ଅନେକ ଲୋକଙ୍କ ମନରେ ଯେମିତି ମହତକାଂକ୍ଷା ଥାଏ ମୋ ମନରେ ବି ସେମିତି ଏକ ସ୍ୱଭାବସୁଲଭ ବୈରାଗ୍ୟଭରା ବାହାଘର ହବ ବୋଲି ସ୍ୱପ୍ନ ଦେଖୁଥିଲି । ସମୟ ସୁଅରେ ମୋର ବୟସ ୨୯ ପୂରି ୩୦ ଚାଲିଲା । ମନ ମୋର ଅତି ଉତ୍କଣ୍ଠା ଆଉ ପ୍ରସାନିତ ହେଇଯାଉଥାଏ କାରଣ ମୋ ବାହାଘର ଏତେ ଦିନର ଅବିରତ ଖୋଜାଖୋଜି ପରେ ଘର ଲୋକଙ୍କ ପ୍ରଚେଷ୍ଟାରେ ଠିକ ହେଇଛି । ଝିଅଟା ଦେଖିବାକୁ ଗଲେ ରାଜକୁମାରୀ ଭଳି । ଏହିସବୁ କଥା ମୁଁ ଆମ ବନ୍ଧୁ, କୁଣିଆ ଆଉ ଆମ ଘର ଲୋକଙ୍କଠାରୁ ଶୁଣିଛି ।ଏହିସବୁ କଥା କାନକୁ ଭାରି ଆରାମ ଦେଉଥାଏ ଯେମିତି ମରୁଭୂମିରେ ଅସରାଏ ବର୍ଷା ସୁକ୍ଷ୍ମ ବୃକ୍ଷକୁ ଆଶା ଦେଇଥାଏ, ଠିକ୍ ସେମିତି ମୋ ଆଶା ବୁଢ଼ିଆଣୀ ବସା ବାନ୍ଧିବା ଆରମ୍ଭ କରିଦେଇଥାଏ ।
ବ୍ରାହ୍ମଣ ତା’ର ଗଣନା କରି କହିଥିଲେ କି ଅପ୍ରେଲ ମାସ ୧୫ ତାରିଖକୁ ମାହେନ୍ଦ୍ର ବେଳା ଆଉ ଡେରି ନ କରିବାକୁ । ନନା ଟିକେ ଖଣ୍ଡି ହିନ୍ଦୀ ମାରି କହୁଥିଲେ, “ଶୁଭ୍ କାମ ମେ ଡେରି କାହିଁକି ଜଲଦି କରୋନା ।”
ତା’ପରେ ସମସ୍ତେ ମାତି ଗଲେ ମୋ ବାହାଘର ଯୋଜନାରେ । କିଏ କ’ଣ କରିବ କିଏ କ’ଣ ଆଣିବ, ଏମିତି କେତେ କ’ଣ । ସମେସ୍ତ କାମରେ ଲାଗିଛନ୍ତି ଖାଲି ମୋତେ ଛାଡ଼ିକି ।
ଧୀରେ ଧୀରେ ସେଦିନ ଆସି ପହଞ୍ଚିଲା । ମୁଁ ଯେ ଚେଇଁଥିଲି କି ସ୍ୱପ୍ନ ଦେଖୁଥିଲି, ନିଜେ ବି ଜାଣିପାରୁନଥିଲି । ତଥାପି ନିଜ ସହ ଯୁକ୍ତି କଲି ଆଉ ଭାବିଲି ଯାହା ଘଟିଯାଉଛି ସେ ସବୁ କେବେଳ ସ୍ୱପ୍ନରେ ସମ୍ଭବ ହେଇଥିବ; ଅସମ୍ଭବ କ’ଣ?? ହୁଏତ ଏଯାଏଁ ମୋ ନିଦ ଉଜୁଡ଼ି ନାହିଁ ।
ସ୍ୱପ୍ନ ଓ ବାସ୍ତବ – ଯାହା କିଛି ଦେଖୁଥାଏ ସେ ସବୁ ସ୍ୱପ୍ନ ଭଳି ଲାଗୁଥାଏ । ଆଉ ବାସ୍ତବରେ ଏମିତି କିଛି ହେଇଥିବ ମୋର ବିଶ୍ୱାସ ହେଉନଥାଏ । ଜନ୍ମରୁ ଆଜି ଯାଏଁ କେବେ ବି ଏକାକାଳୀନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାର ସୁଯୋଗ ପାଇ ନଥିଲି, କିନ୍ତୁ ଆଜି ବରବେଶ ହେଇକି ଯିବାବେଳେ କେଉଁ ଫିଲ୍ମଷ୍ଟାର୍ଠାରୁ କମ୍ ଅନୁଭବ ହେଉନଥିଲା ।
