ଏକ ଡାହାଣୀର ଅପମୃତ୍ୟୁ

eka-dahani-ra-apamrutyu

ପୃଥିବୀରେ ଆଖି ଦୃଶିଆ ଭୌଗୋଳିକ ପରିବର୍ତ୍ତନ ଘଟେ ଅନେକ ବର୍ଷରେ । କିନ୍ତୁ, ଆମ ଗାଁ ବ୍ରାହ୍ମଣୀ ନଦୀ ତାଗତିପଥ ବଦଳାଇଲା ମୋ ଆଖି ସାମ୍ନାରେ, ମୁଁ ୮ମ ଶ୍ରେଣୀରେ ପଢ଼ୁଥିବାବେଳେ । ତତ୍ ସହିତ ମଧ୍ୟ ବଦଳିଗଲା ଆମ ଗାଁର ଐତିହାସିକ ମାନଚିତ୍ର । ଏହା ଯେଉଁ ସମୟର କଥା, ସେତେବେଳେ ଗାଁ ମାନେ ସହରୀ ପ୍ରଭାବ ଠାରୁ ଥିଲେ ବହୁ ଦୂରରେ । ଗାଁ ମାନେ ଥିଲେ ନିରୋଳା ଗାଁ । ଅର୍ଥାତ୍ ରାତି ହେଲେ ସେଠାରେ ସିନ୍ଧି ଚୋର ଠୁଁ ଆରମ୍ଭ କରି ଭୂତ, ପ୍ରେତ, ପିଶାଚ, ଡାହାଣୀ ଆଦି ସାଲୁବାଲୁ ହେଉଥିଲେ ଲୋକମାନେ ସେମାନଙ୍କ ସଂଷ୍ପର୍ଶରେ ଆସି ଜ୍ୱର, ଝାଡା ରକ୍ତବାନ୍ତି କରିପକାଉଥିବାର ନଜର ପ୍ରାୟ ମିଳୁଥିଲା । ପିଲାଦିନରୁ ମୁଁ ଡରକୁଳା ଥିଲି । କିନ୍ତୁ, ଖୁବ୍ ଦୂରରୁ ସୁରକ୍ଷାବଳୟ ଭିତରେ ଜାକି ହୋଇ, ସେ ସବୁ ଜନ୍ତୁ ମାନଙ୍କୁ ଚଟ୍ କରି ଦେଖି ନେବାର ଅଭିଳାଷା ଥିଲା ମୋର ଅଦମ୍ୟ, ବିଶେଷ କରି ଡାହାଣୀଟିଏକୁ ଦେଖିବାର । ତେବେ ମୋବୋଉ ମୋର ସାନ ଭଉଣୀକୁ ଡାହାଣୀ ବୋଲି ପ୍ରାୟତଃ ସମ୍ବୋଧନ କରେ, କାରଣ ପଡ଼ୋଶୀ ଘରୁ ଆମିଷ ବାସ୍ନା ଆସିଲେ ମୋ ଭଉଣୀ ପାଟିରୁ ଯେମିତି ସାବଲୀଳ ରୀତିରେ ଲାଳ ଗଡ଼ୁଥିଲା, ତାକୁ ଡାହାଣୀ ଡାକିବା ଛଡ଼ା ବୋଉ ପାଖରେ ଆଉ କିଛି ବାଟ ନଥିଲା । କିନ୍ତୁ ମୁଁ ଖୋଜୁଥିଲି ଅସଲ ଡାହାଣୀଟିଏ ।

