ଚନ୍ଦ୍ରମା

Odia Poem Chandrama (ଚନ୍ଦ୍ରମା) by Sunanda Mohanty

ରାତି ସହଚରୀ ଦିନରେ ଅପସରି
କୋଉଠି କେମିତି ରୁହ
ଚାନ୍ଦିନୀ ରାତିର ପୁନେଇ ଜହ୍ନ ଗୋ
ଅମାବାସ୍ୟାରେ କୁଆଡ଼େ ଯାଅ?
ଚନ୍ଦ୍ରମା ହୀନା ରଜନୀ ଭଲଲାଗେନା
ଦୂରେଇ କାହିଁକି ରୁହ?
ମଣିଷ ଜନମ ଭାରି ହୀନିମାନ
କେତେ ବା ଜାଣିବି କୁହ
ସବୁଜାଣେ ବୋଲି କେମିତି କହିବି
ଚନ୍ଦ୍ରମା ଦେଖିନିଅ ଆଖି ଲୁହ
ତୁମ ସ୍ପର୍ଶରେ ବିଭୋର ଦୁନିଆଁଟାଯାକ
ମୁଁ ନହେବି କେମିତି କୁହ
ସୂର୍ଯ୍ୟଙ୍କପରି ସତ୍ୟ ତୁମେ ଗୋ ଚନ୍ଦ୍ରମା
ରାତି ଆକାଶରେ ତାରାମେଳେ ରୁହ
ନୀଳକଇଁ ତୁମ ପ୍ରେମିକା ବୋଲି ସାହିତ୍ୟରେ
ଗଳ୍ପ ଗୀତ ଉପନ୍ୟାସରେ ଥାଅ ।
ଜହ୍ନ ମାମୁଁ ବୋଲି ହାତ ଠାରି ଡାକେ ଶିଶୁ
ସଭିଙ୍କର ତୁମେ ମାୟା ମୋହ
ଚନ୍ଦ୍ରମା ବୋଲି ସାହିତ୍ୟିକ ଭାଷାରେ ବର୍ଣ୍ଣନା
ତୁମେ ଖୁସି ନା ନୁହଁ?
ଚନ୍ଦ୍ରମା ତୁମେ ସୂର୍ଯ୍ୟ ଓ ପୃଥିବୀ ମଝିରେ
ପରାଗ ବେଳେ ରୁହ
ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀ ରହିଲେ
ଗ୍ରହଣ ନିଶ୍ଚୟ କୁହ
ସୂର୍ଯ୍ୟ ସବୁବେଳେ ସ୍ଥିର ବୁଲୁଛି ପୃଥିବୀ
ଚନ୍ଦ୍ରମା ଅସ୍ଥିର କି ତୁମେ ନୁହଁ
କବିର ଲାଳିତ୍ୟ ଗାଳ୍ପିକର ତୃଷ୍ଣା ଲେଖକର
ମରୀଚିକା ହୋଇ ଧାଉଁଥାଅ
ପ୍ରେମିକା ପାଇଁ ମୃଗତୃଷ୍ଣା ତୁମେ ମରୁଝର
ଅନ୍ଧାରେ କୁଆଡ଼େ ଯାଅ?
ଅବାବାସ୍ୟା ଓ ପୂର୍ଣ୍ଣମୀ ତିଥି ପଖାଳି ସନ୍ତୁଳି
ଅଦୃଶ୍ୟ ଦୃଶ୍ୟ ଲୁଚକାଳି ଖେଳୁଥାଅ
ତୁମ ପାଇଁ ମୋର ତୃଷା ଓ ତୃଷ୍ଣା ଅନେକ
ତୁମେ ପ୍ରେମୀଟିଏ କାର ନୁହଁ
ବିଜ୍ଞାନୀ ହେଉ ଭୂଗୋଳ ଯାହା କହୁ ତୁମେ
ହେତୁବାଦୀର ବି ଜମା ନୁହଁ
ମୁଁ ଜାଣେ ତୁମ ସତ୍ୟ ଶିବ ସୁନ୍ଦର ଅତୀବ
ନୀଳ ଆକାଶେ ରାତ୍ରୀ ସହଚର ହୁଅ
ଖିଆଲି ମନର ଭାବ ପ୍ରବଣରେ କଥାଦେଇ
ଆନମନା କେବେ ନୁହଁ
ତୁମ ଗତିବିଧି, ବୃତ୍ତ ଓ ପରିଧି ନିଜ କ୍ଷେତ୍ରଫଳ
ପରିସୀମା ତୁମକୁ ଜଣା, ଆଉ କାହାକୁ ନୁହଁ
ଦି’ଦିନ କୁଣିଆ ମଣିଷ ସର୍ବଜାଣ ବୋଲାଇ ଏଠି
ନିଇତି ପିଉଛି ଯା’ ନିଜ ଲୁହ
ଦୂର ଆକାଶର ଚନ୍ଦ୍ରମା ତୁମେ ନିଇତି ରାତିରେ
ଆସି ଥରେ ହାତରେ ମୋ ଧରା ଦିଅ ।

– ସୁନନ୍ଦା ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...