ଆଜି କରୋନାକୁ ନେଇ ଆମେ ସମସ୍ତେ ବ୍ୟତିବ୍ୟସ୍ତ । କାରଣ, ଏ ନୋଭେଲ କରୋନାର ଭୂତାଣୁ ଏକଦମ୍ ନୂଆ । ଆଉ ପୁରୁଣା କରୋନାଠୁ ବହୁଗୁଣରେ ବଳଶାଳୀ ବି । ଯାହାକୁ ନେଇ ସାରା ବିଶ୍ୱର ଅନେକ ମୁଖିଆ ରାଷ୍ଟ୍ରମାନଙ୍କରେ ତାଟି-କବାଟ ପଡ଼ିଗଲାଣି । ଆଉ ଆମ ଦେଶ ବି ଇଟାଲି, ଆମେରିକା ଓ ସ୍ପେନ ଭଳି ଦେଶର ସ୍ଥିତି ଦେଖି ଶିଖିଛନ୍ତି, ସଂକ୍ରମଣ ଉପରୁ ନିୟନ୍ତ୍ରଣ ହରାଇବା ପୂର୍ବରୁ ଆଗୁଆ ପଦକ୍ଷେପ ସ୍ୱରୂପ ସମ୍ପୂର୍ଣ୍ଣ ଲକ୍ଡାଉନ୍ ବି ଘୋଷଣା କରିଛନ୍ତି । ଦିଲ୍ଲୀରୁ ଛୋଟିଆ ପଲ୍ଲୀ ପର୍ଯ୍ୟନ୍ତ କେବଳ ଏଇ ଚର୍ଟ୍ଟା । ଆଉ ଅଜାଆଈ, ମଉସାମାଉସୀଙ୍କଠୁ ନେଇ ଛୋଟ ପିଲାଙ୍କ ପର୍ଯ୍ୟନ୍ତ କରୋନା ଉପରେ ଏତେ ଅଗାଧ ଜ୍ଞାନ ଅର୍ଜନ କରିସାରିଲେଣି ଯେ, ଆମ ଡାକ୍ତର କି ବୈଜ୍ଞାନିକ ଛାଡ଼ନ୍ତୁ, ଏଇନେ କହିଲେ ସେମାନେ ବି କରୋନା ଉପରେ ଗୋଟେ ଅଧେ ରିସର୍ଚ୍ଚ ପେପର ପ୍ରସ୍ତୁତ କରିଦେବେ । ଅବଶ୍ୟ ଏହାର ଶ୍ରେୟ କେବଳ ହିଁ କେବଳ ଆମ ଗଣମାଧ୍ୟମ ଏବଂ କେବଳ ଭଗବାନ ହିଁ ବଞ୍ଚେଇବେ କ୍ୟାଟାଗୋରୀରେ ଆସୁଥିବା ସାମାଜିକ ଗଣମାଧ୍ୟମକୁ ନିଶ୍ଚୟ ଯିବ, ଏଥିରେ କାହାର ଦ୍ୱିମତ ନଥିବ । ଅବଶ୍ୟ ଆପଣ ଏହାର ସତ୍ୟାସତ୍ୟ ନେଇ ପ୍ରଶ୍ନ ଉଠାଇପାରିବେ, ସେ ଅଧିକାର ଆପଣଙ୍କର ପୁରାପୁରି ଅଛି ।
ଏସବୁ ତ ଆପଣ କହିବେ ମୋର ଦୃଷ୍ଟିକୋଣ । କିନ୍ତୁ ଆଜି ଏ ପ୍ରସଙ୍ଗରେ ଲେଖିବାର କାରଣଟା କିନ୍ତୁ କିଛି ଅଲଗା । ପ୍ରସଙ୍ଗର ନାଁଟା ଦେଖି କିଛି ତ ବୁଝି ଯିବେଣି ଭାବୁଛି । ଆଜ୍ଞା ଠିକ୍ ହିଁ ବୁଝିଛନ୍ତି । କରୋନା ଆସିବା ପରେ ଭୟ, ଆତଙ୍କ ସହ ଏ ଶବ୍ଦ, ସ୍ୱାଭାବିକ ଭାବେ ଯୋଡ଼ି ତ ହୋଇଛି । କିନ୍ତୁ ଆଜି ମନ୍ଦ ଦିଗ ଦେଖିବାରୁ ହଟିବା ଆଉ ଟିକେ ଅନ୍ୟ ଦିଗ, ମାନେ ଭଲ ଉପରେ ନଜର ପକେଇବା । ଆପଣ ଭାବୁଥିବେ ସାରା ବିଶ୍ୱର ୧୯୯ ଦେଶର ଯେତେବେଳେ ନିଦ ହଜିଗଲାଣି, ଅହଂରେ ପୂର୍ଣ୍ଣ ଆମେରିକା