ଥରେ ଧୂ ଧୂ ଖରାବେଳେ, ଯଥାପୁର୍ବ ମୋ ବାତରା ସାଙ୍ଗମାନଙ୍କ ସାଂକେତିକ କୁହାଟ ଶ୍ରବଣ ମାତ୍ରେ, ସବୁ ବୟସ୍କ ମାନଙ୍କ ଆଖିରେ ଧୂଳିଦେଇ ମୁଁ ବାହାରିପଡ଼ିଲି ବରକୋଳି ଅନ୍ୱେଷଣରେ । ଏମିତି ବି ଆମ ପରି ଦଣ୍ଡାବାଳୁଙ୍ଗାମାନଙ୍କ ଫୋପଡ଼ା ମାଡ଼ରେ ଗାଁର ସବୁ ବରକୋଳି ଗଛ ନଣ୍ଡାପ୍ରାୟ ହୋଇଯାଇଥାନ୍ତି । ତଥାପି ବଞ୍ଚିଥିବା ଟୁଇଁ ଟୁଇଁ କୋଳିମାନଙ୍କର ଆମ କବଳରୁ ନିସ୍ତାର କାହିଁ ! କିନ୍ତୁ, ସେଥର ସତରେ ଆମ କପାଳରେ ବିଲେଇ ଛିଙ୍କିଥିଲା । ଗାଁ ସବୁ ଛୋଟ ବଡ଼ ଗଛ ଖୋଜି ଖୋଜି, ନଦୀ କୂଳରେ ଏକାନ୍ତ ପୂଜିତା ମାକାଳୀ ମନ୍ଦିର ଯାଏ କ୍ଷେପିଯାଇଥିଲୁ । ଅବଶ୍ୟ ଆମ ସମସ୍ତଙ୍କୁ ଊଣାଅଧିକେ କଥା ଜଣା ଥିଲା ଯେ, ମାକାଳୀଟି ବଡ଼ ପ୍ରତ୍ୟକ୍ଷା ପ୍ରାୟ କଡ଼ କଡ଼ ଖରାବେଳେ ମଧ୍ୟ ରାତ୍ରରେ ନିଜର ଦୁଇ ତିନୋଟି ଲଙ୍ଗୁଳୀ ରକ୍ତପିପାସୁ ସଖୀଙ୍କ ସହିତ ଆଖ ପାଖ ଅଞ୍ଚଳରେ ବିଚରଣରତା । କିନ୍ତୁ ସେଦିନ କୋଳିର ଅଭାବ ଯୋଗୁଁ  ଆମେ ଥିଲୁ ସମ୍ପୁର୍ଣ୍ଣ ଅନ୍ୟମନସ୍କ । ସମସ୍ତେ ନିରାଶ ମନରେ ଯେଝା ଘରକୁ ପ୍ରତ୍ୟାବର୍ତ୍ତନ କଲେ । ମୁଁ ବି ସର୍ଟକଟରେ, ବାଉଁଶ ବଣ ଦେଇ, ଗ୍ରାମର ସବୁଠୁ ଦଦରା ଘରର ପିଣ୍ଡା ଦେଇ, ଡ଼େଇଁ ଡ଼େଇଁ ଘରକୁ ଫେରୁଥାଏ । ପଛରୁ କାହାର କଣ୍ଠସ୍ୱର ଶୁଣି ଅଟକିଗଲି ।

ତୁ, ଫୁଲ ପୁଅ ନା? ଖରାବେଳଟାରେ କାହିଁକି ବୁଲୁଛୁ? ପଛକୁ ବୁଲି ଅନେଇଲି । ଗୋଟିଏ ଶୀର୍ଣ୍ଣକାୟ, ଡେଙ୍ଗୀ କାଳିଆ ବୁଢ଼ୀ । ଓଠରେ ସ୍ମିତ ହସ ଖେଳାଇ ବୁଢ଼ୀ ପୁଣି କହିଲା, “ ଡରି ଗଲୁ କିରେ? କୋଳି ନେବୁ? ” ଧୁକୁଡ଼ି ହାତରେ ଦୁଇ ଚାରୋଟି ସୁଠାମ ବରକୋଳି ମୋ ଆଡ଼କୁ ବଢ଼େଇଦେଲା ବୁଢ଼ୀ । ଥତମତ ହୋଇ ବୁଢ଼ୀ ହାତରୁ କୋଳି ନେଇ ଚମ୍ପଟ ମାରିଲି ।