ତତ୍ ପ୍ରଶ୍ଚାତ୍ ମୁଁ ସୁରୁଖୁରୁରେ ବାହାଘର ବେଦୀରେ ପହଞ୍ଚିଲି; ବାହାଘରର ସମ୍ପୂର୍ଣ୍ଣ ନୀତିକାନ୍ତି ସମାପ୍ତ ହେଲା ଓ ଝିଅ ବିଦା ବି ହେଇଗଲା । ମନ ମୋର ଖାଲି କୁରୁଳି ଉଠୁଥାଏ । ଚାରିଦିନ କେତେ ଶୀଘ୍ର କଟିଗଲା ଜଣା ପଡ଼ିଲା ନାହିଁ । ବରବେଶର ଉତ୍କଣ୍ଠା ସାରିଯାଇଥିଲା, ବାସ୍ ଏବେ ଖାଲି ସେହି କୋଠରୀ ଭିତରକୁ ଯିବାକୁ ଭାରି ଉତ୍କଣ୍ଠା ଥିଲା ।
ସେ ବେଳ ବି ଆସିକି ପହଞ୍ଚିଲା, ମୁଁ ଧୀରେ ଧୀରେ ପାଦ ପକାଇ ଆଗକୁ ଗଲି । ଯାଇକି ଦେଖେ ତ ବିଭିନ୍ନ ଦେଶରୁ ବିଭିନ୍ନ ପୁଷ୍ପଗୁଚ୍ଛ ସବୁ ବୁଢ଼ିଆଣୀ ଜାଲ ଭଳି ପଲଙ୍କ ଉପରେ ବିଛେଇ ହେଇଯାଇଛି । ସୁଗନ୍ଧିତ ରଜନୀଗନ୍ଧାର ବାସ୍ନା ନାକରେ ଭରି ହେଇଯାଉଥାଏ । ସମ୍ପୂର୍ଣ୍ଣ ଘର ସାରା ପୁଷ୍ପରେ ପରିପୂର୍ଣ୍ଣ; କେଉଁଠି ବି ଖାଲି ଜାଗା ନଥାଏ । ମୋ ଆଖି ସାମନାରେ ବସିଛନ୍ତି ଜଣେ ସ୍ୱର୍ଗୀୟ ପରୀ ଅଧା ଘୋଡ଼ା ଓଢ଼ଣା ଟାଣି ଆଉ ତାଙ୍କ ଅଧରୋଷ୍ଠରେ ଛଟକି ଉଠିଲା ଏକ କ୍ଷଣିକ ଆମୋଦ, ଯାହାକି ମୁଁ ସ୍ପଷ୍ଟ ଲକ୍ଷ୍ୟ କରିପାରୁଥିଲି । ମୁଁ ପୁଣିଥରେ ଆପାଦମସ୍ତକ ଦେଖିନେଲି ।
ନିଜର ଅବସନ୍ନ ଦେହ ଓ ବିଷର୍ଣ୍ଣ ମନକୁ ଏକା ମର୍ମରେ ଏକାଠି କରି ପଲଙ୍କ ଆଡ଼କୁ ମାଡ଼ି ଗଲି; କିନ୍ତୁ କିଏ ଗୋଟିଏ କ’ଣ କହୁଛି । ଭଲେରେ କାନ ପାରିଲା ବେଳକୁ ଜଣାପଡ଼ିଲା ମା’ ଡାକୁଛନ୍ତି, “ପୁଅ ଉଠେ ଆମ ପ୍ରଧାନମନ୍ତ୍ରୀ ଟିଭିରେ କ’ଣ କହୁଛନ୍ତି ଦେଖେ ।”
ନିଜର ନୟନଯୁଗଳରେ ଯଥାସମାରଥ୍ୟ ଲାଗଇ ଆଖି ଖୋଲେ ତ ଦିନ ୧୦ଟା ହେଲାଣି ଆଉ ମୁଁ ଚାରିକାତ ମେଲେଇ ପଲଙ୍କ ଉପରେ ବେଙ୍ଗ ଭଳିଆ ସ୍ୱପ୍ନ ଦେଖୁଥିଲି । ଏହାପରେ ଯାଇକି ଦେଖେ ତ ଘରର ସବୁ ଲୋକେ ଏକାଠି ମହୁମାଛି ଭଳି ରୁଣ୍ଡ ହେଇଛନ୍ତି ସେଇ ଟିଭି ପାଖରେ; ଆଉ ପ୍ରଧାନମନ୍ତ୍ରୀ ଘୋଷଣା କରିଦେଲେ କରୋନା ପାଇଁ ସବୁକିଛି ବନ୍ଦ । ଆଉ ମୋ ବାହାଘର ବି ବନ୍ଦ । ଏତିକି ଶୁଣିକି ମୁ ହତଭମ୍ୱ ହେଇଗଲି ।
ମୁଁ ଜାଣେନି କେବେ ଏହି ମହାମାରୀ କରୋନା ଶାନ୍ତ ହେବ ଓ ମହାମାରୀର ଗମ୍ଭୀର୍ଯ୍ୟ କେତେ ମୁଁ ଜାଣେନା କି ବାହାଘର ହେବ କି ନା ସେ କଥା ବି ଜାଣେନା । ଏହି ସବୁ ଯାହା ଘଟିଗଲା ତାହା ବି ସ୍ୱପ୍ନ ଥିଲା ।
– ସୌମିତ୍ରୀ ସୌରଭ ଦାସ
Comments
ସୌମିତ୍ରୀ ସୌରଭ ଦାସ ପେଶାରେ ଜଣେ ମେକାନିକାଲ୍ ଇଞ୍ଜିନିୟର୍ । ସେ ଓଡ଼ିଆ ଭାଷାରେ ବିଭିନ୍ନ ଗଳ୍ପ ଓ କ୍ଷୁଦ୍ର ଗଳ୍ପ ଆଦି ରଚନା କରିଥାନ୍ତି ।