ସରକାର ନିଜ ମୁଣ୍ଡ ତଳକୁ କଲେଣି ଆଉ କହିଲେଣି ଯଦି ଲକ୍ଷେ ଲୋକରେ ବି ମୃତ୍ୟୁକୁ ସୀମିତ ରଖି ପାରିବେ, ତେବେ ବି ଟ୍ରମ୍ପ ପ୍ରଶାସନ ପାଇଁ ବଡ଼ ସଫଳତା ହେବ, ଇଟାଲୀ, ସ୍ପେନ ଭଳି ସ୍ୱାସ୍ଥ୍ୟସେବାରେ ଉନ୍ନତ ଦେଶ ବି ଆଣ୍ଠେଇ ପଡ଼ିଲେଣି, ସମସ୍ତଙ୍କୁ ଚିକିତ୍ସା ନ ଦେଇ ପାରି, ଆଉ ସାରା ବିଶ୍ୱ ପାଇଁ ଆଗକୁ ଆସୁଥିବା ଅର୍ଥନୈତିକ ସମସ୍ୟା ଯେତେବେଳେ ଘନୀଭୂତ ହେବାରେ ଲାଗିଛି, ସେତେବେଳେ ମୋତେ ଏଥିରେ କ’ଣ ବା ଭଲ ଦେଖାଯାଉଛି? ମୁଁ ଭାବୁଛି ଆପଣଙ୍କୁ ବି ଦେଖା।ଯିବ, ଯଦି ମୋ ଦୃଷ୍ଟିରେ ଆପଣ ନିଜ ଆଖପାଖ ସହ ନିଜ ଭିତରକୁ ବି ଟିକେ ଉଙ୍କି ମାରିବେ ।
ଆରମ୍ଭ ଘରଠୁ କରିବା । କାରଣ ଯେତେବେଳେ ବାହାରକୁ ଅଯଥାରେ ବାହାରିଲେ ପୋଲିସର ଦଣ୍ଡା ପଡ଼ିଯିବାର ଭୟ, ତେଣୁ କିଳାକୁ ହୁଇସିଲ ବଜାଇ ଡାକିବାଠୁ, ହଜାରେ ଗୁଣରେ ଶ୍ରେୟସ୍କର ଘରେ ରହିଯିବା । ଯଦିଓ ଘର ଲୋକଙ୍କୁ ଅଯଥା କିଛିଙ୍କର ହାଣ୍ଡିମୁହଁ ବି ସହିବାକୁ ପଡ଼ିଛି । କିନ୍ତୁ, ମନେ ପକେଇଲେ ଶେଷଥର କେବେ ଆପଣ ନିଜ ପରିବାର ସହିତ, କୌଣସି ଚିନ୍ତା ନଥାଇ ମିଶିକି ଥିଲେ? ବିନା କୌଣସି କାମର ଚାପରେ ବା ପୁଣି କାଲି ଅଫିସ ଯିବାକୁ ପଡ଼ିବର କାଉଣ୍ଟ ଡାଉନ୍କୁ ନେଇ ବିନା କୌଣସି ମାନସିକ ଅସନ୍ତୋଷରେ, କେବେ? ସବୁବେଳେ ଆପଣଙ୍କୁ ଲାଗେନି, କେବେ ଗୋଟେ ଚିନ୍ତାଶୂନ୍ୟ ଲମ୍ୱା ଛୁଟି ମିଳନ୍ତା କି… ଏବେ ଆପଣଙ୍କୁ ସେ ଛୁଟି ତ ମିଳିଛି ହେଲେ, ସମସ୍ୟାଟା ଆମ ମୁଣ୍ଡରେ । କାରଣ ବିନା ଆପଣଙ୍କ ଚାହିଁବାରେ ଛୁଟିଟା ମିଳିଛି । ତେଣୁ ମନ ଅସ୍ତବ୍ୟସ୍ତ ଟିକେ । ଘର ଭିତରଟା କାମୁଡ଼ି ଗୋଡ଼ାଉଛି । କେମିତି ଟିକେ ସୁଯୋଗ ମିଳିବ ମାଛ, ପରିବା ବାହାନା କରି ଟିକେ ପଦାରେ ଘେରାଏ ମାରି ଆସିଲେ, ଟିକେ ଶାନ୍ତି । କିନ୍ତୁ ୨/୪ ଦିନ ପରେ ମନ ଘର ଧରିଯିବ ଯେ ।