କିନ୍ତୁ ସନ୍ତର୍ପଣରେ ଘରେ ପଶୁ ପଶୁ ବାଟ ଓଗାଳିଲା ମୋ ନାନୀ । “ତୋରି ଆଖିକୁ ନିଦ ଆସୁନି । ଖରାବେଳଟା ସାରା ବାୟାବାତରା ହୋଇ ବୁଲୁଛୁ !! ହାତରେ ଧରିଛୁ?” ଗାର୍ଜନ ସୁଲଭ କଣ୍ଠରେ ପଚାରିଲା ନାନୀ । ଅଗତ୍ୟା ହାତ ଦେଖାଇଲି । ଲୋଭନୀୟ ଦୁଇ ଚାରୋଟି କୋଳିରୁ ଗୋଟାଏ ଟକ୍ କରି ଉଠାଇ ନେଇ ନାନୀ ପଚାରିଲା

କୋଉଠୁ ଆଣିଲୁ ? “

ସେଇ ଯୋଉ ଡେଙ୍ଗୀ କାଳୀ ବୁଢ଼ୀ ….. “

ପାଟି ପାଖକୁ ନେଉଥିବା କୋଳିକୁ ଘୃଣାରେ ଫିଙ୍ଗି ଦେଲା ନାନୀ ଧମକ ଦେଇ କହିଲାଫୋପାଡ଼୍ ସେ କୋଳିକୁ ଫୋପାଡ଼୍

ନାନୀକୁ ମା ପ୍ରତିରୂପ ମନେକରି, ମୁଁ ତା ଗାଳିଗୁଲଜକୁ ପ୍ରାୟ ଖାତିର୍ କରେ ନାହିଁ । କିନ୍ତୁ ଧମକ ଥିଲା ଅସ୍ୱାଭାବିକ । ଅତଏବ୍ ଡରିଯାଇ କୋଳିକୁ ଫିଙ୍ଗି ଦେଲି । କିନ୍ତୁ ନାନୀର ଗାଳି ଅବ୍ୟାହତ ଥାଏ ।

ତତେ କିଏ କହିଲା ସେ ଘୁସୁଙ୍ଗୀ, ହେଡ଼ାଚରା, ଡାହାଣୀ ଶତୁରା ମାଘରକୁ ଯିବାକୁ ! ତୋ ରକ୍ତ ଶୋଷି ନେଇ ଥାନ୍ତା !!”

କ୍ରମଶଃ ନାନୀର ହାଉ ହାଉରେ ଯୋଗଦେଲେ ବଡ଼ମା‘, ଖୁଡ଼ି, ଭାଉଜ, ବାପା, ବଡ଼ବାପା ଓଗେରେ । ସମସ୍ତେ କୋରସ୍ରେ ଗୋଟିଏ କଥାକୁ ଦୋହରାଉ ଥିଲେ ।

ତତେ ସେ ହେଡ଼ାଖାଇ, ଘୁସୁଙ୍ଗୀ, ଡାହାଣୀ ଶତୁରା ମାଘରକୁ ଯିବାକୁ କହିଲା କିଏ !”

ଦାଦା ଆହୁରି ଗୋଟିଏ ପାଦ ଆଗକୁ ଆସି କାନମୂଳେ ଧଘାସ୍ କରି ଚଟକଣାଟାଏ ବସେଇଦେଲେ । ତେବେ ଏସବୁ ହାଉ ହାଉରୁ ଗୋଟିଏ କଥା ସ୍ପଷ୍ଟ ହୋଇ ପଡ଼ୁଥିଲା କି, ପନ୍ଦର ମିନିଟ୍ ତଳେ ଯୋଉ ଡେଙ୍ଗୀ, କାଳୀ କୋତରୀ, ଶତୁରା ମାକୁ ଭେଟି ଥିଲି, ସିଏ ପ୍ରକାର ଭେଦରେ ଗୋଟିଏ ହେଡ଼ାଚରା, ଘୁସୁଙ୍ଗୀ ଡାହାଣୀ ! ଆଶ୍ଚର୍ଯ୍ୟ !! ଯେଉଁ ଡାହାଣୀଟିକୁ ଦେଖିବାକୁ ମୁଁ ପିଲା ବେଳରୁ ଏତେମାତ୍ରାରେ ଲାଳାୟିତ ଥିଲି, ସେ ପୁଣି ମିଳିଲା ଆମରି ଗାଁ ନଈକୂଳ ଦଦରା ଝୁମ୍ପୁଡ଼ି ଭିତରେ !

