ତ୍ୱେ ଭାରି ମନରେ ସେ ଲୋକଟିକୁ ଅନ୍ଧାରିଆ ରାସ୍ତାରେ ଏକା ଛାଡ଼ି ନିଜ ଗନ୍ତବ୍ୟ ସ୍ଥଳକୁ ବାହାରି ପଡ଼ିଲେ । ମନାଲି ପହଞ୍ଚିବା ପର୍ଯ୍ୟନ୍ତ ଦୁହେଁ ଚୁପ୍ଚାପ୍ ଗାଡ଼ି ଭିତରେ ବସିଥିଲେ । ଲୋକଟିକୁ ଏକୁଟିଆ ଶୂନଶାନ ରାସ୍ତାରେ ଛାଡ଼ି ଦେଇ ଆସିବାର ଗ୍ଲାନି ଭିତରୁ ଉଭୟଙ୍କୁ ଦୁର୍ବଳ କରି ପକାଉଥାଏ ।
ଆଖିରୁ ନିଦ ଯେମିତି ହଜି ଯାଇଥିଲା ସେମାନଙ୍କର । ଉଭୟେ ହୋଟେଲରେ ପହଞ୍ଚି ମଧ୍ୟ ସ୍ତବ୍ଧପ୍ରାୟ ହୋଇ ଯାଇଥିଲେ । କେତେବେଳେ ସକାଳୁ ଦ୍ୱିପ୍ରହର ହେଲା ଜଣା ପଡ଼ିଲାନି । ନୀରବତା ଭାଙ୍ଗି ଲିପୁନ ମନପରିବର୍ତ୍ତନ ପାଇଁ ମାନସୀକୁ ବାହାରକୁ ବୁଲି ଯିବାପାଇଁ ଅନୁରୋଧ କଲା । ଯେମିତି ସେମିତି ମନକୁ ବୁଝାଇ ନିତ୍ୟକର୍ମ ସାରି ବାହାରକୁ ଗଲାବେଳେ ଲବିରେ ଲାଗିଥିବା ଟିଭିରେ ଦେଖାଉଥିଲା କାଲି ରାତି ଘଟଣା । ଜଣେ ମହିଳା ତାଙ୍କ ସ୍ୱାମୀର ମୃତଦେହ ପାଖରେ ବାରମ୍ବାର କାନ୍ଦି ବେହୋସ୍ ହେଉଥାନ୍ତି; ପାଖରେ ବସିଥିବା ଦୁଇତିନି ବର୍ଷର କୁନି ପୁଅଟି ମା’ ଆଖିରୁ ଲୁହ ପୋଛି ପକାଉଥାଏ । ତା’ ହେଲେ କାଲି ରାତିରେ ଉକ୍ତ ବ୍ୟକ୍ତିଟି କାମ ସାରି ଘରକୁ ଫେରିବାବେଳେ ତାଙ୍କ କାରରେ ଧକ୍କା ହୋଇ ମୃତ୍ୟୁବରଣ କରିଛି । ପୋଲିସ ସେ ଗାଡ଼ିକୁ ଖୋଜୁଛି । ଲିପୁନ ଓ ମାନସୀର ଗୋଡ଼ ତଳୁ ଭୂଇଁ ଖସି ଗଲା ପରି ଲାଗିଲା । ଭୟ ଓ ଚିନ୍ତାରେ ଦୁହେଁ ବୁଲିବା ପ୍ଲାନ୍ ବନ୍ଦ କରି ଟ୍ୟାକ୍ସି ଧରି ଦିଲ୍ଲୀ ଓ ଦିଲ୍ଲୀରୁ ଓଡ଼ିଶା ଫେରି ଆସିଲେ । ହେଲେ ତାଙ୍କ ପାଇଁ ଜଣଙ୍କ ଜୀବନ ପଳେଇବା କଥାଟି ମନରୁ ପାଶୋରି ପାରୁ ନ ଥାନ୍ତି । ମାନସୀ ସବୁବେଳେ ଉଦାସ ଓ ଚିନ୍ତାମଗ୍ନ ରହିଲା । ମାନସିକ ଚାପରେ ଖାଇବା ପିଇବା କମ କରିଦେଲା । ଦୁର୍ବଳତା ପାଇଁ ମୁଣ୍ଡ ବୁଲେଇ ତଳେ ଖସି ପଡ଼ିବାରୁ ମୁଣ୍ଡ ପଛ କାନ୍ଥରେ ମାଡ଼ ହୋଇ ବେହୋସ ହୋଇଗଲା । ହସ୍ପିଟାଲରେ ଡାକ୍ତର ତା’ର ବଞ୍ଚିବାର ଆଶା କ୍ଷୀଣ ବୋଲି ଜଣାଇଦେଲେ ।
ଆଜି ତା’ର ମନର ମଣିଷଟିକୁ ଆସନ୍ନ ମୃତ୍ୟୁର ଶଯ୍ୟାରେ ଶୋଇଥିବାର ଦେଖି ତା’ର ସେଦିନର ଘଟଣା ମନେ ପଡ଼ିଯାଉଥାଏ । ଆଜି ନିଜ ଜୀବନସାଥୀକୁ ହରେଇବାର ଯେଉଁ କଷ୍ଟ ସେ ଅନୁଭବ କରୁଥିଲା ସେଦିନ ସେ ମହିଳା ଜଣଙ୍କ ବୋଧେ ସେଇ କଷ୍ଟ ଅନୁଭବ କରୁଥିବ । ହୁଏତ ସେଦିନ ପୋଲିସକୁ ନ ଡରି ଲୋକଟିକୁ ହସ୍ପିଟାଲ ନେଇଥିଲେ ତା’ର ଜୀବନ ବଞ୍ଚି ପାରିଥାନ୍ତା; ସେ ମହିଳା ଜଣଙ୍କ ବିଧବା ଓ ସେ ଛୁଆଟି ବାପଛେଉଣ୍ଡ ହେବାରୁ ବଞ୍ଚି ଯାଇଥାନ୍ତା । ସେଦିନ ସେମାନଙ୍କ ଦ୍ୱାର ହୋଇଥିବା ଭୁଲ ପାଇଁ ଭଗବାନ ଆଜି ଦୁହିଁଙ୍କୁ ଏତେ ବଡ଼ ଦଣ୍ଡ ଦେଇଛନ୍ତି । ଆଜି ମାନସୀ ଲିପୁନକୁ ଛାଡ଼ି ସବୁଦିନ ପାଇଁ ବହୁତ ଦୂରକୁ ଚାଲିଯାଉଛି । ସେଦିନ ସେ ମା’ ପୁଅକୁ ଏଇ ଦୁନିଆରେ ଏକୁଟିଆ ସଂଘର୍ଷ କରିବାକୁ ଛାଡ଼ି ଦେଇଥିବାର ଦଣ୍ଡ ସ୍ୱରୂପ ତାକୁ ବି ସାରା ଜୀବନ ଏକା ରହିବାର ମିଳିଛି ଦଣ୍ଡ । ସେଦିନ ସେ କରିଥିବା ଭୁଲ୍ ପାଇଁ ଆଜି ତାକୁ ମିଳିଛି ଉପଯୁକ୍ତ ଦଣ୍ଡ ।
– ପ୍ରଜ୍ଞା ପ୍ରଧାନ
Comments
ପ୍ରଜ୍ଞା ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।