ଭାବିଲେ, ଘରେ ଯେତେବେଳେ ବାପାମାଆ ବା ଛୁଆପିଲାଙ୍କ ସହ ରହିବାକୁ ମିଲିଲା, ଆଉ ଭୁଲି ଯାଇଥିବା ବା ରଜ ଭଳି ପର୍ବପର୍ବାଣିରେ ଆଜିକାଲି କୋଚିତ୍ ବାହାରୁଥିବା ତାସ୍ ଲୁଡୁ ପାଲିର ବାଜିରେ ଘର କମ୍ପିଲା, ପୁଣି ଛୋଟ ବେଳର ସ୍ମୃତି ସବୁ ତାଜା ହେଇଗଲାନି? କେମିତି ଲୁଡୁରେ ନିଜ ଦାନ ମଲାବେଳେ ଲାଗେ, ମୋ ଦାନ ଜମା ମରିବନି ବା ତାସ୍ ଖେଳରେ ପ୍ରତିପକ୍ଷ ପାଖରେ ଯଦି ଗୋଲି ଅଛି, ତା’ହେଲେ ସେ ଯେଉଁ ଭାବନା… ମନେ ପଡ଼ିଗଲାନି? ମନେ ପଡ଼ିଗଲାନି ସେତେବେଳର ସାଙ୍ଗସାଥି, ସ୍କୁଲ, ନୂଆ ନୂଆ ବଡ଼ ପିଲା ହେବାର ନିଶା, ମନରେ ନୂଆ ନୂଆ ରଙ୍ଗ ଲାଗିବାର ସେ ଯେଉଁ ଅନୁଭୂତି ଆଉ ଆକାଶରେ ଉଡ଼ିବାର ସେ ସ୍ୱପ୍ନ ସବୁ?
ଥରେ ଭାବନ୍ତୁ ତ, ଏ ଯେଉଁ ଲମ୍ୱା ଛୁଟି ହୁଏତ କିଛିଙ୍କୁ ବିନା କାରଣରେ କ୍ୱାରେଣ୍ଟାଇନ୍ ଲାଗିଥାଇପାରେ, କିନ୍ତୁ ବସିବାଠୁ କାଶିବା ନ୍ୟାୟରେ, ଆପଣଙ୍କ ଭିତରୁ କିଏ ଘରେ ଗଦା ହୋଇଥିବା ଓ ବିଲକୁଲ ପୃଷ୍ଠା ଓଲଟା ହୋଇ ନଥିବା ବହିସବୁକୁ ପଢ଼ିବାର ସୁଯୋଗ ପାଇଲେ ନା ନାହିଁ । ଆଉ ସବୁବେଳେ ଶାଣିତ ସ୍ୱରରେ ପଚରାଯାଉଥିବା ବଡ଼ ଅଭିଯୋଗ, ବହି ତ କିଣା ହଉଛି, ପଢ଼ା କେତେବେଳେ ହଉଛି ଠୁ, ମୁକ୍ତି ମିଳିଲା ନା ନାହିଁ । ଆଉ କିଛି ଅବିବାହିତ ପୁଅଙ୍କୁ ତ, ଆମ ପୋଲିସ୍ କମିଶନର୍ ମହୋଦୟଙ୍କ କଡ଼ା ଷ୍ଟେଟମେଣ୍ଟ ଅନୁସାରେ କାଳେ ଝିଅ ମିଳିବେନି, ସେଥିପାଇଁ ରୋଷେଇ ନେଇ ଗୁଡ଼େ ପରୀକ୍ଷା ନୀରିକ୍ଷାର ବି ଭରପୁର ସୁଯୋଗ ମିଳିଗଲା । ଅବଶ୍ୟ ସେଥିରୁ ଅନେକ ଅନେକ ପାଟି ବଦଳରେ ବେସିନରେ ଢଳା ହେଲା ତ ଭାରତ ଆବିଷ୍କାର କରୁ କରୁ ଆମେରିକା ମିଳିଲା ଭଳିଆ, ନୂଆ ଡିସ୍ ପ୍ରସ୍ତୁତ ହେଇଗଲା । ତଥାପି ଗୋଟେ ସନ୍ତୁଷ୍ଟି, ଖଡ଼ିଛୁଆଁ ତ ହେଲା ନା ।