ଡାହାଣୀଟିଏକୁ ଖୁବ୍ ପାଖରେ ପାଇ ମନଭରି ଦେଖିନନେଲେ ଅବଶୋଷ ରହିଯିବ ପରା ! ଅତଏବ୍ ଡାହାଣୀ ଆକର୍ଷଣ ମୋତେ ପ୍ରାୟତଃ ସେ ଝୁମ୍ପୁଡ଼ି ପାଖକୁ ଟାଣିନେଉଥିଲା । ଖୁବ୍ ସନ୍ତର୍ପଣରେ, ଦୂରରୁ ମୁଁ ଡାହାଣୀ ଶତୁରା ମାକୁ ବିହ୍ୱଳ ଭାବରେ ଅନେଇ ରହୁଥିଲି । ଅଧିକାଂଶ ସମୟରେ ଡାହାଣୀର ଦେଖା ମିଳେନି । କିନ୍ତୁ, ବେଳେବେଳେ ଡାହାଣୀ ଶତୁରା ମାକୁ ମୁଁ  ଆପଣାର ପିଣ୍ଡା ଓଳାଉ ଥିବାର ଦେଖିପାରେ । ଅଣ୍ଟାଭାଙ୍ଗିପଡ଼ିଥିବା, କୋରଟ ଆଖି, ନୁଖୁରାବାଳ, ଛିଣ୍ଡା ମଇଳା ଲୁଗା ପରିହିତା ପ୍ରାୟ ଅଶୀ ବର୍ଷ ବୟସ୍କା ଧୋତଡ଼ା ବୁଢ଼ୀଟାଏନିଜ ଅସ୍ତିତ୍ୱ ବିଷୟରେ ସନ୍ଦିହାନ ଅଥଚ ଅନ୍ତପକ୍ଷେ ଜିଲ୍ଲାସ୍ତରୀୟ ମାନଚିତ୍ରରେ ଆମ ଗାଁର ନାମ (ଅପନାମ)କୁ ପରିଚିତ କରାଇ ପାରିଥିବା ଏକମାତ୍ର ଡାହାଣୀଶତୁରା ମା‘ । ଭାବିଲେ ଆଶ୍ଚର୍ଯ୍ୟ ଯେ ବର୍ତ୍ତମାନ ଯୁଗର ରାମଦେବ ବାବାଙ୍କୁ ତାତ୍ସଲ୍ୟ କରି ସେ ସମୟରେ ବି ଶତୁରା ମାସପୂର୍ଣ୍ଣ ଉଲଗ୍ନ ହୋଇ, ଶୀର୍ଷାସନ ଭଙ୍ଗୀରେ ଗୋଡ଼ ଉପରକୁ କରି ଅର୍ଦ୍ଧରାତ୍ରରେ ଘଣ୍ଟା ଘଣ୍ଟା କାଳ ମଶାଣୀ ସାରା ବୁଲି ବୁଲି ହେଡା ଶୁଂଘିବାରେ ନିଜକୁ ନିୟୋଜିତ ରଖିପାରୁଥିଲା । ଆଉ ଏମନ୍ତ ଭଙ୍ଗୀରେ ସେ ଦିନେ ଅମାବାସ୍ୟା ରାତିରେ ପଡ଼ିଗଲା ଆମ ଗ୍ରାମର ମହାପରାକ୍ରମୀ ତନ୍ତ୍ରସାଧକ ମାମଲତକର ନିତେଇ ବଣିଆ ହାବୁଡ଼ରେ । ମହାକାଳୀ ସାଧକ ନିତେଇ ବଣିଆ ତତ୍କ୍ଷଣାତ୍ ମନ୍ତ୍ର ବାଣ ମାରି ଶତୁରା ମାକୁ ବେହୋସ କରିଦେଲା । ତାପରଦିନ ପ୍ରତ୍ୟୁଷରୁ ହିଁ ଆମ ଗାଁ ମାନଚିତ୍ରରେ ଶତୁରା ମାଏକ ନୂଆ ଆଇକାର୍ଡ଼କୁ ନେଇ ବଞ୍ଚିବାକୁ ଲାଗିଲାହେଡାଖାଇ, ଘୁସୁଙ୍ଗୀ ଡାହାଣୀ ।

ତାପରଠୁଁ ଗାଁ ସବୁ ଛୋଟ ବଡ଼ ଅଘଟଣଯେମିତି କାହାର ପେଟ କାମୁଡ଼ୁ ଥିଲା, କାହା ଛୁଆକୁ ମାନ୍ତିକ ଜ୍ୱର ହେଲା ଇତ୍ୟାଦିରେ ଶତୁରା ମାକୁ ସର୍ବ ସମ୍ମତି କ୍ରମେ ଦାୟୀ କରାଯାଉଥିଲା । ତତ୍ପଶ୍ଚାତ୍ ଦଣ୍ଡ ବିଧାନ ସ୍ୱରୂପ ନିତେଇ ବଣିଆ ଶତୁରା ମାକୁ ଘରୁପ୍ରାୟ ଘୋସାରିଆଣେ  କାଳୀ ମନ୍ଦିର ସାମ୍ନାରେ ଥିବା ଶିମୂଳୀ ଗଛରେ ବାନ୍ଧି, ଅର୍ଧନଗ୍ନ କରି, ଖଜୁରୀ ପିଞ୍ଛରେ ବେହୋସ କରିବା ଯାଏ ନିର୍ଘାତ ପିଟେ । ଥରେ ନିତେଇ ବଣିଆର ଖୋଦ୍ ପୁତୁରା ବେଦମ ବାନ୍ତିକରି ବେହୋସ୍ ହୋଇଯିବା ଉତ୍ତାରୁ (ପୁତୁରାଟି ଘୋଡ଼ା ମଦୁଆ ଥିବା ଅନେକଙ୍କର ମତ), ଉତକ୍ଷିପ୍ତ ନିତେଇ ଡାହାଣୀ ଶତୁରା ମାକୁ ଲୁହା ଜଞ୍ଜିରରେ ବାନ୍ଧି, ଘରେ କିଳି ଘଣ୍ଟାଏ କାଳ ଲଙ୍କାଧୁଁଆ ଦେଇ ସାବାଡ଼ କରିଥିଲା । ପ୍ରକାର ଯନ୍ତ୍ରଣା ଦାୟକ ଦଣ୍ଡ ବିଧିରେ ଡାହାଣୀତ୍ୱ ହ୍ରାସ ପାଏ ବୋଲି ଅଧିକାଂଶ ଗ୍ରାମବାସୀ ଉତ୍ସାହ ଅନୁଭବ କରୁଥିଲେ ।

ତେବେ ଆମ ଗ୍ରାମବାସୀମାନେ ଥିଲେ ପ୍ରଚଣ୍ଡ ଧାର୍ମିକ । କାଳୀ ମନ୍ଦିର ଯିବାବାଟରେ କିଏ କେମିତି କଦଳି ଟାଏ, ମୁଁଆ ଟାଏ, ଚୂଡ଼ା ପୁଟୁଳି ଟାଏ ଶତୁରା ମାଘର ଆଡକୁ ଫିଙ୍ଗି ଦିଅନ୍ତିତାହାର ଆହାର ଉପଲକ୍ଷେ । ଭୟରେ ହେଉ ବା ବୋହୁମାନଙ୍କ ପ୍ରରୋଚନାରେ ହେଉ, ଅନେକ ଦିନରୁ ବିଧବା ଶତୁରା ମାକୁ ତା ଦୁଇ ପୁଅ ପରିତ୍ୟାଗ କରିଥିଲେ ।