ଏବେ ଯିବା ଆମ ହୋମ ମେକର ବା ଘରେ ରହୁଥିବା ଘରଣୀଙ୍କ ପାଖକୁ । ଅବଶ୍ୟ ସେମାନଙ୍କ ପାଇଁ ଏ ସମୟ ଏସିଡ୍ ଟେଷ୍ଟର ବେଳ । ସମସ୍ତେ ଅଫିସ, ସ୍କୁଲ କଲେଜ ଯିବା ପରେ ଯେଉଁ ଅଭିଲିପ୍ସିତ ସମୟଗୁଡ଼ା ନିଜ ପାଇଁ ମିଳୁଥିଲା, ସେ ତ ଗଲା । ବୋଝ ଉପରେ ନଳିତା ବିଡ଼ା ଭଳି ଫରମାଇସ୍ ରାନ୍ଧଣା, ଚାଖଣା କରୁ କରୁ, ବିଚରା ଘରଣୀଙ୍କର ଅବସ୍ଥା ବେହାଲ୍ । ତଥାପି ସେମାନେ ତ ସର୍ବଂସହା ନା । ସତ କହିଲେ ଏତେ କଷ୍ଟ ପରେ ବି, ଯେତେବେଳେ ପତି ମହୋଦୟ, ବାଗଚୀଙ୍କ ତାଗିଦ୍ରେ ଅନୁପ୍ରେରିତ ହୋଇ ବାସନଟିଏ ଧୋଇ ଦେଲେ ବା ତରକାରୀଟିଏ କରିଦେଲେ, ଘରଣୀଙ୍କ ମନ ପୁରା ଗଦ୍ ଗଦ୍, ନା କ’ଣ ଆଜ୍ଞା, ମୁଁ ମିଛ କହିଲି?
ଆଚ୍ଛା ଛାଡ଼ନ୍ତୁ । ଟିକେ ମଣିଷର ମଣିଷ ପଣିଆ ନେଇ କଥା ହେବା । ଆପଣ କହିବେ କ’ଣ ଏଥିରେ ନୂଆ ଅଛି? ମଣିଷ ଅଛି ମାନେ ମଣିଷ ପଣିଆ ବି ଅଛି । ନିରାଟ ସତ । ମୁଁ ବି ଏକମତ । କିନ୍ତୁ ଆଜିର ଜୀବନ ଶୈଳୀ, ଏକୁଟିଆ ପଣ କେବଳ ନିଜ ଭିତରେ, ନିଜ ପରିବାର ଭିତରେ ଆମକୁ ଚିନ୍ତା କରିବାକୁ ବାଧ୍ୟ କରି ଦେଇନି? କିନ୍ତୁ କରୋନା ପୁଣି କେଉଁଠି ନା କେଉଁଠି ମଣିଷର ସେଇ ମଣିଷ ପଣିଆ ଫେରେଇ ଆଣୁଛି । ଅନ୍ତତଃ ଶୁଭାରମ୍ଭ ତ ହେଇଛି । ଯେତେବେଳେ ସବୁ ବନ୍ଦ, ଆଉ ଭୋକ ଉପାସରେ ରାସ୍ତାରେ ବଞ୍ଚୁଥିବା ଲୋକଙ୍କୁ ଖାଇବା ଦବାପାଇଁ ଆଜିର କିଛି ଯୁବକ ନିଜ ପକେଟ ମନି ଖର୍ଚ୍ଚ କରି ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି, ଅନ୍ୟ ରାଜ୍ୟରେ ବିନା ଖାଇବା ପାଣିରେ ଫସି ରହିଥିବା ଶ୍ରମିକଙ୍କୁ ସବୁ ବନ୍ଦ ସତ୍ତ୍ୱେ ସେଠାକାର କିଛି ପିଲା, ବିନା ସ୍ୱାର୍ଥରେ ନିଜ ପକେଟରୁ ପଇସା ଖର୍ଚ୍ଚ କରିବାରେ ଗୋଟେ ମିନିଟ୍ ବି ଡେରି କରୁ ନାହାନ୍ତି । ଏକୁ କ’ଣ କହିବେ ଆପଣ? ମଣିଷପଣିଆ ନା ଆଉକିଛି? ଖାଲି କ’ଣ ସେତିକି, ପଶୁ ପକ୍ଷୀଙ୍କ ଦୁଃଖ ବି ବୁଝି ସେମାନଙ୍କ ପାଇଁ ବି ଆଗେଇ ଆସିଲେଣି । ଲାଗୁନି ପ୍ରକୃତରେ ଆମେ ପୁଣି ମଣିଷ ପାଲଟୁଛେ ।