କିନ୍ତୁ, ଶତୁରା ମାକୁ ଦେଖିଲେ ମୋତେ ଲାଗୁନଥିଲା ସେ ଏତବଡ଼ ଜନ୍ତୁଟାଏ ହୋଇଥିବ ! ନାତା ଥିଲା ବଡ଼ ବଡ଼ ଦାନ୍ତ, ନା ଶିଙ୍ଗ, ନା ସେ ପିନ୍ଧୁଥିଲା ବିରାଟ ସିନ୍ଦୁର ଟୋପା । ବରଂ ତାହସ ଥିଲା ମଧୁର, ବ୍ୟବହାର ଥିଲା ଅମାୟିକ । ମୋର ଏତାଦୃଶ ଅନୁଭବର କିଛି ନିରବ ସମର୍ଥକ ମଧ୍ୟ ଥିଲେ । ଯେମିତି ମୋବୋଉ । ଶତୁରା ମାବିଷୟରେ ମୋବୋଉ ଦେଇଥିବା ସଂକ୍ଷିପ୍ତ ବିବରଣୀ ପୁର୍ବବର୍ଣ୍ଣିତ ଘଟଣାର ସମ୍ପୂର୍ଣ୍ଣ ବିରୋଧ ଥିଲା । ହେଲେ ମୋବୋଉ ବା ତତ୍ସମ କ୍ଷୀଣକାୟ ଭୟାଳୁମାନଙ୍କର କ୍ଷୀଣତମ ସ୍ୱରକୁ ଭାଉ ଦିଏ ବା କିଏ !

କିନ୍ତୁ ହଠାତ୍ ଦିନେ ସେ କ୍ଷୀଣତମ ସ୍ୱର ଚାପା ଗୁଞ୍ଜରଣ ସୃଷ୍ଟିକରି ପ୍ରାୟ ଅନେକଙ୍କ ମନକୁ ଚରିଗଲା, ଯୋଉ ଦିନ ରବି ମଲିକର ସ୍ତ୍ରୀ ନିଜର ବାପ ଘରେ ବଡ଼ରୋଗରେ ସଢ଼ି ସଢ଼ି ମରିଗଲା । ସେ ଗୁଞ୍ଜରଣର ରୂପରେଖ ଏମିତି : ଯେଉଁ ରାତିରେ ନିତେଇ ବଣିଆ ଶତୁରା ମାକୁ ମନ୍ତ୍ରବାଣ ମାରିଥିଲା, ପ୍ରକୃତରେ ସେଦିନ ଅମାବାସ୍ୟା ରାତିରେ ଶତୁରା ମାନିଜର ପୁରୁଣା ପେଟ ରୋଗର ନିରାକରଣ ହେତୁ କିଛି ଚେରମୂଳ ସଂଗ୍ରହରେ ଯଥାପୁର୍ବ ମଶାଣିକୁ ଯାଇଥିଲା । ହଠାତ୍ ନିକଟସ୍ଥ କିଆ ବୁଦାରୁ ସେ ଶୁଣିଲା କିଛି ଅସ୍ୱାଭାବିକ ଶବ୍ଦ । କିଛି ପଦକ୍ଷେପ ନେବା ପୁର୍ବରୁ ଶତୁରା ମାଆଗରେ ଉଭାହୋଇଗଲେ ଦୁଇ ଉଲଗ୍ନ ମୁର୍ତିରବି ମଳିକ ସ୍ତ୍ରୀ ନିତେଇ ବଣିଆ । ସେ ଘୃଣ୍ୟ ଦୃଶ୍ୟ ବିଷୟରେ କିଛି ଅନୁମାନ କରିବା ପୁର୍ବରୁ ଶତୁରା ମାମୁଣ୍ଡରେ ଲାଗିଲା ଏକ ଶକ୍ତ ପ୍ରହାର । ଏହାର ଅଧଘଣ୍ଟାଏ ପରେ ରବି ମଳିକ ସ୍ତ୍ରୀର ପାଟି ଶୁଭିଲା – “ବଞ୍ଚାଅ, ବଞ୍ଚାଅ, ମୋତେ ଡାହାଣୀ ଗୋଡ଼େଇଛି ।” ଧଡ଼ପଡ଼ ହୋଇ ସମସ୍ତେ ମଶାଣୀ ପାଖକୁ ଦୌଡ଼ିଲେ । ସମସ୍ତେ ଲଣ୍ଠନ ଆଲୁଅରେ ଦେଖିଲେ ଶତୁରା ମାସମ୍ପୂର୍ଣ୍ଣ ଉଲଗ୍ନ ହୋଇ ପଡ଼ିଛିହାତରେ ହାଡ଼, ମୁହଁ ସାରା ଗୁହ । ନିତେଇ ବଣିଆ ଥରୁଥାଏ । ରହସ୍ୟ ସଫା ହୋଇଗଲା । ଶତୁରା ମାଲଙ୍ଗଳା ହୋଇ ହେଡା ଚରୁଥିବା ବେଳେ, ନିତେଇ ବଣିଆ ତାକୁ ବାଣ ମାରି ବେହୋସ କରିଛି !

ପରଦିନ ପ୍ରଭାତରୁ, ସାରା ଗାଁ ସାମ୍ନାରେ, ଶତୁରା ମାକୁ କାଳୀ ମନ୍ଦିର ସାମ୍ନା ଶିମୂଳୀ ଗଛରେ ବାନ୍ଧି, କିଛି ଦୁର୍ବୋଧ୍ୟ ମନ୍ତ୍ର ଉଚାରଣ କରିବା ଅବସରରେ, ନିତେଇ ବଣିଆ ନିର୍ଧୁମ୍ ପିଟୁଥାଏ । ପ୍ରାଣ ବିକଳରେ ଶତୁରା ମାଖାଲି ଚିଲେଇ ଚାଲିଥାଏ ।

ଆଲୋ ନିଆଁସୀ, ଆଣ୍ଠୁକୁରି, ରବି ମଳିକ ମାଇପ, ତୁ ବଡ଼ ରୋଗରେ ମରଲୋ, ତୋ ପରଘଇତା ନିତେଇ ବଅଁଶ ବୁଡ଼ୁଲୋ, ତା ମୁଣ୍ଡକୁ ଯୋଗଣୀ ଖାଉଲୋ……. “

କିନ୍ତୁ ନିତେଇ ବଣିଆ ମାଡ଼ ଲୋକଙ୍କ ସମର୍ଥନ ଆଗରେ ତାସ୍ୱର ନଇଁ ଗଲା କ୍ରମଶଃ ମରିଗଲା ବି । ଲୋକେ ତାଗାଳିକୁ ଧ୍ୟାନ ବି ଦେଲେ ନାହିଁ । କିନ୍ତୁ ସବୁଦିନ ସବୁକଥା ଥାଏ । ଲୋକେ ତାଗାଳିକୁ ମନେପକେଇଲେ ଯୋଉଦିନ ରବି ମଳିକ ସ୍ତ୍ରୀ ବଡ଼ରୋଗରେ ସଢ଼ି ସଢ଼ି ମରିଗଲାଆଉ ମୃତ୍ୟୁ ଯାଏ ସେ ଥିଲା ସନ୍ତାନ ହୀନା । ତଥାବି ବି ନିତେଇ ବଣିଆ ଡରରେ, ଶତୁରା ମାପ୍ରତି ଲୋକ ମାନଙ୍କ ବ୍ୟବହାର ରେ ବିଶେଷ କିଛି ପରିବର୍ତ୍ତନ ଘଟି ଥିଲା ।