ଏ ସବୁ ଭିତରେ କରୋନାକୁ ସବୁଠୁ ଗୋଟେ ବଡ଼ ଧନ୍ୟବାଦ ଦେଉଥିବେ ଆମ ପୃଥବୀ ମା’ । ଦେଖୁନାହାନ୍ତି, ଗାଡ଼ି ମଟର ବନ୍ଦ, କଳ କାରଖାନାର ଧୂଆଁ ନାହିଁ, ପରିବେଶ ପ୍ରଦୂଷଣର ମାତ୍ରା କେତେ କମିଗଲାଣି । ଓଜନ ସ୍ତରର ବିପଦଜନକ ସ୍ଥିତି ପାଇଁ ଯେତେବେଳେ ସାରା ବିଶ୍ୱ ଚିନ୍ତିତ ଥିଲା- ଅବଶ୍ୟ ଏ ଦିଗରେ ଆଖିଦୃଶିଆ କିଛି ନ କରି- ସେତେବେଳେ ଏ ଖବର ଯେ ଓଜନ ସ୍ତରର ଛିଦ୍ର ଖୁବ୍ ତ୍ୱରିତ ବେଗରେ ବନ୍ଦ ହେବାରେ ଲାଗିଛି, କେତେ ଶାନ୍ତି ପ୍ରଦାନକାରୀ କୁହନ୍ତୁ ତ? ନ ହେଲେ ତ ଏଲ ନିନୋ, ସୁନାମୀ, ଆଉ ଆଣ୍ଟାର୍କଟିକା ଓ ଗ୍ଲାସିଅର ଗୁଡ଼ିକରେ ବରଫ ତରଳିବା କଥା ଶୁଣି, କେତେ ଦେଶ ବୁଡ଼ିବାଯିବାର ଆଶଙ୍କାରେ ସମୟ ବିତଉଥିଲେ ।
କରୋନାର ଭୟ ପରେ ଯେଉଁ ପରିବର୍ତ୍ତନ ଆସିଛି, ସବୁଠୁ ଖୁସି ଏବେ ପଶୁ ପକ୍ଷୀ । ବିନା କୌଣସି ବାଧାରେ ଏବେ ନୀଳଗାଈ, ସହରର ବଡ଼ ବଡ଼ ମଲ୍ ଆଗରେ ବୁଲି ପାରୁଛି ତ କେଉଁଠି ଫୁଟ୍ପାଥ୍କୁ ବିଶ୍ରାମର ଆଡ୍ଡାସ୍ଥଳୀ ବନେଇ ଦେଲେଣି ଜଙ୍ଗଲି ହରିଣ । ଆଉ ଚଢ଼େଇ, ତାଙ୍କ କଥା କ’ଣ କହିବି, ନିଜ ମସ୍ତିରେ କୌଣସି ଶବ୍ଦ ପ୍ରଦୂଷଣ ବିନା ଗୀତ ଗାଇବାରେ ସେମାନେ ମସ୍ଗୁଲ୍ । ଆଉ ଆପଣ କିଚିରିମିଚିରୀ ଶବ୍ଦ ବା କୋଇଲିର କୁହୁ ତାନରେ ସୃଜନଶୀଳ ହଉ ନାହାନ୍ତି?
ତା’ହେଲେ ଏବେ କୁହନ୍ତୁ ତ, ଯଦି କରୋନା ଆସି ନଥାନ୍ତା, ତେବେ ଏସବୁକୁ ପୁଣିଥରେ ଜୀଇଁବାର ଅନୁଭୂତି ଆପଣ ପାଇଥାନ୍ତେ କି? ମୁଁ ଏସବୁକୁ ନେଇ ଯଦି କରୋନାର କରୁଣା କଥା କହିଲି, କିଛି ଭୁଲ୍ କହିଲି? କୁହନ୍ତୁ ନା?
– ଇତିଶ୍ରୀ ନାୟକ
Comments
ଇତିଶ୍ରୀ ନାୟକ ପେଶାରେ ଜଣେ ଦୂରଦର୍ଶନ ସମ୍ୱାଦ ଉପସ୍ଥାପିକା, ଯିଏକି ଏବେ ନ୍ୟୁଜ୍ 7ରେ କାର୍ଯ୍ୟରତ । ପୂର୍ବରୁ ସେ ଇ-ଟିଭି ଓଡ଼ିଆ ଓ MBC TV ଭଳି ଚେନାଲ୍ରେ କାର୍ଯ୍ୟ କରୁଥିଲେ । ସେ ତାଙ୍କର ଫାଙ୍କା ସମୟରେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।