ସେଥର ଆଷାଢ଼ରେ ହେଲା ପ୍ରବଳ ବର୍ଷାଦିନରାତି ଲଗାଣ ବର୍ଷାରେ ବ୍ରାହ୍ମଣୀ ନଦୀ ଫୁଲି ଫୁଲି ଭୟଙ୍କର ରୂପ ଧାରଣ କରୁଥାଏ । ଲୋକେ ଦେଖିଲେ ବର୍ଷାର ତାଣ୍ଡବରେ ଶତୁରା ମା ଝୁମ୍ପୁଡି ଧରାଶାୟୀ ହୋଇଯାଇଛି କାନ୍ଥ ତଳେ ଚାପିହୋଇ ଡାହାଣୀ ଶତୁରା ମା ପ୍ରାଣବାୟୁ ଉଡ଼ିଯାଇଛି । କିନ୍ତୁ ଡାହାଣୀର କ୍ରିୟାକର୍ମ କରିବ କିଏ । ଶବ କାନ୍ଥ ତଳେ ସେମିତି ପଡ଼ିଥାଏ । ତେବେ ଡାହାଣୀ କବଳରୁ ଗାଁକୁ ମୁକ୍ତ କରିଥିବାରୁ ନିତେଇ ବଣିଆ ପୌରହିତ୍ୟରେ ମାକାଳୀଙ୍କ ଉଦେଶ୍ୟରେ ସେଦିନ ରାତିରେ ବଡ଼ ଧରଣର ଜନ୍ତାଳଟାଏ କରି ଲୋକମାନେ ଆଶ୍ୱସ୍ତିରେ ଶୋଇଗଲେ । ରାତ୍ରରେ ହେଲା ଆହୁରି ଭୀଷଣ ବର୍ଷାଭୀଷଣରୁ ଭୀଷଣତର ।

ପରଦିନ ସକାଳେ, ସମଗ୍ର ଜିଲ୍ଲାକୁ ହତବିମ୍ୱ କରି ଆମ ଗ୍ରାମର ନକ୍ସାରେ ବିରାଟ ଭୌଗୋଳିକ ପରିବର୍ତ୍ତନ ସହ ତଦନ୍ୱରୂପ ଐତିହାସିକ ପରିବର୍ତ୍ତନ ଘଟିଯାଇଥିଲା । ବ୍ରାହ୍ମଣୀ ନଦୀ ତୀବ୍ରଭାବରେ ନିଜର ଗତିପଥ ପରିବର୍ତ୍ତନ କରି ଉଭୟ ଶତୁରା ମା ଝୁମ୍ପୁଡି କାଳୀ ମନ୍ଦିରକୁ ନିଶ୍ଚନ୍ନ କରି ଦେଇଥିଲା । ସାତଦିନ ପରେ ଲୋକେ ଦେଖିଲେ ଉଭୟ ଶତୁରା ମା କାଳୀ ପ୍ରତିମା ନଦୀ ଗର୍ଭରେ ବିଲୀନ !

ଏଠାରେ ଏହା ଅପ୍ରାସଙ୍ଗିକ ଯେ କିଛି ବର୍ଷ ପରେ, ନିଜର ସମସ୍ତ ପରିଜନଙ୍କୁ ଏକ ଦୁର୍ଘଟଣାରେ ହରାଇ ନିତେଇ ବଣିଆ ପାଗଳ ହୋଇଯାଇଥିଲା ପଥରରେ ମୁଣ୍ଡ ପିଟି ପିଟି ମରିଗଲା । ତେବେ ସେ ଘଟଣାକୁ ଆଜି ମନେ ପକାଇଲେ, ମୋତେ କାହିଁକି କେଜାଣି ଲାଗେ ଯେ, ସେଦିନ ଶତୁରା ମାମରିଗଲା ପରେ ଆମର ଗ୍ରାମଦେବତୀ ଭାବରେ ପୂଜାପାଇବକୁ ମାକାଳୀଙ୍କର ଆଉ ଉତ୍ସାହ ନଥିଲା ।

ଡ. ଶ୍ରୀଧର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...